ETV Bharat / bharat

ଛତିଶଗଡରେ ନକ୍ସଲ ଆକ୍ରମଣରେ 3 ଯବାନ ଶହୀଦ, 10ରୁ ଅଧିକ ଆହତ

author img

By ETV Bharat Odisha Team

Published : Jan 30, 2024, 7:30 PM IST

Several Jawan Martyred in Naxal Attack: ନକ୍ସଲ ଆକ୍ରମଣରେ 3 ଯବାନ ଶହୀଦ । 10ରୁ ଅଧିକ ଯବାନ ଆହତ । ସୁକମା-ବିଜାପୁର ସୀମାନ୍ତ ଜଙ୍ଗଲରେ ଏନକାଉଣ୍ଟର ଜାରି । ଅଧିକ ପଢନ୍ତୁ

ଛତିଶଗଡରେ CRPF କ୍ୟାମ୍ପ ଉପରେ ନକ୍ସଲ ଆକ୍ରମଣ: 3 ଯବାନ ଶହୀଦ, ଏକାଧିକ ଜବାନ ଆହତ
ଛତିଶଗଡରେ CRPF କ୍ୟାମ୍ପ ଉପରେ ନକ୍ସଲ ଆକ୍ରମଣ: 3 ଯବାନ ଶହୀଦ, ଏକାଧିକ ଜବାନ ଆହତ

ରାୟପୁର: ବିଜାପୁର-ସୁକମା ସୀମାନ୍ତ ଜଙ୍ଗଲରେ ଆଜି ଲାଲବାହିନୀ ଓ ସୁରକ୍ଷା ବଳ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏଥିରେ 3 ଯବାନ ଶହୀଦ ହୋଇଥିବା ବେଳେ 10ରୁ ଅଧିକ ଯବାନ ଆହତ ହୋଇଛନ୍ତି । ଆହତଙ୍କୁ ମଧ୍ୟରେ କିଛି ଗୁରୁତର ମଧ୍ୟ ରହିଛନ୍ତି । ଆହତ ଯବାନଙ୍କୁ ରାୟପୁର ଏୟାରଲିଫ୍ଟ କରାଯାଇଛି । ନିକଟବର୍ତ୍ତୀ ଜଙ୍ଗଲରେ ସୁରକ୍ଷାବାହିନୀ ସର୍ଚ୍ଚ ଅପରେସନକୁ ଜୋରଦାର କରିଛି । ଏବେ ମଧ୍ୟ ଗୁଳି ବିନିମୟ ଜାରି ରହିଥିବା ସୂଚନା ମିଳିଛି ।

ଆଜିର ଏନକାଉଣ୍ଟର ସମ୍ପର୍କରେ ବସ୍ତର ପୋଲିସ ଆଇଜି ପି.ସୁନ୍ଦରାଜ ସୂଚନା ଦେଇଛନ୍ତି । ଆଜି ଅପରାହ୍ନରେ ଏସଟିଏଫ ଓ ଡିଆରଜି ଯବାନଙ୍କ ଏକ ମିଳିତ ଟିମ ସ୍ଥାନୀୟ ଜଙ୍ଗଲରେ ରୁଟିନ କମ୍ବିଂ ଅପରେସନରେ ବାହାରିଥିଲା । ପୂର୍ବରୁ ଆକ୍ରମଣ ଯୋଜନା ପ୍ରସ୍ତୁତ କରିଥିବା ନକ୍ସଲମାନେ ଅତର୍କିତ ସୁରକ୍ଷାବଳ ଉପରେ ଗୁଳିମାଡ କରିଥିଲେ । ଏବେ ସୁଦ୍ଧା 3 ଯବାନ ଶହୀଦ ହୋଇଥିବା ବେଳେ 10ରୁ ଅଧିକ ଯବାନ ଆହତ ହୋଇଛନ୍ତି । ଆହତଙ୍କ ଅବସ୍ଥା ସ୍ଥିର ରହିଛି । ସେମାନଙ୍କୁ ରାୟପୁରର ଏକ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଅନ୍ୟପଟେ ସୁରକ୍ଷାକର୍ମୀଙ୍କ ଗୁଳିରେ ମଧ୍ୟ ଏକାଧିକ ନକ୍ସଲ ମୃତାହତ ହୋଇଥିବା ଅନୁମାନ କରାଯାଉଥିବା ବେଳେ ସେ ସମ୍ପର୍କରେ ପୋଲିସ କିଛି ସ୍ପଷ୍ଟ କରିନି । ଜଙ୍ଗଲରେ ସର୍ଚ୍ଚ ଓ କମ୍ବିଂ ଅପରେସନ ଜାରି ରହିଛି ।

ନିକଟରେ ସର୍ବାଧିକ ନକ୍ସଲ ପ୍ରବଣ ସୁକମା ଓ ବିଜାପୁରର ସୀମାନ୍ତ ଜଙ୍ଗଲ ଟେକଲଗୁଡେମରେ କେନ୍ଦ୍ରୀୟ ଫୋର୍ସ ଏକ ଶିବିର ସ୍ଥାପନ କରିଛି । ଯାହାକୁ ନେଇ ନକ୍ସଲ ସଂଗଠନ ଭୟରେ ଥିଲା । ଏହି କ୍ୟାମ୍ପରୁ ଆଜି ସୁରକ୍ଷାକର୍ମୀମାନେ ଜଙ୍ଗଲରେ ସର୍ଚ୍ଚ ଅପରେସନ ପାଇଁ ଯାଇଥିଲେ । ହେଲେ ସେମାନଙ୍କ ଉପରେ ଅତର୍କିତ ଆକ୍ରମଣ କରିଥିଲେ ନକ୍ସଲ । ଗୁଳିମାଡ କରିବା ପରେ ସୁରକ୍ଷାବଳ ମଧ୍ୟ ଏହାର ପାଲଟା ଯବାବ ଦେଇଥିଲେ । ହେଲେ ଅତର୍କିତ ଗୁଳିମାଡରେ 3 ଯବାନ ଶହୀଦ ହେବା ସହ 10ରୁ ଅଧିକ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।

ଏହା ମଧ୍ୟ ପଢନ୍ତୁ :- ବିହାର କୃଷକଙ୍କୁ ରାହୁଲଙ୍କ ପ୍ରତିଶ୍ରୁତି, 'କଂଗ୍ରେସ ଆସିଲେ ଅନ୍ନଦାତାଙ୍କୁ ମିଳିବ ନ୍ୟାୟ'

ଛତିଶଗଡ ପୋଲିସ ରେକର୍ଡରେ ସର୍ବାଧିକ ନକ୍ସଲପ୍ରବଣ ସ୍ଥାନ ମଧ୍ୟରେ ବିଜାପୁର ଓ ସୁକମା ପରି ସୀମାନ୍ତ ଜଙ୍ଗଲ ରହିଛି । ବର୍ଷ 2021ରେ ଏକାଧିକ ନକ୍ସଲ ଆକ୍ରମଣରେ 23ଜଣ ଯବାନ ଶହୀଦ ହୋଇଥିଲେ । ଶହୀଦଙ୍କ ମଧ୍ୟରେ କେନ୍ଦ୍ରୀୟ ଫୋର୍ସ ଓ ରାଜ୍ୟ ପୋଲିସର ଯବାନ ମଧ୍ୟ ଥିଲେ । ହେଲେ ଏହି ଅଞ୍ଚଳରେ ବାରମ୍ବାର ନକ୍ସଲ ବିରୋଧୀ ଅପରେସନ କରାଯାଉଥିବା ସତ୍ତ୍ବେ ମଧ୍ୟ ନକ୍ସଲ ଉପଦ୍ରବରେ ରୋକ ଲାଗିପାରିନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.