ETV Bharat / bharat

୨୯ ଯାଏଁ କୃଷକ ଆନ୍ଦୋଳନ ସ୍ଥଗିତ, ଆଜି ଦେଶବ୍ୟାପୀ କ୍ୟାଣ୍ଡେଲ ଶୋଭାଯାତ୍ରା

author img

By ETV Bharat Odisha Team

Published : Feb 24, 2024, 10:13 AM IST

Farmers Protest Candle March Update: ଆସନ୍ତା ୨୯ ତାରିଖ ଯାଏଁ କୃଷକଙ୍କ ଦିଲ୍ଲୀ ଚଲୋ ଆନ୍ଦୋଳନ ସ୍ଥଗିତ ରହିଛି । ଆଜି ଦେଶବ୍ୟାପୀ ମହମବତୀ ଶୋଭାଯାତ୍ରା କରିବେ ଆନ୍ଦୋଳନକାରୀ କୃଷକ । ଅଧିକ ପଢନ୍ତୁ

Etv Bharat
Etv Bharat

ନୂଆଦିଲ୍ଲୀ: ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ଗ୍ୟାରେଣ୍ଟି ଆଇନ ଦାବିରେ ଚାଲିଥିବା କୃଷକ ଆନ୍ଦୋଳନ ଆଜି ୧୨ ଦିନରେ ପହଞ୍ଚିଛି । କେନ୍ଦ୍ର ସହ ଚାରି ଚାରିଥର ଆଲୋଚନା ପରେ ବି କୌଣସି ନିଷ୍କର୍ସ ବାହାରି ପାରିନି । ଫଳରେ ଗତ ୧୧ ଦିନ ହେଲାଣି ପଞ୍ଜାବ ଓ ହରିୟାଣା ସୀମାରେ ଟ୍ରାକ୍ଟର ଓ ଜେସିବି ସହ ଡେରା ପକାଇଛନ୍ତି ହଜାର ହଜାର କୃଷକ । ଏହାରି ମଧ୍ୟରେ କୃଷକମାନେ ସେମାନଙ୍କ 'ଦିଲ୍ଲୀ ଚଲୋ ଅଭିଯାନ'କୁ କିଛି ଦିନ ସ୍ଥଗିତ ରଖିବାକୁ ଘୋଷଣା କରିଛନ୍ତି । ଆସନ୍ତା ୨୯ ତାରିଖ ଯାଏଁ ଦିଲ୍ଲୀ ଚଲୋ ଆନ୍ଦୋଳନ ବନ୍ଦ ରହିବ । ଏଥି ସହ ଆଜି କୃଷକମାନଙ୍କ ପକ୍ଷରୁ ଦେଶବ୍ୟାପୀ କ୍ୟାଣ୍ଡେଲ ଶୋଭାଯାତ୍ରା ବାହାରିବ । ଯୁବ ଚାଷୀ ଶୁଭକରଣଙ୍କ ମୃତ୍ୟୁ ପ୍ରତିବାଦରେ ଏହି ଶୋଭାଯାତ୍ରା କରିବା ପାଇଁ କୃଷକ ସଂଗଠନ ନିଷ୍ପତ୍ତି ନେଇଛି ।

କୃଷକ ନେତା ସରୱାନ ପାନ୍ଧେର କହିଛନ୍ତି, ''ଚତୁର୍ଥ ପର୍ଯ୍ୟାୟ ବୈଠକ ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଲୋଚନା ପାଇଁ ଏ ପର୍ଯ୍ୟନ୍ତ କୌଣସି ନିମନ୍ତ୍ରଣ ଆସିନାହିଁ । କାରଣ ଏଥର ବୈଠକରେ କେବଳ ଏମଏସପି ଗ୍ୟାରେଣ୍ଟି ଆଇନ (MSP guarantee law) ପ୍ରସ୍ତୁତ ଉପରେ ଆଲୋଚନା ହେବ ବୋଲି ଆମେ ସଫା ସଫା ଜଣାଇଦେଇଛୁ । କିନ୍ତୁ କେନ୍ଦ୍ର ଆମର ଏହି ଦାବି ଗ୍ରହଣ କରୁନି ।''

ଆଜି ଦେଶବ୍ୟାପୀ କ୍ୟାଣ୍ଡେଲ ଶୋଭାଯାତ୍ରା: ଆନ୍ଦୋଳନ ସମୟରେ ଖନୌରୀ ବୋର୍ଡରରେ ଯୁବ ଚାଷୀ ଶୁଭକରଣଙ୍କ ମୃତ୍ୟୁ ହୋଇଥିଲା । ପୋଲିସ ଆକ୍ରମଣରେ ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ କରି ଚାଷୀମାନେ ଗତକାଲି କଳାଦିବସ ପାଳନ କରିଥିବା ବେଳେ ଆଜି ଦେଶବ୍ୟାପୀ କ୍ୟାଣ୍ଡେଲ ଶୋଭାଯାତ୍ରା କରିବେ । ଏହାବ୍ୟତୀତ ରାଜସ୍ଥାନ, ଗୁଜୁରାଟ ଓ ମଧ୍ୟପ୍ରଦେଶରେ ଆଦିବାସୀ ସମାଜ ଦ୍ବାରା କୃଷକଙ୍କ ପକ୍ଷରୁ ୨୬ରେ ରାଷ୍ଟ୍ରପତିଙ୍କୁ ଦାବିପତ୍ର ପ୍ରଦାନ କରାଯିବ ।

ଏହା ମଧ୍ୟ ପଢନ୍ତୁ: ପୋଲିସ ଗୁଳିରେ ଜଣେ କୃଷକଙ୍କ ମୃତ୍ୟୁ ଅଭିଯୋଗ, ‘ଦିଲ୍ଲୀ ଚାଲୋ’ ଯାତ୍ରା 2ଦିନ ସ୍ଥଗିତ

କହିରଖୁଛୁ କି, ଖନୌରି ବର୍ଡରରେ ମୃତ ଯୁବ ଚାଷୀଙ୍କୁ ଏ ପର୍ଯ୍ୟନ୍ତ ଅନ୍ତିମ ସଂସ୍କାର କରାଯାଇନି । ଏହି ଘଟଣାରେ ପଞ୍ଜାବ ପୋଲିସ ଏକ ହତ୍ୟା ମାମଲା ରୁଜୁ କରୁ ବୋଲି କୃଷକ ସଂଗଠନଗୁଡିକୁ ଦାବି କରିଛନ୍ତି । ସେପଟେ ପଞ୍ଜାବ ସରକାର ମୃତ ଚାଷୀଙ୍କୁ ପରିବାରକୁ ୧ କୋଟି ସହାୟତା ରାଶି ସହିତ ପରିବାରର ଜଣେ ସଦସ୍ୟଙ୍କୁ ସରକାରୀ ଚାକିରି ପ୍ରତିଶ୍ରୁତି ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.