ETV Bharat / bharat

ଆଜି  ବିଜେପିରେ ମିଶିବେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଚୌହାନ !

author img

By ETV Bharat Odisha Team

Published : Feb 12, 2024, 1:44 PM IST

Updated : Feb 13, 2024, 10:39 AM IST

ଅଶୋକ ଚୌହାନ
ଅଶୋକ ଚୌହାନ

Ashok Chavan Resigns: ହାତ ଛାଡ଼ିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଚୌହାନ । ଆଜି ବିଜେପିରେ ହୋଇପାରନ୍ତି ସାମିଲ । ଅଧିକ ପଢନ୍ତୁ

ମୁମ୍ବାଇ: ମହାରାଷ୍ଟ୍ରରେ ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଜୋରଦାର ଝଟକା । ରାଜ୍ୟରେ ପଡୁଛି ଗୋଟିଏ ପରେ ଗୋଟିଏ ଓ୍ବିକେଟ । ଅର୍ଥାତ ଜଣକ ପରେ ଜଣେ କଂଗ୍ରେସ ନେତା ଦଳ ଛାଡୁଛନ୍ତି । ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଚୌହାନ ଗତକାଲି (ସୋମବାର) କଂଗ୍ରେସରୁ ଇସ୍ତଫା ଦେଇଛନ୍ତି । ଏହାସହ ସେ ବିଧାୟକ ପଦରୁ ମଧ୍ୟ ଇସ୍ତଫା ଦେଇଛନ୍ତି । ମହାରାଷ୍ଟ୍ର ପ୍ରଦେଶ କଂଗ୍ରେସ କମିଟିର ମୁଖ୍ୟ ନାନା ପଟୋଲେଙ୍କୁ ଇସ୍ତଫା ପତ୍ର ପଠାଇଛନ୍ତି 65 ବର୍ଷୀୟ ଅଶୋକ ଚୌହାନ । ସୂଚନା ଅନୁସାରେ ଅଶୋକ ଚୌହାନ ଆଜି ବିଜେପିରେ ସାମିଲ ହୋଇପାରନ୍ତି । ତାଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହା ଶୁଣିବାକୁ ମିଳୁଛି ।

କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ବାବା ସିଦ୍ଦିକ ଦଳ ଛାଡିବାର ମାତ୍ର 4 ଦିନ ପରେ ଗତକାଲି ଦଳ ଛାଡିଥିଲେ ଟାଣୁଆ ନେତା ଅଶୋକ ଚୌହାନ । ଏହା ପୂର୍ବରୁ ମିଲିନ୍ଦ ଦେଓରା ମଧ୍ଯ ଗତ ଜାନୁଆରୀ ୧୪ରେ କଂଗ୍ରେସ ଛାଡ଼ିଥିଲେ । ପୂର୍ବତନ ମନ୍ତ୍ରୀ ବାବା ସିଦ୍ଦିକ ଏନସିପିରେ ଯୋଗ ଦେଇଥିବା ବେଳେ ମିଲିନ୍ଦ ଦେଓରା ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେଙ୍କ ଶିବସେନାରେ ସାମିଲ ହୋଇଛନ୍ତି ।

ଏହା ମଧ୍ୟ ପଢନ୍ତୁ: ମହାରାଷ୍ଟ୍ର କଂଗ୍ରେସକୁ ଝଟକା, ହାତ ଛାଡ଼ିଲେ ବାବା ସିଦ୍ଦିକ

ଇସ୍ତଫା ଦେବା ପରେ ଅଶୋକ ଚୌହାନ କହିଛନ୍ତି, "ମୁଁ ବିଧାୟକ ଭାବେ ଇସ୍ତଫା ଦେଇଛି । ମୁଁ ବାଚସ୍ପତିଭଙ୍କ ନିକଟକୁ ଇସ୍ତଫା ପତ୍ର ପଠାଇଛି । କଂଗ୍ରେସର କୌଣସି ବିଧାୟକଙ୍କ ସହିତ ମଧ୍ୟ ଯୋଗାଯୋଗ କରିନାହିଁ । ମୁଁ ନିଷ୍ପତ୍ତି ନେଇନାହିଁ କେଉଁ ଦଳରେ ଯୋଗଦେବି । 48 ଘଣ୍ଟା ମଧ୍ୟରେ ମୁଁ ମୋର ନିଷ୍ପତ୍ତି ଶୁଣାଇବି । "

ଅଶୋକ ଚୌହାନଙ୍କୁ ନେଇ ବରିଷ୍ଠ ବିଜେପି ନେତା ତଥା ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ କହିଛନ୍ତି, "ମୁଁ ଗଣମାଧ୍ୟମରୁ ଅଶୋକ ଚୌହାନଙ୍କ ବିଷୟରେ ଶୁଣିଛି । ବର୍ତ୍ତମାନ ମୁଁ କେବଳ ଏହା କହିପାରିବି ଯେ, କଂଗ୍ରେସର ଅନେକ ନେତା ଭାଜପା ସହିତ ସମ୍ପର୍କରେ ରହିଛନ୍ତି । ଅନେକ ନେତା ଦଳରେ ଅଣନିଶ୍ବାସୀ ହୋଇ ରହିଛନ୍ତି । ମୁଁ ନିଶ୍ଚିତ ଯେ, କିଛି ବଡ ଚେହେରା ଦଳ ଛାଡିବେ । ଆଗକୁ ଦେଖିବା କଣ ହେଉଛି ।"

କିଏ ଏହି ଅଶୋକ ଚୌହାନ: ଦଳର ସମସ୍ତ ଅସୁବିଧା ସମୟରେ ଦଳ ସହିତ ରହୁଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଚୌହାନ । ମୋଦି ଲହର ଜାରି ରହିଥିଲେ ସୁଦ୍ଧା 2014 ମସିହାରେ ନାନ୍ଦେଡ ସିଟରୁ ବିଜୟୀ ହୋଇଥିଲେ । ଅଶୋକ ଚୌହାନ ଔରଙ୍ଗାବାଦ ଜିଲ୍ଲାର ବାସିନ୍ଦା । ତାଙ୍କ ପୂର୍ବପୁରୁଷମାନେ ନନ୍ଦେଡ଼ରେ ବସବାସ କରୁଥିବାରୁ ତାଙ୍କୁ ନାନ୍ଦେଡକର ମଧ୍ୟ କୁହାଯାଉଥିଲା । ତାଙ୍କ ପିତା ଶଙ୍କରରାଓ ଚୌହାନ ଦୁଇଥର ମୁଖ୍ୟମନ୍ତ୍ରୀ ରହିଥିଲେ । ଶଙ୍କରରାଓ ଚୌହାନ କାରଣରୁ ହିଁ ମରାଠଓ୍ବାଡାରେ କଂଗ୍ରେସ ଶକ୍ତିଶାଳୀ ହୋଇଥିଲା । ଅଶୋକ ଚୌହାନ 2008 ମସିହା ଡିସେମ୍ବର 8 ତାରିଖକୁ 2010 ମସିହା ନଭେମ୍ବର 9 ତାରିଖ ପର୍ଯ୍ୟନ୍ତ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ରହିଥିଲେ । ଆଦର୍ଶ ବିଲଡିଂ ସ୍କାମରେ ତାଙ୍କ ନାମ ଆସିବା ପରେ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ତେବେ ଏହା ପରେ ରାଜନୀତିରେ ତାଙ୍କର ଦବଦବା ରହିବ ନାହିଁ ବୋଲି ଆଲୋଚନା ହେଉଥିବା ବେଳେ 2014 ମସିହାରେ ସେ ଲୋକସଭା ନିର୍ବାଚନରେ ବିଜୟୀ ହୋଇଥିଲେ । ଏହାପରେ ତାଙ୍କୁ ମହାରାଷ୍ଟ୍ର ପ୍ରଦେଶ କଂଗ୍ରେସର ଅଧ୍ୟକ୍ଷ କରାଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଚିଭି ଭାରତ

Last Updated :Feb 13, 2024, 10:39 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.