ଓଡିଶା

odisha

ସିରିଜ ଲୁଟର ପର୍ଦ୍ଦାଫାସ, ପୋଲିସ ପଞ୍ଝାରେ 5 ଲୁଟେରା

By

Published : Feb 7, 2023, 2:20 PM IST

ଜଗତସିଂହପୁରରେ ଆତଙ୍କ ସୃଷ୍ଟି କରୁଥିବା ଏକ ଡକାୟତ ଗ୍ୟାଙ୍ଗକୁ କାବୁ କରିଛି ପୋଲିସ । 5 ଲୁଟେରାଙ୍କ ସମେତ 2 ସହୋଯୋଗୀଙ୍କୁ ଗିରଫ କରିଛି ଜଗତସିଂହପୁର ପୋଲିସ । ଅଧିକ ପଢନ୍ତୁ

jagatsinghpur robbery case
jagatsinghpur robbery case

ସିରିଜ ଲୁଟର ପର୍ଦ୍ଦାଫାସ, ବନ୍ଧା ହେଲେ 5 ଲୁଟେରା

ଜଗତସିଂହପୁର: ଜିଲ୍ଲାରେ ପୋଲିସକୁ ଏକ ବଡ ସଫଳତା ମିଳିିଛି । ଜଗତସିଂହପୁରରେ ଆତଙ୍କ ସୃଷ୍ଟି କରୁଥିବା ଏକ ଡକାୟତ ଗ୍ୟାଙ୍ଗକୁ କାବୁ କରିଛି ପୋଲିସ । ସେମାନଙ୍କଠାରୁ ବିଭିନ୍ନ ମାରଣାସ୍ତ୍ର ସହିତ ସୁନା, ମଟର ସାଇକେଲ ଓ 15 ହଜାର ଟଙ୍କା ଜବତ କରାଯାଇଛି ।

ଜଗତସିଂହପୁର SDPO ରମେଶ ଚନ୍ଦ୍ର ସିଂଙ୍କ କହିବା ଅନୁଯାୟୀ, ଗତ ଡିସେମ୍ବର ମାସଠାରୁ ଫେବୃଆରୀ ମାସ ପର୍ଯ୍ୟନ୍ତ ତିର୍ତ୍ତୋଲ, ବିରିଡି, ବାଲିକୁଦା ଓ ଜଗତସିଂହପୁର ଥାନା ଅଞ୍ଚଳରେ ପ୍ରତ୍ୟେକ ଦିନ ବିଭିନ୍ନ ସ୍ଥାନରେ ଚୋରି ଓ ଅପରାଧିକ କାର୍ଯ୍ୟ କଳାପ ବଢ଼ିବାରେ ଲାଗିଥିଲା । ବାରମ୍ବାର ଚୋରି ଅଭିଯୋଗ ଆସିବା ପରେ ପୋଲିସ ଏକ ଟିମ୍‌ ଗଠନ କରି ଏହି ଡକାୟତ ଗ୍ୟାଙ୍ଗକୁ ଧରିବା ପାଇଁ ପ୍ରସ୍ତୁତ ହୋଇଥିଲ । ଏହାପରେ ପୋଲିସକୁ ସଫଳତା ମିଳିଛି । ଏହି ଡକାୟତ ଦଳ ବିଳମ୍ବିତ ରାତିରେ ବାଇକ ଓ ଅଟୋ ଯୋଗେ ବିଭିନ୍ନ ଗାଁକୁ ଯାଇ ଲୋକଙ୍କ ଘରେ ପଶିବା ସହ ଚୋରି କରିଥାନ୍ତି । ଯଦି କେହି ଏହାର ପ୍ରତିବାଦ କରନ୍ତି ତେବେ ସେମାନଙ୍କୁ ଶାବଳ, ଭୁଜାଲି ଓ କଟୁରିରେ ଆକ୍ରମଣ କରିଥାନ୍ତି । ଏହି ଡକାୟତି ଗ୍ୟାଙ୍ଗର ଚେର ପଡ଼ୋଶୀ କେନ୍ଦ୍ରାପଡା ପର୍ଯ୍ୟନ୍ତ ଲମ୍ବିଥିବା କୁହାଯାଉଛି । ସିରିଜ ଲୁଟ୍‌ର ପର୍ଦ୍ଦାଫାସ କରି ପୋଲିସ 5 ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ।

ଏହି ଡକାୟତି ଗ୍ୟାଙ୍ଗ ନାମରେ ବିରିଡି ଥାନାରେ 2ଟି ମାମଲା ରହିଥିବା ବେଳେ ଜଗତସିଂହପୁରରେ 6ଟି ବାଲିକୁଦାରେ 3ଟି ଓ ତିର୍ତ୍ତୋଲରେ 2 ମାମଲା ରହିଛି । ଗତକାଲି(ସୋମବାର) ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ମୋଟ 5ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ଦୁଇଟି ସୁନା ହାର, 4ଟି ଚେନ, 8ଟି ମୁଦି, 7ଟି ମୋବାଇଲ ଫୋନ, ତା ସହ ଅଭିଯୁକ୍ତମାନେ ବ୍ୟବହାର କରୁଥିବା ବାଇକକୁ ଜବତ କରିଛି ।

ଅଭିଯୁକ୍ତଙ୍କ ନାମରେ ପୋଲିସ 457/380 IPC ଧାରାରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଛି । ଅଭିଯୁକ୍ତମାନେ ହେଲେ ତିର୍ତ୍ତୋଲ ଅଞ୍ଚଳ ବିଜୁଦାସ (27), ମିନୁଆ ଦାସ (20) ସୁଜୁ ଦାସ (20) । ସେହିପରି ଅନ୍ୟ ଦୁଇଜଣ ହେଲେ ପଡ଼ୋଶୀ କେନ୍ଦ୍ରାପଡା ଜିଲ୍ଲାର ନିକିରିଆ ଥାନା ଅନ୍ତର୍ଗତ ଗୌତମ ଦାସ, ପଟାମୁଣ୍ଡାଇ ଥାନା ଅନ୍ତର୍ଗତ ରଞ୍ଜିତ ଦାସ । ଏମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଏହି କ୍ରମରେ ଚୋରି ସାମଗ୍ରୀକୁ କିଣାବିକା କରୁଥିବା ଜଗତସିଂହପୁର ସହର ଖେରସର ବସନ୍ତ ଗୁରୁ ଓ ବାଲିକୁଦା ଅଞ୍ଚଳର ସଞ୍ଜୟ ଦାସଙ୍କୁ ଗିରଫ କରାଯାଇଛି ।


ଇଟିଭି ଭାରତ, ଜଗତସିଂହପୁର

ABOUT THE AUTHOR

...view details