ହାଇଦ୍ରାବାଦ:ପୁଣି ନାସାକୁ ବଡ ସଫଳତା । ଝାଳ-ପରିସ୍ରାରୁ ତିଆରି ହେଲା ପାଣି । ଏନେଇ ନାସା ପକ୍ଷରୁ ସୂଚନା ଦିଆଯାଇଛି । ନାସା ପକ୍ଷରୁ କୁହାଯାଇଛି ଯେ, "ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନରେ ରହୁଥିବା ମହାକାଶଚାରୀଙ୍କ ପରିସ୍ରା ଏବଂ ଝାଳକୁ ପ୍ରାୟ 98 ପ୍ରତିଶତ ପାନୀୟ ଜଳରେ ପରିଣତ କରିବାରେ ସଫଳ ହୋଇଛୁ । ଭବିଷ୍ୟତରେ ଚନ୍ଦ୍ର ଏବଂ ମଙ୍ଗଳ ଗ୍ରହରେ ଆସୁଥିବା ମିଶନ ପାଇଁ ଏହା ବହୁତ ସହାୟକ ହୋଇପାରେ । ସ୍ପେସ୍ ଷ୍ଟେସନ୍ ପରିବେଶ ନିୟନ୍ତ୍ରଣ ଏବଂ ଜୀବନ ସହାୟତା ସିଷ୍ଟମ୍ (ECLSS) ଦ୍ୱାରା ଏହି ସଫଳତା ହାସଲ କରାଯାଇଥିଲା। "
ଏହି ପ୍ରଣାଳୀ ବା ସିଷ୍ଟମ ପ୍ରଥମେ ବର୍ଜ୍ୟଜଳ ବା ମଇଳା ପାଣି ସଂଗ୍ରହ କରି ଏହାକୁ ଓ୍ବାଟର ପ୍ରୋସେସନର୍ ଆସେମ୍ବଲି- WPA କୁ ପଠାଏ, ଯାହା ପାନୀୟ ଜଳ ତିଆରି କରିଥାଏ । କ୍ରୁ ସଦସ୍ୟ ଯେତେବେଳେ ଶ୍ବାସକ୍ରିୟା କରିଥାନ୍ତି ଏବଂ ସେମାନଙ୍କୁ ଝାଳ ଆସିଥାଏ ସେତେବେଳେ କ୍ୟାବିନ୍ରେ ଆର୍ଦ୍ରତା ଉତ୍ପନ୍ନ ହୋଇଥାଏ । ଡି-ହ୍ୟୁମିଡିଫାୟର୍ ବ୍ୟବହାର କରାଯାଇଥାଏ । ଏହି ସିଷ୍ଟମ ଆର୍ଦ୍ରତାକୁ ଶୋଷି ନିଏ । ଏହିଭଳି ଭାବରେ ୟୁରିନ ପ୍ରୋସେସର ଆସେମ୍ବଲୀ ସହାୟତାରେ ମୂତ୍ରରୁ ପିଇବା ଯୋଗ୍ୟ ପାଣି ପ୍ରସ୍ତୁତ ହୋଇଥାଏ । ଏହାଦ୍ବାରା ପ୍ରାୟତଃ 98 ପ୍ରତିଶତ ପାନୀୟଜଳ ତିଆରି କରାଯାଇଥାଏ ।
ସ୍ପେସ୍ ଷ୍ଟେସନ୍ ଲାଇଫ୍ ସପୋର୍ଟ ସିଷ୍ଟମ ପରିଚାଳନା କରୁଥିବା ଜନସନ ସ୍ପେସ୍ ସେଣ୍ଟର ଦଳର ସଦସ୍ୟ ଖ୍ରୀଷ୍ଟୋଫର୍ ବ୍ରାଉନ୍ କହିଛନ୍ତି ଯେ, ଜୀବନ ସହାୟତା ପ୍ରଣାଳୀର ବିକାଶରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଧରାଯାଉ ଆପଣ ଷ୍ଟେସନରେ 100 ପାଉଣ୍ଡ ପାଣି ସଂଗ୍ରହ କରିଛନ୍ତି । ତେବେ ଏହାର ଦୁଇ ପାଉଣ୍ଡ ହରାଇବ ଏବଂ ବାକି 98 ପ୍ରତିଶତ ବ୍ୟବାହର ଉପଯୋଗୀ ହୋଇପାରିବ । ଏହା ଏକ ବଡ ସଫଳତା ଅଟେ ।