ଓଡିଶା

odisha

କ୍ରୋନି ପୁଞ୍ଜିବାଦ ରୋକିବା: ଦେଶ ପାଇଁ ଅତି ଜରୁରୀ

By

Published : Apr 3, 2021, 11:01 PM IST

କ୍ରୋନି ପୁଞ୍ଜିବାଦ ହେଉଛି ପୁଞ୍ଜିବାଦର ଏକ କୁତ୍ସିତ ରୂପ ଯେଉଁଠି ବ୍ୟବସାୟର ସଫଳତା ସରକାରୀ କଳର ପକ୍ଷପାତିତା ଓ ଅନୁଗ୍ରହ ଉପରେ ନିର୍ଭର କରିଥାଏ। କ୍ଷମତାରେ ଥିବା ଶାସନ କାଳ ସରକାରୀ ଅନୁଦାନ, ଟିକସ ଛାଡ଼, ଅନୁଚିତ୍ ଭାବେ ପରମିଟ୍ ପ୍ରଦାନ, ପୂର୍ବନିର୍ଧାରିତ ଟେଣ୍ଡର ଏବଂ କମ୍ପାନିକୁ ସୁହାଇଲା ଭଳି ଅନେକ କିଛି ପ୍ରୋତ୍ସାହନ ଦେଇ ବ୍ୟବସାୟିକ ସଂସ୍ଥାକୁ ଅନୁଗ୍ରହ ଦେଖାଇଥାନ୍ତି ।

କ୍ରୋନି ପୁଞ୍ଜିବାଦ ରୋକିବା ଦେଶ ପାଇଁ ଅତି ଜରୁରୀ
କ୍ରୋନି ପୁଞ୍ଜିବାଦ ରୋକିବା ଦେଶ ପାଇଁ ଅତି ଜରୁରୀ

କ୍ରୋନି ପୁଞ୍ଜିବାଦ ହେଉଛି ପୁଞ୍ଜିବାଦର ଏକ କୁତ୍ସିତ ରୂପ ଯେଉଁଠି ବ୍ୟବସାୟର ସଫଳତା ସରକାରୀ କଳର ପକ୍ଷପାତିତା ଓ ଅନୁଗ୍ରହ ଉପରେ ନିର୍ଭର କରିଥାଏ। କ୍ଷମତାରେ ଥିବା ଶାସନ କାଳ ସରକାରୀ ଅନୁଦାନ, ଟିକସ ଛାଡ଼, ଅନୁଚିତ୍ ଭାବେ ପରମିଟ୍ ପ୍ରଦାନ, ପୂର୍ବନିର୍ଧାରିତ ଟେଣ୍ଡର ଏବଂ କମ୍ପାନିକୁ ସୁହାଇଲା ଭଳି ଅନେକ କିଛି ପ୍ରୋତ୍ସାହନ ଦେଇ ବ୍ୟବସାୟିକ ସଂସ୍ଥାକୁ ଅନୁଗ୍ରହ ଦେଖାଇଥାନ୍ତି । ଏଥରେ କିଛି କ୍ରୋନି ବ୍ୟବସାୟୀ ସରକାରୀ ନୀତି ନିର୍ଦ୍ଧାରଣରେ ପ୍ରଭାବ ପକାଇବା ପାଇଁ କ୍ଷମତା ଦଖଲ କରିଥାନ୍ତି । ଜନସ୍ବାର୍ଥ କିମ୍ବା ଦେଶର ସ୍ବାର୍ଥକୁ ବଳି ଦେଇ ସେମାନେ ବ୍ୟକ୍ତିଗତ ସମ୍ପତ୍ତି ଠୁଳ କରିବା ଲକ୍ଷ୍ୟରେ ଏପରି କରିଥାନ୍ତି ।

ଏବେ ଏକ ରାଜନୈତିକ ଗୋଷ୍ଠୀ ଏବଂ ବ୍ୟବସାୟ ଗୋଷ୍ଠୀ ମଧ୍ୟରେ ଅନୈତିକ ସମ୍ପର୍କ ବ୍ୟବସାୟ ସଫଳତା ନିର୍ଦ୍ଧାରଣ କରୁଛି । ଏକ ବ୍ୟବସାୟିକ ସଂସ୍ଥା ଉଚ୍ଚମାନର ସାମଗ୍ରୀ ଓ ସେବା ପ୍ରଦାନ ପାଇଁ ନିଜର ଦକ୍ଷତା ଓ ଉତ୍ପାଦିକତା ବଢାଇ ବ୍ୟବସାୟିକ ସଫଳତା ପରିବର୍ତ୍ତେ ସରକାରୀ କଳର ଫାଇଦା ଉଠାଇବାରେ ବ୍ୟସ୍ତ । କ୍ରୋନି ପୁଞ୍ଜିବାଦ ଦ୍ବାରା କମ୍ପାନି ଗୁଡିକ ଦେବାକୁ ଥିବା ଟିକସ ପରିମାଣ କମିବା ଏବଂ ବ୍ୟାଙ୍କଗୁଡ଼ିକରେ ସନ୍ଦେହଜନକ ଋଣ ପରିମାଣ ବୃଦ୍ଧି ଯୋଗୁଁ ଆର୍ଥକ ବୋଝ ପଡିଥାଏ ଏବଂ ସରକାରଙ୍କ ରାଜସ୍ହ ଆଦାୟରେ କ୍ଷତି କାରଣରୁ ଶିକ୍ଷା ଓ ସ୍ବାସ୍ଥ୍ୟ ପରି ମାନବ ବିକାଶ ଦିଗରେ ପୁଞ୍ଜିନିବେଶ ମଧ୍ୟ କମିଯାଏ ଯାହାଫଳରେ ସରକାରଙ୍କୁ ସାମାଜିକ ମୂଲ୍ୟ ଦେବାକୁ ପଡିଥାଏ । ସଂକ୍ଷେପରେ କହିବାକୁ ଗଲେ,ସମାଜର ସବୁ ସ୍ତରରେ ଅସମାନତା ବଢିଥାଏ, ଯେଉଁଠାରେ ମାନବ ଏବଂ ଅର୍ଥନୈତିକ ବିକାଶ ହୁଏ ନାହିଁ ।

2026ରେ ଦ ଇକନମିଷ୍ଟ ଦ୍ବାରା ହୋଇଥିବା ଏକ ଅନୁଧ୍ୟାନରୁ ଜଣାଯାଏ ଯେ, କ୍ରୋନି ପୁଞ୍ଜିବାଦ ସୂଚକାଙ୍କ ଅନୁଯାୟୀ 22ଟି ରାଷ୍ଟ୍ରକୁ ନେଇ ପ୍ରସ୍ତୁତ କ୍ରୋନି ପୁଞ୍ଜିବାଦ ତାଲିକାରେ ଭାରତର ସ୍ଥାନ ଥିଲା ନବମ । ଜିଡିପିର 3.4 ପ୍ରତିଶତ କ୍ରୋନି ପୁଞ୍ଜିବାଦ କ୍ଷେତ୍ରକୁ ଚାଲିଯାଏ । 2014ରେ ମଧ୍ୟ ଭାରତ ନବମ ସ୍ଥାନରେ ଥିଲା । ଏହା ସୂଚେଇ ଦେଉଛି ଯେ, କ୍ରୋନି ପୁଞ୍ଜିବାଦ ଦ୍ବାରା ଏକ ଅର୍ଥନୀତିରେ ଲୋକଙ୍କ ଜୀବନଧାରଣ ମାନ ଉପରେ କିପରି ପ୍ରତିକୂଳ ପ୍ରଭାବ ପଡିଥାଏ । ଭାରତରେ ଅନେକ ଅର୍ଥନୈତିକ ସଂସ୍କାର ପ୍ରକ୍ରିୟା ଆରମ୍ଭ ହେବାପରେ 1991 ପରଠାରୁ ଘରୋଇ ଉଦ୍ୟୋଗ ଅନେକ କ୍ଷେତ୍ରରେ ପ୍ରବେଶ କରିଲେ ଯେଉଁସବୁ କ୍ଷେତ୍ର ପୂର୍ବରୁ କେବଳ ସରକାରୀ ସଂସ୍ଥାଗୁଡ଼ିକର ଅଧିନରେ ରହି ଆସିଥିଲା ।

ଏସବୁ ମଧ୍ୟରେ ପେଟ୍ରୋଲିୟମ୍, କୋଇଲା ଏବଂ ଲୁହାପଥର ଆଦି ପ୍ରାକୃତିକ ସମ୍ପଦ ଭିତ୍ତିକ ଶିଳ୍ପସଂସ୍ଥା ଅନ୍ତର୍ଭୁକ୍ତ । ସରକାରୀ ନୀତି, ଘରୋଇ ଉଦ୍ୟୋଗ ଏବଂ ସରକାରୀ ଉଦ୍ୟୋଗରେ ପରିଚାଳିତ ପିଏସଇଗୁଡ଼ିକ ପାଇଁ କଟକଣା ସହିତ ଏକ ସମନ୍ବୟ ରକ୍ଷା ପାଇଁ ସରକାର ଅନେକ ସ୍ବତନ୍ତ୍ର ନିୟାମକ ସଂସ୍ଥା ସ୍ଥାପନ କରିଛନ୍ତି । ଏଗୁଡ଼ିକ ମଧ୍ୟରେ ସେବି (ସିକ୍ୟୁରିଟିଜ ଏଣ୍ଡ ଏକ୍ସଚେଞ୍ଜ ବୋର୍ଡ ଅଫ୍ ଇଣ୍ଡିଆ), ଆଇଆରଡିଏ (ଇନସୁରାନ୍ସ ରେଗୁଲେଟୋରି ଏଣ୍ଡ ଡଭଲପମେଣ୍ଟ ଅଥରିଟି) ଏବଂ ଟ୍ରାଏ (ଟେଲିକମ୍ ରେଗୁଲେଟୋରୀ ଏଣ୍ଡ ଡେଭଲପମେଣ୍ଟ ଅଥରିଟି) ପ୍ରମୁଖ । ହର୍ଷଦ ମେହେଟ୍ଟା ଷ୍ଟକ୍ ମାର୍କେଟ ସ୍କାମ୍ (1992) ଏବଂ ହାୱାଲା ଦୁର୍ନୀତି (1996)କୁ ଛାଡିଦେଲେ ଭାରତୀୟ ଅର୍ଥନୀତି 1990 ଦଶକରେ ବେଶ ଭଲ ଭାବେ ଉଦାର ବଜାର ଭିତ୍ତିକ ପୁଞ୍ଜିବାଦରେ ପରିବର୍ତ୍ତନ ହୋଇଥିଲା । ଅନେକ ଭାରତୀୟ କମ୍ପାନି ଘରୋଇ ଏବଂ ବିଶ୍ବ ବଜାରରେ ପ୍ରତିଦ୍ବନ୍ଦ୍ବୀ ଭାବେ ହୋଇଛନ୍ତି ।

ଘୋଟାଲାରେ ଭରପୁର ଭାରତ

ହେଲେ ଏକବିଂଶ ଶତାବ୍ଦୀ ଆରମ୍ଭରୁ ଭାରତରେ ଏକାଧିକ ଘୋଟାଲା ପଦାକୁ ଆସିବା ଆରମ୍ଭ ହୋଇଥିଲା ଏବଂ ପ୍ରାୟ ସବୁ ଦୁର୍ନୀତିରେ କିଛି କେନ୍ଦ୍ର ମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ସମେତ ସରକାରୀ ଅଧିକାରୀ ଏବଂ କ୍ରୋନି ପୁଞ୍ଜିପତିଙ୍କ ମଧ୍ୟରେ ଅସାଧୁ ସମ୍ପର୍କ ମୂଳ କାରଣ ଥିଲା । ଦେଶରେ ଅର୍ଥନୈତିକ ବ୍ୟବସ୍ଥାର ପରିଚାଳନାରେ ଅଧୋଗତି ଏସବୁ ଦୁର୍ନୀତି ଘଟଣାରୁ ପ୍ରମାଣିତ ହୋଇଥିଲା । 2ଜି ସ୍ପେକ୍ଟ୍ରମ ଆଲୋକେସନ ସ୍କାମ (2008), ସତ୍ୟମ୍ ସ୍କାମ୍ (2009), ରାଜ୍ୟଗୋଷ୍ଠୀ କ୍ରୀଡା ସ୍କାମ୍ (2010), କୋଇଲା ଆବଣ୍ଟନ ସ୍କାମ (2012), ବେଲାରୀ ଖଣି ଦୁର୍ନୀତି (2006-10), ରିଲାଏନସ ସମ୍ପୃକ୍ତି ଥିବା ଆନ୍ଧ୍ର ପ୍ରଦେଶର କ୍ରିଷ୍ଣା-ଗୋଦାବରୀ ବେସିନ୍ ଦୁର୍ନୀତି (କ୍ୟାଗ୍ ରିପୋର୍ଟ 2011), ବିଜୟ ମାଲ୍ୟା ବ୍ୟାଙ୍କ ଜାଲିଆତି ଏବଂ ମନି ଲଣ୍ଡରିଙ୍ଗ ମାମଲା (2016) ଏବଂ ନିରବ ମୋଦି-ପିଏନବି ଜାଲିଆତି ମାମଲା (2018) ଭଳି ବହୁଚର୍ଚ୍ଚିତ ଦୁର୍ନୀତି ଘଟଣାରେ ଭାରତର ପ୍ରତିଷ୍ଠାରେ ଆଞ୍ଚ ଆସିବା ସବ ସରକାରୀ ରାଜସ୍ବରେ ବିପୁଳ କ୍ଷତି ଘଟିଛି ।

ସମୟକ୍ରମେ ଭାରତରେ ସମ୍ପତ୍ତି ଆବଣ୍ଟନ କ୍ଷେତ୍ରରେ ଅସମାନତା ବଢି ବଢି ଚାଲିଛି । 2020ରେ ପ୍ରକାଶିତ ଓକ୍ସଫାମ୍ ରିପୋର୍ଟ ଅନୁଯାୟୀ 63 ଜଣ ଭାରତୀୟ କୋଟିପତିଙ୍କ ମୋଟ ସମ୍ପତ୍ତି ପରିମାଣ ଭାରତର 2018-19 ଆର୍ଥିକ ବର୍ଷର ମୋଟ କେନ୍ଦ୍ର ବଜେଟ୍ ପରିମାଣଠାରୁ ଅଧିକ ଥିଲା । ଭାରତରେ କୋଟିପତି ବ୍ୟବସାୟୀଙ୍କ ମୋଟ ସମ୍ପତ୍ତି ଏବଂ ଜିଡିପି ଅନୁପାତ ବିଶ୍ବରେ ସର୍ବାଧିକ ବୋଲି ଆକଳନ କରାଯାଇଥିଲା । ସେମାନଙ୍କ ମୂଳ ସମ୍ପତ୍ତିର 60 ପ୍ରତିଶତ ରିଆଲ ଇଷ୍ଟେଟ୍, ନିର୍ମାଣ, ଭିତ୍ତିଭୂମି ଏବଂ ପୋର୍ଟସ, ମିଡିଆ, ସିମେଣ୍ଟ ଏବଂ ମାଇନିଂ ଆଦି “ରେଣ୍ଟ-ଥିଙ୍କ୍” ସେକ୍ଟରରୁ ଆସିଛି । ଅକ୍ସଫାମ ରିପୋର୍ଟରେ ଆହୁରି ବି ଦର୍ଶାଯାଇଥିଲା ଯେ, ଭାରତର ଶ୍ରେଷ୍ଠ ଏକ ପ୍ରତିଶତ ଧନୀ ମୋଟ ଜାତୀୟ ସମ୍ପତ୍ତିର 42.5 ପ୍ରତିଶତର ଅଧିକାରୀ ହୋଇ ରହିଚନ୍ତି । ଅନ୍ୟପକ୍ଷରେ ତଳେ ରହିଥିବା 50 ପ୍ରତିଶତ ଲୋକଙ୍କ ପାଖରେ ମୋଟ ଜାତୀୟ ସମ୍ପତ୍ତିର ମାତ୍ର 2.8 ପ୍ରତିଶତ ରହିଛି ।

ସମସ୍ୟାର ସମାଧାନ ପ୍ରୟାସ

ସରକାର-ବ୍ୟବସାୟୀଙ୍କ ମଧ୍ୟରେ ଅସାଧୁ ସମ୍ପର୍କ ଯୋଗୁଁ ହେଉଥିବା ଭ୍ରଷ୍ଟାଚାର 2014 ଲୋକସଭା ନିର୍ବାଚନ ବେଳେ ଏକ ନିର୍ବାଚନୀ ପ୍ରସଙ୍ଗ ହୋଇଥିଲା ଏବଂ ୟୁପିଏ-2 ସରକାରର ପରାଜୟ ପାଇଁ ଏହା ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା । ଇଜ୍ ଅଫ୍ ଡୁଇଙ୍ଗ ବିଜିନେସ୍ ହାସଲ ପାଇଁ ଆହ୍ବାନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଂସ୍କାରମୁଳକ ଆଭିମୁଖ୍ୟକୁ ଶିଳ୍ପ ମହଲରେ ସମସ୍ତେ ସ୍ବାଗତ କରିଥିଲେ । ହେଲେ ଭଲ ପ୍ରଦର୍ଶନ କରୁଥିବା ଏବଂ ଏପରି କି ଲାଭରେ ଚାଲୁଥିବା ଏଲଆଇସିରୁ ପୁଞ୍ଜି ପ୍ରତ୍ୟାହାର କରି ଏହାର ଘରୋଇକରଣ ଉଦ୍ୟମକୁ ବିଭିନ୍ନ ମହଲରେ କଟୁ ସମାଲୋଚନା କରାଯାଇଥିଲା । ଏହା କରିବା ଦ୍ବାରା କିଛି ଘରୋଇ ବ୍ୟବସାୟିକ ସଂସ୍ଥା ଲାଭବାନ ହେବେ ବୋଲି କୁହାଗଲା ।

ଭାଇଜାଗ ଇସ୍ପାତ କାରଖାନାକୁ ଘରୋଇକରଣ କରିବାକୁ ଆନ୍ଧ୍ର ପ୍ରଦେଶ ସରକାର ଏବଂ କେନ୍ଦ୍ର ସରକାରଙ୍କ ଆଲୋଚନା ନେଇ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ଏପରି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି କାର୍ଯ୍ୟକାରୀ କରିବା ପୂର୍ବରୁ ସରକାରା ଅଧିକ ଯୁକ୍ତିସଂଗତ, ଦାୟିତ୍ବବାଦ ହେବା ଉଚିତ୍ ।

କ୍ରୋନି ପୁଞ୍ଜିବାଦ ରୋକିବାକୁ କ’ଣ କରିବାକୁ ପଡ଼ିବ?

କ୍ରୋନି ପୁଞ୍ଜିବାଦ ରୋକିବାକୁ ହେଲେ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବାକୁ ପଡ଼ିବ ଏବଂ ଏଥପାଇଁ ବ୍ୟାପକ ରଣନୀତି ଗ୍ରହଣ କରିବାକୁ ପଡ଼ିବ ବୋଲି ଅଜିମ ପ୍ରେମଜୀ ୟୁନିଭର୍ସିଟିର ଚିରଞ୍ଜିବ ସେନ୍ କରିଥିବା ଅଧ୍ୟୟନର ଏକ ରିପୋର୍ଟରେ ପ୍ରସ୍ତାବ ଦିଆଯାଇଛି । ଏହାର ଚାରିଟି ଦିଗ ହେଲା: ରାଜନୈତିକ ଫଣ୍ଡିଙ୍ଗ ବ୍ୟବସ୍ଥାରେ ସଂସ୍କାର; ନୀତି ନିର୍ଦ୍ଧାରଣ ପ୍ରକ୍ରିୟାରେ ସଂସ୍କାର; ଅଡିଟ୍ କରୁଥିବା ସଂସ୍ଥାଗୁଡ଼ିକୁ ସୁଦୃଢ କରିବା; ଏବଂ ବ୍ୟବସାୟିକ ପରିବେଶରେ ସଂସ୍କାର।

ନିର୍ବାଚନ ଜିତିବାକୁ ରାଜନୈତିକ ଦଳଗୁଡ଼ିକ ଅଧିକ ଚାନ୍ଦା ଦାବି କରିବା ଏବଂ କ୍ରୋନି ପୁଞ୍ଜିପତିଙ୍କ ଦ୍ବାରା ପାଣ୍ଠି ଯୋଗାଇ ଦେବା ହେଉଛି କ୍ରୋନି ପୁଞ୍ଜିବାଦର ମୂଳ କାରଣ । ଭାରତରେ ଦଳଗୁଡିକୁ ଆୟକର ଛାଡ଼ ମିଳିଥାଏ । ପ୍ରାର୍ଥୀଙ୍କ ପକ୍ଷରେ ବ୍ୟକ୍ତିଗତ ଭାବେ ନିର୍ବାଚନ ଖର୍ଚ୍ଚରେ ସର୍ବୋଚ୍ଚ ସୀମା ଧାର୍ଯ୍ୟ ରହିଛି, କିନ୍ତୁ ରାଜନୈତିକ ଦଳଗୁଡ଼ିକ ପାଇଁ ଏପରି କିଛି ନିର୍ଦ୍ଦିଷ୍ଟ ଖର୍ଚ୍ଚ ସୀମା ନାହିଁ । ଆସୋସିଏସନ ଅଫ୍ ଡେମୋକ୍ରାଟିକ ରିଫର୍ମସ ଦ୍ବାରା ହୋଇଥିବା ଏକ ଅଧ୍ୟୟନରୁ ଜଣାଯାଇଛି ଯେ, ପ୍ରମୁଖ ରାଜନୈତିକ ଦଳଗୁଡ଼ିକୁ ଦିଆଯାଉଥିବା ଚାନ୍ଦାର 73 ପ୍ରତିଶତ ଅଜଣା ସୂତ୍ରରୁ ଆସିଥାଏ । ଏଥିପାଇଁ କ୍ରୋନି ପୁଞ୍ଜିବାଦ ଏକ ସୁବିଧାଜନକ ପନ୍ଥା ଭାବେ ବିଚାର କରାଯାଏ, ଏହାଦ୍ବାରା ରାଜନୈତିକ ଦଳଗୁଡ଼ିକ ଅଧିକ ପରିମାଣର ଚାନ୍ଦା ଦାବି କରିଥାନ୍ତି । ରାଜନୈତିକ ଚାନ୍ଦା ପ୍ରଦାନ ବ୍ୟବସ୍ଥାରେ ଉତ୍ତରଦାୟୀ ଏବଂ ସ୍ବଚ୍ଛତାର ଜରୁରୀ ଆବଶ୍ୟକତା ରହିଛି ।

2018 ଜାନୁଆରୀରେ କେନ୍ଦ୍ର ସରକାର ଆଗତ କରିଥିବା ନିର୍ବାଚନୀ ବଣ୍ଡ ସ୍କିମକୁ ଆସୋସିଏସନ ଅଫ୍ ଡେମୋକ୍ରାଟିକ ରିଫର୍ମସ ଦ୍ବାରା ସୁପ୍ରିମ କୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା । ପ୍ରାୟ ସମସ୍ତ ଇଲେକ୍ଟୋରାଲ ବଣ୍ଡ ଡୋନେସନ କେନ୍ଦ୍ର ସରକାରର ନେତୃତ୍ବ ନେଉଥିବା ରାଜନୈତିକ ଦଳକୁ ସୁହାଇବା ଭଳି ହୋଇଥିବା ଦର୍ଶାଇ ଆବେଦନକାରୀ ଏହାକୁ ବିରୋଧ କରିଛନ୍ତି । ଏଥିରେ ଆହୁରି ବି ଯୁକ୍ତି ଦର୍ଶାଯାଇଛି ଯେ, କମ୍ପାନି ଆଇନ ସଂଶୋଧନ ଦ୍ବାରା ବେନାମୀ କମ୍ପାନି ଜରିଆରେ କଳାଟଙ୍କାର ପ୍ରବେଶ ହେବ ଏବଂ ରାଜନୈତିକ ଦଳଗୁଡିକ ବିଦେଶୀ କମ୍ପାନି ଦ୍ବାରା ପ୍ରଭାବିତ ହେବାର ଆଶଙ୍କା ରହିଛି । ଏଫସିଆରଏ, 2010 ( ଫରେନ କଣ୍ଟ୍ରିବ୍ୟୁସନ ରେଗୁଲେସନ ଆକ୍ଟ)ର ସଂଶୋଧନ ପରେ ଭାରତୀୟ କମ୍ପାନିଗୁଡ଼ିକରେ ବହୁସଂଖ୍ୟକ ଅଂଶଧନ ଥିବା ବିଦେଶୀ କମ୍ପାନିମାନେ ବି ରାଜନୈତିକ ଦଳଗୁଡ଼ିକୁ ଚାନ୍ଦା ଦେଇପାରିବେ ବୋଲି ନିର୍ବାଚନ କମିଶନ ମଧ୍ୟ ଗୁରୁତ୍ବ ଦେଇଛନ୍ତି । ଏବେବି ଏ ସମ୍ପର୍କରେ ଏକ ମୋକଦ୍ଦମା ସୁପ୍ରିମକୋର୍ଟରେ ଚାଲିଛି ।

ଦ୍ବିତୀୟତଃ, କୌଣସି ପ୍ରକାର ପୁଞ୍ଜିପ୍ରତ୍ୟାହାର ସମ୍ପର୍କରେ ନୀତି ନିର୍ଦ୍ଧାରଣ ପ୍ରକ୍ରିୟା ଅଧିକ ସ୍ବଚ୍ଛ ହେବା ସହିତ ଏଥିସହ ସମ୍ପୃକ୍ତ ସମସ୍ତଙ୍କ ମଧ୍ୟରେ ବିସ୍ତୃତ ଆଲୋଚନା କରାଯାଇ ବିଶେଷଜ୍ଞମାନଙ୍କ ପରାମର୍ଶ ନେବା ଉଚିତ୍ । ଏପରି ପ୍ରକ୍ରିୟାର ଉଲ୍ଲଂଘନ କରାଯାଇଥିବାରୁ କୋଇଲା ବ୍ଲକ୍ ଆବଣ୍ଟନ ଦୁର୍ନୀତି ହେଲା ବୋଲି କ୍ୟାଗ୍ ଦେଇଥିବା ରିପୋର୍ଟରେ ଉଲ୍ଲେଖ କରିଥିଲେ । ଏପରି କୌଣସି ନିଷ୍ପତ୍ତି କେବଳ ମନ୍ତ୍ରୀ ଏବଂ ପ୍ରଶାସକଙ୍କ କ୍ଷମତା ମଧ୍ୟରେ ସୀମିତ ରହିବା ଉଚିତ୍ ନୁହେଁ । ଅନେକ ରାଷ୍ଟ୍ରରେ ଏବଂ ୟୁରୋପୀୟ ସଂଘରେ ମଧ୍ୟ କୌଣସି ସରକାରୀ ନିଷ୍ପତ୍ତି ନିଆଯିବା ପୂର୍ବରୁ ବ୍ୟାପକ ବିଚାର ବିମର୍ଶ ହୋଇଥାଏ, କୌଣସି ନୀତି ଦ୍ବାରା ଯେଉଁମାନ କ୍ଷତିଗ୍ରସ୍ତ ହୁଅନ୍ତି ସେମାନଙ୍କୁ ମଧ୍ୟ ଆଲୋଚନାରେ ସାମିଲ କରାଯାଏ । କୌଣସି ସରକାରୀ ସଂସ୍ଥାରୁ ପୁଞ୍ଜି ପ୍ରତ୍ୟାହାର କିମ୍ବା ଘରୋଇକରଣ ନିଷ୍ପତ୍ତି ପଛରେ ଅନେକ ସନ୍ଦେହ ପ୍ରକାଶ ପାଇଥାଏ, ଯାହାକି ଆଗୁଆ ଦୂର ହେବା ଆବଶ୍ୟକ ।

ତୃତୀୟତଃ, କ୍ୟାଗ୍ ଏବଂ ପବ୍ଲିକ ଆକାଉଣ୍ଟସ କମିଟି ଭଳି ପାର୍ଲାମେଣ୍ଟାରୀ ଫୋରମ ଆଦି ଅଡିଟ୍ ସଂସ୍ଥାଗୁଡିକୁ ସୁଦୃଢ କରିବାର ଆବଶ୍ୟକତା ରହିଛି । କ୍ୟାଗ୍ ଯେପରି ଅଧିକ ନିରପେକ୍ଷ ଓ ପୂର୍ଣ୍ଣ ଅଟୋନମି ସହିତ କାର୍ଯ୍ୟ କରିପାରିବ ସେଥିପାଇଁ ତାହାର କ୍ଷମତା ବଢାଇବା ଉଚିତ୍ । ଏନଜିଓ ସହ ସହବନ୍ଧନରେ ଖାଦ୍ୟ, ସ୍ବାସ୍ଥ୍ୟ, ଶିକ୍ଷା ଆଦି ସରକାରୀ କାର୍ଯ୍ୟକ୍ରମଗୁଡ଼ିକର ସାମାଜିକ ଅଡିଟ୍ କରିବା ପାଇଁ ବିନୋଦ ରାୟଙ୍କ ଅଧିନରେ କ୍ୟାଗ ଦ୍ବାରା ଏକ ଭଲ ପଦକ୍ଷେପ ନିଆଯାଇଛି ।

ଚତୁର୍ଥରେ, ବ୍ୟବସାୟ ପରିବେଶରେ କିଛି ନିର୍ଦ୍ଦିଷ୍ଟ ଆବଶ୍ୟକ ପରିବର୍ତ୍ତନ କରିବା ପାଇଁ ଆମକୁ ଲକ୍ଷ୍ୟ ରଖିବାକୁ ପଡ଼ିବ । ନିୟାମକ ଅନୁଷ୍ଠାନଗୁଡିକୁ ସୁଦୃଢ କରିବା, ଅଣ-କ୍ରୋନି ପୁଞ୍ଜିପତି କମ୍ପାନିଗୁଡ଼ିକୁ ଶିଳ୍ପ ସଂଘଗୁଡ଼ିକ ସହାୟତାରେ ଅଧିକ ସକ୍ରିୟ କରିବା ଏବଂ ଟେଣ୍ଡର ପ୍ରକ୍ରିୟାରେ ପ୍ରତିଦ୍ବନ୍ଦ୍ବିତା ବଢାଇବାକୁ ପଡ଼ିବ । ବ୍ୟାଙ୍କିଙ୍ଗ ବ୍ୟବସ୍ଥାକୁ ପ୍ରଭାବିତ କରୁଥିବା କ୍ରୋନି ପୁଞ୍ଜିପତିମାନଙ୍କ କ୍ଷମତାରେ ଅଙ୍କୁଶ ଲଗାଯିବା ଉଚିତ୍ । ଏପରି କିଛି ପୁଞ୍ଜିବାଦୀଙ୍କ ପାଇଁ ସରକାରୀ ବ୍ୟାଙ୍କରେ ଏନପିଏର ପରିମାଣ ବଢିବାରେ ଲାଗିଛି । ଏଥିପାଇଁ ବାଲାନ୍ସ ସିଟ୍ କ୍ଲିନ୍ କରିବା ପାଇଁ ରିଜର୍ଭ ବ୍ୟାଙ୍କ ସରକାରୀ ବ୍ୟାଙ୍କଗୁଡ଼ିକୁ ବାଧ୍ୟ କରୁଛି ।

ଡଃ ଏନଭିଆର ଜ୍ୟୋତି କୁମାର

ବାଣିଜ୍ୟ ବିଭାଗ ମୁଖ୍ୟ, ମିଜୋରାମ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ

ABOUT THE AUTHOR

...view details