ଓଡିଶା

odisha

ରାଜ୍ୟରେ ମାଳ ମାଳ ନକଲି ଶିକ୍ଷକ, ନିର୍ଦ୍ଦେଶ ପରେ ମଧ୍ୟ ତଥ୍ୟ ଲୁଚାଉଛନ୍ତି ଜିଲ୍ଲା ଶିକ୍ଷାଧିକାରୀ

By ETV Bharat Odisha Team

Published : Feb 1, 2024, 10:42 PM IST

Education Department hiding Data On Fake Teachers: ବିଭାଗୀୟ ନିର୍ଦ୍ଦେଶ ମାନୁନାହାନ୍ତି, ତଥ୍ୟ ଲୁଚାଉଛନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ । ଅଧିକ ପଢନ୍ତୁ

ରାଜ୍ୟରେ ମାଳ ମାଳ ନକଲି ଶିକ୍ଷକ, ତଥ୍ୟ ଲୁଚାଉଛନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ
ରାଜ୍ୟରେ ମାଳ ମାଳ ନକଲି ଶିକ୍ଷକ, ତଥ୍ୟ ଲୁଚାଉଛନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ

ଭୁବନେଶ୍ବର:ରାଜ୍ୟରେ ମାଳ ମାଳ ନକଲି ଶିକ୍ଷକ । ହେଲେ ତଥ୍ୟ ଲୁଚାଉଛନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ । ଯାହାଫଳରେ ରୁଜୁ ହୋଇଥିବା ଜନସ୍ବାର୍ଥ ମାମଲାରେ ସରକାର ସତ୍ୟପାଠ ଦାଖଲ କରିବାରେ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ଏନେଇ ରାଜ୍ୟ ସରକାର ବାରମ୍ବାର ଜିଲ୍ଲା ଶିକ୍ଷାଧିକାରୀଙ୍କୁ ନିର୍ଦ୍ଦେଶ ଦେବା ସତ୍ତ୍ବେ ମଧ୍ୟ ଏବେ ମଧ୍ୟ ୧୧ଟି ଜିଲ୍ଲା ଶିକ୍ଷା ଅଧିକାରୀ ନକଲି ଶିକ୍ଷକଙ୍କ ତାଲିକା ଦେଇନାହାନ୍ତି । ତେବେ ସେହି ଜିଲ୍ଲାଗୁଡ଼ିକ ହେଲା ବାଲେଶ୍ଵର, ଭଦ୍ରକ, ବଲାଙ୍ଗୀର, ଗଜପତି, ଜଗତସିଂହପୁର ,କଳାହାଣ୍ଡି, କେନ୍ଦ୍ରାପଡ଼ା, ମାଲକାନଗିରି, ମୟୂରଭଞ୍ଜ ଓ ସମ୍ବଲପୁର । ଏହି ଜିଲ୍ଲାଗୁଡିକର ଶିକ୍ଷା ଅଧିକାରୀଙ୍କୁ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ନକଲି ସାର୍ଟିଫିକେଟ ଦେଇ କେତେଜଣ ଶିକ୍ଷକତା କରୁଛନ୍ତି, ସେନେଇ ରାଜ୍ୟ ସରକାର ଏକ କମ୍ପିଲିଆନ୍ସ ଆଫିଡେଭିଟ ପ୍ରସ୍ତୁତ କରୁଛନ୍ତି । ଯାହାକୁ ରୁଜୁ ହୋଇଥିବା ଜନସ୍ବାର୍ଥ ମାମଲାରେ ସରକାର ଦାଖଲ କରିବେ । କିନ୍ତୁ ଏସବୁ ଜିଲ୍ଲାରୁ ତଥ୍ୟ ଆସି ନଥିବାରୁ ଏହି ସତ୍ୟପାଠ ପ୍ରସ୍ତୁତ ହେବାରେ ବିଳମ୍ବ ହେଉଛି ।

ସୂଚନା ଅନୁଯାୟୀ, ୫ଜଣ ନକଲି ଶିକ୍ଷକ ଡିସେମ୍ବର ୧୭ ତାରିଖରେ ଗଞ୍ଜାମରୁ ଧରାପଡ଼ିଥିଲେ । ନକଲି ଶିକ୍ଷକମାନେ ହେଲେ ବେଗୁନିଆପଡ଼ା ବ୍ଲକ ଅଞ୍ଚଳର ସୁଜାତା ପଣ୍ଡା ଓ ପରମାନନ୍ଦ ସାହୁ, ଶେରଗଡ଼ ବ୍ଲକ ଅଞ୍ଚଳର ସଞ୍ଜୟ କୁମାର ଖଟୁଆ ଓ ଭଗବାନ ମହାନ୍ତି ଏବଂ କବିସୂର୍ଯ୍ୟନଗର ବ୍ଲକର ଭିକାରୀ ଚରଣ ସାହୁ । ଏମାନେ ଜାଲ୍‌ ସିଟି ସାର୍ଟିଫିକେଟ୍‌ ଦେଇ ଚାକିରି କରୁଥିଲେ ।

ଏପଟେ ଜାନୁଆରୀ ୧୧ ତାରିଖରେ ରାୟଗଡ଼ା ଜିଲ୍ଲାରେ ନକଲି ସାର୍ଟିଫିକେଟରେ ୪ଜଣ ନକଲି ଶିକ୍ଷକ ଚିହ୍ନଟ ହୋଇଛନ୍ତି । ଏନେଇ ସମସ୍ତଙ୍କ ନାମରେ ଥାନାରେ ମଧ୍ୟ ମାମଲା ରୁଜୁ କରାଯାଇଛି । ଚିହ୍ନଟ ହୋଇଥିବା ୪ ନକଲି ଶିକ୍ଷକ ହେଲେ କାଶୀପୁର ବ୍ଲକ ବାହାରପଦା ସ୍କୁଲର ଲୋକନାଥ ମହାପାତ୍ର, ପାଇକସୁପେଲ ସ୍କୁଲର ରଘୁନାଥ ବିଡ଼ିକା, ଡୁମୁରିଯୋଡ଼ି ସ୍କୁଲର ଶମ୍ଭୁ କହଁର ଏବଂ ଗୁମୁଡ଼ିମାଣ୍ଡି ସ୍କୁଲର ପାଞ୍ଜିବ ମାଝି ।


ଜାନୁଆରି ୧୭ ତାରିଖରେ ବଲାଙ୍ଗୀର ଜିଲ୍ଲାରେ ପୁଣି ଧରାପଡ଼ିଲେ ଜଣେ ନକଲି ଶିକ୍ଷକ । ଜାଲ ସାର୍ଟିଫିକେଟ ଦେଇ ଦୀର୍ଘ ୩୪ ବର୍ଷ ହେଲା କରୁଥିଲେ ସରକାରୀ ଚାକିରି । ତାଙ୍କ ସାର୍ଟିଫିକେଟ ନକଲି ବୋଲି ଜଣାପଡ଼ିବା ପରେ ଚାକିରିରୁ ବିଦା କରିଛି ଶିକ୍ଷା ବିଭାଗ ନକଲି ଶିକ୍ଷକ ଜଣକ ହେଉଛନ୍ତି ସୁକାନ୍ତ କୁମାର ମନ୍ତ୍ରୀ । ତାଙ୍କ ନାଁରେ ଥାନାରେ ମାମଲା ରୁଜୁ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ:- ଅନ୍ତରୀଣ ବଜେଟ 2024; ବିକଶିତ ଭାରତର ନାରା, ବଡ ଘୋଷଣାରେ ଗରିବଙ୍କ ପାଇଁ ପକ୍କା ଘର

ରାଜ୍ୟ ତଥା ରାଜ୍ୟ ବାହାରୁ ଡିଗ୍ରୀ ହାସଲ କରିଥିବା ସମସ୍ତ ଶିକ୍ଷକଙ୍କ ଯୋଗ୍ୟତା ପ୍ରମାଣପତ୍ର ଅସଲି କି ନାହିଁ ତାହା ଭଲ ଭାବେ ଯାଞ୍ଚ କରିବାକୁ ବିଭାଗ ପକ୍ଷରୁ ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଅନେକ ଶିକ୍ଷକ ନକଲି ଜାତି ପ୍ରମାଣପତ୍ର ଦେଇ ଚାକିରି ହାତେଇଥିବା ବେଳେ ଅନେକ ଶିକ୍ଷକ ଅଛନ୍ତି ଯେଉଁମାନେ ବିଏଡ୍, ଓଟିଇଟି, ମାଟ୍ରିକ୍ ଓ ଅନ୍ୟାନ୍ୟ ନକଲି ସାର୍ଟିଫିକେଟ୍ ଜାଲିଆତି କରି ଅନେକ ବର୍ଷ ଧରି ସରକାରୀ ଚାକିରି କରିଛନ୍ତି। ବିଗତ କିଛି ଦିନ ଭିତରେ ଅନେକ ନକଲି ଶିକ୍ଷକମାନେ ମଧ୍ୟ ଧରା ପଡୁଛନ୍ତି ।



ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details