ETV Bharat / bharat

କତାରରେ ୮ ପୂର୍ବତନ ନୌସେନା ଅଧିକାରୀଙ୍କୁ ଫାଶୀଦଣ୍ଡ ଘଟଣା, ପ୍ରତିକ୍ରିୟା ରଖିଲେ ନୌସେନା ମୁଖ୍ୟ

author img

By ETV Bharat Odisha Team

Published : Dec 1, 2023, 5:07 PM IST

କତାରରେ ୮ ପୂର୍ବତନ ନୌସେନା ଅଧିକାରୀଙ୍କୁ ଫାଶୀଦଣ୍ଡ ଘଟଣା । ଆଜି ଗଣମାଧ୍ୟମ ସମ୍ମୁଖରେ ପ୍ରତିକ୍ରିୟା ରଖିଛନ୍ତି ଭାରତୀୟ ନୌସେନା ମୁଖ୍ୟ ଆର ହରି କୁମାର । ଅଧିକ ପଢନ୍ତୁ

Navy Chief R Hari Kumar
Navy Chief R Hari Kumar

ନୂଆଦିଲ୍ଲୀ: କତାରରେ ୮ଜଣ ପୂର୍ବତନ ଭାରତୀୟ ନୌସେନା ଅଧିକାରୀଙ୍କୁ ଫାଶୀଦଣ୍ଡ ଘଟଣା । ଏନେଇ ଆଜି (ଶୁକ୍ରବାର) ପ୍ରତିକ୍ରିୟା ରଖିଛନ୍ତି ଭାରତୀୟ ନୌସେନା ମୁଖ୍ୟ ଆଡମିରାଲ ଆର ହରି କୁମାର । ସେ କହିଛନ୍ତି ଯେ କତାରରେ ଫାଶୀଦଣ୍ଡ ପାଇଥିବା ଏହି ଅଧିକାରୀମାନଙ୍କୁ ସ୍ବଦେଶ ଫେରାଇ ଆଣିବା ଲାଗି ସମସ୍ତ ପ୍ରକାର ଉଦ୍ୟମ ଜାରି ରହିଛି । ଭାରତ ସରକାର ଏଥିଲାଗି ସମସ୍ତ ପ୍ରକାର ଉଦ୍ୟମ କରୁଛନ୍ତି । ଖୁବଶୀଘ୍ର ସେମାନେ ଫେରିଆସିବେ ବୋଲି ଆଶା କରାଯାଉଛି ।

ଏନେଇ ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ନୌସେନା ମୁଖ୍ୟ ହରି କୁମାର କହିଛନ୍ତି, " ଆମେ ସେମାନଙ୍କ ହିତକୁ ଦୃଷ୍ଟିରେ ରଖି ଅତି ଗମ୍ଭୀରତାର ସହିତ କାମ କରୁଛୁ । ଭାରତ ସରକାର ସେମାନଙ୍କୁ ସ୍ବଦେଶ ଫେରାଇ ଆଣିବା ଲାଗି ସମସ୍ତ ପ୍ରକାର ଉଦ୍ୟମ ମଧ୍ୟ ଜାରି ରଖିଛନ୍ତି ।" ଏହି ୮ ଜଣ ଭାରତୀୟ ନୌସେନାର ପୂର୍ବତନ ଅଧିକାରୀ ଇସ୍ରାଏଲ ପାଇଁ ଗୁଇନ୍ଦାଗିରି କରୁଥିବା ଅଭିଯୋଗରେ ସେମାନଙ୍କ ଫାଶୀଦଣ୍ଡ ଶୁଣାଇଥିଲା କତାରର ଏକ କୋର୍ଟ । ଏବେ ସେମାନେ କତାର ଜେଲରେ ବନ୍ଦୀ ଅଛନ୍ତି । ଏଭଳି ଖବର ଆସିବା ପରେ ଭାରତ ସରକାର ସେମାନଙ୍କର ମୁକ୍ତି ଲାଗି କତାରକୁ ଆବେଦନ କରିଥିଲେ । ତେବେ ଭାରତର ଏହି ଆବେଦନକୁ କତାର କୋର୍ଟ ଗ୍ରହଣ କରିଥିଲେ ।

ଏହା ବି ପଢନ୍ତୁ- ପୂର୍ବ ନୌସେନା ଅଧିକାରୀଙ୍କୁ ଫାଶୀଦଣ୍ଡ ଘଟଣା; ଭାରତର ଆବେଦନକୁ ଗ୍ରହଣ କଲା କତାର

ଗତ ଅକ୍ଟୋବର ୨୬ ତାରିଖରେ କତାର କୋର୍ଟ ଏହି ରାୟ ଶୁଣାଇଥିବା ବେଳେ ଭାରତ ସ୍ତବ୍ଧ ହୋଇଯାଇଥିଲା । ନୌସେନାର ଏହି ପୂର୍ବତନ ଅଧିକାରୀମାନେ ନୌସେନାରୁ ସେବାନିବୃତ୍ତି ହେବା ପରେ ସେଠାରେ ଏକ ଗ୍ଲୋବାଲ ଟେକ୍ନୋଲୋଜି ଓ କନ୍ସଲଟାନ୍ସ କମ୍ପାନୀରେ କାମ କରୁଥିଲେ । ହେଲେ ସେମାନେ ଇସ୍ରାଏଲ ପାଇଁ ଗୁଇନ୍ଦାଗିରି କରୁଥିବା ଅଭିଯୋଗରେ ତାଙ୍କୁ ଗତ ବର୍ଷଠାରୁ ଗିରଫ କରାଯାଇଥିଲା । ଏହି ୮ଜଣଙ୍କ ମଧ୍ୟରେ ଭାରତୀୟ ନୌସେନାର କମାଣ ସମ୍ଭାଳିଥିବା ଅଧିକାରୀ ମଧ୍ୟ ଅଛନ୍ତି । ଏହି କମ୍ପାନୀ କତାର ସଶସ୍ତ୍ର ବାହିନୀକୁ ତାଲିମ ସହ ଅନ୍ୟାନ୍ୟା ସେବା ଯୋଗାଇ ଆସୁଛି ।

ଏହା ବି ପଢନ୍ତୁ- 8 ଭାରତୀୟ ପୂର୍ବତନ ନୌସେନାଧିକାରୀଙ୍କୁ କତାରରେ ମୃତ୍ୟୁ ଦଣ୍ଡାଦେଶ

ଭାରତ ଏହି ଦଣ୍ଡାଦେଶକୁ କଡ଼ା ବିରୋଧ କରିବା ସହ ସେମାନଙ୍କୁ ଭାରତ ଫେରାଇ ଆଣିବା ଲାଗି ନଭେମ୍ବର ୯ ତାରିଖରେ ଆବେଦନ କରିଥିଲା । ଏ ନେଇ ବିଦେଶ ମନ୍ତ୍ରଣାଳୟ ମୁଖପାତ୍ର ଅରନ୍ଦମ ବାଗଚି ସୂଚନା ଦେଇଥିଲେ । କତାର ରାଜଧାନୀ ଦୋହାରେ ଥିବା ଭାରତୀୟ ଦୂତାବାସ ଜରିଆରେ ଏହି ପ୍ରକ୍ରିୟା ଆରମ୍ଭ ହୋଇଥିଲା । ପରେ କତାର କୋର୍ଟ ଏହି ଆବେଦନକୁ ଗ୍ରହଣ କରିବା ପରେ ଭାରତକୁ ଆଶ୍ବସ୍ତି ମିଳିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.