ETV Bharat / state

ସାମ୍ବାଦିକଙ୍କୁ ଗଳାକାଟି ହତ୍ୟା ଅଭିଯୋଗରେ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡାଦେଶ - Kujanga journalist murder

author img

By ETV Bharat Odisha Team

Published : Apr 26, 2024, 7:51 AM IST

Kujanga journalist murder: ସାମ୍ବାଦିକଙ୍କୁ ହତ୍ୟା ଅଭିଯୋଗରେ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଲେ କୁଜଙ୍ଗ କୋର୍ଟ । ଲିଫ୍ଟ ଦେବା ପରେ କରାଯାଇଥିବା ନିର୍ମମ ହତ୍ୟା । ଅଧିକ ପଢନ୍ତୁ

Kujanga journalist murder
Kujanga journalist murder

ଜଗତସିଂହପୁର: ସାମ୍ବାଦିକଙ୍କୁ ଗଳାକାଟି ହତ୍ୟା ଅଭିଯୋଗରେ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡାଦେଶ । ଜଗତସିଂହପୁରର କୁଜଙ୍ଗ କୋର୍ଟ ଏହି ରାୟ ପ୍ରଦାନ କରିଛନ୍ତି । 2016 ମସିହାରେ ଜଗତସିଂହପରୁ ଜିଲ୍ଲାରେ ଘଟିଥିବା ଏକ ଲୋମହର୍ଷଣକାରୀ ହତ୍ୟାକାଣ୍ଡ ଘଟଣାରେ ବୁଧବାର ରାୟ ପ୍ରକାଶ କରିଛନ୍ତି ବିଚାରପତି । ଜଣେ କାର୍ଯ୍ୟରତ ସାମ୍ବାଦିକଙ୍କୁ ଗଳାକାଟି ହତ୍ୟା ଘଟଣାରେ କୁଜଙ୍ଗ କୋର୍ଟ ଅଭିଯୁକ୍ତକୁ ଆଜୀବନ ସଶ୍ରମ କାରାଦଣ୍ଡାଦେଶ ଶୁଣାଇଛନ୍ତି ।

ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅନ୍ତର୍ଗତ ଚଟୁଆ ପଞ୍ଚାୟତ ସାହାଡ଼ା ଗ୍ରାମର ଗଣେଶ୍ୱର ସ୍ୱାଇଁ ନାମକ ଜଣେ ବ୍ୟକ୍ତି ଦୀର୍ଘଦିନ ଧରି ପାରାଦ୍ୱୀପ ଅଞ୍ଚଳରେ ସାମ୍ବାଦିକତା କରି ଆସୁଥିଲେ । ପ୍ରତ୍ୟେକ ଦିନ କୁଜଙ୍ଗରୁ ପାରାଦ୍ୱୀପ ଆସି ଖବର ସଂଗ୍ରହ କରିବା ପରେ ଘରକୁ ଫେରିଥାନ୍ତି । 2016 ମସିହା ନଭେମ୍ବର 13 ତାରିଖରେ ସବୁଦିନ ଭଳି ନିଜ ବାଇକ ଯୋଗେ ପାରାଦ୍ୱୀପ ଆଇଓସିଏଲରୁ ଖବର ସଂଗ୍ରହ କରି ଘରକୁ ଫେରିବା ବାଟରେ ଅଭିଯୁକ୍ତ କୁଜଙ୍ଗ ଥାନା ଅରଖିଆ ଅଞ୍ଚଳର ଶଶିକାନ୍ତ ଦଳାଇ କୁଜଙ୍ଗ ନିକଟ ବିପିନ ଛକ ନିକଟରେ ଠିଆ ହୋଇ ଗାଡ଼ିରେ ଯିବାପାଇଁ ଲିଫ୍ଟ ମାଗିଥିଲା । ସାମ୍ବାଦିକ ଗଣେଶ୍ୱର ସ୍ୱାଇଁ ଲିଫ୍ଟ ଦେଇ ତାଙ୍କୁ ଆଣିଥିଲେ । କିଛିବାଟ ଆସିବା ପରେ ଅଭିଯୁକ୍ତ ଶଶିକାନ୍ତ ଏକ ଧାରୁଆ ଅସ୍ତ୍ର ଦେଖାଇ ଭୟଭୀତ କରିବା ସହ ଗାଡି ଛଡାଇ ନେବାକୁ ଉଦ୍ୟମ କରିଥିଲା ।

ଏହାମଧ୍ୟ ପଢନ୍ତୁ.. ଦିବ୍ୟାଙ୍ଗ ସନ୍ତାନ ହତ୍ୟା ମାମଲାର ଆସିଲା ରାୟ, ବାପ ଓ ସାବତ ମା’କୁ ଆଜୀବନ ଜେଲ - DIVYANG MURDER CASE VERDICT

ଗଣେଶ୍ୱର ଏଥିରେ ଭୟଭୀତ ହୋଇ ଗାଡିର ଗତିକୁ ଧୀର କରିବା ସମୟରେ ଅଭିଯୁକ୍ତ ଶଶିକାନ୍ତ ଏକ ଧାରୁଆ ଅସ୍ତ୍ରରେ ତାଙ୍କ ବେକକୁ କାଟି ଦେଇଥିଲା । ଫଳରେ ଗଣେଶ୍ୱର ସେଠାରେ ପଡି ଯାଇଥିଲେ । ଅଭିଯୁକ୍ତ ତଣ୍ଟି କାଟି ଦେବାପରେ ସେଠାରୁ ଫେରାର ହୋଇ ଯାଇଥିଲା । ଗଣେଶ୍ୱରଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ପ୍ରଥମେ ତାଙ୍କୁ କୁଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ପରେ ପରିବାର ଲୋକେ ଏ ସମ୍ପର୍କରେ କୁଜଙ୍ଗ ଥାନାରେ ଅଭିଯୋଗ କରିବା ପରେ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଅଭିଯୁକ୍ତ ଶଶିକାନ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ହତ୍ୟା ଅଭିଯୋଗରେ କୁଜଙ୍ଗ କୋର୍ଟ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ ସହିତ 10 ହଜାର ଟଙ୍କା ଜରିମାନା ଦଣ୍ଡରେ ଦଣ୍ଡିତ କରିଛନ୍ତି ।




ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.