ETV Bharat / politics

ଲୋକଙ୍କ ସେବା କରିବା ଓ ଲୋକଙ୍କ ପାଇଁ ଲଢ଼ିବାକୁ ରାଜନୀତିକୁ ଆସିଛି: ସୁଜିତ୍ ମହାପାତ୍ର - Puri Assembly Congress

author img

By ETV Bharat Odisha Team

Published : May 1, 2024, 7:10 PM IST

Puri Assembly Congress MLA Candidate Sujit Mahapatra: ପୁରୀ ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ପକ୍ଷରୁ ବିଧାୟକ ପ୍ରାର୍ଥୀ ହୋଇଛନ୍ତି ସୁଜିତ୍ ମହାପାତ୍ର । ପ୍ରଥମ କରି ବିଧାୟକ ଭାବରେ ନିର୍ବାଚନ ଲଢ଼ୁଥିବା ବେଳେ ଉତ୍ସାହିତ ଅଛନ୍ତି ସୁଜିତ୍ । ତେବେ ଇଟିଭି ଭାରତକୁ ସ୍ବତନ୍ତ୍ର ସାକ୍ଷାତକାର ଦେଇ କ'ଣ କହିଛନ୍ତି ସୁଜିତ୍‌ । ଜାଣନ୍ତୁ

ଲୋକଙ୍କ ସେବା କରିବା ଓ ଲୋକଙ୍କ ପାଇଁ ଲଢ଼ିବାକୁ ରଜନୀତିକୁ ଆସିଛି: ସୁଜିତ୍ ମହାପାତ୍ର
ଲୋକଙ୍କ ସେବା କରିବା ଓ ଲୋକଙ୍କ ପାଇଁ ଲଢ଼ିବାକୁ ରଜନୀତିକୁ ଆସିଛି: ସୁଜିତ୍ ମହାପାତ୍ର

ଲୋକଙ୍କ ସେବା କରିବା ଓ ଲୋକଙ୍କ ପାଇଁ ଲଢ଼ିବାକୁ ରାଜନୀତିକୁ ଆସିଛି

ପୁରୀ: ରାଜ୍ୟରେ ବଢ଼ୁଛି ରାଜନୀତି ଉଷ୍ଣତା । ଦଳକୁ ଭୋଟ ଦେବେ ନା ପ୍ରାର୍ଥୀକୁ, ସେ ନେଇ ଚାଲିଛି ଆଲୋଚନା ପର୍ଯ୍ୟାଲୋଚନା । ଏହାରି ଭିତରେ ପୁରୀ ସଦର ବିଧାନସଭା ଆସନରେ ବିଜେଡିରୁ ସୁନିଲ ମହାନ୍ତି, ବିଜେପିରୁ ଜୟନ୍ତ ଷଡ଼ଙ୍ଗୀ ଓ କଂଗ୍ରେସରୁ ସୁଜିତ୍ ମହାପାତ୍ର ନିର୍ବାଚନ ଲଢ଼ୁଛନ୍ତି । ଛାତ୍ର ନେତାରୁ ପ୍ରଥମ ଥର ପାଇଁ କଂଗ୍ରେସ ବିଧାୟକ ପ୍ରାର୍ଥୀ ହେବା ନେଇ ଉତ୍ସାହିତ ଅଛନ୍ତି ସୁଜିତ୍ । ସେ ପୁରୀ ସଦର ବିଧାନସଭାବାସୀଙ୍କ ଥିବା ସମସ୍ୟା ସମାଧାନ ପାଇଁ ଅନେକ କିଛି ସ୍ବପ୍ନ ଦେଖିଛନ୍ତି । ତେବେ ପୁରୀ ସଦର ବିଧାନସଭା ଆସନରୁ ପ୍ରାର୍ଥୀ ହୋଇଥିବା ସୁଜିତ୍ ମହାପାତ୍ର ଇଟିଭି ଭାରତକୁ ସ୍ଵତନ୍ତ୍ର ସାକ୍ଷାତକାର ଦେଇ କ'ଣ କହିଛନ୍ତି ଜାଣନ୍ତୁ ।

ଆଗାମୀ ନିର୍ବାଚନକୁ ନେଇ ସୁଜିତ୍ ମହାପାତ୍ର କହିଛନ୍ତି, "ଗତ 25 ବର୍ଷ ହେବ ବିଜେଡି କ୍ଷମତାରେ ଥିବା ବେଳେ ଦଳର ନେତାମାନେ ପୁରୀ ବିଧାନସଭାବାସୀଙ୍କ ସମସ୍ୟା ସମାଧାନ କରିବାରେ ବିଫଳ ହୋଇଛନ୍ତି । ପୁରୀ ସହରରେ 80 ହଜାର ପରିବାରକୁ ଚୂଡ଼ାନ୍ତ ପଟା ମିଳି ନଥିବାରୁ ଲୋକମାନେ ହନ୍ତସନ୍ତ ହେଉଛନ୍ତି । ପୁରୀ ସଦର ଅଞ୍ଚଳରେ କେନାଲ ବ୍ୟବସ୍ଥା ସମ୍ପୂର୍ଣ ଭୁଶୁଡି ଯାଇଛି । ଫଳରେ ଜମିକୁ ଜଳ ସେଚନ ହୋଇପାରୁନାହିଁ । ସେହିପରି ବିଜେଡି ସରକାରର ପର୍ଯ୍ୟଟନ କ୍ଷେତ୍ରର ଅଭିବୃଦ୍ଧିକୁ ନେଇ କୌଣସି ଭିଜନ ନଥିବାରୁ ପୁରୀ ସଦର ନିର୍ବାଚନ ମଣ୍ଡଳୀରେ ବେକାରୀ ସମସ୍ୟା ଅଧିକ ରହିଛି । ସେହିପରି ଶ୍ରୀ ଜଗନ୍ନାଥ ମନ୍ଦିରକୁ ନେଇ ବିଜେଡି ସରକାର ରାଜନୀତି କରି ଭକ୍ତଙ୍କ ଧାର୍ମିକ ଅଧିକାରକୁ ଛଡାଇ ନେଇଛି । ଶ୍ରୀମନ୍ଦିର ଚାରିଦ୍ବାର ନ ଖୋଲିବା ହେତୁ ଭକ୍ତ ଶୃଙ୍ଖଳାରେ ଦର୍ଶନ କରିପାରୁନାହାନ୍ତି ।

ସେହିପରି ସୁଜିତ୍ ମହାପାତ୍ର ଏହା ମଧ୍ୟ କହିଛନ୍ତି, "ମହାପ୍ରଭୁଙ୍କ ରତ୍ନ ଭଣ୍ଡାର ଗଣତି ମଣତି ସହ ମରାମତି ମଧ୍ୟ କରାଗଲା ନାହିଁ । ଯାହାକୁ ନେଇ ପୁରୀ ବାସିନ୍ଦା ଅସନ୍ତୁଷ୍ଟ ଅଛନ୍ତି । ଶିକ୍ଷା କ୍ଷେତ୍ରରେ ମଧ୍ୟ ପୁରୀ ବେଶ୍ ଅବହେଳିତ । ପୁରାତନ କଲେଜ ଏସସିଏସ କଲେଜକୁ ବିଶ୍ଵ ବିଦ୍ୟାଳୟ ମାନ୍ୟତା ଦିଆଗଲା ନାହିଁ । ପୁରୀରେ କୌଣସି ବୈଷୟିକ ଶିକ୍ଷା ପାଇଁ କୌଣସି କଲେଜ ନାହିଁ । ବିଭିନ୍ନ ପ୍ରୋଜେକ୍ଟ ଆଳରେ ସରକାରୀ ଅଫିସର ଓ ନେତା କୋଟି କୋଟି ଟଙ୍କା ଦୁର୍ନୀତି କରିଛନ୍ତି । ଏହାକୁ ନେଇ ପୁରୀ ସହରବାସୀଙ୍କ ମଧ୍ୟରେ ବିଜେଡି ଓ ବିଜେପି ପ୍ରତି ଆକ୍ରୋଶ ରହିଛି । ଏହାକୁ ନେଇ କଂଗ୍ରେସ ନିର୍ବାଚନ ଲଢିବ ।"

ଏହା ମଧ୍ୟ ପଢ଼ନ୍ତୁ...ନିର୍ବାଚନ ଲଢ଼ିବାକୁ ଆର୍ଥିକ ସହାୟତା ମାଗିଲେ କଂଗ୍ରେସ ପ୍ରାର୍ଥୀ ସୁଚରିତା - MP Candidate Sucharita Mohanty

ତେବେ ସେ ନିର୍ବାଚନ ଲଢିବା ପାଇଁ ଆସିଛନ୍ତି ଲୋକଙ୍କ ସେବା ପାଇଁ । ତୃଣମୂଳ ସ୍ତରରେ କିଭଳି ସରକାରୀ ଯୋଜନା ଲୋକଙ୍କ ନିକଟରେ ପହଞ୍ଚି ପାରିବ ଲୋକଙ୍କ ସ୍ୱର ହୋଇ ସେ ଲଢେଇ କରିବେ । ଏଣୁ ଆଗାମୀ ନିର୍ବାଚନରେ ପୁରୀ ବିଧାନସଭା ନିର୍ବାଚନ ମଣ୍ଡଳୀ ଭୋଟର ତାଙ୍କୁ ସମର୍ଥନ ଦେବେ ବୋଲି ସୁଜିତ୍ ଦୃଢୋକ୍ତି ପ୍ରକାଶ କରିଛନ୍ତି । ସୁଜିତ୍ ମହାପାତ୍ର ଜଣେ ଦକ୍ଷ ଯୁବ ନେତା । ଛାତ୍ର ରାଜନୀତିରୁ ରାଜନୀତି ଆଡ଼କୁ ପାଦ ଥାପିଛନ୍ତି । ସୁଜିତ୍ ଏଆଇସିସିର ସଦସ୍ୟ ରହିଛନ୍ତି । ସେ ପ୍ରଥମ ଥର ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି । ଶେଷଥର ପାଇଁ 1980 ମସିହାରେ ପୁରୀ ବିଧାନସଭା ଆସନରେ କଂଗ୍ରେସ ପ୍ରାର୍ଥୀ ଗଦାଧର ମିଶ୍ର ବିଜୟ ହାସଲ କରିଥିଲେ । ଗତ 1985 ମସିହା ନିର୍ବାଚନରୁ ପୁରୀ ବିଧାନସଭା ଆସନ କଂଗ୍ରେସ ହାତକୁ ଆଉ ଆସିପାରିନାହିଁ । ତେବେ କଂଗ୍ରେସର ସଙ୍ଗଠନ ଦୁର୍ବଳ ଥିବା ବେଳେ 2024 ନିର୍ବାଚନରେ ଦଳ କେତେ ସଫଳ ହେବ ତାହା ନିର୍ବାଚନ ପରେ ସ୍ପଷ୍ଟ ହେବ ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.