ETV Bharat / bharat

ୟେମେନରେ କେରଳ ନର୍ସଙ୍କୁ ମୃତ୍ୟୁଦଣ୍ଡ, ଝିଅ ସୁରକ୍ଷା ପାଇଁ ମା'ର ବିଦେଶ ଗସ୍ତ - Kerala Nurse Death Sentence

author img

By ETV Bharat Odisha Team

Published : Apr 19, 2024, 7:52 PM IST

KERALA NURSE DEATH SENTENCE: ୟେମେନରେ ମାଲାୟଲି ନର୍ସଙ୍କୁ ମୃତ୍ୟୁଦଣ୍ଡ । ଝିଅକୁ ବଞ୍ଚାଇବା ଲାଗି ବିଦେଶ ବାହାରିଲେ ମାଆ । ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା

KERALA NURSE DEATH SENTENCE
KERALA NURSE DEATH SENTENCE

ଥିରୁଅନନ୍ତପୁରମ: ସୁଦୂର ୟେମେନରେ ଫସିଛି ଝିଅ । ୟେମେନ କୋର୍ଟ ପକ୍ଷରୁ ଝିଅକୁ ମିଳିଛି ମୃତ୍ୟୁଦଣ୍ଡ । ଖବର ପାଇବା ପରେ ଅଥୟ ମାଆ ମନ । ଝିଅକୁ ବଞ୍ଚାଇବା ଲାଗି ବିଦେଶ ଗସ୍ତରେ ବାହାରିଛନ୍ତି କେରଳର ମହିଳା ପ୍ରେମାକୁମାରୀ । ଜଣେ ୟେମେନ ନାଗରିକଙ୍କୁ ହତ୍ୟା କରିଥିବା ଅଭିଯୋଗରେ ମାଲାୟଲି ନର୍ସ ନିମିଶା ପ୍ରିୟାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି । ଏଥିଲାଗି ତାଙ୍କୁ ମୃତ୍ୟୁଦଣ୍ଡ ଭୋଗିବାକୁ ପଡ଼ିବ । ଖବର ପାଇବା ପରେ ଆସନ୍ତାକାଲି (ଶନିବାର) ଝିଅ ନିମିଶା ପ୍ରିୟାଙ୍କୁ ଭେଟିବା ଲାଗି ମହିଳା ଜଣକ ୟେମେନ ଗସ୍ତ କରିବେ ।

ମିଳିଥିବା ସୂଚନା ଅନୁସାରେ, ନିମିଷା ପ୍ରିୟାଙ୍କ ବିରୋଧରେ ହତ୍ୟା ଅଭିଯୋଗ ରହିଛି । ଜଣେ ୟେମେନି ନାଗରିକଙ୍କ ନିର୍ଯାତନା ସହି ନ ପାରିବା ପରେ ସେ ତାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଏହି ଘଟଣା 2017ରେ ଘଟିଥିଲା । ଏବେ ୟେମେନ କୋର୍ଟ ପକ୍ଷରୁ ନିମିଶାଙ୍କୁ ମୃତ୍ୟୁଦଣ୍ଡ ମିଳିଛି । ଏହାପରେ ନର୍ସଙ୍କ ମାଆ ୟେମେନ ଯାଇ ପୀଡ଼ିତଙ୍କ ପରିବାରକୁ ଭେଟିବା ଲାଗି ମନସ୍ଥ କରିଛନ୍ତି । ପୀଡିତଙ୍କ ପରିବାରକୁ ଭେଟି ଝିଅର ଜୀବନ ଭିକ୍ଷା କରିବେ ବୋଲି କହିଛନ୍ତି । ଶନିବାର ସକାଳ 5ଟା 30ରେ ସେ ୟେମେନ ଅଭିମୁଖେ ବାହାରିବେ । ପ୍ରଥମେ ସେ ନେଦୁମ୍ବସେରିରୁ ମୁମ୍ବାଇ ଯିବେ । ଏହାପରେ ସନ୍ଧ୍ୟାରେ ଓମାନ ଓ ସେଠାରୁ ୟେମେନ ଯିବେ । ୟେମେନ ବ୍ୟବସାୟୀ ଓ ତାମିଲନାଡୁର ଜଣେ ସମାଜସେବୀଙ୍କ ସହାୟତାରେ ପ୍ରେମାକୁମାରୀ ୟେମେନ ଗସ୍ତ କରୁଛନ୍ତି ।

ଏହା ବି ପଢନ୍ତୁ- ଇରାନ ଜବତ କରିଥିବା ଇସ୍ରାଏଲୀ ଜାହାଜରେ 17 ଭାରତୀୟ !

ଇଟିଭି ଭାରତକୁ ସୂଚନା ଦେଇ ପ୍ରେମାକୁମାରୀ କହିଛନ୍ତି ଯେ ସେ ଦୀର୍ଘ 12 ବର୍ଷର ପରେ ନିଜ ଝିଅକୁ ଭେଟିବେ । ଏହାପରେ ୟେମେନ ପୀଡ଼ିତ ପରିବାରକୁ ଭେଟି ଝିଅ ପାଇଁ କ୍ଷମା ପ୍ରାର୍ଥନା କରିବେ । ସେ ୟେମେନ ପ୍ରତି ବେଶ କୃତଜ୍ଞ । ତାଙ୍କ ଝିଅକୁ ମୁକ୍ତ କରିବାରେ ଯେଉଁମାନେ ସାହାଯ୍ୟ କରୁଛନ୍ତି, ତାଙ୍କୁ ମଧ୍ୟ ସେ ଧନ୍ୟବାଦ ଜଣାଇଛନ୍ତି । ସେ ଆଶାବ୍ୟକ୍ତ କରିଛନ୍ତି ଯେ ୟେମେନ ପରିବାରକୁ ଭେଟିବା ପରେ ସେମାନେ ତାଙ୍କ ଝିଅକୁ କ୍ଷମା ପ୍ରଦାନ କରିବେ ।

ପ୍ରେମାକୁମାରୀ ଏବଂ 'ସେଭ୍ ନିମିଶା ପ୍ରିୟା ଫୋରମ୍' ଦ୍ବାରା ୟେମେନ ଯିବାକୁ କେନ୍ଦ୍ର ସରକାରଙ୍କୁ ଅନୁମତି ମାଗିଥିଲେ । ହେଲେ ପ୍ରଥମେ ସୁରକ୍ଷା କାରଣ ଦର୍ଶାଇ କେନ୍ଦ୍ର ସରକାର ଏହି ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିଥିଲେ । ଏହା ପରେ ପ୍ରେମାକୁମାରୀ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇ ତାଙ୍କ ଝିଅର ଜୀବନ ରକ୍ଷା କରିବାକୁ ଏବଂ ୟେମେନ ଯିବାକୁ ଅନୁମତି ମାଗିଥିଲେ । ଏକ ଆଇନଗତ ଯୁଦ୍ଧ ଲଢିବା ପରେ ନିମିଶାଙ୍କ ମା' ଏବଂ ସାମୁଏଲ ଜେରୋମଙ୍କୁ ୟେମେନ ଯିବା ଲାଗି କୋର୍ଟ ଅନୁମତି ପ୍ରଦାନ କରିଛନ୍ତି ।

କଣ ଥିଲା ଘଟଣା:- ପଲ୍ଲକଡ଼ କୋଲାଙ୍ଗୋଡ ଅଧିବାସୀ ନିମିଶା ପ୍ରିୟା ୟେମେନରେ ନର୍ସ ଭାବେ କାର୍ଯ୍ୟରତ । ସେ ତଲାଲ ଅବଦୁଲ ମହଦି ନାମକ ଜମେ ୟେମେନ ନାଗରିକଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା । ନିମିଶା 2012ରେ ବିବାହ ପରେ ୟେମେନ ଗସ୍ତ କରିଥିଲେ । ସ୍ବାମୀ ଟମି ମଧ୍ୟ ୟେମେନରେ କାମ କରୁଥିଲେ । ଏହାପରେ ୟେମେନ ନାଗରିକ ତଲାଲ ଅବଦୁଲଙ୍କ ସହ ମିଶି ଏକ କ୍ଲିନିକ ଖୋଲିଥିଲେ । ଏହାପରେ ସ୍ବାମୀ ଓ ଝିଅ ଭାରତ ଫେରିଆସିଥିବା ବେଳେ ଯୁଦ୍ଧ ଯୋଗୁଁ ୟେମେନରେ ଫସିଯାଇଥିଲେ ନିମିଶା । ନିମିଶା ଓ ୟେମେନର ଜଣେ ଯୁବତୀଙ୍କୁ ତଲାଲ ଅବଦୁଲ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଥିଲା । ଏପରିକି ନିମିଶାଙ୍କ ପାସପୋର୍ଟ ମଧ୍ୟ ଜବତ କରିଥିଲା ତଲାଲ । ନିର୍ଯାତନା ସହ୍ୟ କରିନପାରି ନିମିଶା ଓ ୟେମେନି ଯୁବତୀ ତଲାଲକୁ ଏକ ଇଞ୍ଜେକ୍ସନ ଦେଇ ପାସପୋର୍ଟ ଧରି ଖସି ପଳାଇଥିଲେ ।

ହେଲେ ପୋଲିସ ତାଙ୍କୁ ଧରିବା ସହ ଜେଲରେ ଭର୍ତ୍ତି କରିଥିଲା । କ୍ଲିନିକରେ ଯେତେବେଳେ ତଲାଲର ମୃତଦେହ ଜବତ ହୋଇଥିବା ବେଳେ ତାଙ୍କ ବିରୋଧରେ ହତ୍ୟା ଅଭିଯୋଗ ରହିଛି । ଏହାପରେ ୟେମେନ କୋର୍ଟ ନିମିଶାଙ୍କୁ ମୃତ୍ୟୁଦଣ୍ଡ ଦେଇଥିବା ବେଳେ ୟେମେନି ଯୁବତୀଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି । ନିମିଶା ଏହି ରାୟ ବିରୋଧରେ ୟେମେନ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ ମଧ୍ୟ ଏହାକୁ ଖାରଜ କରିଛନ୍ତି କୋର୍ଟ । ଏବେ ନିମିଶାଙ୍କ ଜୀବନ ବିପଦରେ ଥିବାରୁ ଝିଅକୁ ବଞ୍ଚାଇବା ଲାଗି ମାଆ ବିଦେଶ ଗସ୍ତ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.