ETV Bharat / bharat

ସୋମାଲିଆ ଜଳଦସ୍ୟୁଙ୍କ କବଳକୁ 17 ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କଲା ଭାରତୀୟ ନୌସେନା

author img

By ETV Bharat Odisha Team

Published : Jan 29, 2024, 3:56 PM IST

Indian Navy warship rescues vessel hijacked by Somali pirates । ସୋମାଲିଆ ଜଳଦସ୍ୟଙ୍କ ଦ୍ବାରା ଅପହୃତ 17 ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କଲା ଭାରତୀୟ ନୌସେନା । ଅଧିକ ପଢନ୍ତୁ

ସୋମାଲିଆ ଜଳଦସ୍ୟୁଙ୍କ କବଳକୁ 17 ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କଲା ଭାରତୀୟ ନୌସେନା
ସୋମାଲିଆ ଜଳଦସ୍ୟୁଙ୍କ କବଳକୁ 17 ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କଲା ଭାରତୀୟ ନୌସେନା

ନୂଆଦିଲ୍ଲୀ/କୋଚି: ଆରବ ସାଗରରେ ପୁଣି ଜଳଦସ୍ୟଙ୍କ ଆତଙ୍କରାଜ ଘଟଣା ସାମ୍ନାକୁ ଆସିଛି । ଆରବ ସାଗରର ସୋମାଲିଆ ଉପକୂଳରେ ଏକ ମାଛଧରା ଜାହାଜକୁ ସୋମାଲିଆ ଜଳଦସ୍ୟୁମାନେ ଅପହରଣ କରିନେଇଥିଲେ । ସୂଚନା ପାଇବା ମାତ୍ରେ ଭାରତୀୟ ନୌସେନା ଜାହାଜ ‘ଆଇଏନଏସ ସୁମିତ୍ରା’ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଏହି ମତ୍ସ୍ୟଜୀବୀମାନଙ୍କୁ ସୁରକ୍ଷିତ ଉଦ୍ଧାର କରିଛି । ଏହି ମାଛଧରା ହାଜାଜଟି ଇରାନ ଦ୍ବାରା ପଞ୍ଜୀକୃତ ହୋଇଛି । ଏଥିରେ ଭାରତୀୟ ମତ୍ସ୍ୟଜୀବୀ ଓ ନାବିକଙ୍କ ସମେତ ମୋଟ 17 ଜଣ ସଦସ୍ୟ ଥିଲେ ।ଭାରତୀୟ ପଶ୍ଚିମ-ଉପକୂଳର କୋଚି ଠାରୁ ପ୍ରାୟ 7ଶହ ମାଇଲ ଦୂରରେ ଏହି ଅପରେସନ କରି ସମସ୍ତ ଅପହୃତ ମତ୍ସ୍ୟଜୀବୀଙ୍କୁ ଭାରତୀୟ ନୌସେନା ଉଦ୍ଧାର କରିବାରେ ସଫଳ ହୋଇଛି ।

ଭାରତୀୟ ନୌସେନା ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଗତକାଲି ଏହି ଘଟଣା ସମ୍ପର୍କରେ ସୂଚନା ମିଳିବା ପରେ ଆରବ ସାଗରରେ ନିୟୋଜିତ ଥିବା ଭାରତୀୟ ଯୁଦ୍ଧପୋତ ‘ଆଇଏନଏସ ସୁମିତ୍ରା’ ସମ୍ପୂର୍ଣ୍ଣ ପ୍ରସ୍ତୁତି ସହ ଘଟଣାସ୍ଥଳକୁ ଯାତ୍ରା ଆରମ୍ଭ କରିଥିଲା । ଅତ୍ୟାଧୁନିକ ପ୍ରତିରକ୍ଷା ପ୍ରଣାଳୀରେ ବ୍ୟବସ୍ଥିତ ‘ସୁମିତ୍ରା’ରେ ‘ଧ୍ରୁବ’ ହେଲିକପ୍ଟର ମଧ୍ୟ ନିୟୋଜିତ ରହିଛି । ଏହି ଜାହାଜ ଘଟଣାସ୍ଥଳରେ ପହଞ୍ଚିବା ପରେ ଜଳଦସ୍ୟୁମାନେ ସୋମାଲିଆ ଉପକୂଳ ଆଡକୁ ଛତ୍ରଭଙ୍ଗ ଦେଇଥିଲେ । ଏହାପରେ ସମସ୍ତ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରି ଭାରତୀୟ ନୌସେନା ଜାହାଜ ଘଟଣାସ୍ଥଳ ଛାଡିଛି । ଉଦ୍ଧାର ମତ୍ସ୍ୟଜୀବୀଙ୍କୁ ଭାରତୀୟ ଉପକୂଳକୁ ଅଣାଯିବା ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନି ।

ଏହା ମଧ୍ୟ ପଢନ୍ତୁ:-ଆମେରିକା ମିଲିଟାରୀ ପୋଷ୍ଟ ଉପରେ ଡ୍ରୋନ ଆଟାକ, 3 ସେନା ମୃତ 25ରୁ ଅଧିକ ଆହତ

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଆରବ ସାଗର ଓ ଆରବ ଖାଡିରେ ନିକଟ ଅତୀତରେ ଏକାଧିକ ଜାହାଜ ଆକ୍ରମଣର ଘଟଣା ସାମ୍ନାକୁ ଆସିଛି । ଦୁଇଦିନ ତଳେ ଏକ କାର୍ଗୋ ଜାହାଜକୁ କ୍ଷେପଣାସ୍ତ୍ର ମାଡ କରାଯାଇଥିଲା । ଏଥିରେ ନିଆଁ ମଧ୍ୟ ଲାଗି ଯାଇଥିଲା । ସେତେବେଳେ ମଧ୍ୟ ଭାରତୀୟ ନୌସେନା ଜାହାଜ ‘ଆଇଏନଏସ ବିଶାଖାପାଟନମ’ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିଥିବା ।

ମଧ୍ୟପ୍ରାଚ୍ୟରେ ଇସ୍ରାଏଲ- ହମାସ ଯୁଦ୍ଧ ମଧ୍ୟରେ ଏହି ସ୍ଥିତି ସୃଷ୍ଟି ହୋଇଛି । ନିକଟରେ ହୋଇଥିବା ପ୍ରାୟ ସମସ୍ତ ଆକ୍ରମଣ ୟେମେନ ସମର୍ଥିତ ‘ହୁତି’ ଆତଙ୍କୀ ଆତଙ୍କବାଦୀ ସଂଗଠନ ଓ ସୋମାଲିଆ ଜଳଦସ୍ୟଙ୍କ ଦ୍ବାରା ହୋଇଛି । ଏହା ପରେ ଏନେକ ଦେଶ ନୌବାଣିଜ୍ୟ ଓ ଅନ୍ତର୍ଜାତୀୟ ପଣ୍ୟ ପରିବହନକୁ ସୁରକ୍ଷା ଦେବା ପାଇଁ ଆରବ ସାଗରରେ ସେମାନଙ୍କ ନୌସେନାକୁ ମୁତୟନ କରିଛନ୍ତି । ଆରବ ସାଗରର ପୂର୍ବ ଉପକୂଳରେ ଥିବା ଭାରତ ମଧ୍ୟ ଏହି ମାରିଟାଇମ ସର୍ଭିଲାନ୍ସରେ ଆଗରେ ରହିଛି । ଏକାଧିକ ନୌସେନା ଜାହାଜ ଏବେ ଆରବ ସାଗରରେ ପଇଁତରା ମାରୁଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.