ETV Bharat / state

ବିଜେଡିକୁ ଟାର୍ଗେଟ କଲେ ଧର୍ମେନ୍ଦ୍ର, କହିଲେ 'ସଂକେତ ମିଳିଗଲାଣି, ଏଥର ରାଜ୍ୟରେ ସରକାର ଗଢିବ ବିଜେପି' - Dharmendra Targets BJD

author img

By ETV Bharat Odisha Team

Published : May 15, 2024, 2:18 PM IST

Dharmendra Targets BJD: ଦେବଗଡ଼ରେ ବିଜେଡି ସରକାର ଉପରେ ବର୍ଷିଲେ କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ଲୋକସଭା ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ । କହିଲେ ଦୀର୍ଘ ୨୫ ବର୍ଷ ଧରି ଦୁର୍ନୀତି ଭ୍ରଷ୍ଟାଚାରରେ ବୁଡି ରହିଥିବା ବିଜେଡି ସରକାର ଏଥର ପତନ ହେବ ଓ ବିଜେପି ରାଜ୍ୟରେ ସରକାର ଗଢ଼ିବ, ଏହାର ସଂକେତ ମିଳିସାରିଛି। ଅଧିକ ପଢନ୍ତୁ,

ଦେବଗଡ଼ରେ ବିଜେପିର ପ୍ରଚାର
ଦେବଗଡ଼ରେ ବିଜେପିର ପ୍ରଚାର (ETV Bharat Odisha)

ଦେବଗଡ଼ରେ ବିଜେପିର ପ୍ରଚାର (ETV Bharat Odisha)

ଦେବଗଡ଼: ମଙ୍ଗଳବାର(ଏପ୍ରିଲ ୧୪)ରେ କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ଲୋକସଭା ସାଂସଦ ବିଜେପି ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦେବଗଡରେ ରୋଡ଼ ସୋ’ ଏବଂ ବିଜୟ ସଂକଳ୍ପ ସମାବେଶ ଆୟୋଜିତ ହୋଇଥିଲା । ଧର୍ମେନ୍ଦ୍ର ଦେବଗଡ଼ରେ ପହଞ୍ଚିବା ପରେ ବଳମ ଛକରୁ କଣ୍ଢଳ ହାଇସ୍କୁଲ ଖେଳ ପଡିଆ ସଭାସ୍ଥଳ ପର୍ଯ୍ୟନ୍ତ ଏକ ବିଶାଳ ଶୋଭାଯାତ୍ରାରେ ଶକ୍ତି ପ୍ରଦର୍ଶନ କରିଛନ୍ତି । ଏଥିରେ ଦେବଗଡ଼ ବିଧାନସଭା ବିଜେପି ପ୍ରାର୍ଥୀ ସୁବାଷ ଚନ୍ଦ୍ର ପାଣିଗ୍ରାହୀ, ଜିଲ୍ଲା ବିଜେପି ସଭାପରି ଅରୁଣ କୁମାର ସାହୁଙ୍କ ସମେତ ବହୁ ବିଜେପି କାର୍ଯ୍ୟକାର୍ତ୍ତା ଉପସ୍ଥିତ ଥିଲେ । ଏହି ସମୟରେ ବିଜୟ ସଂକଳ୍ପ ସମାବେଶ ମଧ୍ୟ ଆୟୋଜିତ ହୋଇଥିଲା । ଯେଉଁଥିରେ ଧର୍ମେନ୍ଦ୍ର ପ୍ରଧାନ ବିଜେଡି ସରକାର ଉପରେ ବର୍ଷିବା ସହ ଏଥର ରାଜ୍ୟରେ ବିଜେପି ସରକାର ଗଢିବା ସୁନିଶ୍ଚିତ ବୋଲି କହିଛନ୍ତି ।

ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ କଣ୍ଢଳ ଠାରେ ବିଜେପି ପକ୍ଷରୁ ଆୟୋଜିତ ବିଜୟ ସଂକଳ୍ପ ସମାବେଶ ଆୟୋଜିତ ହୋଇଥିଲା । ରୋଡ଼ ସୋ' ପରେ ଧର୍ମେନ୍ଦ୍ର ଏଥିରେ ଯୋଗ ଦେଇ ଦେବଗଡ଼ ବାସୀଙ୍କୁ ସମ୍ୱୋଧନ କରିଛନ୍ତି । ଏହି ସମୟରେ ସେ କହିଛନ୍ତି, ''ରାଜ୍ୟରେ ସରକାର ଦୀର୍ଘ ୨୫ବର୍ଷ ଶାସନ କଲା ପରେ ବି ଦେବଗଡ଼ ଜିଲ୍ଲା ନାହିଁ ନାହିଁରେ ଚାଲିଛି । ଡାକ୍ତରଖାନାରେ ଡାକ୍ତର ନାହାନ୍ତି, ସ୍କୁଲରେ ଶିକ୍ଷକ ନାହାନ୍ତି ଗାଁରେ ପାନୀୟଜଳ ନାହିଁ, ଚାଷଜମିକୁ ଜଳସେଚନ ନାହିଁ, ଜିଲ୍ଲାରେ ଶିତଳଭଣ୍ଡାର ଟିଏ ନାହିଁ, ପିଲାଙ୍କୁ ରୋଜଗାର ମିଳୁନଥିବାରୁ ସେମାନେ ରାଜ୍ୟ ବାହାରକୁ ଦାଦନ ଖଟି ଯାଉଛନ୍ତି । ଏଭଳି ସ୍ଥିତିରେ ରାଜ୍ୟରେ ସରକାର ବଦଳିବା ଦରକାର । ଏହାର ସଂକେତ ଗତକାଲି ମତଦାନ ପରେ ମିଳିସାରିଛି । ମୋଟ ୨୮ ଟି ଆସନରେ ମତଦାନ ହୋଇଥିବା ବେଳେ ଭାରତୀୟ ଜନତା ପାର୍ଟି ସେଥିମଧ୍ୟରୁ ୧୮ଟି ଆସନ ଜିତୁଥିବା ଆକଳନ କରାଯାଇଛି । ଏହାହିଁ ପରିବର୍ତ୍ତନର ସଂକେତ ।"

ସେ ଆହୁରି କହିଛନ୍ତି, ''ବିରୋଧୀ ମୋତେ ରାଜମିସ୍ତ୍ରୀ ଓ ଡାକ ପିଅନ ବୋଲି କହି ସମାଲୋଚନା କରୁଛନ୍ତି । ହେଲେ ମୁଁ ବିକାଶ ର ରାଜମିସ୍ତ୍ରୀ ହୋଇ ରାଜ୍ୟର ସ୍ୱାର୍ଥପାଇଁ କାର୍ଯ୍ୟ କରିବାକୁ ଓ ଲୋକଙ୍କ ଡାକପିଅନ ହୋଇ ଲୋକଙ୍କ ସମସ୍ୟା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଖରେ ପହଞ୍ଚାଇବାକୁ ରାଜି ଅଛି।'' ଏଥିସହ ସେ ରାଜ୍ୟରେ ପରିବର୍ତ୍ତନ ପାଇଁ ଓ କେନ୍ଦ୍ରରେ ନରେନ୍ଦ୍ର ମୋଦିଙ୍କୁ ତୃତୀୟ ଥର ପ୍ରଧାନମନ୍ତ୍ରୀ କରାଇବା ପାଇଁ ସମସ୍ତେ ପୁଣିଥରେ ଡବଲ ଇଞ୍ଜିନରେ ଭୋଟ ଦେବାକୁ ନିବେଦନ କରିଛନ୍ତି । ବିଜେପି ରାଜ୍ୟରେ ସରକାରକୁ ଆସିଲେ ଧାନର ଏମ ଏସ ପି କ୍ୱିଣ୍ଟାଲ ପ୍ରତି ୩୧୦୦ ଟଙ୍କା କୁ ବୃଦ୍ଧି, ଦିବ୍ୟାଙ୍ଗ ବାର୍ଦ୍ଧକ ଓ ବିଧବା ଭତ୍ତାକୁ ୩ ହଜାର ଟଙ୍କା ବୃଦ୍ଧି, କେନ୍ଦୁପତ୍ର ବିଡା ୧ ଟଙ୍କା ୬୦ ପଇସାରୁ ୨ଟଙ୍କାକୁ ବୃଦ୍ଧି, ସୁଭଦ୍ରା ଯୋଜନାରେ ୫୦ ହଜାର ଟଙ୍କା ମୂଲ୍ୟର ଭାଉଚର ପ୍ରଦାନ କରାଯିବ ବୋଲି ସେ ପ୍ରତିଶୃତି ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ: ‘ଧର୍ମେନ୍ଦ୍ରଙ୍କ ବାଳୁତପଣିଆ ଯାଇନାହିଁ, ଜଗନ୍ନାଥଙ୍କ ନାମ ନେଇ ମିଛ କହୁଛନ୍ତି’


ଦେବଗଡ଼, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.