ETV Bharat / politics

ସରିଲା ନାମାଙ୍କନ ପ୍ରକ୍ରିୟା; ଯାଜପୁରରେ ୮୩ ପ୍ରାର୍ଥୀଙ୍କ ନାମାଙ୍କନ, ବିଜେଡି ପୁଣି କ୍ଲିନସ୍ବିପ୍ କରିବ ନା ପରିବର୍ତ୍ତନ ହାୱା ବହିବ ? - Lok Sabha Election 2024

author img

By ETV Bharat Odisha Team

Published : May 15, 2024, 11:18 AM IST

Updated : May 15, 2024, 1:29 PM IST

Political scenario in Jajpur: ଯାଜପୁର ଜିଲ୍ଲାରେ ସରଗରମ ରହିଛି ରାଜନୀତି । ୨୪ ନିର୍ବାଚନରେ ଉଭୟ ଲୋକସଭା ଓ ବିଧାନସଭା ଆସନ ପାଇଁ ମୋଟ ୮୩ ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି । ନାମାଙ୍କନ ସରିବା ପରେ ଏବେ ଚାଲିଛି ଜୋରଦାର ଲଢେଇ । ତେବେ ଗତ ନିର୍ବାଚନରେ ଏଠି କ୍ଲିନ ସ୍ବିପ୍ କରିଥିବା ବିଜେଡିର ଏଥର ବିଜୟ ଧାରା ବଜାୟ ରହିବ ନା ପରିବର୍ତ୍ତନ ହାୱା ବହିବ ତାହା ଦେଖିବା ବାକି ରହିଲା ।

ସରିଲା ନାମାଙ୍କନ ପ୍ରକ୍ରିୟା; ଯାଜପୁରରେ ୮୩ ପ୍ରାର୍ଥୀଙ୍କ ନାମାଙ୍କନ, ଏବେ ମଇଦାନରେ ଲଢେଇ ଜୋରଦାର
ସରିଲା ନାମାଙ୍କନ ପ୍ରକ୍ରିୟା; ଯାଜପୁରରେ ୮୩ ପ୍ରାର୍ଥୀଙ୍କ ନାମାଙ୍କନ, ଏବେ ମଇଦାନରେ ଲଢେଇ ଜୋରଦାର (ETV Bharat Odisha)

ସରିଲା ନାମାଙ୍କନ ପ୍ରକ୍ରିୟା; ଯାଜପୁରରେ ୮୩ ପ୍ରାର୍ଥୀଙ୍କ ନାମାଙ୍କନ, ବିଜେଡି ପୁଣି କ୍ଲିନସ୍ବିପ୍ କରିବ ନା ପରିବର୍ତ୍ତନ ହାୱା ବହିବ ? (ETV Bharat Odisha)

ଯାଜପୁର: ଶେଷ ହୋଇଛି ନିର୍ବାଚନ ପାଇଁ ନାମାଙ୍କନ ଦାଖଲ ସମୟ l ଆଜିଠାରୁ ଆରମ୍ଭ ହେବ ପ୍ରାର୍ଥୀପତ୍ର ଯାଞ୍ଚ । ଆସନ୍ତା 17 ତାରିଖ ଦିନ ନାମାଙ୍କନ ପ୍ରତ୍ୟାହାରର ଶେଷ ଦିନ l ତେବେ ମଙ୍ଗଳବାର ନାମାଙ୍କନର ଅନ୍ତିମ ଦିନରେ ଯାଜପୁର ଜିଲ୍ଲାରେ 30 ଜଣ ପ୍ରାର୍ଥୀ ନିଜର ପ୍ରାର୍ଥୀପତ୍ର ଦାଖଲ କରିବା ସହିତ ଚଳିତ ନିର୍ବାଚନ ପାଇଁ ବିଭିନ୍ନ ଦଳର ମୋଟ 83 ଜଣ ନାମାଙ୍କନ ଦାଖଲ କରିଛନ୍ତି l ବିଶେଷକରି ଅନେକ ନିର୍ବାଚନ ମଣ୍ଡଳୀରେ ଏଥର ଏକାଧିକ ସ୍ବାଧୀନ ପ୍ରାର୍ଥୀ ମଇଦାନକୁ ଓହ୍ଲାଇଥିବା ଦେଖିବାକୁ ମିଳିଛି ।

ସାରା ରାଜ୍ୟରେ ଯାଜପୁର ଜିଲ୍ଲା ବିଜେଡିର ଗଡ଼ ଭାବେ ପରିଗଣିତ ହୋଇଥାଏ l 2019 ମସିହା ନିର୍ବାଚନରେ ଏହି ଜିଲ୍ଲାର 7ଟି ବିଧାନସଭା ଓ ଗୋଟିଏ ଲୋକସଭା ଆସନକୁ ହାତେଇଥିଲା ବିଜେଡି l ଚଳିତ ବର୍ଷ ବିଜେଡି ଲୋକସଭା ଆସନରେ ପୁରୁଣା ପ୍ରାର୍ଥୀ ରିପିଟ କରିଥିବା ବେଳେ 4ଟି ବିଧାନସଭା ଆସନ ଯଥା କୋରେଇ, ବଡ଼ଚଣା, ଯାଜପୁର, ବରୀ ଆସନରେ ନୂଆ ମୁଁହ ଦେଇଛି । ସୁକିନ୍ଦା, ବିଞ୍ଝାରପୁର ଓ ଧର୍ମଶାଳା ଅସନରେ ପୁଣି ରିପିଟ ହୋଇଛି ପୁରୁଣା ମୁହଁ l

ଅନ୍ୟପଟେ ବିଜେପି ଯାଜପୁର ଲୋକସଭା ଆସନରେ ନୂଆ ପ୍ରାର୍ଥୀ ଦେଇଥିବା ବେଳେ ଯାଜପୁର, ବିଞ୍ଝାରପୁର, ବଡ଼ଚଣା, ସୁକିନ୍ଦା ବିଧାନସଭା ଆସନରେ ପୁରୁଣା ମୁହଁକୁ ରିପିଟ କରିଛି । କୋରେଇ, ଧର୍ମଶାଳା ଓ ବରୀ ନିର୍ବାଚନ ମଣ୍ଡଳୀରେ ନବାଗତଙ୍କୁ ଭରସା କରିଛି ଦଳ l ସେହିପରି ଜାତୀୟ କଂଗ୍ରେସ ଦଳ କୋରେଇ ଆସନରେ ପ୍ରାର୍ଥୀ ରିପିଟ କରିଥିବା ବେଳେ ଆଉ 6ଟି ବିଧାନସଭା ଓ ଲୋକସଭା ଆସନରେ ନୂଆ ପ୍ରାର୍ଥୀ ଦେଇଛି l

ଏହା ମଧ୍ୟ ପଢନ୍ତୁ: କେନ୍ଦୁଝର ଲୋକସଭା ଫାଇଟ୍‌; ଅନନ୍ତଙ୍କୁ ମୋଦି, ସିଦ୍ଧୁଙ୍କୁ ନବୀନ ଓ ବିନୋଦଙ୍କୁ ନିଜ ଭାବମୂର୍ତ୍ତି ଭରସା - Lok Sabha Election 2024

ଚଳିତ ବର୍ଷ ଯାଜପୁର ଲୋକସଭା ଆସନ ପାଇଁ ଜଣ 13 ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି । ବିଧାନସଭା କ୍ଷେତ୍ର ଯଥା ବରୀ ଆସନ ପାଇଁ 8, ସୁକିନ୍ଦା ପାଇଁ 13, କୋରେଇ ପାଇଁ 12, ଧର୍ମଶାଳା ଆସନ ପାଇଁ 13, ବଡ଼ଚଣା ଆସନ ପାଇଁ 10, ବିଞ୍ଝାରପୁର ପାଇଁ 5 ଓ ଯାଜପୁର ନିର୍ବାଚନ ମଣ୍ଡଳୀ ପାଇଁ 9 ଜଣଙ୍କୁ ମିଶାଇ ମୋଟ 70 ଜଣ ପ୍ରାର୍ଥୀ ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି l ଆସନ୍ତା 17ରେ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ ଥିବାବେଳେ ସେହି ଦିନ ଚୂଡାନ୍ତ ତାଲିକା ପ୍ରକାଶ ପାଇବ l ଆସନ୍ତା ଜୁନ 1 ତାରିଖରେ ଯାଜପୁର ଲୋକସଭା ଆସନରେ ଭୋଟ ଗ୍ରହଣ ହେବ ।

ଚଳିତ ନିର୍ବାଚନରେ ଅନେକ ହେଭିୱେଟ ନେତା ନିଜ ଭାଗ୍ୟ ପରୀକ୍ଷା କରୁଥିବା ଦେଖିବାକୁ ମିଳିଛି । ସୁକିନ୍ଦା ଆସନରୁ ବିଜେଡି ପକ୍ଷରୁ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ପ୍ରତିରଞ୍ଜନ ଘଡେଇ, ବିଞ୍ଝାରପୁର ଆସନରୁ ପ୍ରଥମ ମହିଳା ବାଚସ୍ପତି ପ୍ରମିଳା ମଲ୍ଲିକ, ଧର୍ମଶାଳାରୁ ପ୍ରଣବ ବଳବନ୍ତ ରାୟ ଓ ବଡ଼ଚଣାରୁ ବର୍ଷା ପ୍ରିୟଦର୍ଶିନୀଙ୍କ ଭଳି ଚର୍ଚ୍ଚିତ ଚେହେରା ମଇଦାନରେ ଅଛନ୍ତି । କଂଗ୍ରେସରୁ କୋରେଇ ନିର୍ବାଚନ ମଣ୍ଡଳୀରେ ପୂର୍ବତନ ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ବନ୍ଦିତା ପରିଡା, ବରୀ ଆସନରୁ ବରିଷ୍ଠ ନେତା ଦେବାଶିଷ ନାୟକ ଓ ବିଜେପି ପକ୍ଷରୁ ଯାଜପୁର ଆସନରୁ ଜିଲ୍ଲା ସଭାପତି ଯଥା ବରିଷ୍ଠ ବିଜେପି ନେତା ଗୌତମ ରାୟ, କୋରେଇରୁ ଆକାଶ ଦାସନାୟକ ଓ ସୁକିନ୍ଦାରୁ ପ୍ରଦୀପ ବଳସାମନ୍ତ ଏଥର ନିଜ ଭାଗ୍ୟ ପରୀକ୍ଷା କରୁଛନ୍ତି l

ଯାଜପୁର ଜିଲ୍ଲାରେ ଚଳିତ ବର୍ଷ 15 ଲକ୍ଷରୁ ଊର୍ଦ୍ଧ୍ବ ଭୋଟର ଅଛନ୍ତି । ତେବେ ପ୍ରତ୍ୟେକ ସ୍ଥାନରେ କିଭଳି ଶାନ୍ତିଶୃଙ୍ଖଳା ସହ ନିର୍ବାଚନ ସରିବ ସେନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରୟାସ ଆରମ୍ଭ ହେଇଛି । ବିଶେଷ ଭାବରେ ନିର୍ବାଚନ ବେଳେ ହିଂସା, ଟଙ୍କା ବଣ୍ଟନ ଏବଂ ବାହାର ଲୋକ ଜିଲ୍ଲାକୁ ଯିବାଆସିବା ଉପରେ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ବିଭିନ୍ନ ସ୍କ୍ୱାର୍ଡ ଗଠନ ହୋଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି l ଏନେଇ ନିର୍ବାଚନ କମିଶନରଙ୍କ ନିର୍ଦ୍ଦେଶ କ୍ରମେ ଆଜିଠାରୁ ଏକ 3 ଜଣିଆ ପର୍ଯ୍ୟବେକ୍ଷ ଦଳ ଜିଲ୍ଲାରେ ପହଞ୍ଚି ସାରିଛନ୍ତି ।

2024 ନିର୍ବାଚନରେ ବିଜେଡି ବିଜେପି ସମସ୍ତ ଆସନ ଦାଖଲ କରିବାକୁ ଦାବି କରୁଥିବାବେଳେ ତେବେ କିଏ କେତେ ଆସନ ଦଖଲ କରିବ ତାହା ଦେଖିବାକୁ ବାକି ରହିଲା...

ଇଟିଭି ଭାରତ, ଯାଜପୁର

Last Updated :May 15, 2024, 1:29 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.