କାର୍ତ୍ତିକେଶ୍ୱର ପୂଜା ପାଇଁ କମିଶନରେଟ ପୋଲିସର ପ୍ରସ୍ତୁତି ବୈଠକ
କଟକ: ପାଖେଇ ଆସୁଛି କାର୍ତ୍ତିକେଶ୍ବର ପୂଜା । ଏନେଇ ଆରମ୍ଭ ହୋଇଗଲାଣି ପ୍ରସ୍ତୁତି । ଏହି ପରିପ୍ରେକ୍ଷୀରେ ଗତକାଲି(ସୋମବାର) କଟକ ଜବାହାରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ କମିଶନରେଟ ପୋଲିସ ପକ୍ଷରୁ କାର୍ତ୍ତିକେଶ୍ୱର ପୂଜା ଓ ବାଲିଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ବୈଠକରେ କାର୍ତ୍ତିକେଶ୍ୱର ପୂଜା ଓ ବାଲିଯାତ୍ରାକୁ କିଭଳି ଭାବରେ ଶାନ୍ତି ଶୃଙ୍ଖଳାର ସହିତ ସଂପାଦନ କରାଯିବ ତାହା ଉପରେ ବିସ୍ତୃତ ଭାବରେ ଆଲୋଚନା କରାଯାଇଥିଲା । ତେବେ ଆସନ୍ତା ୨୭ ତାରିଖରେ କାର୍ତ୍ତିକେଶ୍ୱର ପୂଜା ଓ ବାଲିଯାତ୍ରା ଆରମ୍ଭ ହେବାକୁ ଥିବାବେଳେ କାର୍ତ୍ତିକେଶ୍ୱର ପୂଜାର ଭସାଣି ଉତ୍ସବ ୨୮ ଓ ୨୯ ତାରିଖରେ ଅନୁଷ୍ଠିତ ହେବ । ତେଣୁ ଚଳିତ ବର୍ଷ କଟକରେ ସୁରୁଖୁରୁରେ କିପରି ପୂଜା, ଭସାଣି ଓ ବାଲିଯାତ୍ରା କରାଯିବ ଏନେଇ ବୈଠକରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରାଯାଇଛି ।
ଏହା ମଧ୍ୟ ପଢନ୍ତୁ- ଐତିହାସିକ ବାଲିଯାତ୍ରା ପ୍ରସ୍ତୁତି ନେଇ ସିଏମସିର ସ୍ପେଶାଲ କାଉନସିଲ ବୈଠକ
ପ୍ରସ୍ତୁତି ବୈଠକରେ ମେୟର ସୁବାସ ସିଂ, ବାରବାଟୀ ବିଧାୟକ ମହମ୍ମଦ ମୋକିମ , ପୂର୍ବତନ ବିଧାୟକ ଓ ମହାନଗର ପୂଜା କମିଟିର ସମ୍ପାଦକ ପ୍ରଭାତ ତ୍ରିପାଠୀ, ଡିସିପି ପିନାକ ମିଶ୍ରଙ୍କ ସମେତ କମିଶନରେଟ ପୋଲିସର ବରିଷ୍ଠ ଅଧିକାରୀ ଓ ବୁଦ୍ଧିଜୀବୀମାନେ ଉପସ୍ଥିତ ରହିଥିଲେ । ଏହାସହ ବୈଠକରେ ଦୁର୍ଗାପୂଜା ଓ କାଳୀପୂଜାରେ ସୁନ୍ଦର ମେଢ ପାଇଁ କମିଶନରେଟ ପୋଲିସ ପକ୍ଷରୁ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ପାଇଥିବା ପୂଜା କମିଟିମାନଙ୍କୁ ପୁରସ୍କୃତ କରାଯାଇଥିଲା । ସେହିପରି ଗଣେଶ ପୂଜାକୁ ଶାନ୍ତି ଶୃଙ୍ଖଳା ସହ ସମ୍ପାଦନ କରିବା ଲାଗି ବାଲୁବଜାର ପୂଜା କମିଟି ପକ୍ଷରୁ ତିନୋଟି କ୍ଲବକୁ ମଧ୍ୟ ପୁରସ୍କୃତ କରାଯାଇଥିଲା । ତେବେ କାର୍ତ୍ତିକେଶ୍ୱର ପୂଜା ସମୟରେ କଟକରେ ସୁରକ୍ଷା ବ୍ୟବସ୍ଥା ଦୁର୍ଗା, କାଳୀ ଓ ଗଣେଶ ପୂଜା ପରି ବଜାୟ ରହିବ ବୋଲି କହିଛନ୍ତି କଟକ ଡିସିପି ପିନାକ ମିଶ୍ର ।
ଇଟିଭି ଭାରତ, କଟକ