ଡ୍ରାଇଭରଙ୍କ ଆନ୍ଦୋଳନ ସ୍ଥଗିତ, ଜଗତସିଂହପୁରରେ ସ୍ୱାଭାବିକ ହେଲା ଜୀବନଯାତ୍ରା
Published: Mar 18, 2023, 9:28 AM

ଜଗତସିଂହପୁର: ତିନି ଦିନର ଆନ୍ଦୋଳନ ପରେ ଜଗତସିଂହପୁର ସ୍ୱାଭାବିକ ହୋଇଛି ଜୀବନଯାତ୍ରା । ସାରା ଜିଲ୍ଲାରେ ପରିବହନ ବ୍ୟବସ୍ଥା ଧୀରେ ଧୀରେ ସ୍ବାଭାବିକ ସ୍ଥିତିକୁ ଫେରୁଛି । ଗତକାଲି(ଶୁକ୍ରବାର) ପାରାଦ୍ୱୀପରୁ କଟକ ଓ ଜଗତସିଂହପୁରରୁ କଟକ ବସ୍ ଚଳାଚଳ କରିଛି । ତିନିଦିନ ଧରି ଯାତ୍ରୀମାନେ ଭୋଗୁଥିବା ସମସ୍ୟା ଦୂର ହୋଇଛି । ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ଫଳରେ ଗମନାଗମନ ଠାରୁ ଆରମ୍ଭ କରି ମାଲ ପରି ପରିବହନ କ୍ଷେତ୍ରରେ ବାଧା ସୃଷ୍ଟି ହୋଇଥିଲା । ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ । ଗୁରୁବାର ଜଗତସିଂହପୁର ସହରର କେତେକ ପେଟ୍ରୋଲ ପମ୍ପରେ ପେଟ୍ରୋଲ ଓ ଡିଜେଲ ଶେଷ ହୋଇଯାଇଥିଲା । ସନ୍ଧ୍ୟା ପର୍ଯ୍ୟନ୍ତ ମଧ୍ୟ ଅଧିକାଂଶ ପେଟ୍ରୋଲ ପମ୍ପରେ ନାହିଁ ନଥିବା ଭିଡ଼ ଦେଖିବାକୁ ମିଳିଥିଲା ।
କଟକ ମାଲ ଗୋଦାମରୁ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ନଆସିବା କାରଣରୁ ହଠାତ୍ ଦରଦାମ୍ ବୃଦ୍ଧି ପାଇଥିଲା । ସେହିପରି ଆନ୍ଦୋଳନ ଯୋଗୁଁ ଜଗତସିଂହପୁର ଓ ପାରାଦୀପ ସହରକୁ ପଶ୍ଚିମବଙ୍ଗରୁ ଆଳୁ ଆସିପାରୁ ନଥିବାରୁ ଆଳୁ କିଲୋ ୧୦ ଟଙ୍କାରୁ ୨୦ ଟଙ୍କାରେ ପହଞ୍ଚି ଥିଲା । ଯାହାକୁ ନେଇ ଲୋକେ ସମସ୍ୟାରେ ପଡିଛନ୍ତି । ଆଜି ସୁଦ୍ଧା ଏହା ସମାଧାନ ହୋଇଯିବ ବୋଲି ବ୍ୟବସାୟୀମାନେ କହିଛନ୍ତି । ଡ୍ରାଇଭରମାନଙ୍କ ଆନ୍ଦୋଳନ ପ୍ରତ୍ୟାହୃତ ହେବାପରେ ପଶ୍ଚିମବଙ୍ଗରୁ ଆଳୁ ଗାଡି ଆସିବ । ଯଦ୍ବାରା କୃତ୍ରିମ ଅଭାବ ଦୂର ହେବ ବୋଲି କୁହାଯାଇଛି ।
ଅନ୍ଦୋଳନ ସ୍ଥଗିତ ରହିବା ଯୋଗୁଁ ସାରା ଜିଲ୍ଲାରେ ଯାତ୍ରୀ ପରିବହନ ସ୍ୱାଭାବିକ ହୋଇଛି । ପାରାଦ୍ୱୀପରେ ଅଟୋ ସେବା ମଧ୍ୟ ସ୍ୱାଭାବିକ ହୋଇଛି । ୧୦ ଦଫା ଦାବି ନେଇ ରାଜ୍ୟ ଡ୍ରାଇଭର ମହାସଂଘ ଆନ୍ଦୋଳନକୁ ଓହ୍ଲାଇବା ପରେ ଅଖ ଚକ ବନ୍ଦ ହୋଇଯାଇଥିଲା । ରାଜ୍ୟ ସରକାରଙ୍କ ପକ୍ଷରୁ ତିନିମାସ ମଧ୍ୟରେ ଦାବି ସମ୍ପର୍କରେ ବିଚାର କରାଯାଇ ସମାଧାନ କରାଯିବ ବୋଲି ଲିଖିତ ପ୍ରତିଶ୍ରୁତି ମିଳିବା ପରେ ଜଗତସିଂହପୁର ଜିଲ୍ଲା ଡ୍ରାଇଭର ସଂଘ ଆନ୍ଦୋଳନରୁ ଓହରି ଯାଇଛି ।
ଇଟିଭି ଭାରତ, ଜଗତସିଂହପୁର