ଫୁଲବାଣୀରେ 70ତମ ସର୍ବ ଭାରତୀୟ ସମବାୟ ସପ୍ତାହ, ସମ୍ମାନିତ ହେଲେ ସଫଳ ଚାଷୀ
ଫୁଲବାଣୀ : ଗାନ୍ଧୀ ସ୍ମୁତି ଭବନଠାରେ ଜିଲ୍ଲାସ୍ତରୀୟ ସମବାୟ ମହୋତ୍ସବ ପାଳିତ । 70ତମ ସର୍ବ ଭାରତୀୟ ସମବାୟ ସପ୍ତାହ ଅବସରରେ ମହୋତ୍ସବ ଅନୁଷ୍ଠିତ ହୋଇଛି । ସାଧାରଣ ଚାଷୀମାନଙ୍କ ପାଇଁ ଯୋଜନା ବିଷୟରେ ଆଲୋଚନା କରାଗଲା । କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ଶେଷରେ ସଫଳ ଚାଷୀ ଭାଇଭଉଣୀଙ୍କୁ ସମ୍ମାନିତ କରାଗଲା ।
70ତମ ସର୍ବ ଭାରତୀୟ ସମବାୟ ସପ୍ତାହ ଅବସରରେ ଫୁଲବାଣୀର ଗାନ୍ଧୀ ସ୍ମୁତି ଭବନ ଠାରେ ଜିଲ୍ଲାସ୍ତରୀୟ ସମବାୟ ମହୋତ୍ସବ ପାଳିତ ହୋଇଯାଇଛି । ସାଧାରଣ ଚାଷୀମାନଙ୍କ ପାଇଁ କଣ କଣ ଯୋଜନା ରହିଛି ତାହା ଉପରେ ଆଲୋଚନା ହୋଇଯାଇଛି । ସମବାୟ ସଂସ୍ଥା ମାଧ୍ୟମରେ ଚାଷୀମାନେ କିପରି ବିନା ସୁଧ ତଥା କମ ସୁଧରେ ଋଣ ପାଇପାରିବେ ସେନେଇ ଆଲୋଚନା କରାଗଲା । ଯାହା ଦ୍ୱାରା ଚାଷୀ ସ୍ୱାବଲମ୍ବୀ ହୋଇପାରିବେ । ଏହାଛଡ଼ା ଋଣ ନେଇ ସଠିକ ଜାଗାରେ ନିବେଶ କରିବା ସହ ଋଣ ଆଦାୟ ଉପରେ ଗୁରୁତ୍ୱ ବିଷୟରେ ଲୋକଙ୍କୁ ସଚେତନ କରାଗଲା ।
ଏହା ମଧ୍ୟ ପଢ଼ନ୍ତୁ.....ସମ୍ବଲପୁରରେ ଆରମ୍ଭ ହେଲା ଦୁଇ ଦିନିଆ ଗୋପାଳନ ସମ୍ମିଳନୀ
ଏହି ମହୋତ୍ସବରେ ମୁଖ୍ୟ ଅତିଥି ଭାବେ ଏସ୍ଡ଼ଡିସି ଅଧ୍ୟକ୍ଷ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର, ଟିକାବାଲି ଏମ୍ସିଏସର ଅଧକ୍ଷ ଲମ୍ବୋଧର କହଁର, ଫୁଲବାଣୀ ଉପଜିଲ୍ଲାପାଳ ଜ୍ୟୋତି ରଞ୍ଜନ ରାୟ, ସମବାୟ ସଂଘ ସଦସ୍ୟ କିଶୋର ମେହେର, ଡିଡିଏମ ନାବାର୍ଡ ସଂଜୀବ ମହାନ୍ତି, ଏଲଡିଏମ ହରେକୃଷ୍ଣ ଜେନା ଏବଂ ମୁଖ୍ୟ ବକ୍ତା ଭାବେ ଡିଆରସିଏସ ଯୁଗଳ କିଶୋର ଦାସ ଯୋଗ ଦେଇଥିଲେ । ସମବାୟ ସଂସ୍ଥା ଦ୍ୱାରା ଚାଷୀ ମାନଙ୍କର କିପରି ଉନ୍ନତି ହେଉଛି ତାହା ଉପରେ ଆଲୋଚନା କରାଗଲା । ଶେଷରେ ବକୃତା ଓ ପ୍ରବନ୍ଧ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିବା କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ବ୍ରାହ୍ମଣୀ ଗାଁ ଏବଂ ଜି ଉଦୟଗିରି ଲ୍ୟାମ୍ପସକୁ ଶ୍ରେଷ୍ଠ ଲ୍ୟାମ୍ପସ ଭାବେ ସମ୍ମାନିତ କରାଯାଇଥିଲା । ଏହା ସହିତ ସଫଳ ଚାଷୀ ଭାଇଭଉଣୀଙ୍କୁ ସମ୍ମାନିତ କରାଯାଇଥିଲା । ଫୁଲବାଣୀ ସମବାୟ ସଙ୍ଘର ଉପ ସଭାପତି କିଶୋର ଚନ୍ଦ୍ର ନାୟକ ଧନ୍ୟବାଦ ଦେଇଥିବା ବେଳେ ସଭାପତି ସୁପ୍ରଭା ନାୟସ୍କଙ୍କ ଦ୍ୱାରା ସଭା ସମାପ୍ତି କରାଯାଇଥିଲା ।