ସ୍ବାସ୍ଥ୍ୟ ସେବା ପାଇଁ ଆବଶ୍ୟକ ନୂଆ ପ୍ରକାର ଚିକିତ୍ସା ପ୍ରଣାଳୀ

author img

By

Published : May 12, 2021, 8:28 PM IST

ସ୍ବାସ୍ଥ୍ୟ ସେବା ପାଇଁ ଆବଶ୍ୟକ ନୂଆ ପ୍ରକାର ଚିକିତ୍ସା ପ୍ରଣାଳୀ

ପଞ୍ଚସ୍ତରୀୟ ନ୍ୟାସନାଲ ସାମ୍ପୁଲ ସର୍ଭେରେ ଏହା ସ୍ପଷ୍ଟ ଭାବେ କୁହାଯାଇଛି ଯେ, ଦେଶରେ ପ୍ରାୟ 80 ପ୍ରତିଶତ ପରିବାର ସେମାନଙ୍କର ମେଡିକାଲ ବିଲ ପୈଠ କରିବା ପାଇଁ ଋଣଗ୍ରସ୍ତ ହୋଇଥାନ୍ତି। ଯେଉଁ ଉଦ୍ଦେଶ୍ୟ ନେଇ ଜାତୀୟ ସ୍ବାସ୍ଥ୍ୟ ସୁରକ୍ଷା ନୀତି ପ୍ରଣୟନ କରାଯାଉଛି ତାହାକୁ ଉଲ୍ଲଂଘନ କରାଯାଉଛି, ଯାହା ଫଳରେ ଆମକୁ ଆଜି ଅନେକ ଦୁର୍ଭାଗ୍ୟଜନକ ମୃତ୍ୟୁ ଘଟଣା ଦେଖିବାକୁ ମିଳୁଛି। ଅଧିକ ପଢନ୍ତୁ...

ଦେଶର 139 କୋଟି ଲୋକଙ୍କୁ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ଭାରତର ମେଡିକାଲ ପ୍ରତିଷ୍ଠାନର ଆବଶ୍ୟକତା କ୍ଷେତ୍ରରେ ଯେଉଁ ଦୁର୍ବଳତା ରହିଛି ତାହାକୁ ବର୍ତ୍ତମାନର କୋଭିଡ ସଙ୍କଟ ପଦାରେ ପକାଇଦେଇଛି। କୋଭିଡରୁ ସୁରକ୍ଷା ଯୋଗାଇ ଦେବା ଭାରତୀୟ ନାଗରିକଙ୍କ ପାଇଁ ମରିଚିକା ହୋଇ ରହିଥିବା ଦର୍ଶାଇ ସୁପ୍ରିମ କୋର୍ଟଙ୍କ ସାମ୍ବିଧାନିକ ଖଣ୍ଡପୀଠ ସରକାରଙ୍କୁ ସମାଲୋଚନା କରିଛନ୍ତି। ନିକଟରେ ଅନେକ ରାଜ୍ୟର ହାଇକୋର୍ଟ ମଧ୍ୟ ଲୋକଙ୍କ ଜୀବନ ସୁରକ୍ଷିତ ରଖିବା ଦିଗରେ ଶାସକ ଗୋଷ୍ଠୀର ବିଫଳତା ପାଇଁ ଭର୍ତ୍ସନା କରିଛନ୍ତି ।

ନିକଟରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଜୟଶଙ୍କର ସାମ୍ପ୍ରତିକ ସମସ୍ୟା ପାଇଁ ତାଙ୍କର ନୂଆ ଥିଓରି ଉଲ୍ଲେଖ କରିଛନ୍ତି। ତାଙ୍କର କହିବା ଅନୁଯାୟୀ ବିଗତ ସାଢେ ସାତ ଦଶନ୍ଧି ହେଲା ସ୍ବାସ୍ଥ୍ୟ ସେବା ଦିଗରେ ବଜେଟରେ ବହୁତ କମ ପରିମାଣର ବ୍ୟୟ ବରାଦ ହୋଇ ଆସୁଥିବାରୁ ଆଜି ଏହି ସମସ୍ୟା ଉପୁଜିଛି । ସେ ଯାହା କହିଛନ୍ତି ତାହା ଯଦିଓ ସତ, କିନ୍ତୁ ଏହା ମଧ୍ୟ ସତ ଯେ ଏନଡିଏ ଶାସନ କାଳରେ ସ୍ବାସ୍ଥ୍ୟ ସେବା ପ୍ରତି ହୋଇଥିବା ବଜେଟ ବ୍ୟୟ ଅଟକଳରେ ମଧ୍ୟ ପୂର୍ବବତ ସମାନ ସ୍ଥିତି ରହିଆସିଛି।

କେନ୍ଦ୍ର ମେଡିକାଲ ଓ ସ୍ବାସ୍ଥ୍ୟ ବିଭାଗ 2021-22 ବାର୍ଷିକ ବଜେଟରେ 1.21 ଲକ୍ଷ କୋଟି ଟଙ୍କା ବ୍ୟୟ ବରାଦ କରିବାକୁ ଦାବି ଉପସ୍ଥାପନ କରିଥିଲେ । ଏକ ସଂସଦୀୟ ସ୍ଥାୟୀ କମିଟି ଅତି ସ୍ପଷ୍ଟ ଭାବେ ଉଲ୍ଲେଖ କରିଛି ଯେ, ବିଭାଗ ଯେତିକି ବଜେଟ ଆବଶ୍ୟକତା ଦାବି କରିଥିଲା କେନ୍ଦ୍ର ସରକାର ସେଥିରୁ 50 ହଜାର କୋଟି ଟଙ୍କା କମାଇ ଦେଇଛନ୍ତି। ଅବଶ୍ୟ ଅର୍ଥ ମନ୍ତ୍ରୀ ଦମ୍ଭର ସହ ଦାବି କରିଛନ୍ତି ଯେ, ଲୋକଙ୍କର ସ୍ବାସ୍ଥ୍ୟ ଓ ସୁବିଧା ପାଇଁ ବଜେଟରେ 2.23 ଲକ୍ଷ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି। ଦୁର୍ଭାଗ୍ୟର କଥା ଏହି ଅନୁଦାନ ପାନୀୟ ଜଳ ଯୋଗାଣ, ପରିମଳ, ବାୟୁ ପ୍ରଦୂଷଣ ନିୟନ୍ତ୍ରଣ ଏବଂ ଅନ୍ୟାନ୍ୟ ସେବା ସମେତ ବିଭିନ୍ନ କ୍ଷେତ୍ର ପ୍ରତି ଉଦ୍ଦିଷ୍ଟ। ଏପରି ପ୍ରତାରଣାପୂର୍ଣ୍ଣ କଥା ଏହାଦ୍ବାରା ପଦାରେ ପଡ଼ିଯାଇଛି । ଲୋକଙ୍କୁ ସ୍ବାସ୍ଥ୍ୟ ସେବା ବା ଚିକିତ୍ସା ଯୋଗାଇ ଦେବା ପାଇଁ ଆବଶ୍ୟକ ଭିତ୍ତିଭୂମି ନିର୍ମାଣ, ଜରୁରୀକାଳୀନ ସଂଶୋଧନମୂଳକ ପଦକ୍ଷେପ ଏବଂ ଗବେଷଣା ଦିଗରେ ବଜେଟରେ ଯେତିକି ବ୍ୟୟ ବରାଦ ହେବା କଥା ତାହା ହେଉନାହିଁ ।

ସ୍ବାସ୍ଥ୍ୟ ରକ୍ଷା କ୍ଷେତ୍ର ପ୍ରତି କେନ୍ଦ୍ର ସରକାରଙ୍କ ବ୍ୟୟ ବରାଦ କେବଳ ନାମକୁ ମାତ୍ର ବୋଲି ଦର୍ଶାଇ ସଂସଦୀୟ ସ୍ଥାୟୀ କମିଟି କ୍ଷୋଭ ପ୍ରକାଶ କରିଛି । ଏହା ଦ୍ବାରା ପ୍ରତି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସରକାର ମାନେ ସେମାନଙ୍କର ମୋଟ ବଜେଟ ଅଟକଳର 8 ପ୍ରତିଶତ ସ୍ବାସ୍ଥ୍ୟ ସେବା ପାଇଁ ରଖିବା ଉଚିତ୍ ବୋଲି ରହିଥିବା ଜାତୀୟ ନୀତିକୁ ମୋଟ ଉପରେ ଉଲ୍ଲଂଘନ କରାଯାଉଛି ବୋଲି କମିଟି କହିଛି। ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଦେଶରେ ସମ୍ପ୍ରତି ଯେଉଁ ଭଳି ଭାବେ ଅରାଜକତା ଦେଖାଦେଇଛି ତାହା ସଂସଦୀୟ କମିଟିର ଅନୁଧ୍ୟାାନରୁ ସ୍ପଷ୍ଟ ବାରି ହୋଇ ପଡୁଛି। ବର୍ତ୍ତମାନ କୋଭିଡରେ ଯେଉଁଭଳି ସଂଖ୍ୟାରେ ଲୋକଙ୍କର ମୃତ୍ୟୁ ଘଟୁଛି ସେଥିରୁ ଏହା ଜଳ ଜଳ ଦିଶୁଛି।

ସ୍ବିଡେନ ଏବଂ ଜାପାନ ଭଳି ରାଷ୍ଟ୍ର ସେମାନଙ୍କର ମୋଟ ଘରୋଇ ଉତ୍ପାଦନ ବା ଜିଡିପିର 9 ପ୍ରତିଶତ ସ୍ବାସ୍ଥ୍ୟ ରକ୍ଷା ଦିଗରେ ଖର୍ଚ୍ଚ କରୁଛନ୍ତି । ଅଥଚ ଭାରତ କେବଳ ମାତ୍ର 1.4 ପ୍ରତିଶତ ଅର୍ଥ ବ୍ୟବସ୍ଥା କରୁଛି । ଚିକିତ୍ସା କ୍ଷେତ୍ରରେ ଭାରତର ଅତି ନିମ୍ନ ମାନର ପ୍ରଦର୍ଶନ ବିଶ୍ବ ବ୍ୟାଙ୍କ ପରିସଂଖ୍ୟନ ଏବଂ ଅକ୍ସଫାମ ରିପୋର୍ଟରେ ସ୍ପଷ୍ଟ ଭାବେ ଦର୍ଶାଯାଇଛି । ଜର୍ମାନୀ, ବେଲଜିୟମ, ବ୍ରିଟେନ ଏବଂ ସ୍ବିଡେନ ଭଳି ରାଷ୍ଟ୍ର ବିଗତ ଅନେକ ଦଶନ୍ଧି ଧରି ସେମାନଙ୍କର ସମସ୍ତ ନାଗରିକଙ୍କ ପାଇଁ ସାର୍ବଜନୀନ ଚିକିତ୍ସା ସେବା ଯୋଗାଇ ଦେବାକୁ ଯୋଜନାମାନ ପ୍ରଣୟନ କରି ଆସୁଛନ୍ତି । ଚିକିତ୍ସା ପ୍ରଦାନ କ୍ଷେତ୍ରରେ ସରକାରୀ ଖର୍ଚ୍ଚ ପରିମାଣ ଦୃଷ୍ଟିରୁ ବିଶ୍ବର 196ଟି ରାଷ୍ଟ୍ରକୁ ନେଇ ହୋଇଥିବା ତାଲିକାରେ ଭାରତର ସ୍ଥାନ 158ରେ ରହିଛି । ବ୍ୟକ୍ତିଗତ ଭାବେ ସ୍ବାସ୍ଥ୍ୟ ବାବଦ ଖର୍ଚ୍ଚ ପରିମାଣର ହାର ଅନ୍ତର୍ଜାତୀୟ ସ୍ତରରେ 18 ପ୍ରତିଶତ ଥିବା ବେଳେ ଭାରତରେ ଏ କ୍ଷେତ୍ରରେ ହାରାହାରୀ ଜଣେ ବ୍ୟକ୍ତିଙ୍କୁ 63 ପ୍ରତିଶତ ଖର୍ଚ୍ଚ ଭାର ବହନ କରିବାକୁ ପଡିଥାଏ ।

ପଞ୍ଚସ୍ତରୀୟ ନ୍ୟାସନାଲ ସାମ୍ପୁଲ ସର୍ଭେରେ ଏହା ସ୍ପଷ୍ଟ ଭାବେ କୁହାଯାଇଛି ଯେ, ଦେଶରେ ପ୍ରାୟ 80 ପ୍ରତିଶତ ପରିବାର ସେମାନଙ୍କର ମେଡିକାଲ ବିଲ ପୈଠ କରିବା ପାଇଁ ଋଣଗ୍ରସ୍ତ ହୋଇଥାନ୍ତି। ଯେଉଁ ଉଦ୍ଦେଶ୍ୟ ନେଇ ଜାତୀୟ ସ୍ବାସ୍ଥ୍ୟ ସୁରକ୍ଷା ନୀତି ପ୍ରଣୟନ କରାଯାଉଛି ତାହାକୁ ଉଲ୍ଲଂଘନ କରାଯାଉଛି, ଯାହା ଫଳରେ ଆମକୁ ଆଜି ଅନେକ ଦୁର୍ଭାଗ୍ୟଜନକ ମୃତ୍ୟୁ ଘଟଣା ଦେଖିବାକୁ ମିଳୁଛି। ସଂପ୍ରତି ଦେଖା ଦେଇଥିବା ସ୍ବାସ୍ଥ୍ୟ ସଂକଟର ମୂଳ କାରଣ ସରକାର ଅନୁସରଣ କରୁଥିବା ନୀତିରେ ହିଁ ରହିଛି । ସେଥିପାଇଁ ସୁପ୍ରିମ କୋର୍ଟ କହିଛନ୍ତି ଯେ, ସମସ୍ତଙ୍କୁ ଶସ୍ତାରେ ଚିକିତ୍ସା ସେବା ଯୋଗାଇ ଦେବା ହେଉଛି ସ୍ବାସ୍ଥ୍ୟଗତ ଅଧିକାରର ଅଂଶବିଶେଷ । ଯେତେବେଳେ ଉପଯୁକ୍ତ ନୀତି ପ୍ରସ୍ତୁତ କରାଯିବ ଏବଂ ପର୍ଯ୍ୟାପ୍ତ ପାଣ୍ଠି ସ୍ବାସ୍ଥ୍ୟ କ୍ଷେତ୍ରକୁ ଯୋଗାଇ ଦିଆଯିବ ସେତେବେଳେ ହିଁ ସ୍ବାସ୍ଥ୍ୟ ସୁରକ୍ଷା ଯୋଗାଇ ଦେବା ସମ୍ଭବପର ହେବ । ଦେଶର ସ୍ବାସ୍ଥ୍ୟ କ୍ଷେତ୍ର ପାଇଁ ଏକ ନୂଆ ଥେରାପିର ଜରୁରୀ ଆବଶ୍ୟକତା ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.