କୋଭିଡ ଦ୍ୱିତୀୟ ଲହର: ସୁସ୍ଥତାର ପରବର୍ତ୍ତୀ ପ୍ରଭାବ ଓ ଶିଶୁଙ୍କ ପାଇଁ ପ୍ରତିକାରମୂଳକ ପଦକ୍ଷେପ

author img

By

Published : May 15, 2021, 2:17 PM IST

କୋଭିଡ ଦ୍ୱିତୀୟ ଲହର: ସୁସ୍ଥତାର ପରବର୍ତ୍ତୀ ପ୍ରଭାବ ଓ ଶିଶୁଙ୍କ ପାଇଁ ପ୍ରତିକାରମୂଳକ ପଦକ୍ଷେପ

ଭାରତରେ ଡବଲ୍ ମ୍ୟୁଟାଂଟ୍ କୋରୋନା ଭାଇରସ ସଂକ୍ରମଣର ବଢି ଚାଲିଛି । ଦ୍ୱିତୀୟ ଲହରୀରେ ଅଧିକରୁ ଅଧିକ ଶିଶୁ ସଂକ୍ରମିତ ହେଉଥିବା ଦେଖାଯାଇଛି । ଅବଶ୍ୟ ଶିଶୁମାନଙ୍କ ସଂକ୍ରମଣ ସାମାନ୍ୟ ରହୁଛି । ବୟସ୍କଙ୍କ ତୁଳନାରେ ଶୀଘ୍ର ଆରୋଗ୍ୟ ଲାଭ କରୁଥିଲେ ମଧ୍ୟ ଡାକ୍ତରମାନେ ଶିଶୁମାନଙ୍କଠାରେ ନିର୍ଦ୍ଦିଷ୍ଟ କିଛି ସ୍ଥିତି ଲକ୍ଷ୍ୟ କରୁଛନ୍ତି । କୋଭିଡ-୧୯ ସୁସ୍ଥତା ପରବର୍ତ୍ତୀ ଏହି ସ୍ଥିତିକୁ ମଲଟି ସିଷ୍ଟମ ଇନଫ୍ଲେମେଟୋରୀ ସିଂଡ୍ରୋମ ( ଏମଆଇଏସ-ସି ) ବୋଲି କୁହାଯାଏ । ଏମଆଇଏସ-ସି ଓ ଭାଇରସକୁ କିପରି ରୋକାଯାଇପାରିବ, ସେ ସଂପର୍କରେ ଆସନ୍ତୁ ଜାଣିବା ।

କୋଭିଡ-୧୯ର ନୂଆ ତରଙ୍ଗ କେବଳ ଯେ, ବୟସ୍କମାନଙ୍କୁ ପ୍ରଭାବିତ କରିଛି ତାହା ନୁହେଁ, ଶିଶୁମାନେ ବି ଏହାଦ୍ୱାରା ପ୍ରଭାବିତ ହୋଇଛନ୍ତି । ଏଥର ସଂକ୍ରମିତ ଶିଶୁମାନଙ୍କ ଠାରେ ଲକ୍ଷଣ ଦେଖାଯାଉଛି । କିନ୍ତୁ ସେମାନଙ୍କ ମଧ୍ୟରେ ସଂକ୍ରମଣର ତୀବ୍ରତା ତୁଳନାତ୍ମକ ଭାବେ କମ୍ । ତେବେ କୋଭିଡରୁ ସୁସ୍ଥ ହେଉଥିବା କିଛି ଶିଶୁଙ୍କଠାରେ ମଲ୍ଟି ସିଷ୍ଟମ ଇନଫ୍ଲେମେଟୋରୀ ସିଂଡ୍ରୋମ ନାମକ ଏକ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଯାଉଥିବା ଡାକ୍ତରମାନେ କହିଛନ୍ତି । ଇଟିଭି ଭାରତ ସୁଖିଭବଃ ଟିମ୍ ପକ୍ଷରୁ ଏ ସମ୍ପର୍କରେ ହାଇଦ୍ରାବାଦ ସ୍ଥିତ ଅଭିଜ୍ଞ ଶିଶୁରୋଗ ବିଶେଷଜ୍ଞ ଡକ୍ଟର ବିଜୟାନନ୍ଦ ଜମାଲପୁରୀଙ୍କ ସହ ଆଲୋଚନା କରାଯାଇଥିଲା । ସଂକ୍ରମଣର କିଛି ସପ୍ତାହ ପରେ ଏହି ସ୍ଥିତି ଦେଖାଯିବା ସମ୍ଭବ ବୋଲି ଡକ୍ଟର ଜମାଲପୁରୀ କହନ୍ତି । ସମ୍ଭବତଃ ୩ରୁ ୪ ସପ୍ତାହ ପରେ ଏହି ସ୍ଥିତି ସୃଷ୍ଟି ହୁଏ । ଭାଇରସ ଯୋଗୁଁ ଶରୀରର ପ୍ରତିକ୍ରିୟା ଯୋଗୁଁ ଏପରି ହୋଇଥାଏ, ଯାହାକି ପ୍ରଦାହ ସୃଷ୍ଟି କରିଥାଏ ।

ସେଣ୍ଟର ଫର୍ ଡିଜିଜ୍ କଂଟ୍ରୋଲ ଆଣ୍ଡ୍ ପ୍ରିଭେନସନ -ସିଡିସି ଅନୁସାରେ ଏମଆଇଏସ-ସି ଏଭଳି ଏକ ସ୍ଥିତି , ଯାହା ଦ୍ୱାରା ଶରୀରର ଭିନ୍ନ ଭିନ୍ନ ଅଂଶ, ଏପରିକି ହୃଦୟ, ଫୁସଫୁସ, କିଡନୀ, ବ୍ରେନ, ତ୍ୱଚା ଓ ଆଖି ଜ୍ୱଳନ ହୋଇଥାଏ ଏହି ସ୍ଥିତିରେ ଥିବା ଶିଶୁମାନଙ୍କୁ ଜ୍ୱର ହୋଇଥାଏ । ଏଥିସହ ସେମାନଙ୍କଠାରେ ତଳିପେଟ ଯନ୍ତ୍ରଣା, ବାନ୍ତି, ଡାଇରଆ, ବେକ ଯନ୍ତ୍ରଣା, ଲାଲ୍ ଆଖି ଓ ଅତିଶୟ କ୍ଲାନ୍ତି ଭଳି ଲକ୍ଷଣ ଦେଖାଯାଏ ।

ଏଭଳି ସ୍ଥିତିର ଚିହ୍ନଟ ପାଇଁ ରକ୍ତ ଓ ପରିସ୍ରା ପରୀକ୍ଷା ସହ ସ୍କାନ ଓ ଅନ୍ୟାନ୍ୟ ପରୀକ୍ଷା କରିବାକୁ ହୋଇଥାଏ । ଥରେ ଚିହ୍ନଟ ହୋଇଗଲେ ତୁରନ୍ତ ଚିକିତ୍ସା କରାଯାଏ । ତେଣୁ କୋଭିଡରୁ ସୁସ୍ଥ ହେବାର ୩ରୁ ଚାରି ସପ୍ତାହ ପରେ ଆପଣଙ୍କ ଛୁଆଠାରେ ଯଦି ୧୦୨ରୁ ୧୦୩ ଜ୍ୱର ରହେ, ତାହା ହେଲେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ । ଏମଆଇଏସ-ସି ଛଡା ଶିଶୁମାନେ ଆଳସ୍ୟପରାୟଣତାର ସମ୍ମୁଖୀନ ହେବେ । ଏହାଛଡା ଅନେକ ସପ୍ତାହ ଧରି ପୋଷ୍ଟ୍‌-ଭାଇରାଲ ଫାଟିଗରେ ବି ପୀଡିତ ହେବେ । କିନ୍ତୁ ବୟସ୍କଙ୍କ ତୁଳନାରେ ଏହା ସେମିତି କିଛି ଅଧିକ ନୁହେଁ ।


ପ୍ରତିକାରମୂଳକ ପଦକ୍ଷେପ କ’ଣ ?

କଥାରେ ଅଛି, ‘ଚିକିତ୍ସା ଅପେକ୍ଷା ପ୍ରତିକାର ଭଲ’ । ସେ ଅନୁସାରେ ଶିଶୁମାନଙ୍କୁ କିଭଳି ସଂକ୍ରମଣ ନ ହେବ, ସେ ଉପାୟ ପ୍ରଥମେ କରିବା ଦରକାର । ସଂକ୍ରମଣ ରୋକିବା ପାଇଁ ଡକ୍ଟର ଜମାଲପୁରୀ କିଛି ପ୍ରତିକାରମୂଳକ ପଦକ୍ଷେପର ସୁପାରିଶ କରିଛନ୍ତି ।

- ଘରର ବୟସ୍କ ଲୋକେ ହିଁ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ପାଇଁ ବାହାରକୁ ଯାଇଥାଆନ୍ତି । ତେଣୁ ସେମାନଙ୍କୁ ଖୁବ୍ ସତର୍କତାର ସହ ରହିବା ସମସ୍ତ ପ୍ରତିକାରମୂଳକ ପଦକ୍ଷେପ ଗ୍ରହଣ କରିବା ଜରୁରୀ ।


- ୧୮ ବର୍ଷରୁ ଅଧିକ ବୟସ୍କଙ୍କ ଟିକାକରଣ ଆରମ୍ଭ ହୋଇଗଲାଣି । ତେଣୁ ଟିକା ନେଇ ସଂକ୍ରମଣ ବିପଦରୁ ନିଜକୁ ଓ ଶିଶୁଙ୍କୁ ରକ୍ଷା କରନ୍ତୁ ।


-ଶିଶୁମାନେ ମଧ୍ୟ ସତର୍କତାର ସହ କୋଭିଡ ନିୟମ ପାଳନ କରିବା ଦରକାର । ସେମାନେ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ରକ୍ଷା କରିବା ଜରୁରୀ । ବାରମ୍ବାର ହାତ ଧୋଇବା ସହ ରେସପିରେଟୋରୀ ହାଇଜିନ୍ ବଜାୟ ରଖିବା ଉଚିତ ।


-ସିଡିସି ଅନୁସାରେ ୨ ବର୍ଷରୁ ଅଧିକ ବୟସର ଛୁଆମାନେ ମାସ୍କ ପିନ୍ଧିବା ଦରକାର ।


-ଭିଡ, ଜନ୍ମଦିନ ପାର୍ଟି, ଭୋଜିଭାତରୁ ପିଲାମାନଙ୍କୁ ଦୂରରେ ରଖିବା ଜରୁରୀ ।

ସାଂପ୍ରତିକ ସ୍ଥିତିରେ ମାଆବାପାମାନେ ପିଲାଙ୍କ ସ୍ୱାସ୍ଥ୍ୟ ଉପରେ ସଂପୂର୍ଣ୍ଣ ଧ୍ୟାନ ଦେବା ଏକାନ୍ତ ଜରୁରୀ । ସେମାନେ ନିଜେ ସତର୍କ ରହିବା ସହ ପିଲାମାନଙ୍କୁ ବି ସତର୍କ ରଖିବାକୁ ପଡିବ । ଶିଶୁମାନଙ୍କ ସଂକ୍ରମଣ ସାମାନ୍ୟ ଥିଲେ ବି ସେମାନେ ଭୂତାଣୁ ବାହକ ହୋଇପାରନ୍ତି । ତେଣୁ ଏ ବିଷୟ ପ୍ରତି ଧ୍ୟାନ ରଖିବାକୁ ହେବ ।

ଶିଶୁ ପଜିଟିଭ ହେଲେ କ’ଣ କରିବେ ?

ଆପଣଙ୍କୁ ଶିଶୁ ଭାଇରସ ଦ୍ୱାରା ସଂକ୍ରମିତ ହୋଇଛି ବୋଲି ଯଦି ଆପଣ ମନେ କରନ୍ତି ଓ ଶିଶୁଠାରେ ଯଦି ଜ୍ୱର, ଗଳା ଦରଜ, କଫ, ବାନ୍ତି ଭଳି ଲକ୍ଷଣ ଦେଖନ୍ତି, ତାହା ହେଲେ ତୁରନ୍ତ ଡାକ୍ତରୀ ପରୀକ୍ଷା କରିବା ବିଧେୟ । ଶିଶୁ ପଜିଟିଭ ହେଉ କି ନେଗେଟିଭ, ଯଦି କୋଭିଡ-୧୯ ଭଳି ଲକ୍ଷଣ ଦେଖାଯାଏ, ତାହା ହେଲେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ । ଯଦି ଶିଶୁ ସାମାନ୍ୟ ଭାବେ ସଂକ୍ରମିତ, ତାହା ହେଲେ ଭିଡିଓ ବା ଟେଲି କନସଲଟେସନର ସହାୟତା ନିଅନ୍ତୁ । ଶିଶୁର ଆହାର ଉପରେ ଧ୍ୟାନ ଦିଅନ୍ତୁ । ସ୍ୱାସ୍ଥ୍ୟକର ଆଧାର ସହ ଯଥେଷ୍ଟ ଫ୍ଲଏଡ୍ ଓ ଲକ୍ଷଣ ଯୁକ୍ତ ଚିକିତ୍ସା କରନ୍ତୁ । ଶିଶୁଙ୍କ ପାଇଁ ଦରକାର ହେଉଥିବା କୋଭିଡ-୧୯ ଡାକ୍ତରୀ ଚିକିତ୍ସା ହିଁ କରନ୍ତୁ । ସେମାନଙ୍କୁ ବୟସ୍କଙ୍କ ଚିକିତ୍ସା ଦରକାର ନାହିଁ । ଯଦି ଶିଶୁଠାରେ ୩ରୁ ଅଧିକ ଦିନ ଜ୍ୱର ରହେ, ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ହୁଏ, କ୍ଲାନ୍ତ ଅନୁଭବ କରେ, ଝାଡା ହୁଏ ଓ ଅକ୍ସିଜେନ ସ୍ତର ୯୫ ପ୍ରତିଶତରୁ ତଳକୁ ରହେ, ତାହା ହେଲେ ତାକୁ ହସପିଟାଲରେ ଭର୍ତ୍ତିକରିବା ବାବଦରେ ଡାକ୍ତରଙ୍କ ସହ ତୁରନ୍ତ ପରାମର୍ଶ କରନ୍ତୁ । ଶୀଘ୍ର ହସ୍ତକ୍ଷେପ ଜରୁରୀ । ଚିକିତ୍ସାରେ ବିଳମ୍ବ କରନ୍ତୁ ନାହିଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.