ସାମାଜିକ ସୁରକ୍ଷା ପାଇଁ ଜିଲ୍ଲାର SHG ମହିଳାଙ୍କୁ କରାଯିବ ବୀମାଭୁକ୍ତ

author img

By

Published : Sep 2, 2021, 3:01 PM IST

ସାମାଜିକ ସୁରକ୍ଷା ପାଇଁ ଜିଲ୍ଲାର ଶତ ପ୍ରତିଶତ SHG ମହିଳାଙ୍କୁ କରାଯିବ ବୀମାଭୁକ୍ତ

ରାଜ୍ୟରେ ଥିବା ସ୍ୱୟଂ ସହାୟକ ଗୋଷ୍ଠୀର ମା’ମାନଙ୍କୁ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଡ଼ି ଆର୍ଥିକ ଭାବେ ସଶକ୍ତ କରୁଛନ୍ତି ଓଡ଼ିଶା ସରକାର। ସେମାନଙ୍କର ସାମାଜିକ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ଏବେ ଶତ ପ୍ରତିଶତ SHG ମହିଳାଙ୍କୁ ବୀମାଭୁକ୍ତ କରାଯିବ। ଅଧିକ ପଢନ୍ତୁ...

ସୁନ୍ଦରଗଡ଼: ରାଜ୍ୟରେ ଥିବା ସ୍ୱୟଂ ସହାୟକ ଗୋଷ୍ଠୀର ମା’ମାନଙ୍କୁ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଡ଼ି ଆର୍ଥିକ ଭାବେ ସଶକ୍ତ କରୁଛନ୍ତି ଓଡ଼ିଶା ସରକାର। ସେମାନଙ୍କର ସାମାଜିକ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ଏବେ ଶତ ପ୍ରତିଶତ SHG ମହିଳାଙ୍କୁ ବୀମାଭୁକ୍ତ କରାଯିବ। ମିଶନ ଶକ୍ତି ବିଭାଗ ଏବଂ ଓଡ଼ିଶା ଜୀବିକା ମିଶନ ପକ୍ଷରୁ ଚାଲିଥିବା ଏହି ଅଭିଯାନରେ ସୁନ୍ଦରଗଡ଼ ଜିଲ୍ଲାର 27 ହଜାର ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ସମସ୍ତ ସଦସ୍ୟଙ୍କୁ ଏହି ସୁବିଧାର ଅନ୍ତର୍ଭୁକ୍ତ କରାଯିବ। ଏଥିପାଇଁ ଅଗଷ୍ଟ 27 ତାରିଖରୁ 6 ଦିନିଆ ସଚେତନତା କାର୍ଯ୍ୟକ୍ରମ ଚାଲିଛି। ଏଥିରେ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା (PMJJBY) ଏବଂ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା (PMSBY)ରେ ଜିଲ୍ଲାର ଶତ ପ୍ରତିଶତ SHG ମା’ମାନଙ୍କୁ ସାମିଲ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ସମସ୍ତଙ୍କର ବ୍ୟକ୍ତିଗତ ବ୍ୟାଙ୍କ୍ ଆକାଉଣ୍ଟ ଖୋଲିବା ସହ ସେମାନେ କିପରି ଆର୍ଥିକ ଅନ୍ତର୍ଭୁକ୍ତିରୁ ସୁବିଧା ପାଇବେ, ତାହାକୁ ଗୁରୁତ୍ବ ଦିଆଯାଉଛି। ଏହା ଫଳରେ ସେମାନଙ୍କୁ ଜୀବନ ବୀମା ମିଳିବା ସହିତ କୌଣସି ଦୁର୍ଘଟଣା କ୍ଷେତ୍ରରେ ମଧ୍ୟ ଆର୍ଥିକ ସୁରକ୍ଷା ମିଳିପାରିବ।

(PMJJBY)ରେ 2 ଲକ୍ଷ ଟଙ୍କାର ଜୀବନ ବୀମା ବ୍ୟବସ୍ଥା ରହିଛି। ସେହିପରି PMSBY ଅଧୀନରେ 2 ଲକ୍ଷ ଟଙ୍କାର ଦୁର୍ଘଟଣାଜନିତ ବୀମା ଯୋଗାଇ ଦେଉଛନ୍ତି ସରକାର। ଆଜି ରାଜ୍ୟର ହଜାର ହଜାର ପରିବାରର ଆର୍ଥିକ ମେରୁଦଣ୍ଡ ପାଲଟିଥିବା SHG ମହିଳାମାନଙ୍କୁ ଏହି ଦୁଇଟି ବୀମା ସହ ଯୋଡ଼ି ସେମାନଙ୍କ ସାମାଜିକ ସୁରକ୍ଷାକୁ ସୁନିଶ୍ଚିତ କରିବା ଲାଗି ଏହି ଉଦ୍ୟମ କରାଯାଉଛି। ଏହା ସହିତ ପେନସନ ଯୋଜନାରେ ମଧ୍ୟ SHG ମହିଳାମାନଙ୍କୁ ସାମିଲ କରିବା ଲାଗି ପଦକ୍ଷେପ ନିଆଯାଉଛି। ବୀମାଧାରୀମାନେ ସେମାନଙ୍କ ବ୍ୟାଙ୍କ ଖାତା ଜରିଆରେ ବୀମା ପ୍ରିମିୟମ ପୈଠ କରିପାରିବେ। ଯେଉଁମାନଙ୍କର ବ୍ୟକ୍ତିଗତ ବ୍ୟାଙ୍କ ଆକାଉଣ୍ଟ ନାହିଁ, ସେମାନଙ୍କ ପାଇଁ ଆକାଉଣ୍ଟ ଖୋଲିବାରେ ସହଯୋଗ କରିବା ପାଇଁ ଗ୍ରାମପଞ୍ଚାୟତ ସ୍ତରରେ ହେଲ୍ପ ଡେସ୍କ କରାଯାଇଛି। ବ୍ୟାଙ୍କ ଖାତା ଖୋଲିବା ଲାଗି ସେପ୍ଟେମ୍ବର 2 ରୁ 7 ତାରିଖ ଯାଏଁ ବିଭିନ୍ନ ବ୍ୟାଙ୍କରେ ସ୍ବତନ୍ତ୍ର ହେଲ୍ପ ଡେସ୍କ ଖୋଲାଯିବ।

2021-22 ଆର୍ଥିକ ବର୍ଷରେ ସୁନ୍ଦରଗଡ଼ ଜିଲ୍ଲାରେ ପିଏମ୍‌ଜେଜେବିୱାଇରେ 1ଲକ୍ଷ 80 ହଜାର 589 ଏବଂ ପିଏମ୍‌ଏସ୍‌ବିୱାଇରେ 2 ଲକ୍ଷ 5 ହଜାର 201 ଜଣ ଏସ୍‌ଏଚ୍‌ଜି ମହିଳାଙ୍କୁ ବୀମାଭୁକ୍ତ କରାଯିବାର ଲକ୍ଷ୍ୟ ରହିଛି। ପିଏମ୍‌ଜେଜେବିୱାଇରେ ପୂର୍ବରୁ ସାମିଲ ହୋଇଥିବା 71 ହଜାର 775 ଜଣ ଏସ୍‌ଏଚ୍‌ଜି ମହିଳାଙ୍କ ବୀମାର ନବୀକରଣ କରାଯିବା ସହ ନୂଆକରି 1 ଲକ୍ଷ 8 ହଜାର 814 ଜଣଙ୍କୁ ବୀମାଭୁକ୍ତ କରାଯିବ। ସେହିପରି ପିଏମ୍‌ଏସ୍‌ବିୱାଇରେ ପୂର୍ବରୁ ସାମିଲ ହୋଇଥିବା 88 ହଜାର 901 ଜଣ SHG ମହିଳାଙ୍କ ବୀମାର ନବୀକରଣ ସହ ନୂଆକରି 1 ଲକ୍ଷ 16 ହଜାର 300 ଜଣ SHG ମହିଳା ବୀମାଭୁକ୍ତ ହେବେ। ପିଏମ୍‌ଜେଜେବିୱାଇ ଅଧୀନରେ ବାର୍ଷିକ 330 ଟଙ୍କା ଏବଂ ପିଏମ୍‌ଏସ୍‌ବିୱାଇରେ ବାର୍ଷିକ ମାତ୍ର 12 ଟଙ୍କାର ପ୍ରିମିୟମ ଦେଇ ହିତାଧିକାରୀମାନେ ଏହି ବୀମାଭୁକ୍ତ ହୋଇପାରିବ। ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା ପାଇଁ ବୟସ ସୀମା 18 ରୁ 50 ବର୍ଷ ଏବଂ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନାରେ 18 ରୁ 70 ବର୍ଷ ରହିଛି। ସେହିପରି 60 ବର୍ଷ ବୟସ ପରେ ପେନସନ ନେବାକୁ ଚାହୁଁଥିବା ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ଅଟଳ ପେନସନ ଯୋଜନାରେ ସାମିଲ କରାଯିବ।

ସୁନ୍ଦରଗଡ଼ ଜିଲ୍ଲାରେ ମୋଟ 2150 ଜଣ SHG ମହିଳାଙ୍କୁ ଏହି ଯୋଜନାଭୁକ୍ତ କରାଯିବାକୁ ଲକ୍ଷ୍ୟ ରହିଛି। “ଜିଲ୍ଲାର ଶତ ପ୍ରତିଶତ SHG ମହିଳାଙ୍କୁ ବୀମା ଯୋଜନାରେ ସାମିଲ କରି ସେମାନଙ୍କ ସାମାଜିକ ସୁରକ୍ଷାକୁ ସୁନିଶ୍ଚିତ କରିବା ମିଶନ ଶକ୍ତି ଏବଂ ଓଡ଼ିଶା ଜୀବିକା ମିଶନର ଲକ୍ଷ୍ୟ। ତେଣୁ ଏଥିପାଇଁ ବ୍ୟାପକ ସଚେତନତା ସୃଷ୍ଟି କରିବା ସହ ହିତାଧିକାରୀମାନଙ୍କୁ ଯୋଜନା ସହ ଯୋଡ଼ିବା ଲାଗି ବିଶେଷ ଉଦ୍ୟମ କରାଯାଉଛି”, ବୋଲି କହିଛନ୍ତି ଓଡ଼ିଶା ଜୀବିକା ମିଶନର ସୁନ୍ଦରଗଡ଼ ଜିଲ୍ଲା ପ୍ରକଳ୍ପ ପରିଚାଳକ ସାମୁଏଲ ଟପ୍ପୋ ।

ସୁନ୍ଦରଗଡ଼ରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.