ସହିପାରିଲେ ନାହିଁ ଯୌନ ଶୋଷଣ ଚାପ, ଆତ୍ମହତ୍ୟା କଲେ ସ୍କୁଲ୍‌ଛାତ୍ରୀ !

author img

By

Published : Apr 1, 2022, 9:57 PM IST

ସହିପାରିଲେ ନାହିଁ ଯୌନ ଶୋଷଣର ଚାପ, ଆତ୍ମହତ୍ୟା କଲେ ସ୍କୁଲ୍‌ଛାତ୍ରୀ

ସୁନ୍ଦରଗଡ ଜିଲ୍ଲା ଲେଫ୍ରିପଡା ଥାନା ଅନ୍ତର୍ଗତ ପଟୁଆଡିହି ପଞ୍ଚାୟତ ହାଇସ୍କୁଲରେ ହଷ୍ଟେଲ ଛାତରୁ ଡେଇଁ ପଡ଼ିଲେ ଛାତ୍ରୀ । ଏଭଳି ଅଭିଯୋଗ ପରେ ଅଭିଯୁକ୍ତ ପ୍ରଧାନ ଶିକ୍ଷକଙ୍କ ସହ ତାଙ୍କର ଦୁଇ ସହକର୍ମୀଙ୍କୁ ଅଟକ ରଖିଛି ପୋଲିସ । ଅଧିକ ପଢ଼ନ୍ତୁ

ସୁନ୍ଦରଗଡ଼: ପଟୁଆଡିହି ପଞ୍ଚାୟତ ହାଇସ୍କୁଲ ପ୍ରଧାନ ଶିକ୍ଷକଙ୍କ ଦ୍ବାରା ଯୌନ ଶୋଷଣର ଶିକାର ହୋଇ ଜଣେ ଛାତ୍ରୀଙ୍କ ହଷ୍ଟେଲ ଛାତରୁ ଡେଇଁ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଏଭଳି ଅଭିଯୋଗ ପରେ ଅଭିଯୁକ୍ତ ପ୍ରଧାନ ଶିକ୍ଷକଙ୍କ ସହ ତାଙ୍କର ଦୁଇ ସହକର୍ମୀଙ୍କୁ ଅଟକ ରଖିଛି ପୋଲିସ । ସେପଟେ ଅଭିଯୁକ୍ତଙ୍କୁ କଠୋରରୁ କୋଠର ଦଣ୍ଡ ଦେବାକୁ ଦାବି କରିଛନ୍ତି ମୃତଛାତ୍ରୀଙ୍କ ପରିବାର ଲୋକେ ।

ସୁନ୍ଦରଗଡ ଜିଲ୍ଲା ଲେଫ୍ରିପଡା ଥାନା ଅଞ୍ଚଳରେ ଏହି ଘଟଣା ଘଟିଛି । ଦଶମ ଶ୍ରେଣୀରେ ପଢୁଥିବା ଏହି ଛାତ୍ରୀ ଜଣଙ୍କ ଆଜି ଦିନ ଦ୍ୱିପ୍ରହରରେ ଜୀବନ ହାରିଦେବା ଭଳି ଚରମ ପଦକ୍ଷେପ ନେଇ ଆଖି ବୁଜିଛନ୍ତି । ଛାତ୍ରୀଙ୍କ ପରିବାର ଲୋକଙ୍କ ସହ ତାଙ୍କ ବନ୍ଧୁ ବର୍ଗ ଓ ଓକିଲ ସଂଘ ପ୍ରଧାନ ଶିକ୍ଷକଙ୍କୁ ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ବୋଲି ଅଭିଯୋଗ କରିଛନ୍ତି । ପ୍ରଧାନ ଶିକ୍ଷକଙ୍କ ଆଚରଣକୁ ନେଇ ପୂର୍ବରୁ ମଧ୍ୟ ଛାତ୍ରୀ ଜଣଙ୍କ ନିଜ ପରିବାର ବର୍ଗଙ୍କୁ ଜଣାଇଥିଲେ । ତେବେ ଘଟଣା ଏତେ ସଙ୍ଗୀନ ହେବ ବୋଲି ସେମାନେ ଭାବି ନଥିଲେ ।

ଛାତ୍ରୀ ଜଣକ ଯୌନ ଶୋଷଣର ଚାପ ସହି ନପାରି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ସମ୍ପୃକ୍ତ ଅଭିଯୁକ୍ତ ଶିକ୍ଷକଙ୍କୁ ଫାଶୀ ପରି କୋଠର ଦଣ୍ଡ ଦେବା ପାଇଁ ମୃତ ପୀଡ଼ିତାଙ୍କ ପରିବାର ଦାବି କରିଛନ୍ତି । ଝିଅ ଚାଲିଯିବା ପରେ ତାଙ୍କ ମାଆ ସଂଜ୍ଞାହୀନ ହୋଇ ବର୍ତ୍ତମାନ ସୁନ୍ଦରଗଡ ମୁଖ୍ୟ ଚିକିତ୍ସାଳୟରେ ଜୀବନ ସହ ସଂଘର୍ଷ କରୁଛନ୍ତି । ଲେଫ୍ରିପଡା ପୋଲିସ ଛାତ୍ରୀଙ୍କ ମୃତଦେହ ବ୍ୟବଚ୍ଛେଦ ପାଇଁ ସୁନ୍ଦରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛନ୍ତି । ଅଭିଯୁକ୍ତ ପ୍ରଧାନ ଶିକ୍ଷକ ଶ୍ୟାମ ସୁନ୍ଦର ପଟେଲ, ସହକାରୀ ଶିକ୍ଷକ ରାଧାକାନ୍ତ ନାଏକ ଓ ହଷ୍ଟେଲ ସୁପରିଟେଣ୍ଡଣ୍ଟ ପ୍ରିୟଦର୍ଶିନୀ ବେହେରାଙ୍କୁ ଟାଉନ ଥାନାରେ ଅଟକ ରଖିଛି ପୋଲିସ । ଛାତ୍ରୀଙ୍କ ମୃତ୍ୟୁ ଘଟଣା ପରେ ସୁନ୍ଦରଗଡ଼ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସଂପୃକ୍ତ ପ୍ରଧାନ ଶିକ୍ଷକଙ୍କୁ ତୁରନ୍ତ ନିଳମ୍ବନ କରିଥିବା କଥା କହିଛନ୍ତି ।


ସୁନ୍ଦରଗଡ଼ରୁ ହରିହର ଦାସମହାପାତ୍ର, ଇଟିଭି ଭାରତ

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.