ସମନ୍ୱିତ ଭୌତିକ ଚିକିତ୍ସା କେନ୍ଦ୍ର, ଲୋକଙ୍କୁ ମିଳୁଛି ମାଗଣା ଫିଜିଓଥେରାପି ସେବା

author img

By

Published : Sep 8, 2022, 12:07 PM IST

ସମନ୍ୱିତ ଭୌତିକ ଚିକିତ୍ସା କେନ୍ଦ୍ର, ଲୋକଙ୍କୁ ମିଳୁଛି ମାଗଣା ଫିଜିଓଥେରାପି ସେବା

ସୁନ୍ଦରଗଡ଼ ସରକାରୀ ମେଡିକାଲ କଲେଜ ସମେତ ଜିଲ୍ଲାର ୧୦ଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚାଲିଛି ଆଧୁନିକ ଫିଜିଓଥେରାପି ସେବା । ଏହି ଅତ୍ୟାଧୁନିକ ଭୌତିକ ଚିକିତ୍ସା କେନ୍ଦ୍ରକୁ ଭିନ୍ନକ୍ଷମ ଓ ବୟସ୍କ ଲୋକଙ୍କ ପାଇଁ ରହିଛି ଇ-ଆମ୍ବୁଲାନ୍ସ ବ୍ୟବସ୍ଥା । ଗତ ୮ ମାସ ମଧ୍ୟରେ ପ୍ରାୟ ୧୦ ହଜାର ରୋଗୀ ସେବା ପାଇଛନ୍ତି । ଅଧିକ ପଢ଼ନ୍ତୁ

ସୁନ୍ଦରଗଡ଼: ଭିନ୍ନକ୍ଷମଙ୍କୁ ଆବଶ୍ୟକ ଚିକିତ୍ସା ଓ ପୁନର୍ବାସ ସେବା ଯୋଗାଇ ପୁଣିଥରେ ଜୀବନର ମୁଖ୍ୟ ସ୍ରୋତରେ ସାମିଲ କରିବାର ଆବଶ୍ୟକତା ରହିଛି । ତେବେ ଏମାନଙ୍କ ସହିତ ବିଭିନ୍ନ ବର୍ଗର ଲୋକଙ୍କୁ ଫିଜିଓଥେରାପି ସେବା ଯୋଗାଇ ଦେବାକୁ ରାଜ୍ୟ ସରକାର ସୁନ୍ଦରଗଡ଼ ଜିଲ୍ଲାରେ ବିଶେଷ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ଅତ୍ୟାଧୁନିକ ପୁନର୍ବାସ କେନ୍ଦ୍ର ପରେ ସୁନ୍ଦରଗଡ଼ ସରକାରୀ ମେଡିକାଲ କଲେଜ ସମେତ ଜିଲ୍ଲାର ୧୦ଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚାଲିଛି ସମନ୍ବିତ ଭୌତିକ ଚିକିତ୍ସା ବା ଆଧୁନିକ ଫିଜିଓଥେରାପି ସେବା ।

ବିଭିନ୍ନ ଜନ୍ମଗତ ତଥା କୌଣସି ରୋଗଜନିତ ବା ଦୁର୍ଘଟଣାଜନିତ ଶାରୀରିକ ସମସ୍ୟା ଭୋଗୁଥିବା ବ୍ୟକ୍ତି ବା ଭିନ୍ନକ୍ଷମଙ୍କ ଚିକିତ୍ସା ପାଇଁ ସୁନ୍ଦରଗଡ଼ ମୁଖ୍ୟ ଚିକିତ୍ସାଳୟରେ ୨୦୨୦ରୁ ଅତ୍ୟାଧୁନିକ ପୁନର୍ବାସ କେନ୍ଦ୍ର କାମ କରୁଛି । ସେହିଭଳି ୨୦୨୨ ଜାନୁଆରୀରୁ ସୁନ୍ଦରଗଡ଼ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ସହାୟତାରେ ସମନ୍ବିତ ଭୌତିକ ଚିକିତ୍ସା ସେବା ଆରମ୍ଭ ହୋଇଛି । ଏହାଦ୍ବାରା ସମସ୍ତଙ୍କୁ ମାଗଣରେ ଫିଜିଓଥେରାପି ସେବା ଯୋଗାଇ ଦିଆଯାଉଥିବା ବେଳେ ମୁଖ୍ୟତଃ ଗ୍ରାମାଞ୍ଚଳର ରୋଗୀମାନଙ୍କୁ ବିଶେଷ ଉପକୃତ ହେଉଛନ୍ତି ।

ତାଲିମପ୍ରାପ୍ତ ଥେରାପିଷ୍ଟ ଯୋଗାଉଛନ୍ତି ସେବା

ସୁନ୍ଦରଗଡ଼ ମେଡିକାଲ କଲେଜ ଓ ହସ୍ପିଟାଲ ପରିସର ସହିତ ଜିଲ୍ଲାର ୧୦ଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଅତ୍ୟାଧୁନିକ ଭୌତିକ ଚିକିତ୍ସା ସେବା କେନ୍ଦ୍ର ରହିଛି । ଏଠାରେ ବିଭିନ୍ନ ଥେରାପି ପାଇଁ ଆଧୁନିକ ଚିକିତ୍ସା ଉପକରଣ ରହିଛି । ଏହି କେନ୍ଦ୍ରରେ ଭିନ୍ନକ୍ଷମ, ବରିଷ୍ଠ ନାଗରିକ, କର୍ମଜୀବୀ, ମହିଳା ତଥା ବିଭିନ୍ନ ବର୍ଗର ଲୋକଙ୍କୁ ତାଲିମପ୍ରାପ୍ତ ଥେରାପିଷ୍ଟଙ୍କ ଦ୍ବାରା ସେବା ଯୋଗାଇ ଦିଆଯାଉଛି । ତେବେ ଏଠାରେ ଶିଶୁଙ୍କ ସୁବିଧା ପାଇଁ ସ୍ବତନ୍ତ୍ର ଚିକିତ୍ସା ଗୃହର ବ୍ୟବସ୍ଥା କରାଯାଇଛି ।

କେତେ ଜଣ ପାଇଛନ୍ତି ସେବା ?

ସୁନ୍ଦରଗଡ଼ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ସୁନ୍ଦରଗଡ଼ ମେଡିକାଲ କଲେଜ ଓ ହସ୍ପିଟାଲ ପରିସରରେ ଥିବା କେନ୍ଦ୍ରରେ ଗତ ୮ ମାସ ମଧ୍ୟରେ ୧୩ ହଜାର ୧୨୨ ସେସନ ମାଧ୍ୟମରେ ୧୭୩୯ ରୋଗୀଙ୍କୁ ଫିଜିଓଥେରାପି ସେବା ଯୋଗାଇ ଦିଆଯାଇଛି । ସେହିଭଳି ୧୦ଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଥିବା ଆରୋଗ୍ୟ କେନ୍ଦ୍ରରେ ୬ ହଜାର ୩୩୯ ରୋଗୀ ବିଭିନ୍ନ ଥେରାପି ନେଇଛନ୍ତି । ଏହିଭଳି ଜିଲ୍ଲାର ବିଭିନ୍ନ କେନ୍ଦ୍ରରେ ପ୍ରାୟ ୧୦ ହଜାର ରୋଗୀ ସେବା ପାଇପାରିଛନ୍ତି । ଏହି ଭିନ୍ନକ୍ଷମ ବ୍ୟକ୍ତି ଓ ବୟସ୍କ ଲୋକଙ୍କ ସୁବିଧା ପାଇଁ ଏହି କେନ୍ଦ୍ର ଗୁଡ଼ିକୁ ମାଗଣାରେ ଇ-ଆମ୍ବୁଲାନ୍ସ ବ୍ୟବସ୍ଥା କରାଯାଇଛି । ସେହିଭଳି ଶଯ୍ୟାଶାୟୀ ରୋଗୀଙ୍କ ପାଇଁ ଥେରାପିଷ୍ଟମାନେ ଘରେ ପହଞ୍ଚି ମାଗଣାରେ ସେବା ଯୋଗାଉଛନ୍ତି ।

ସେହିଭଳି ଜିଲ୍ଲା ଅତ୍ୟାଧୁନିକ ପୁନର୍ବାସ କେନ୍ଦ୍ରରେ ସମସ୍ତଙ୍କ ପାଇଁ ରୋବୋଟିକ ଫିଜିଓଥେରାପି ସେବା ଦିଆଯାଉଛି । ଭିନ୍ନକ୍ଷମ ପ୍ରମାଣପତ୍ର ପାଇଥିବା ବ୍ୟକ୍ତିଙ୍କଠାରେ ମାଗଣରେ କୃତିମ ଅଙ୍ଗ ରୋପଣ କରାଯାଉଛି । ଚଳିତ ବର୍ଷ ଅଗଷ୍ଟ ମାସ ସୁଦ୍ଧା ଏହି ପୁନର୍ବାସ କେନ୍ଦ୍ରରେ ୪ ହଜାର ୩୪୮ ରୋବୋଟିକ ଫିଜିଓଥେରାପି ସେସନ କରାଯାଇଥିବା ବେଳେ ୪୦୪ ହିତାଧିକାରୀଙ୍କୁ ବିଭିନ୍ନ କୃତ୍ରିମ ଅଙ୍ଗ ଯୋଗାଇ ଦିଆଯାଇଛି ।

ଇଟିଭି ଭାରତ, ସୁନ୍ଦରଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.