ମୁଖ୍ୟ ଶାସନ ସଚିବଙ୍କ ରାଉରକେଲା ଗସ୍ତର ଦ୍ଵିତୀୟ ଦିନ, ଜୁନ ସୁଦ୍ଧା ୨ୟ ବ୍ରାହ୍ମଣୀ ସେତୁ ହେବ ଶେଷ

author img

By

Published : May 14, 2022, 8:53 PM IST

ମୁଖ୍ୟ ଶାସନ ସଚିବ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଦୁଇ ଦିନିଆ ରାଉରକେଲା ଗସ୍ତରେ ଯାଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର । ଗସ୍ତର ଦ୍ଵିତୀୟ ଦିନରେ ଆଜି ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର କ୍ଷେତ୍ରସ୍ତରୀୟ ଅଗ୍ରଗତି ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ । ଜୁନ ମାସ ଶେଷ ସୁଦ୍ଧା ୨ୟ ବ୍ରାହ୍ମଣୀ ସେତୁ ୬ ଲେନ ବିଶିଷ୍ଟ କରି ପୂର୍ଣ୍ଣାଙ୍ଗ କରାଯିବାକୁ ଲକ୍ଷ୍ୟ ରଖାଯାଇଥିବା ସେ ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଦୁଇ ଦିନିଆ ରାଉରକେଲା ଗସ୍ତରେ ଯାଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର । ଗସ୍ତର ଦ୍ଵିତୀୟ ଦିନରେ ଆଜି ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର କ୍ଷେତ୍ରସ୍ତରୀୟ ଅଗ୍ରଗତି ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ । ଜୁନ ମାସ ଶେଷ ସୁଦ୍ଧା ୨ୟ ବ୍ରାହ୍ମଣୀ ସେତୁ ୬ ଲେନ ବିଶିଷ୍ଟ କରି ପୂର୍ଣ୍ଣାଙ୍ଗ କରାଯିବାକୁ ଲକ୍ଷ୍ୟ ରଖାଯାଇଥିବା ସେ ସୂଚନା ଦେଇଛନ୍ତି ।

ବିପିୟୁଟି କ୍ୟାମ୍ପସରେ ନିର୍ମାଣାଧୀନ ବିର୍ସାମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମର ନିର୍ମାଣ କାର୍ଯ୍ୟ ବୁଲି ଦେଖିଛନ୍ତି ମୁଖ୍ୟ ଶାସନ ସଚିବ । ଏହା ସହ ବ୍ରାହ୍ମଣୀ ନଦୀ ଉପରେ ଚାଲିଥିବା ଦ୍ବିତୀୟ ସେତୁ ନିର୍ମାଣ କାର୍ଯ୍ୟର ଅନୁଧ୍ୟାନ କରିଛନ୍ତି ସେ । କ୍ଷେତ୍ର ପରିଦର୍ଶନ ପରେ ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ, ବ୍ରାହ୍ମଣୀ ନଦୀ ଉପରେ ଯେଉଁ ଦ୍ବିତୀୟ ସେତୁ ନିର୍ମାଣ ଚାଲିଛି । ତାହା ବର୍ତ୍ତମାନ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଜନସାଧାରଣଙ୍କ ସୁବିଧା ପାଇଁ ଏହି ସେତୁର ଗୋଟିଏ ପାର୍ଶ୍ବକୁ ଚଳିତ ମାସ ଶେଷ ସୁଦ୍ଧା ଯାତାୟାତ ଉପଯୋଗୀ କରାଯିବ ।

ଜୁନ ମାସ ଶେଷ ସୁଦ୍ଧା ଏହି ସେତୁକୁ ୬ ଲେନ ବିଶିଷ୍ଟ କରି ପୂର୍ଣ୍ଣାଙ୍ଗ କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏହି ସେତୁ ସମ୍ପୂର୍ଣ୍ଣ ହେବାପରେ ରାଉରକେଲା ସହରରେ ଟ୍ରାଫିକ ସମସ୍ୟାର ସମାଧାନ ହୋଇପାରିବ । ଭାରିଯାନ ଗୁଡିକ ସହର ଭିତରକୁ ନଆସି ବାଇପାସ ରାସ୍ତା ଦେଇ ଯାତାୟତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହା ଫଳରେ ପ୍ରଦୂଷଣ ମଧ୍ୟ ନିୟନ୍ତ୍ରଣ ହୋଇପାରିବ । ୨୦୨୩ରେ ହେବାକୁ ଥିବା ପୁରୁଷ ବିଶ୍ବକପ ହକିକୁ ଦୃଷ୍ଟିରେ ରଖି ରାଉରକେଲା ସହରରେ ବିଭିନ୍ନ ଉନ୍ନୟନମୂଳକ କାମ ସହିତ ସୌନ୍ଦର୍ଯ୍ୟକରଣ କାମ କରାଯାଉଛି ।

ମୁଖ୍ୟ ଶାସନ ସଚିବ ଏହି ସବୁ କାର୍ଯ୍ୟ ବୁଲି ଦେଖିଛନ୍ତି । ମୁଖ୍ୟତଃ ସେ କୋଏଲନଗରସ୍ଥିତ ବୈକୁଣ୍ଠ ଘାଟ ନିକଟରେ ନିର୍ମାଣାଧୀନ ରିକ୍ରିଏସନାଲ ପାର୍କ, ଟ୍ରାଫିକ ଗେଟ ନିକଟରେ ଚାଲିଥିବା ପାର୍କିଂ ସ୍ଥଳ ଓ ପାନପୋଷଠାରେ ବହୁତଳ ମାର୍କେଟ କଂପ୍ଲେକ୍ସର ନିର୍ମାଣ କାର୍ଯ୍ୟର ଅଗ୍ରଗତି ଅନୁଧ୍ୟାନ କରିଛନ୍ତି । କାମର ଗୁଣାତ୍ମକ ମାନ ବଜାୟ ରଖି ଏହିସବୁ ପ୍ରକଳ୍ପ ନିର୍ମାଣ ନିର୍ଦ୍ଧାରିତ ସମୟ ସୀମା ଭିତରେ ଶେଷ କରିବାକୁ ସେ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ରାଉରକେଲା ଗସ୍ତ ସାରି ମୁଖ୍ୟ ଶାସନ ସଚିବ ସୁନ୍ଦରଗଡ ଜିଲ୍ଲାର କୋଇଡା ଏବଂ ଲହୁଣୀପଡା ବ୍ଲକର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ପରିଦର୍ଶନରେ ଯାଇଛନ୍ତି । କୋଇଡା ବ୍ଲକର ଟେନସା ହିଲ ଟପ ନେଚର କ୍ୟାମ୍ପକୁ ଯାଇ ସେଠାରେ ପର୍ଯ୍ୟଟକମାନଙ୍କୁ ଆତିଥ୍ୟ ପ୍ରଦାନ ପାଇଁ କାର୍ଯ୍ୟରତ ସ୍ଥାନୀୟ ବନ ସୁରକ୍ଷା ସମିତି ସଦସ୍ୟମାନଙ୍କ ସହ ଆଲୋଚନା କରିଛନ୍ତି । ତା’ଛଡା ନେଚର କ୍ୟାମ୍ପ ପାଇଁ ସ୍ଥାପିତ ବିଭିନ୍ନ କଟେଜର ରକ୍ଷଣା ବେକ୍ଷଣ କାମର ତନଖି କରିଛନ୍ତି । ପର୍ଯ୍ୟଟକ ମାନଙ୍କ ନିମନ୍ତେ ଏହି ପର୍ଯ୍ୟଟନସ୍ଥଳୀକୁ ଅଧିକ ଆକର୍ଷଣୀୟ କରିବା ନିମନ୍ତେ ସରକାର ଉଦ୍ୟମ କରୁଛନ୍ତି ବୋଲି ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି ।

ସେହିପରି ଲହୁଣୀପଡା ବ୍ଲକର ଲଲେଇସ୍ଥିତ ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟ ଗସ୍ତ କରି ଏହାର ସଠିକ୍ କାର୍ଯ୍ୟକାରିତା ଅନୁଧ୍ୟାନ କରିଛନ୍ତି । ଏହି ଗସ୍ତ ବେଳେ ମୁଖ୍ୟ ଶାସନ ସଚିବଙ୍କ ସହିତ ସୁନ୍ଦରଗଡ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ, ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ କମିଶନର ଡାକ୍ତର ଶୁଭଙ୍କର ମହାପାତ୍ର, ପାନପୋଷ ଉପଜିଲ୍ଲାପାଳ ଦୌଲତ ଚନ୍ଦ୍ରାକର, ବଣାଇଁ ଉପଜିଲ୍ଲାପାଳ ପ୍ରଦୀପ ଡାଙ୍ଗ, ବଣାଇଁ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ଲଲାଟ କୁମାର ଲୁହା, ଦେବଗଡ ଡିଏଫଓ ଧନାଜୀ ଆର ପ୍ରମୁଖ ଉପସ୍ଥିତ ଥିଲେ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.