ସୋନପୁର ବଳିଯାତ୍ରାର ପ୍ରମୁଖ ଅଙ୍ଗ ‘ଚେପେଟା ଢୋଲ’

author img

By

Published : Oct 14, 2021, 2:51 PM IST

ସୋନପୁର ବଳିଯାତ୍ରାର ପ୍ରମୁଖ ଅଙ୍ଗ ଚେପେଟା ଢୋଲ

ସୋନପୁର ଗଡଜାତର ଐତିହାସିକ ବଳିଯାତ୍ରାରେ ଢୋଲ ବାଦ୍ୟର ଏକ ସ୍ବତନ୍ତ୍ର ସ୍ଥାନ ରହିଛି । ଅନ୍ୟାନ୍ୟ ଯାନି ଯାତ୍ରାରେ ପଶ୍ଚିମ ଓଡିଶାରେ ବ୍ୟବହାର ହେଉଥିବା ଲୋକବାଦ୍ୟର ବିଭିନ୍ନ ବାଦ୍ୟଯନ୍ତ୍ର ବ୍ୟବହାର ହୁଏ । ହେଲେ ବଳିଯାତ୍ରାରେ କେବଳ ଢୋଲ ଓ ମହୁରୀ ବ୍ୟବହାର ହୋଇଥାଏ । ଅଧିକ ପଢନ୍ତୁ...

ସୁବର୍ଣ୍ଣପୁର: ସୋନପୁର ଗଡଜାତର ଐତିହାସିକ ବଳିଯାତ୍ରାରେ ଢୋଲ ବାଦ୍ୟର ଏକ ସ୍ବତନ୍ତ୍ର ସ୍ଥାନ ରହିଛି । ଅନ୍ୟାନ୍ୟ ଯାନି ଯାତ୍ରାରେ ପଶ୍ଚିମ ଓଡିଶାରେ ବ୍ୟବହାର ହେଉଥିବା ଲୋକବାଦ୍ୟର ବିଭିନ୍ନ ବାଦ୍ୟଯନ୍ତ୍ର ବ୍ୟବହାର ହୁଏ । ହେଲେ ବଳିଯାତ୍ରାରେ କେବଳ ଢୋଲ ଓ ମହୁରୀ ବ୍ୟବହାର ହୋଇଥାଏ । ଢୋଲର ଷୋହଳ ଭରନୀ ବାଦ୍ୟରେ ବଳି ଦେହରେ ଦୈବୀଶକ୍ତି ପ୍ରକଟିତ ହୋଇଥାଏ । ଆଉ ଏହି ଷୋହଳ ଭରନୀ ବାଦ୍ୟର ତାଳେ ତାଳେ ବଳି ଉଦଣ୍ଡ ନୃତ୍ୟ କରେ ।

ସୋନପୁର ବଳିଯାତ୍ରାର ପ୍ରମୁଖ ଅଙ୍ଗ ଚେପେଟା ଢୋଲ

ଏଥିରେ ବ୍ୟବହାର ହୋଇଥାଏ ଚେପେଟା ଢୋଲ । ଯାହାର ଏକ ସ୍ବତନ୍ତ୍ର ଇତିହାସ ରହିଛି । ରାଜା ରାଜୁଡା ଅମଳରୁ ଏହି ବଳିଯାତ୍ରାରେ ଷୋହଳ ଭରନୀ ବାଦ୍ୟ ପାଇଁ ନିୟୋଜିତ ଅଛନ୍ତି ଏକ ନିର୍ଦ୍ଧିଷ୍ଟ ଜାତିର ସେବାୟତ । ଏହି ଯାତ୍ରାରେ ବ୍ୟବହାର ହେଉଥିବା ପାଟ ଢୋଲଟି ଶହ ଶହ ବର୍ଷର ପୁରୁଣା । ଖେମୁଣ୍ଡି ରାଜଜେମା ସୋନପୁରକୁ ବୋହୂ ହୋଇ ଆସିଥିବା ବେଳେ ଢୋଲଟି ଉପହାର ଭାବେ ଆଣିଥିବା ଇତିହାସ କୁହେ । ଅଷ୍ଟ ଧାତୁରେ ତିଆରି ଏହି ଢୋଲର ଓଜନ 18 କେଜି । ଏହି ପ୍ରାଚୀନ ଢୋଲଟି ଅର୍ଦ୍ଧଭଗ୍ନ ହେବାରୁ ଢୋଲଟିକୁ ମହାନଦୀ ପାଣିରେ ଭସାଇ ଦିଆଯାଇଥିଲା । ହେଲେ ଢୋଲଟି ସ୍ରୋତରେ ଭାସି ନ ଯାଇ କୂଳରେ ଲାଗିଥିଲା ।

ଚୌହାନ ରାଜା ସୁଧାଂଶୁ ଶେଖର ଏହାକୁ ମରାମତି କରି ମା ମାହେଶ୍ବରୀ ବିରାଜତ ଥିବା ଏହି ଢୋଲଟି ପୁଣି ବଳି ଯାତ୍ରାରେ ବ୍ୟବହାର ହେଲା । ବଳିଯାତ୍ରାରେ ଚେପଟା ଢୋଲ ସହିତ ପାଞ୍ଚୋଟି ଢୋଲ ଓ ଗୋଟିଏ ମହୁରୀ ବ୍ୟବହାର ହୋଇଥାଏ । ଚେପଟା ଢୋଲ ଉପରେ ବଳି ବା ବରୁଆ ସବାର ହୋଇ ନୃତ୍ୟ କରେ ।

ଆଶ୍ବିନ ମହାଳୟା ତିଥିରେ ଉଆଁସ ବଳି ଓ ମହାନବମୀ ତିଥିର ମହାବଳୀ ପର୍ବରେ ଢୋଲ ଉପରେ ସବାର ହୋଇ ବଳି ଗମ୍ଭୀରାରୁ ବାହାରକୁ ଆସେ । ଯାହା ଅନ୍ୟାନ୍ୟ ବଳିଯାତ୍ରାରେ ଦେଖିବାକୁ ମିଳେ ନାହିଁ । ଶାକ୍ତ ପ୍ରମୋଦ ବାଦ୍ୟ ତତ୍ତ୍ବରେ ଷୋହଳ ଭରନୀ ବାଦ୍ୟର ପ୍ରମୁଖ ଭୂମିକା ରହିଛି । ଏହି ଐତିହାସିକ ବଳିଯାତ୍ରାରେ ଚେପଟା ଢୋଲର ଷୋହଳ ଭରନି ବାଦ୍ୟ ଏକ ସ୍ବତନ୍ତ୍ର ସ୍ଥାନ ରଖିପାରିଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.