ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ସ୍ବାମୀ ପରିତ୍ୟକ୍ତା ମହିଳା, ଦାବିପତ୍ର ପ୍ରଦାନ

author img

By

Published : Nov 15, 2022, 6:12 PM IST

husband abandoned women meet to subarnapur collector demanding government help

ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ସ୍ବାମୀ ପରିତ୍ୟକ୍ତା ମହିଳା । ସରକାରୀ ସହାୟତା ଦାବିରେ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ସ୍ବାମୀ ପରିତ୍ୟକ୍ତା ମହିଳା । ଏହି ଅସହାୟ ମହିଳାମାନେ ହାତକୁ କାମ, ମୁଣ୍ଡକୁ ଚାଳ ସହିତ ପୁଅ ଝିଅଙ୍କ ସବୁ ଦାୟିତ୍ବ ନେବା ପାଇଁ ପ୍ରଶାସନ ପାଖରେ ଗୁହାରି କରିଛନ୍ତି । ଅଧିକ ପଢ଼ନ୍ତୁ

ସୁବର୍ଣ୍ଣପୁର: ବଡ଼ ବଡ଼ ସହର ଭଳି ଛୋଟ ଛୋଟ ସହରରେ ବିବାହ ବିଚ୍ଛେଦ ଏକ ସାଧାରଣ ଘଟଣା ହେବାକୁ ବସିଲାଣି । ତେବେ ବିବାହ ବିଚ୍ଛେଦ ଆଇନ ଅନୁଯାୟୀ କମ୍ ଆଉ ବେଆଇନ ଭାବେ ଏପରି ଅଧିକ ଘଟଣା ଘଟୁଛି । ଏକ୍ଷେତ୍ରରେ ପୁରୁଷ ଅପେକ୍ଷା ମହିଳାଟିର କ୍ଷତି ବେଶୀ ହୋଇଥାଏ । ହୁଏତ ବଡ଼ ବଡ଼ ସହରରେ ଶିକ୍ଷିତା ମହିଳାଟିଏ ନିଜ ସ୍ବରକୁ ଶାଣିତ କରୁଛି । ନିଜ ହକ୍‌ ପାଇଁ ନ୍ୟାୟଳୟର ଦ୍ବାରସ୍ଥ ହେଉଛି । ବଞ୍ଚିବା ପାଇଁ ସଂଘର୍ଷ କରୁଛି । ଅନେକ କ୍ଷେତ୍ରରେ ପୁରୁଷଙ୍କ ଅହଂ ଭାଙ୍ଗୁଛି । ଉପଯୁକ୍ତ ଫୋରମରେ ସ୍ବାମୀ ପରିତ୍ୟକ୍ତା ମହିଳାଟିଏ ଲଢେଇ କରୁଥିବାରୁ ମହିଳାମାନଙ୍କର ବିଜୟ ହେଉଛି । ହେଲେ ଛୋଟ ଛୋଟ ସହରରେ ପୁରୁଷ କେନ୍ଦ୍ରିକ ପରିବାରରେ ଚପି ଯାଉଛି ସ୍ବାମୀ ପରିତ୍ୟକ୍ତା ମହିଳାଙ୍କ ସ୍ବର । ଏଭଳି ଅଭାବନୀୟ ଘଟଣାମାନ ଏବେ ସୁବର୍ଣ୍ଣପୁର ଜିଲ୍ଲାରେ ବହୁଳ ଭାବରେ ଦେଖିବାକୁ ମିଳୁଛି ।

ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ସ୍ବାମୀ ପରିତ୍ୟକ୍ତା ମହିଳା, ଦାବିପତ୍ର ପ୍ରଦାନ

ଏକ ବେସରକାରୀ ଅନୁଧ୍ୟାନରୁ ଜଣାପଡ଼ିଛି ଯେ, ସୁବର୍ଣ୍ଣପୁର ଜିଲ୍ଲାରେ ଏଭଳି ୨ଶହରୁ ଅଧିକ ସ୍ବାମୀ ପରିତ୍ୟକ୍ତା ମହିଳା ରହିଛନ୍ତି । ଯେଉଁମାନଙ୍କ ମଧ୍ୟରେ ଅନେକ ମହିଳା ନ୍ୟାୟଳୟର ମଧ୍ୟ ଦ୍ବାରସ୍ଥ ହୋଇନାହାନ୍ତି । ଆଉ ଯେଉଁମାନେ ବି ନ୍ୟାୟଳୟର ଦ୍ବାରସ୍ଥ ହୋଇଛନ୍ତି ସେମାନଙ୍କ ପାଇଁ ବିଭିନ୍ନ କାରଣରୁ ନ୍ୟୟ ବିଳମ୍ବିତ ହେଉଛି । ଏପରିକି ହିନ୍ଦୁ ରୀତିନୀତି ଅନୁସାରେ ବିବାହ କରିଥିବା କେତେକ ପୁରୁଷ ରାତାରାତି ବିବାହିତ ପତ୍ନୀଙ୍କୁ ଛାଡି ଅନ୍ୟତ୍ର ବିବାହ କରି ପୁଣିଥରେ ସଂସାର କରି ରହୁଛନ୍ତି । ହେଲେ ଅର୍ଦ୍ଧଶିକ୍ଷିତା ଅସହାୟ ଗରିବ ସ୍ବାମୀ ପରିତ୍ୟକ୍ତା ମହିଳାଟିଏ ନିଜର ଛୋଟ ଛୋଟ ପିଲାଙ୍କୁ ଧରି ମାଡି ମକଚି ହୋଇ ବାପ ଘରେ ରୁହିଛନ୍ତି । ଅନ୍ୟ କେତେକ ମହିଳା ପିଲାଙ୍କ ମୁହଁ ଚାହିଁ କାହା ଘରେ ଚାକରାଣୀ ହୋଇ ମୁଣ୍ଡଗୁଞ୍ଚି ରହିଥାନ୍ତି । ଏଭଳି କ୍ଷେତ୍ରରେ ନିଜର ସ୍ବପ୍ନ ଓ ସମ୍ମାନର ସହ ବଞ୍ଚିବାର ଅଧିକାର ହରାଇଛନ୍ତି ଏହି ମହିଳାମାନେ । ଏହିସବୁ ସ୍ବାମୀ ପରିତ୍ୟକ୍ତା ମହିଳାମାନଙ୍କ ଜୀବନ ଦୁର୍ବିସହ ହୋଇ ପଡିଛି । ନା ଏମାନଙ୍କୁ ମିଳୁଛି ନ୍ୟାୟ, ନା ସ୍ବାମୀଠୁ, ନା ପରିବାର ଠୁ, ନା ପ୍ରଶାସନଠୁ ମିଳୁଛି ସହଯୋଗ ।

ଏଭଳି ଅଭିଯୋଗ ନେଇ ଆଜି ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି ସ୍ୱାମୀ ୬ଜଣ ପରିତ୍ୟକ୍ତା ମହିଳା । ଜିଲ୍ଲା ପ୍ରଶାସନ ପାଖରେ ସହଯୋଗର ଭିକ୍ଷା କରିଛନ୍ତି । ଏହି ମହିଳାମାନଙ୍କୁ ତାଙ୍କ ସ୍ବାମୀମାନେ ବିଭିନ୍ନ କାରଣରୁ ନିର୍ଯାତନା ଦେଇ ଛାଡି ଦେଇଛନ୍ତି । କୁନିକୁନି ପିଲାଙ୍କୁ ନେଇ ଏକାକି ଚଳିବା କଷ୍ଟକର ହୋଇପଡିଥିବା ମହିଳାମାନେ ଅଭିଯୋଗ କରିଛନ୍ତି । ପ୍ରଶାସନିକ ସ୍ତରରେ ନ୍ୟାୟ ମିଳି ନଥିବାରୁ ସହାୟତା ଯୋଗାଇବା ପାଇଁ ଜିଲ୍ଲାପାଳଙ୍କୁ ନିବେଦନ କରିଛନ୍ତି ।

ସ୍ବାମୀ ପରିତ୍ୟକ୍ତା ମହିଳା ମାନେ ସାମାଜିକ ଓ ଆର୍ଥିକ ଚାପରେ ଜୀବନ କାଟୁଛନ୍ତି । ସେମାନଙ୍କ ସ୍ବାମୀମାନେ ଛାଡି ଦେବା ପରେ କିଏ ବାପ ଘରେ ଆସି ମୁଣ୍ଡ ଗୁଞ୍ଜିଛି ତ କିଏ ପର ଘରେ କାମ କରି ଚଳୁଛି । ଏପରିକି ନ୍ୟାୟଳୟରୁ ମଧ୍ୟ ନ୍ୟାୟ ମିଳୁନଥିବା ମହିଳାମାନେ ଅଭିଯୋଗ କରିଛନ୍ତି । ଏପରିକି ସରକାରୀ ଯୋଜନା ମଧ୍ୟ ମିଳୁନାହିଁ । ଅଧିକାଂଶ ପରିତ୍ୟକ୍ତା ମହିଳାଙ୍କ ସ୍ବାମୀମାନେ ଦ୍ଵିତୀୟ ବିବାହ କରି ଘର ସଂସାର କରିଛନ୍ତି । ଏନେଇ ପୋଲିସ ପାଖରେ ଅଭିଯୋଗ କଲେ ମଧ୍ୟ କିଛି ଲାଭ ହେଉନାହିଁ ।

ଏହା ମଧ୍ୟ ପଢ଼ନ୍ତୁ: ସୁବର୍ଣ୍ଣପୁର ମୁଖ୍ୟ ଚିକିତ୍ସାଳୟର ଛାତରୁ ଖସିଲା ସିମେଣ୍ଟ ଅତଡ଼ା

ଆଇନଗତ ବିବାହ ବିଚ୍ଛେଦ ନ ହୋଇ ପୁରୁଷ ମାନେ ଦ୍ଵିତୀୟ ସ୍ତ୍ରୀ ଗ୍ରହଣ କରି ସୁଖରେ ଅଛନ୍ତି । ଏହି ପରିପ୍ରେକ୍ଷୀରେ ଅସହାୟ ମହିଳାମାନେ ହାତକୁ କାମ, ମୁଣ୍ଡକୁ ଚାଳ ସହିତ ପୁଅ ଝିଅଙ୍କ ସବୁ ଦାୟିତ୍ବ ନେବା ପାଇଁ ପ୍ରଶାସନ ପାଖରେ ଗୁହାରି କରିଛନ୍ତି । ଦାବି ପୂରଣ ପାଇଁ ସ୍ବେଚ୍ଛାସେବୀ ଗୋବିନ୍ଦ ମହାରଣାଙ୍କ ନେତୃତ୍ବରେ ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟ ନାରାୟଣ ଦାସଙ୍କ ସହିତ ଆଲୋଚନା କରି ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି ।

ଇଟିଭି ଭାରତ, ସୁବର୍ଣ୍ଣପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.