ସୁବର୍ଣ୍ଣପୁରରେ ତୁରନ୍ତ ଧାନ କିଣିବାକୁ ଚାଷୀଙ୍କ ଦାବି

author img

By

Published : Nov 27, 2022, 9:44 AM IST

ସୁବର୍ଣ୍ଣପୁରରେ ତୁରନ୍ତ ଧାନ କିଣିବାକୁ ଚାଷୀଙ୍କ ଦାବି

ଆସନ୍ତା ନଭେମ୍ବର 30 ତାରିଖରୁ ଚଳିତ ଖରିଫ ଋତୁ ଧାନ ସଂଗ୍ରହ କରାନଗଲେ ପୁଣି ଆନ୍ଦୋଳନ ଚେତାବନୀ । ଅଧିକ ପଢ଼ନ୍ତୁ

ସୁବର୍ଣ୍ଣପୁର: ଆସନ୍ତା 30 ତାରିଖରୁ ଚଳିତ ଖରିଫ ଋତୁ ଧାନ ସଂଗ୍ରହ କରାନଗଲେ ଦୁର୍ବାର ଆନ୍ଦୋଳନ ହେବ । ଏଭଳି ଚେତାବନୀ ଜିଲ୍ଲା କୃଷକ ସଂଗଠନ ପକ୍ଷରୁ ପ୍ରଶାସନକୁ ଦିଆଯାଇଛି । ଏଯାଏଁ ସଅଳ କିସମ ଧାନ ପ୍ରାୟ 30 ପ୍ରତିଶତ ଅମଳ ହୋଇ ସାରିଥିବା ବେଳେ ଚାଷୀ ଅଭାବୀ ବିକ୍ରିର ଶିକାର ହେବା ପୂର୍ବରୁ ପ୍ରଶାସନ ସିଧାସଳଖ ଚାଷୀଙ୍କ ପାଖରୁ ଧାନ କ୍ରୟ କରିବା ପାଇଁ ଚାଷୀମାନେ ଦାବି ରଖିଛନ୍ତି ।

ଗତ ଅକ୍ଟୋବର 31 ତାରିଖରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଧାନ କ୍ରୟ ବୈଠକ ଆୟୋଜିତ ହୋଇଥିଲା । ଚାଷୀମାନଙ୍କ ଦାବିକୁ ଗ୍ରହଣ କରି ପ୍ରଶାସନ ନଭେମ୍ବର ଶେଷ ସୁଦ୍ଧା ଧାନ କ୍ରୟ କରିବା ପାଇଁ ପ୍ରତିଶୃତି ଦେବା ସହିତ ବୈଠକରେ ସର୍ବ ସମ୍ମତି କ୍ରମେ ନିଷ୍ପତ୍ତି ନିଆଯାଇଥିଲା । ହେଲେ ଆଉ ଦିନ କେତେଟା ପରେ ନଭେମ୍ବର ମାସ ସରିବାକୁ ଯାଉଥିବା ବେଳେ ଧାନ କ୍ରୟ କରିବା ପାଇଁ ଜିଲ୍ଲା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ତଥା ଜିଲ୍ଲା ପ୍ରଶାସନ ପକ୍ଷରୁ ଧାନ କ୍ରୟର ପ୍ରାଥମିକ କାର୍ଯ୍ୟ ବି ଶେଷ ହୋଇ ପାରିନାହିଁ ।

ସୁବର୍ଣ୍ଣପୁରରେ ତୁରନ୍ତ ଧାନ କିଣିବାକୁ ଚାଷୀଙ୍କ ଦାବି

ଫଳରେ ଚାଷୀମାନେ ନଭେମ୍ବର ଶେଷରେ ଧାନ ବିକ୍ରି କରିପାରିବେ ନାହିଁ ବୋଲି ଏକ ପ୍ରକାର ନିଶ୍ଚିତ ହେଲେଣି । ଚଳିତ ଖରିଫ ଋତୁରେ ଆଟ, ମାଳ, ବେର୍ଣ୍ଣା ଆଦି ଚାଷଜମିରେ ଚାଷ ହୋଇଥିବା ସଅଳ କିସମ ଧାନ ଚାଷୀମାନେ ଅମଳ କରି ସାରିଲେଣି । ହେଲେ ଧାନକ୍ରୟ ମଣ୍ଡି ଗୁଡିକରେ ଧାନ କ୍ରୟ ପାଇଁ ଆବଶ୍ୟକ ବ୍ୟବସ୍ଥା ବି କରାଯାଇ ନାହିଁ । ଫଳରେ ଜିଲ୍ଲା ପ୍ରଶାସନ ଧାନ କ୍ରୟ ପାଇଁ ଟାଳଟୁଳ ନୀତି ଗ୍ରହଣ କରୁଥିବା ବେଳେ ଆଦୌ ଆନ୍ତରିକତା ନାହିଁ ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି ।

ଚାଷୀ ନେତା ବୈକୁଣ୍ଠ ଶତପଥୀଙ୍କ ନେତୃତ୍ବରେ କୃଷକ ସଂଗଠନ ଗୁଡିକର କାର୍ଯ୍ୟକର୍ତ୍ତାମାନେ ପଞ୍ଚରଥ ମନ୍ଦିର ପ୍ରାଙ୍ଗଣରେ ଆୟୋଜିତ ବୈଠକରେ ଯୋଗଦେଇ ଆଗାମୀ ଦିନର ରଣନୀତି ସମ୍ପର୍କରେ ନିଷ୍ପତ୍ତି ନେଇଛନ୍ତି । ତୁରନ୍ତ ନଭେମ୍ବର ଶେଷ ସୁଦ୍ଧା ଧାନ କ୍ରୟ କରିବା ପାଇଁ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରିବା ସହିତ ଚାଷୀଙ୍କ ଦାବି ପୂରଣ ନହେଲେ ଦୁର୍ବାର ଆନ୍ଦୋଳନ କରିବେ ବୋଲି ଧମକ ଦେଇଛନ୍ତି ।

ଏ ସମ୍ପର୍କରେ ଚାଷୀ ନେତା ବୈକୁଣ୍ଠ ଶତପଥୀ କହିଛନ୍ତି ''ଚାଷୀମାନେ ଧାନ ବିକିବା ଲାଗି ଗତ ଅକ୍ଟୋବର 31 ତାରିଖରେ ଜିଲ୍ଲାପାଳଙ୍କ ସମ୍ମିନୀ କକ୍ଷରେ ଏକ ବୈଠକ ହୋଇଥିଲା । ବୈଠକରେ ନଭେମ୍ବର 30 ତାରିଖ ଦିନ ସୁବର୍ଣ୍ଣପୁର ଜିଲ୍ଲାରେ ଧାନ କିଣା ଆରମ୍ଭ ହେବ ବୋଲି ନିଷ୍ପତ୍ତି ନିଆଯାଇଥିଲା । ହେଲେ ଏହି ନିଷ୍ପତ୍ତିରେ ବ୍ୟତିକ୍ରମ ଦେଖିବାକୁ ମିଳିଛି । ଡିସେମ୍ବର ମାସ 5 ତାରିଖରେ ସୁବର୍ଣ୍ଣପୁର ଜିଲ୍ଲାରେ ଧାନ ବିକ୍ରି ହେବା ନେଇ ଜଣାପଡ଼ିବା ପରେ ଚାଷୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି ।''

ଇଟିଭି ଭାରତ, ସୁବର୍ଣ୍ଣପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.