ସରକାରୀ ଜମି ଉଚ୍ଛେଦରୁ ବାଦ୍‌ ପଡିବେନି ବଡ଼ବଡ଼ିଆ: ସୁବର୍ଣ୍ଣପୁର ଜିଲ୍ଲାପାଳ

author img

By

Published : Oct 30, 2022, 12:14 PM IST

ରିଂ ରୋଡ ପାଇଁ ସରକାରୀ ଜମି ଉଚ୍ଛେଦ, ବଡ଼ବଡ଼ିଆଙ୍କୁ ବି ମିଳିବନି ମାଫ୍

ଜବରଦଖଲ ଉଚ୍ଛେଦରୁ ବାଦ ପଡିବେ ନାହିଁ ବଡବଡିଆ ଲୋକେ । ରିଂ-ରୋଡ ପାଇଁ ଆବଶ୍ୟକ କରୁଥିବା ସରକାରୀ ଜମିକୁ ସୁରକ୍ଷା ଦେବା ପାଇଁ ଆରମ୍ଭ ହୋଇଛି ଉଚ୍ଛେଦ ଅଭିଯାନ । ଅଧିକ ପଢ଼ନ୍ତୁ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ସହରରେ ଚାଲିଛି ଜବରଦଖଲ ଉଚ୍ଛେଦ । ବେଆଇନ ଭାବେ ଗଢ଼ି ଉଠିଥିବା ଘର ଉପରେ ବୁଲଡୋଜର ଚଢ଼ାଇଛି ଜିଲ୍ଲା ପ୍ରଶାସନ । ଏପରିକି ସହରର ରିଂରୋଡ ପାଇଁ ଆବଶ୍ୟକ କରୁଥିବା ସରକାରୀ ଜମିର ସୁରକ୍ଷା ପାଇଁ ଉଚ୍ଛେଦ ଅଭିଯାନ ଆରମ୍ଭ ହୋଇଛି । ତେବେ ଏହି ଜବରଦଖଲ ଉଚ୍ଛେଦରୁ ବାଦ ପଡିବେ ନାହିଁ ବଡବଡିଆ ଲୋକେ । ଏଭଳି ମନ୍ତବ୍ୟ ଦେଇଛନ୍ତି ଜିଲ୍ଲାପାଳ ଅବୋଲୀ ସୁନିଲ ନରୱଣେ ।

ସୂଚନାନୁସାରେ ଗତ ତିନି ଦିନ ହେଲା ସହରର ବିଭିନ୍ନ ଯାଗାରେ ଜବରଦଖଲ ଉଚ୍ଛେଦ ଚାଲିଛି । ରିଂ-ରୋଡ ପାଇଁ ଆବଶ୍ୟକ କରୁଥିବା ସରକାରୀ ଜମି ଜବରଦଖଲ ଉଚ୍ଛେଦ କରିବା ପରେ ଲୁଲୁ ପଡିଆକୁ ସୁରକ୍ଷା ଦେବା ପାଇଁ ଉଚ୍ଛେଦ ଅଭିଯାନ ଜାରି ରହିଛି । ଅନ୍ୟପଟେ ଲୁଲୁ ପଡିଆ ପାର୍ଶ୍ବରେ ଆଜକୁ ତିନି ବର୍ଷ ତଳୁ ଘର କରି ରହୁଥିବା ଗରିବ ପରିବାରର ଘର ଭାଙ୍ଗି ଦିଆଯିବାରୁ ଏବେ ଖୋଲା ଆକାଶ ତଳେ ଏହି ଗରିବ ପରିବାରମାନେ ଜୀବନ ଜୀଉଁଛନ୍ତି ।

ରିଂ ରୋଡ ପାଇଁ ସରକାରୀ ଜମି ଉଚ୍ଛେଦ, ବଡ଼ବଡ଼ିଆଙ୍କୁ ବି ମିଳିବନି ମାଫ୍

ଏହି କ୍ଷତିଗ୍ରସ୍ତ ପରିବାର ଲୋକେ ଥଇଥାନ ଦାବିରେ ଦିନେ ପୂର୍ବରୁ ତହସିଲ କାର୍ଯ୍ୟାଳୟ ଆଗରେ ଆନ୍ଦୋଳନ କରିଥିବାବେଳେ ଶୁକ୍ରବାର ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଜିଲ୍ଲାପାଳ କ୍ଷତିଗ୍ରସ୍ତ ପରିବାର ସହିତ ଆଲୋଚନା କରି ଯୋଗ୍ୟ ପରିବାର ଗୁଡିକୁ ଯାଗା ମିଶନ ଅବା ବସୁନ୍ଧରା ଯୋଜନାରେ ସାମିଲ କରି ଥଇଥାନ କରାଯିବ ବୋଲି କହିଛନ୍ତି । ଏହାସହ କ୍ଷତିଗ୍ରସ୍ତଙ୍କ ଅଭିଯୋଗ କ୍ରମେ କୌଣସି ବି ବଡ ବଡିଆ ଲୋକ ଜବରଦଖଲ ଉଚ୍ଛେଦରୁ ବାଦ ପଡିବେ ନାହିଁ ବୋଲି କହିଛନ୍ତି ।

ଏ ସମ୍ପର୍କରେ ଜିଲ୍ଲାପାଳ ଅବୋଲୀ ସୁନିଲ ନରୱଣେ କହିଛନ୍ତି, ''ସରକାରୀ ଜମିର ସୁରକ୍ଷା ପାଇଁ ଆମେ ଏହି ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରିଛୁ । ତେବେ ଯେଉଁ ମାନେ ସରକାରୀ ବାସଭବନ ପାଇବା ପାଇଁ ଯୋଗ୍ୟ, ଯାହାର ଘରଦ୍ବାର ନାହିଁ ସେହି ମାନଙ୍କୁ ଚିହ୍ନଟ କରାଯାଇ ତାଙ୍କୁ ଘର ଦିଆଯିବ । ଏହାସହ ଯେଉଁମାନେ ଏଠିକାର ବାସିନ୍ଦା ଥିବେ ଆମେ ସେମାନଙ୍କ ସମ୍ପର୍କରେ ସର୍ଭେ କରିବୁ । ଏହାପରେ ତାଙ୍କୁ ଏହି ସୁବିଧା ଦିଆଯିବ । ସେହିପରି ଯେଉଁ ମାନଙ୍କୁ ସରକାରୀ ଜମିରେ ଘର ଦିଆଯାଇଛି ଯଦି ସେମାନଙ୍କ ଘର ଭଙ୍ଗା ଯିବ ତାହାଲେ ତାଙ୍କୁ ତୁରନ୍ତ ଆମେ ସାହାଯ୍ୟ କରିବୁ ।''

ପୌରପରିଷଦ ନିର୍ବାହୀ ଯନ୍ତ୍ରୀଙ୍କ ଉପସ୍ଥିତିରେ ବେଆଇନ ଭାବେ ତିଆରି ହୋଇଥିବା ଘର ଉପରେ ବୁଲଡୋଜର ଚଢ଼ିଥିଲା । ଏଥିରେ ପୌର କର୍ମଚାରୀମାନେ ମଧ୍ୟ ସାମିଲ ହୋଇଥିଲେ । ଏହି ଉଚ୍ଛେଦ ପାଇଁ ଜବରଦଖଲକାରୀଙ୍କୁ ନୋଟିସ ବି ଜାରି କରାଯାଇଥିଲା । ହେଲେ ଜବରଦଖଲକାରୀ ଜମି ନଛାଡ଼ିବାରୁ ପୋଲିସ ସମେତ ପୌର କର୍ମଚାରୀ, ରାଜସ୍ବ କର୍ମଚାରୀଙ୍କ ଉପସ୍ଥିତିରେ ଜବରଦଖଲ ଉଚ୍ଛେଦ କରିଛନ୍ତି ।

ଇଟିଭି ଭାରତ, ସୁବର୍ଣ୍ଣପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.