ମାଆ ସାଜିଲେ ଦ୍ରୋଣାଚାର୍ଯ୍ୟ, ପିଲାଙ୍କୁ ଶିଖାଉଛନ୍ତି ତୀରନ୍ଦାଜି

author img

By

Published : Nov 23, 2022, 3:38 PM IST

mother giving archery training to his child in sambalpur

ଜୀବନର ପ୍ରଥମ ଗୁରୁ ମାଆ । ପ୍ରତିଟି କ୍ଷେତ୍ରରେ ମାଆ ଜଣେ ପିଲାଙ୍କ ପ୍ରଶିକ୍ଷକ ସାଜିଥାନ୍ତି । ଏପରି ଜଣେ ମାଆ ହେଲେ ରୁବି ଦେହୁରୀ । ଯିଏ ନିଜ ସନ୍ତାନ ପାଇଁ ଦ୍ରୋଣାଚାର୍ଯ୍ୟ ସାଜିଛନ୍ତି । ହାତରେ ଧନୁଶର ଧରି ଶିଖାଉଛନ୍ତି ତୀରନ୍ଦାଜି । ଅଧିକ ପଢ଼ନ୍ତୁ

ସମ୍ବଲପୁର: ପିଲାଙ୍କ ପାଇଁ ମାଆ ସାଜିଲେ ଗୁରୁ ଦ୍ରୋଣାଚାର୍ଯ୍ୟ । ହାତରେ ଧନୁଶର ଧରି ଶିଖାଉଛନ୍ତି ତୀରନ୍ଦାଜି । ନିଜ ଅଧୁରା ସ୍ବପ୍ନକୁ ପିଲାଙ୍କ ମାଧ୍ୟମରେ ପୂରଣ କରିବା ପାଇଁ ଆଗେଇ ଆସିଛନ୍ତି ଜଣେ ମାଆ । ନିଜେ ଜଣେ ରାଜ୍ୟ ସ୍ତରୀୟ ତୀରନ୍ଦାଜ ହୋଇଥିବା ବେଳେ ନିଜ ପିଲାଙ୍କୁ ମଧ୍ୟ ଏହାର ପ୍ରଶିକ୍ଷଣ ଦେଉଛନ୍ତି । ଆମେ କହୁଛୁ ସମ୍ବଲପୁର ଯୁଜୁମୁରାର ରୁବି ଦେହୁରୀଙ୍କ କଥା । ଘରର ଚାରିକାନ୍ଥରୁ ବାହାରି ହାତରେ ତୀର ଧରି ପିଲାଙ୍କୁ ଶିଖାଉଛନ୍ତି ତୀରନ୍ଦାଜି।

ମାଆ ସାଜିଲେ ଦ୍ରୋଣାଚାର୍ଯ୍ୟ

ସମ୍ବଲପୁର ଯୁଜୁମୁରାର ବାସିନ୍ଦା ରୁବି ଦେହୁରୀ । ସେ ଗୃହିଣୀ ହେବା ସହ ଜଣେ ରାଜ୍ୟ ସ୍ତରୀୟ ତୀରନ୍ଦାଜ ମଧ୍ୟ । ନିକଟ ଅତୀତରେ ସେ କେତୋଟି ରାଜ୍ୟ ସ୍ତରୀୟ ତୀରନ୍ଦାଜି ପ୍ରତିଯୋଗିତାରେ ଭାଗ ନେଇ ସାରିଛନ୍ତି । ତେବେ ସେ ନିଜ ଛୋଟ ପିଲାଙ୍କୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ତୀରନ୍ଦାଜି ଖେଳିବାର ସ୍ୱପ୍ନ ଦେଖିଛନ୍ତି । ତାଙ୍କରି ଏହି ସ୍ୱପ୍ନ ଆଜି ତାଙ୍କୁ କରିଛି ତାଙ୍କ ପିଲାଙ୍କ ଗୁରୁ ଦ୍ରୋଣାଚାର୍ଯ୍ୟ । ସମ୍ବଲପୁର ଜିଲ୍ଲା ଯୁଜୁମୁରା ହାଇସ୍କୁଲ ନିକଟ ପଡ଼ିଆରେ ସେ ପ୍ରତ୍ୟେକ ଦିନ ଅପରାହ୍ନ 3 ରୁ 5 ଟା ପର୍ଯ୍ୟନ୍ତ ନିଜ ପିଲାଙ୍କୁ ତୀରନ୍ଦାଜିର ତାଲିମ ଦିଅନ୍ତି । ନିଜର ଗୁରୁ ମିତ୍ରଭାନୁ ମହାପାତ୍ରଙ୍କ ଠାରୁ ଯାହା ଶିକ୍ଷା ପାଇଛନ୍ତି ସବୁ କୌଶଳ ଗୋଟି ଗୋଟି କରି ନିଜ ପିଲାଙ୍କୁ ଶିଖାଉଛନ୍ତି ।

ତୀରନ୍ଦାଜିର ଷ୍ଟାଣ୍ଡିଂ ଲାଇନ, ବୋ ହୋଲ୍ଡିଂ ଓ ଆରୋ ରିଲିଜ ପରି ସବୁ କୌଶଳ ଶିଖାଉଛନ୍ତି । ପିଲାମାନେ ମଧ୍ୟ ବହୁ ନିଷ୍ଠାର ସହ ତୀରନ୍ଦାଜି ଶିଖୁଛନ୍ତି । ଏନେଇ ରୁବି କହିଛନ୍ତି, " ନିଜର ଅଧୁରା ସ୍ବପ୍ନକୁ ପିଲାଙ୍କ ମାଧ୍ୟମରେ ପୂରଣ କରିବାର ଆଶା ରଖିଛି । ପିଲାମାନେ ତୀରନ୍ଦାଜିରେ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ଖେଳି ଦେଶ ପାଇଁ ଗୌରବ ଆଣିବେ ସେନେଇ ସ୍ବପ୍ନ ଦେଖିଛି ।" ଏହି କାର୍ଯ୍ୟରେ ସ୍ବାମୀଙ୍କ ସହଯୋଗ ରହିଥିବା ରୁବି କହିଛନ୍ତି । ରୁବି ତିନିମାସ ମାସ ହେବ ଛୋଟ ପିଲାଙ୍କୁ ତୀରନ୍ଦାଜି ତାଲିମ ଦେଉଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: ନକଲି ସାର୍ଟିଫିକେଟ ବିକ୍ରି କରି ବନ୍ଧା ହେଲେ ବୋର୍ଡ କର୍ମଚାରୀ

ତେବେ ନିକଟରେ ସେ ଖପ୍ରାଖୋଲ ଠାରେ ଅନୁଷ୍ଠିତ ହୋଇଥିବା ରାଜ୍ୟ ସ୍ତରୀୟ ତୀରନ୍ଦାଜି ପ୍ରତିଯୋଗିତାରେ ରୁବି ସପ୍ତମ ସ୍ଥାନ ଅଧିକାର କରିଥିବା ବେଳେ ତାଙ୍କର 2 ସନ୍ତାନ ଅର୍ଣ୍ଣବ ଓ ଅନ୍ୱେଶା ପ୍ରଥମ ସ୍ଥାନ ଅଧିକାର କରିଥିଲେ । ଅତି କମ ବୟସରୁ ଜିଲ୍ଲା ପାଇଁ ଗର୍ବ ଆଣିଛନ୍ତି ଦୁଇ ସନ୍ତାନ । ଛୋଟଛୋଟ ପିଲାଙ୍କୁ ତୀରନ୍ଦାଜି ତାଲିମ ଦେଇ ଚର୍ଚ୍ଚାରେ ରହିଥିବା ରୁବିଙ୍କ ଏଭଳି କାର୍ଯ୍ୟ ଅନେକଙ୍କୁ ପ୍ରେରଣା ଦେବ ନିଶ୍ଚୟ ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.