ବିଦ୍ୟାଳୟ କାନ୍ଥ ପଡ଼ି ପଞ୍ଚମ ଶ୍ରେଣୀ ଛାତ୍ରୀ ମୃତ

author img

By

Published : Sep 16, 2022, 6:54 PM IST

rayagada 5th class girl student dead after wall collapsed

ପଦ୍ମପୁର ବ୍ଲକ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ବିଦ୍ୟାଳୟର କାନ୍ଥ ପଡି ଛାତ୍ରୀଜଣକର ମୃତ୍ୟୁ ଘଟିଛି । ଅଧିକ ପଢନ୍ତୁ

ରାୟଗଡା: ଛାତ୍ରଛାତ୍ରୀଙ୍କ ସୁରକ୍ଷା ତଥା ଶିକ୍ଷା କ୍ଷେତ୍ରରେ ସ୍ବଚ୍ଛତା ପାଇଁ 5T ଯୋଜନାରେ ସ୍କୁଲ ରୂପାନ୍ତରିକରଣ କରାଯାଉଥିବାବେଳେ ପଦ୍ମପୁର ବ୍ଲକ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ବିଦ୍ୟାଳୟ କାନ୍ଥ ପଡି ଜଣେ ଛାତ୍ରୀଙ୍କର ମୃତ୍ୟୁ ଘଟିଛି । ଛାତ୍ରୀଜଣଙ୍କ ନାମ ଆହୁତି ଶବର ଓ ସେ ପଞ୍ଚମ ଶ୍ରେଣୀରେ ପଢୁଥିଲେ ବୋଲି ଜଣାପଡିଛି । ସୂଚନା ମୁତାବକ ବିଚିକୋଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପଞ୍ଚମ ଶ୍ରେଣୀ ଛାତ୍ରୀ ଆହୁତି ଶୌଚାଳୟ ଯିବା ସମୟରେ ବିଦ୍ୟାଳୟ ଗେଟ୍‌ କାନ୍ଥଟି ପଡିଯାଇଥିଲା ।

ସଙ୍ଗେ ସଙ୍ଗେ ନିକଟରେ କାମ କରୁଥିବା କିଛି ଶ୍ରମିକ ପିଲାଟିକୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରିଥିଲେ । ଆହତ ଛାତ୍ରୀଙ୍କୁ ପ୍ରଥମେ ପଦ୍ମପୁର ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ପରେ ସ୍ବାସ୍ଥ୍ୟବସ୍ଥା ବିଗିଡିବାରୁ ପଦ୍ମପୁର ଡାକ୍ତର ଗୁଣୁପୁର ସ୍ବାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତରିତ କରିଥିଲେ ।ତେବେ ଗୁଣୁପୁର ଚିକିତ୍ସାଳୟରେ ଡାକ୍ତର ଆହୁତିକୁ ମୃତ ଘୋଷଣା କରିଥିଲେ । ବିଦ୍ୟାଳୟ କତ୍ତୃପକ୍ଷଙ୍କ ଅବହେଳା ପାଇଁ ନିରୀହ ଛାତ୍ରୀଙ୍କ ଜୀବନ ଚାଲିଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ସ୍ଥାନୀୟ ବାସିନ୍ଦାଙ୍କ କହିବା ଅନୁଯାୟୀ, ଠିକାଦାରଙ୍କ ଅସାବଧାନତା ଯୋଗୁଁ ଏହିଭଳି ଘଟଣା ଘଟିଥିବା ଜଣାପଡିଛି । କାରଣ ବିଦ୍ୟାଳୟ କାନ୍ଥଟି ବିନା ପିଲରରେ ହେଇଥିଲା । ଯାହାଫଳରେ ସେହି କାନ୍ଥଟି ଗେଟର ଓଜନ ସମ୍ଭାଳି ନପାରି ପଡିଯାଇଥିଲା । ସେପଟେ ସ୍କୁଲକୁ ଯାଇ ପଦ୍ମପୁର ପୋଲିସ ଏବଂ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଘଟଣାର ପ୍ରାଥମିକ ତଦନ୍ତ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ...ଝିପି ଝିପି ବର୍ଷାରେ ଗଛ ପଡ଼ି ଭାଙ୍ଗିଲା ଘର, ୫ ଆହତ ମେଡିକାଲରେ ଭର୍ତ୍ତି

ଏହି ଅଘଟଣ ପରେ ଛାତ୍ରଛାତ୍ରୀଙ୍କ ପାଇଁ ସରକାରଙ୍କ ମାଳମାଳ ଯୋଜନା ସତ୍ତ୍ବେ ସ୍କୁଲରେ ଛାତ୍ରଛାତ୍ରୀ କେତେ ସୁରକ୍ଷିତ ତାହା ପ୍ରଶ୍ନ ଘେରରେ । ସେହିପରି ନିକଟରେ କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ ଅନ୍ତର୍ଗତ ‌କୋହ୍ଲବେଡ଼ା ଆଶ୍ରମ ସ୍କୁଲର କାନ୍ଥ ଭୁଶୁଡି ୭ ବର୍ଷୀୟା ଛାତ୍ରୀଙ୍କ ମୃତ୍ୟୁ ଘଟିଥିଲା । ମୃତ ଛାତ୍ରୀଙ୍କ ବାପାଙ୍କୁ ୧୦ ଲକ୍ଷ ଟଙ୍କା ପ୍ରଦାନ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ସୂଚନା ଅନୁସାରେ, କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ ଅନ୍ତର୍ଗତ ‌କୋହ୍ଲବେଡ଼ା ଆଶ୍ରମ ସ୍କୁଲର ନବ ନିର୍ମିତ ରୋଷେଇ ଘର କାନ୍ଥ ଭୁଶୁଡି ୨୦୧୩ ଅକ୍ଟୋବର ୩ରେ ରାଇମତି ସୋରେନ ନାମକ ଜଣେ ପ୍ରଥମ ଶ୍ରେଣୀର ଛାତ୍ରୀଙ୍କ ମୃତ୍ୟୁ ହୋଇଥିଲା ।

ପରେ ବିନା ଅନୁମତିରେ ରୋଷେଇ ଘର ତିଆରି କରାଯାଇଥିବା ନେଇ ତଦନ୍ତରେ ଜଣାପଡିଥିଲା । ଏହି ଘଟଣାରେ ମୃତ ଛାତ୍ରୀଙ୍କ ପରିବାରକୁ ୧୦ ହଜାର ଟଙ୍କା ରେଡକ୍ରସ ପାଣ୍ଠିରୁ ପ୍ରଦାନ କରାଯାଇଥିଲା । ଏହାସହ ଜିଲ୍ଲା ପ୍ରଶାସନ ପକ୍ଷରୁ ୫୦ ହଜାର ଟଙ୍କା ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ କରାଯାଇଥିଲା । ଉପଯୁକ୍ତ କ୍ଷତିପୂରଣ ନେଇ ମୃତ ଛାତ୍ରୀଙ୍କ ବାପା ମାଧମ ସୋରେନ ୨୦୧୪ରେ ଆଇନଜୀବୀ ପ୍ରବୀର କୁମାର ଦାସଙ୍କ ଜରିଆରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ।

ଇଟିଭି ଭାରତ, ରାୟଗଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.