ବିପର୍ଯ୍ୟସ୍ତ ରାସ୍ତା: ଗାଁକୁ ଆସିପାରିଲାନି ଆମ୍ବୁଲାନ୍ସ, ଚୌକିରେ ବୁହା ହେଲେ ରୋଗୀ

author img

By

Published : Sep 22, 2022, 1:25 PM IST

ସ୍ୱାସ୍ଥ୍ୟ ସେବାରେ ପ୍ରତିବନ୍ଧକ ପାଲଟିଛି ରାସ୍ତା, ଚୌକିରେ ବୁହା ହେଲେ ‌ରୋଗୀ

ରାୟଗଡ଼ାରେ ସୁଧୁରୁନି ରାସ୍ତା ସମସ୍ୟା । ଗାଁକୁ ପକ୍କା ରାସ୍ତା ନଥିବାରୁ ଚୌକିରେ ବୁହା ହେଲେ ‌ରୋଗୀ । ଅଧିକ ପଢ଼ନ୍ତୁ

ରାୟଗଡ଼ା: ରାୟଗଡ଼ାରେ ସୁଧୁରୁନି ରାସ୍ତା ସମସ୍ୟା । ପ୍ରତିଦିନ ଏଠାରେ ରାସ୍ତା ସମସ୍ୟା ନେଇ ଦୁର୍ଦ୍ଦଶା ଭାେଗୁଛନ୍ତି ଗ୍ରାମବାସୀ । ସବୁଠୁ ଅଧିକା ସମସ୍ୟାର ସମ୍ମୁଖିନ ହେଉଛନ୍ତି ରୋଗୀ । ଏଠାରେ ରାସ୍ତା ସମସ୍ୟାର ସମାଧାନ ନହେବାରୁ କେତେବେଳେ ଖଟିଆରେ ରୋଗୀ ବୁହା ହେଉଛି ତ ଆଉ କେତେବେଳେ କାନ୍ଧରେ ଭାର ସାଜି ଡାକ୍ତରଙ୍କ ପାଖକୁ ଯାଉଛି ରୋଗୀ । ଠିକ୍ ଏଭଳି ଏକ ଦୃଶ୍ୟ ପୁଣି ଦେଖିବାକୁ ମିଳିଛି ରା‌ୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଅଡାଜୋର ପଞ୍ଚାୟତ କୁଲିଆପଦର ଗ୍ରାମରେ ।

ସ୍ୱାସ୍ଥ୍ୟ ସେବାରେ ପ୍ରତିବନ୍ଧକ ପାଲଟିଛି ରାସ୍ତା, ଚୌକିରେ ବୁହା ହେଲେ ‌ରୋଗୀ

ସୂଚନାନୁସାରେ ଏହି ଗ୍ରାମର କୁମାର ମାଝୀଙ୍କ ସ୍ତ୍ରୀ ଚାନାଇ ମାଝୀ ଗୁରୁତର ଭାବେ ଅସୁସ୍ଥ ହୋଇପଡ଼ିଥିଲେ । ଏନେଇ ପରିବାର ଲୋକେ 108 ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ । କିନ୍ତୁ ଗାଁକୁ ରାସ୍ତା ନଥିବାରୁ 3 କିଲୋମିଟର ଦୂରରେ ଆମ୍ବୁଲାନ୍ସଟି ଅଟକି ରହିଥିଲା । ଯାହା ଫଳରେ କୁଲିଆପଦର ଗ୍ରାମରୁ ଚାନାଇ ମାଝୀଙ୍କୁ ଏକ ଚୌକି ସାହାଯ୍ୟରେ ଭାର କରି ଆମ୍ବୁଲାନ୍ସ ଗାଡ଼ି ନିକଟକୁ ବୋହି ନେଇଥିଲେ ପରିବାର ଲୋକେ । ପରେ ତାଙ୍କୁ କାଶୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ।

ଏବେ ତାଙ୍କ ସ୍ଵାସ୍ଥ୍ୟ ଭଲ ଥିବା କହିଛନ୍ତି ଡାକ୍ତର । ହେଲେ ଏହିପରି ଦୃଶ୍ୟ କାଶୀପୁର ବ୍ଲକରେ ବାରମ୍ବାର ଦେଖାଦେଉଛି । କିନ୍ତୁ ସରକାର ଏସମ୍ପର୍କରେ ସବୁ ଜାଣିଶୁଣି ଆଖି ବୁଝି ଚୁପ୍ ରହିଛନ୍ତି । କାଶୀପୁର ବ୍ଲକ ଉପରେ କେବେ ସରକାରଙ୍କ ନଜର ପଡିବ ତାହା ଦେଖିବାକୁ ବାକି ରହିଲା ।

ସୂଚନାନୁସାରେ ଏଠାରେ ରାସ୍ତା ନଥିବାରୁ ଗାଁକୁ ଯିବାପାଇଁ ହେଲେ ବିଲ ହିଡ଼ ହିଁ ଲୋକଙ୍କ ଏକମାତ୍ର ଭରସା । ଫଳରେ ଯାତାୟତରେ ନାହିଁନଥିବା ଅସୁବିଧା ଭୋଗୁଛନ୍ତି ଲୋକେ । କେତେବେଳ ଏହି ଖାଲଖମା ରାସ୍ତାରେ ପଡ଼ି ଆହତ ବି ହେଉଛନ୍ତି । ବର୍ଷା ଦିନ ଆସିଲେ ଏହି ଗ୍ରାମବାସୀ ଜଳବନ୍ଦୀ ଜୀବନ କାଟନ୍ତି । ଗାଁକୁ ରାସ୍ତା ନିର୍ମାଣ ପାଇଁ ବାରମ୍ବାର ଗ୍ରାମବାସୀ ରାଜନେତାଙ୍କ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ନିକଟରେ ଅଭିଯୋଗ କରିଛନ୍ତି । ହେଲେ କେହି କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି ।

ତେବେ ଏଭଳି ଚିତ୍ରକୁ ଦେଖିଲେ ମନେ ହୁଏ ଆଜି ଉପାନ୍ତ ଅଞ୍ଚଳ ପାଇଁ ବାଟବଣା ହୋଇଛି ସରକାରଙ୍କ ବିକାଶ ଗାଡ଼ି । ଯାତାୟତ ପାଇଁ ରାସ୍ତା ଖଣ୍ଡେ ଭଲ ନଥିବାରୁ ଜୀବିକା ମଧ୍ୟ ହରାଉଛନ୍ତି ଏଠିକାର ଲୋକେ । ଖାଲି ସେତିକି ନୁହେଁ ପିଲାଙ୍କ ପାଠପଢ଼ାରେ ମଧ୍ୟ ଏକ ପ୍ରକାର ବ୍ୟାଘାତ ସୃଷ୍ଟି ହୋଇଛି ।

ଇଟିଭି ଭାରତ, ରାୟଗଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.