ରାୟଗଡ଼ାରେ ଅହିଂସା ରଥ, ସ୍ବାଗତ କଲେ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା

author img

By

Published : Sep 18, 2022, 8:05 PM IST

ରାୟଗଡ଼ାରେ ଅହିଂସା ରଥ, ସ୍ବାଗତ କଲେ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା

ରାୟଗଡ଼ା ଜିଲ୍ଲାରେ ଅହିଂସା ବାର୍ତ୍ତା ପ୍ରଚାର କରୁଛି ଅହିଂସା ରଥ । ଦୁଇଟି ଅହିଂସା ରଥକୁ ଜିଲ୍ଲାକୁ ସ୍ବାଗତ କଲେ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା । ବିଭିନ୍ନ ଅଞ୍ଚଳରେ ଅହିଂସା ରଥରେ ସାମିଲ ହେଉଛନ୍ତି ବିଭିନ୍ନ ସରକାରୀ ଅଧିକାରୀ, ବିଧାୟକ, ଜନପ୍ରତିନିଧି ଓ ସାଧାରଣ ଜନତା । ଅଧିକ ପଢ଼ନ୍ତୁ

ରାୟଗଡ଼ା: ଜିଲ୍ଲାରେ ବୁଲି ବୁଲି ଅହିଂସା ବାର୍ତ୍ତା ପ୍ରଚାର କରୁଛି ଅହିଂସା ରଥ । ସାମିଲ ହେଲେ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା । ବିଧାୟକ, ସରକାରୀ ଅଧିକାରୀ ଓ ବିଭିନ୍ନ ଜନପ୍ରତିନିଧି ମଧ୍ୟ ଏହି ଯାତ୍ରାରେ ହେଉଛନ୍ତି ସାମିଲ । ଏନେଇ ରାୟଗଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଇଛି ।

ରାୟଗଡ଼ା ଜିଲ୍ଲାକୁ ଦୁଇଟି ଅହିଂସା ରଥ କୋରାପୁଟ ଦେଇ ଗତକାଲି (ଶନିବାର) ସକାଳେ ରାୟଗଡ଼ା ବ୍ଲକର କୁଟୁଲି ଠାରେ ପ୍ରବେଶ କରିଥିଲା । ଏଥିରେ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ତଥା ଆଇନ ବିଭାଗ ମନ୍ତ୍ରୀ ଜଗନ୍ନାଥ ସାରକା ଯୋଗଦେଇ ଏହି ଅହିଂସା ରଥକୁ ରାୟଗଡ଼ା ଜିଲ୍ଲାକୁ ସ୍ବାଗତ କରିଥିଲେ । ସେହିପରି ଜିଲ୍ଲା ପ୍ରଶାସନ ତରଫରୁ ଅତିରିକ୍ତ ଜିଲ୍ଲାପାଳ ଧର୍ମାନନ୍ଦ ବେହେରା, ଉପଜିଲ୍ଲାପାଳ ଭୀମସେନ ଶବର, ତହସିଲଦାର ତାପସ ରାଉତ, ଜିଲ୍ଲା ମଙ୍ଗଳ ଅଧିକାରୀ ଅଶୋକ କୁମାର ଶତପଥି, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରମେଶ ଚନ୍ଦ୍ର ନାଏକ, ଜିଲ୍ଲା ସଂସ୍କୃତି ଅଧିକାରୀ ସସ୍ମିତା ବାଉରୀ, ଅତିରକ୍ତ ବିଡିଓ କାଳୁଚରଣ ନାୟକ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀକାନ୍ତ ପାଣିଗ୍ରାହୀ ଓ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ରହିଥିଲେ । ଜନସାଧାରଣଙ୍କ ସମେତ ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ଯୋଗଦେଇ ରଥକୁ ସ୍ବାଗତ କରିଥିଲେ ।

ରାୟଗଡ଼ାରେ ଅହିଂସା ରଥ, ସ୍ବାଗତ କଲେ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା

ଏହାପରେ ରାୟଗଡ଼ା ବ୍ଲକର କୁମ୍ଭୀକଟା, ଗୁମା ଓ କେରଡ଼ାରେ ଏହି ଅହିଂସା ରଥକୁ ସ୍ବାଗତ କରାଯାଇଥିଲା । ଏହି ସ୍ଥାନରେ ସ୍ବାଧୀନତା ସଂଗ୍ରାମୀ ଶହୀଦ ଲକ୍ଷ୍ମଣ ନାୟକଙ୍କ ଜୀବନି ଉପରେ ଭିଡ଼ିଓ ପ୍ରଦର୍ଶନ କରାଯାଇଥିଲା । ସେହିପରି ପୌର ପରିଷଦ ତରଫରୁ ରାୟଗଡ଼ା ସହରରେ ଅପରାହ୍ନ ୨.୩୦ ଘଟିକା ସମୟରେ ସ୍ଥାନୀୟ ସହିଦ ଲକ୍ଷ୍ମଣ ନାୟକ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ସେଠାରୁ ଶୋଭାଯାତ୍ରାରେ ସହର ପରିକ୍ରମା କରାଯାଇଥିଲା । ଏଥିରେ ନଗରପାଳ ପି ମାହେଶ ପଟ୍ଟନାୟକ, ଉପନଗରପାଳ ଶୁଭ୍ର ପଣ୍ଡା, ପୌରପରିଷଦର ସଭ୍ୟ, ବିଭିନ୍ନ ସଂଗଠନର କର୍ମକର୍ତ୍ତା, ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ଅଂଶଗ୍ରହଣ କରିଥିଲେ ।

ସେହିପରି ଆଉ ଗୋଟିଏ ରଥ ରାଫକଣା ଦେଇ କାଶୀପୁର ବ୍ଲକ ଅଭିମୁଖେ ବାହାରିଥିଲା । କାଶୀପୁର ବ୍ଲକର ଟିକିରୀ, କାଶୀପୁର, ମଣ୍ଡିବିଶିରୁ ଶିକର ପାଇ, କଲ୍ୟାଣ ସିଂହପୁର ଆଦି ସ୍ଥାନରେ ଏହି ରଥକୁ ସ୍ଵାଗତ କରାଯାଇଥିଲା । ଟିକିରିରେ ଉତ୍କଳ ଆଲୁମିନାର ଲୋକସମ୍ପର୍କ ଅଧିକାରୀ ପିତାମ୍ବର ବେହେରା, ଲୋପମୁଦ୍ରା ପ୍ରିୟଦର୍ଶିନୀ, ତନ୍ମୟ ମହାନ୍ତି ପ୍ରମୁଖଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ଅହିଂସା ରଥକୁ ସ୍ବାଗତ କରିଥିଲେ । କଲ୍ୟାଣ ସିଂହପୁର ବ୍ଲକରେ ବିଡିଓ ତାପସ ଭୋଇଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ରହି ଏହି ରଥକୁ ସ୍ବାଗତ କରିଥିଲେ । ବ୍ଲକର ପ୍ରମୁଖ ସ୍ଥାନରେ ଭିଡ଼ିଓ ମାଧ୍ୟମରେ ସ୍ବାଧୀନତା ସଂଗ୍ରାମରେ ଓଡ଼ିଶାର ଅବଦାନ ଓ ଜାତୀର ଜନକ ମହାତ୍ମା ଗାନ୍ଧୀଙ୍କ ଆଦର୍ଶ ବାର୍ତ୍ତା ନେଇ ଜିଲ୍ଲା ପରିକ୍ରମା କରିଥିଲା ଅହିଂସା ରଥ ।

ସେହିପରି ଆଜି (ରବିବାର) ରାୟଗଡ଼ା ଜିଲ୍ଲାରେ ଦ୍ଵିତୀୟ ଦିନରେ ଅହିଂସା ରଥ ଜିଲ୍ଲାର ବିଭିନ୍ନ ପଞ୍ଚାୟତ ସମିତି ପରିକ୍ରମା କରୁଛି । ଦୁଇଟି ରଥ ସକାଳୁ ଜେକେପୁରରୁ ବାହାରି ଗୋଟିଏ କୋଲନରା ବ୍ଲକର ଥେରୁବାଲି, ବିଷମ କଟକ ବ୍ଲକର କୁମ୍ଭର ଧମୁଣି, ଦୁର୍ଗୀ, ହୋଇ ବିଷମ କଟକ ବ୍ଲକରେ ପହଞ୍ଚିବ । ସେହିଭଳି ଅନ୍ୟଟି କୋଲନରା ବ୍ଲକର ମୁକୁନ୍ଦପୁର, ରୋବଡ଼ି, ରାମନଗୁଡା ବ୍ଲକର ରାମନଗୁଡା, ସ୍ବାଧୀନତା ସଂଗ୍ରାମୀ ବିଶ୍ବନାଥ ପଟ୍ଟନାୟକଙ୍କ ସାଧନ ପୀଠ କୁଜେନ୍ଦ୍ରୀ ହୋଇ ଗୁଣପୁରରେ ରାତ୍ର ଯାପନ କରିବ । ଆସନ୍ତାକଲି ଅର୍ଥାତ ୧୯ ତାରିଖରେ ଗୋଟିଏ ରଥ ଗୁଣପୁର ବ୍ଲକର ପୁଟ।ସିଂ, ଜଳତାର ହୋଇ ଗୁଣପୁର ସହର ପରିକ୍ରମା କରି ପଦ୍ମପୁର ବ୍ଲକ ଓ ଗୁଡରି ଅଭିମୁଖେ ଯାତ୍ରା କରିବ । ଅନ୍ୟଟି ବିଷମ କଟକରୁ ବାହାରି ମୁନିଗୁଡା ବ୍ଲକ ଓ ଚନ୍ଦ୍ରପୁର ବ୍ଳକର ଡାଙ୍ଗସୋରଡା ଯାଇ ମୁନିଗୁଡା ଠାରେ ରାତ୍ର ରହଣି କରିବାର କାର୍ଯ୍ୟକ୍ରମ ରହିଛି ।

ଇଟିଭି ଭାରତ, ରାୟଗଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.