ରାୟଗଡାର ଦୁର୍ଗମ ଅଞ୍ଚଳ ବୁଲି ବିଭିନ୍ନ ସ୍ଥିତିର ସମୀକ୍ଷା କଲେ ଜିଲ୍ଲାପାଳ

author img

By

Published : Sep 6, 2021, 5:28 PM IST

ଦୁର୍ଗମ ଅଞ୍ଚଳ ବୁଲି ବିଭିନ୍ନ ସ୍ଥିତିର ସମୀକ୍ଷା କଲେ ଜିଲ୍ଲାପାଳ

ରାୟଗଡା ଜିଲ୍ଲା ବିଭିନ୍ନ ବ୍ଲକ ସମେତ ପଞ୍ଚାୟତ ଗସ୍ତ କରି ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଛନ୍ତି ଜିଲ୍ଲାପାଳ । ଅଙ୍ଗନବାଡି କେନ୍ଦ୍ରରେ ଛତୁଆ, ଅଣ୍ଡା ବଣ୍ଟନ, ଗାଁ ଗାଁରେ ବିଜୁଳି, ପାନୀୟ ଜଳର ବ୍ୟବସ୍ଥା କରିବା ସହ ଗାଧୁଆଘର ଓ ଶୌଚାଳୟ ବ୍ୟବହାର କରିବାକୁ ଗ୍ରାମବାସୀଙ୍କୁ ପରାମର୍ଶ ଦେଲେ ଜିଲ୍ଲାପାଳ । ଅଧିକ ପଢନ୍ତୁ...

ରାୟଗଡା: ଜିଲ୍ଲାର ବିଭିନ୍ନ ଅଞ୍ଚଳ ବୁଲି ସ୍ଥିତି ପରଖିଲେ ଜିଲ୍ଲାପାଳ । ରାୟଗଡା ଜିଲ୍ଲା ସଦର ବ୍ଲକର ବିଭିନ୍ନ ପଞ୍ଚାୟତ ଗସ୍ତ କରି ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଛନ୍ତି ଜିଲ୍ଲାପାଳ ସରୋଜ କୁମାର ମିଶ୍ର । ପ୍ରଥମେ ଗୁମ୍ମା ଗ୍ରାମପଞ୍ଚାୟତ ଗସ୍ତ କରି ଅଙ୍ଗନବାଡି କେନ୍ଦ୍ରରେ ପହଞ୍ଚିଥିଲେ । ସେଠାରେ ଶିଶୁ ମାନଙ୍କ ନିମନ୍ତେ ଥିବା ଦ୍ରବ୍ୟ ଉପକରଣ ଓ ତାହାର ଉପାଦେୟତା ଉପରେ ଆଲୋଚନା କରିଛନ୍ତି ଜିଲ୍ଲାପାଳ ।

ଦୁର୍ଗମ ଅଞ୍ଚଳ ବୁଲି ବିଭିନ୍ନ ସ୍ଥିତିର ସମୀକ୍ଷା କଲେ ଜିଲ୍ଲାପାଳ

ତେବେ ଅଙ୍ଗନବାଡି କେନ୍ଦ୍ରରେ ଉପସ୍ଥିତ ଥିବା ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟାଙ୍କ ସହିତ ବିଭିନ୍ନ ବିଷୟକୁ ନେଇ ଆଲୋଚନା କରିବା ସହ ବ୍ୟାଙ୍କରୁ ଋଣ ନେଇ ବେପାର ବାଣିଜ୍ୟ କରିବାକୁ ସେ ପରାମର୍ଶ ଦେଇଛନ୍ତି । ସେହିପରି ଅଙ୍ଗନବାଡି କେନ୍ଦ୍ରରେ ଛତୁଆ, ଅଣ୍ଡା ବଣ୍ଟନ ଠିକ ଭାବରେ ହେଉଛି ନାହିଁ ତାହା ମଧ୍ୟ ପଚାରି ବୁଝିଛନ୍ତି ଜିଲ୍ଲାପାଳ ।

ସେଠାରୁ ଗୁମ୍ମା ଠାରେ ଥିବା ଆଇଟିଆଇ କେନ୍ଦ୍ରରେ ପହଁଞ୍ଚି ସ୍ବୟଂ ସହାୟକ ଗୋଷ୍ଠୀକୁ ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ଦେବା ସହ କୋଭିଡ ଟୀକା ନେଇ ନଥିବା ବ୍ୟକ୍ତି ମାନଙ୍କୁ ସଚେତନ କରି ଟୀକାକରଣ କରିବାକୁ ସରପଞ୍ଚ ଓ ଅଙ୍ଗନବାଡି କର୍ମୀଙ୍କୁ ସେ ପରାମର୍ଶ ଦେଇଛନ୍ତି । ଏହାପରେ ଗୁମ୍ମା ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରି ବିଦ୍ୟାଳୟରେ ଥିବା ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷା ବ୍ୟବସ୍ଥା ବିଷୟରେ ସେ ପଚାରି ବୁଝିଛନ୍ତି । ସେପଟେ ଛାତ୍ରଛାତ୍ରୀ ମାନଙ୍କୁ କିପରି ଉତ୍ତମ ଶିକ୍ଷାଦାନ କରାଯାଇପାରିବ ସେନେଇ ଶିକ୍ଷକ, ଶିକ୍ଷୟତ୍ରୀ ମାନଙ୍କୁ ପରାମର୍ଶ ଦେଇଛନ୍ତି ।

ସେପଟେ ଜିଲ୍ଲାପାଳ ଖମ୍ବେସୁ ଗ୍ରାମପଞ୍ଚାୟତ ଗସ୍ତ କରି ସେଠାରେ ସୌରଚାଳିତ ପମ୍ପ ଯୋଗେ ପିଇବା ପାଣି ଯୋଗାଣ ପ୍ରକଳ୍ପର ଅନୁଧ୍ୟାନ କରିଥିବା ବେଳେ ଖମ୍ବେସୁ ଗ୍ରାମର ଛୋଟ ଛୋଟ ପିଲାଙ୍କୁ ଚକୋଲେଟ ବଣ୍ଟନ କରିଥିଲେ । ତେବେ ଗାଁରେ ଶିକ୍ଷିତ ଯୁବକ ଯୁବତୀ ମାନଙ୍କୁ ଦିନଦୟାଲ ଗ୍ରାମୀଣ କୌଶଳ ବିକାଶ ଯୋଜନାରେ ଦକ୍ଷତା ବିକାଶ ତାଲିମ ଦେବା ପାଇଁ ଓଲେମ ଡିପିଏମଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ତା ସହିତ ଗ୍ରାମରେ ବିଦ୍ୟୁତ ସମସ୍ୟା ଥିବା ନେଇ ପୂର୍ବରୁ ଗ୍ରାମବାସୀମାନେ ଅଭିଯୋଗ କରିଥିବା ବେଳେ ଏହାର ତୁରନ୍ତ ସମାଧାନ କରାଯିବା ନେଇ ପ୍ରତିଶୃତି ଦେବା ସହ ଗ୍ରାମରେ ଗାଧୁଆଘର ଓ ଶୌଚାଳୟ ବ୍ୟବହାର କରିବାକୁ ଜିଲ୍ଲାପାଳ ଗ୍ରାମବାସୀଙ୍କୁ ପରାମର୍ଶ ଦେଇଛନ୍ତି ।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.