ଗୁଣିଗାରେଡି ସନ୍ଦେହ; ଗୋଟିଏ ପରିବାରକୁ ଗାଁରୁ ବାସନ୍ଦ, ହତ୍ୟା ଧମକ !

author img

By

Published : Sep 3, 2021, 7:18 PM IST

ଗୁଣିଗାରିଡି ସନ୍ଦେହରେ ଗୋଟିଏ ପରିବାରକୁ ଗାଁରୁ ବାସନ୍ଦ

ରାୟଗଡାରେ ଗୁଣିଗାରେଡି ସନ୍ଦେହରେ ଗୋଟିଏ ପରିବାରକୁ ନିଆଁ ପାଣି ବାସନ୍ଦ ସହ ହତ୍ୟା ଧମକ । ପୋଲିସର ନିଷ୍କ୍ରିୟତା ପରେ ଜିଲ୍ଲା ପ୍ରଶାସନର ଦ୍ବାରସ୍ଥ ହେଲେ ପୀଡିତ । ଅଧିକ ପଢନ୍ତୁ...

ରାୟଗଡା: ଯେତେ ସଚେତନ କାଲେ ମଧ୍ୟ ଗୁଣିଗାରିଡି ଭଳି ଆନ୍ଧବିଶ୍ଵାସ ଆଦିବାସୀ ବହୁଳ ରାୟଗଡା ଜିଲ୍ଲାର ପିଛା ଛାଡୁନହିଁ । ଆଜି ମଧ୍ୟ ଗୁଣିଗାରେଡି ବିଶ୍ବାସରେ ମାନବିକତା ହରାଉଛନ୍ତି ଲୋକେ । ବିଜ୍ଞାନ ବିରଳ ଅସ୍ତ୍ରୋପଚାର କରୁଥିବା ସମୟରେ କେତେକ ଲୋକ ସାମାନ୍ୟ ରୋଗର ଉପସମ ପାଇଁ ଗୁଣି ଗାରେଡି ସାହାରା ନେଉଛନ୍ତି । ଫଳରେ ସଠିକ୍ ଚିକିତ୍ସା ନପାଇ ମୃତ୍ୟୁ ମୁଖରେ ପଡୁଛନ୍ତି ।

ଗୁଣିଗାରିଡି ସନ୍ଦେହରେ ଗୋଟିଏ ପରିବାରକୁ ଗାଁରୁ ବାସନ୍ଦ

ଆଉ କେତେକ ବ୍ୟକ୍ତିଗତ ସମସ୍ୟା ଏବଂ ଶାରୀରିକ ସମସ୍ୟା ପାଇଁ ମଧ୍ୟ ଗୁଣିଗାରେଡିର ସନ୍ଦେହ କରୁଛନ୍ତି । ଏପରିକି ଏହି କଳା ଯାଦୁର ସନ୍ଦେହରେ ଅକଥନୀୟ ଯନ୍ତ୍ରଣା ଦେବା ମଣିଷ ମାରିବାକୁ ମଧ୍ୟ ପଛାଉନାହାନ୍ତି କେତେକ ଲୋକେ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା ଚାନ୍ଦିଲି ଥାନା ଅନ୍ତର୍ଗତ ଜିଞ୍ଜିଲିବାଡି ଗ୍ରାମରେ ।

ଗୁଣିଆ ସନ୍ଦେହରେ ମୂର୍ତ୍ତୀ ହିମିରିକାଙ୍କ ପରିବାରକୁ ନିସ୍ତୁକ ମାଡ ମାରି ନିର୍ଯ୍ୟାତନ ଦେବା ପରେ ଗାଁରୁ ବାସନ୍ଦ କରାଯାଇଥିବା ଅଭିଯୋଗ ହୋଇଛି । ଏମିତିକି ଗ୍ରାମାବାସୀଙ୍କ ମାଡ ଭୟରେ ମୂର୍ତ୍ତୀ ହିମିରିକାଙ୍କ ସାନପୁଅ ଧର୍ମେନ୍ଦ୍ର ଓ ବୋହୁ ନିର୍ମଳା ଅନ୍ୟତ୍ର ଚାଲିଯାଇଛନ୍ତି । ଦୀର୍ଘ ୧୦ ଦିନ ହେବ ଏମାନଙ୍କ ଖୋଜ ଖବର ଜଣାନାହିଁ ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି ।

ସୂଚନା ଅନୁଯାୟୀ ଗତ ୧୬ ତାରିଖରେ ଗ୍ରାମର ସାଙ୍ଗନା ହିମିରିକାଙ୍କ ପୁଅ କାମିଆ ହିମିରିକା (୩୫) କୌଣସି ଏକ ରୋଗରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିଲେ । ସେହିଦିନ ମୃତ କାମିଆଙ୍କ ପରିବାରର ଭେଙ୍କେଟୀ, ମୁଦୁ ଓ ଲାଲା ହିମିରିକା ମୂର୍ତ୍ତୀ ହିମିରିକାଙ୍କ ଘରକୁ ଆସି ଗୁଣି ସନ୍ଦେହରେ ତାଙ୍କ ପରିବାର ଲୋକଙ୍କୁ ସଙ୍ଘବଧ ଆକ୍ରମଣ କରିଥିଲେ । ତେବେ ଏସବୁ ସମସ୍ୟାକୁ ନେଇ ଗାଁର ମୁଖିଆମାନଙ୍କୁ ଡାକି ଗ୍ରାମସଭା ବସିଥିଲେ ହେଁ ସମସ୍ତେ ମୂର୍ତ୍ତୀଙ୍କ ପରିବାରକୁ ଗୁଣିଆର ଆଖ୍ୟା ଦେଇଥିଲେ । ପରବର୍ତ୍ତୀ ସମୟରେ ଗାଁ ଲୋକେ ମୂର୍ତ୍ତୀ ହିମିରିକାଙ୍କ ପରିବାର ସହ କଥାବାର୍ତ୍ତା ବନ୍ଦ କରିଦେବା ସହ ନିଆଁପାଣି ବାସନ୍ଦ କରିଦେଇଥିଲେ ।

ଏସବୁ ସମସ୍ୟା ନେଇ ପରିବାର ଲୋକେ ନ୍ୟାୟ ଭିକ୍ଷା କରି ଚାନ୍ଦିଲି ଥାନାରେ ଏକ ଲିଖିତ ଅଭିଯୋଗ ଦେଇଥିଲେ ହେଁ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲେ । ତେବେ ଚାନ୍ଦିଲି ପୋଲିସ ନିଷ୍କ୍ରିୟତାକୁ ଦେଖି ମୃତ କାମିଆଙ୍କ ପରିବାର ଲୋକେ ପୁଣିଥରେ ମୂର୍ତ୍ତୀ ହିମିରିକାଙ୍କ ଘରେ ପସି ମୂର୍ତ୍ତୀଙ୍କୁ ନିସ୍ତୁକ ମାଡ ମାରିବା ସହ ସାହିମୁଣ୍ଡରେ ଥିବା ଏକ ନଳକୂପରେ ହାତ ବାନ୍ଧି ଅମାନୁସିକ ଭାବେ ଅତ୍ୟାଚାର କରିଥିଲେ । ଏଥିସହ କିରୋସିନି ଢାଳି ପରିବାର ହତ୍ୟା କରିବାକୁ ମଧ୍ୟ ଧମକ ଦେଇଥିଲେ । ପରେ ଜୀବନ ବିକଳରେ ପରିବାରର ୮ ଜଣ ସଦସ୍ୟ ସମ୍ପର୍କୀୟଙ୍କ ଘରେ ଆଶ୍ରୟ ନେଇଥିଲେ ।

ତେବେ ଜିଞ୍ଜିଲିବାଡି ଗ୍ରାମରେ ନିଜ ପୌତୃକ ସମ୍ପତ୍ତି ସହ ଅନ୍ୟାନ୍ୟ ଅତ୍ୟାବଶକ ସମଗ୍ରୀ ରହି ଥିବାବେଳେ ଗାଁ ଲୋକେ ଗାଁରେ ପସିବାକୁ ଦେଉନାହାନ୍ତି ବୋଲି ମୂର୍ତ୍ତୀ ଅଭିଯୋଗ କରିଛନ୍ତି । ଏନେଇ ଆମେ ଜିଞ୍ଜିଲିବାଡି ଗ୍ରାମବାସୀଙ୍କୁ ପଚାରିବାରୁ ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି । ପରେ ଏନେଇ ମୂର୍ତ୍ତିଙ୍କ ପରିବାର ଲୋକେ ଜିଲ୍ଲାପାଳଙ୍କୁ ନିବେଦନ କରିଛନ୍ତି । ଜିଲ୍ଲା ପ୍ରଶାସନ ସେମାନଙ୍କୁ ବଞ୍ଚିବାର ଅଧିକାର ନଦେଲେ ଆଗାମୀ ଦିନରେ ଆମେ ନିରୁପାୟ ହୋଇ ସମୂହ ଆତ୍ମାହୂତି ଦେବୁ ବୋଲି କହିଛନ୍ତି । ଅନ୍ୟପଟେ ଏପରି ଏକ ସମ୍ବେଦନଶୀଳ ଘଟଣାକୁ ଗୁରୁତ୍ଵର ସହ ନିଆଯାଇଛି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନ ।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.