ଟ୍ରେନରେ ନିଶା ଦିଆ ଲୁଟେରାଙ୍କ ଆତଙ୍କ, ଲୁଟ୍ର ଶିକାର ହେଲେ ଦମ୍ପତି

ଟ୍ରେନରେ ନିଶା ଦିଆ ଲୁଟେରାଙ୍କ ଆତଙ୍କ, ଲୁଟ୍ର ଶିକାର ହେଲେ ଦମ୍ପତି
ପୁଣି ପୁରୀ ଷ୍ଟେସନ୍ ଦମ୍ପତିଙ୍କୁ ଲୁଟ୍ ଘଟଣା । ନିଶା ଦେଇ ଲୁଟି ନେଲେ ଲୁଟେରା । ଚିକିତ୍ସା ପାଇଁ ଦମ୍ପତ୍ତି ଙ୍କୁ କଟକ ସ୍ଥାନାନ୍ତର । ଅଧିକ ପଢ଼ନ୍ତୁ
ପୁରୀ: ପୁରୀ ଷ୍ଟେସନ୍ରେ ଥମୁନି ନିଶା ଦିଆ ଲୁଟେରାଙ୍କ ଆତଙ୍କ । ପୁରୁଷୋତ୍ତମ ଏକ୍ସପ୍ରେସରେ ଦମ୍ପତିଙ୍କୁ ନିଶା ଦେଇ ହୋଇଛି ଲୁଟ । ଯାତ୍ରୀ ଓ ପର୍ଯ୍ୟଟକଙ୍କୁ ନିଶା ଦେଇ ବା ମାରଣାସ୍ତ୍ର ଦେଖାଇ ଲୁଟ କରୁଛନ୍ତି ଲୁଟେରା । RPF ଓ GRPକୁ ଖୁଲମଖୁଲା ଚକମା ଦେଇ ଯାତ୍ରୀଙ୍କଠାରୁ କରୁଛନ୍ତି ଲୁଟ । ଏଭଳି ଭାବରେ ପୁଣି ନିଶା ଦିଆ ଲୁଟେରାଙ୍କ ଟାର୍ଗେଟ ହୋଇ ଲୁଟ୍ର ଶିକାର ହୋଇଛନ୍ତି ଜଣେ ଦମ୍ପତି । ଟ୍ରେନ୍ ଭିତରେ ନିଶା ଦେଇ ଦମ୍ପତିଙ୍କୁ ଲୁଟ୍ କରାଯାଇଛି । ଦମ୍ପତି ଦିଲ୍ଲୀରୁ କଟକ ଆସୁଥିବା ବେଳେ ଲୁଟ୍ ହୋଇ ଥିବା ଜଣାପଡିଛି ।
ଲୁଟ୍ର ଶିକାର ହୋଇଥିବା ଦମ୍ପତି ହେଉଛନ୍ତି ଜଗତସିଂହପୁର ଜନାର୍ଦ୍ଦନପୁରର କୁନି ମଲ୍ଲ ଓ ହେମନ୍ତ ମଲ୍ଲ । ଗୁରୁତର ଅବସ୍ଥାରେ ସେମାନଙ୍କୁ ଚିକିତ୍ସା ପାଇଁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ପରେ ଅଧିକ ଚିକିତ୍ସା ପାଇଁ କଟକ ସ୍ଥାନାନ୍ତର କରାଯାଇଛି । RPF ଓ GRP ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି । ତେବେ ପୁରୀ ରେଳ ଷ୍ଟେସନରେ ଓ ପୁରୀକୁ ଆସୁଥିବା ଟ୍ରେନ୍ଗୁଡିକରେ ଯାତ୍ରୀ ଓ ପର୍ଯ୍ୟଟକଙ୍କଠାରୁ ନିଶା ଦେଇ, ମାରଣାସ୍ତ୍ର ଦେଖାଇ ଲୁଟ୍ ବଢ଼ୁଥବା ବେଳେ RPF ଓ GRP ପୋଲିସ୍ ଯାତ୍ରୀଙ୍କୁ ସୁରକ୍ଷା ଦେବାରେ ବିଫଳ ହେବା ସାଧାରଣରେ ଅସନ୍ତୋଷ ସୃଷ୍ଟି ହୋଇଛି ।
ଗତ ଡ଼ିସେମ୍ବର 21ରେ ପଇଡ ଭିତରେ ନିଶା ମିଶାଇ ଟ୍ରେନ୍ ଯାତ୍ରୀଙ୍କୁ ଲୁଟ କରୁଥିବା ଆନ୍ତଃ ରାଜ୍ୟ ଲୁଟେରା ଗ୍ୟାଙ୍ଗକୁ ଗିରଫ କରିବାରେ ସଫଳ ହୋଇଥିଲା ପୁରୀ RPF ଓ GRP । ୪ଜଣ ଲୁଟେରାକୁ ଗିରଫ କରାଯାଇଥିବା ବେଳେ ସେମାନଙ୍କ ଠାରୁ ୩ଟି ସୁନା ଚେନ୍, ପାଞ୍ଚୋଟି ସୁନା ମୁଦି, ଗୋଟିଏ ମଙ୍ଗଳସୂତ୍ର, ୮ଟି ଦାମି ମୋବାଇଲ୍, ନଗଦ ୩୯୩୫୦ ଟଙ୍କା ସମେତ ନିଶା ବଟିକା ଓ କଇଁଚି ଜବତ କରିଥିଲା ପୋଲିସ । ଏସବୁର ମୂଲ୍ୟ ପାଖାପାଖି ୫ ଲକ୍ଷ ଟଙ୍କା ହେବ ବୋଲି କହିଥିଲା RPF।
ଗିରଫ ଅଭିଯୁକ୍ତ ଝାଡ଼ଖଣ୍ଡର ଧ୍ରୁଗୁଜ ମଣ୍ଡଳ, ଅଶୋକ ମଣ୍ଡଳ, ସୁଶୀଲ ମଣ୍ଡଳ ଓ ବିନୋଦ ପୋଦାର । ଏହି ୪ଲୁଟେରା ଏକ ଗ୍ୟାଙ୍ଗ କରି ବିଭିନ୍ନ ରାଜ୍ୟ ସମେତ ଝାଡ଼ଖଣ୍ଡ ଓ ଓଡ଼ିଶାରୁ ବିଭିନ୍ନ ଯାତ୍ରୀଙ୍କ ଠାରୁ ଲୁଟ୍ କରୁଥିଲେ। ଗତ ନଭେମ୍ବର ୩୦ରେ ପୁରୀ-ଗୁଣୁପୁର ଏକ୍ସପ୍ରେସରେ କେ. ସୁବାସ ଚନ୍ଦ୍ର ଆଚାରୀ ପରିବାର ସଦସ୍ୟଙ୍କ ସହ ପୁରୀରୁ ବ୍ରହ୍ମପୁର ଯାଉଥିଲେ । ତେବେ ସାକ୍ଷୀଗୋପାଳରେ ଅଭିଯୁକ୍ତମାନେ ଆଚାରୀ ପରିବାର ସହ ବନ୍ଧୁତା ସ୍ଥାପନ କରି ସେମାନଙ୍କୁ ପଇଡରେ ନିଶା ଦ୍ରବ୍ୟ ମିଶାଇ ପିଇବା ପାଇଁ ଦେଇଥିଲେ।
ଏହି ପଇଡ ପିଇବାର କିଛି ସମୟ ପରେ ଆଚାରୀ ପରିବାର ବେହୋସ୍ ହୋଇଯାଇଥିଲେ । ପରେ ଲୁଟେରାମାନେ ସେମାନଙ୍କଠାରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ଓ ନଗଦ ଟଙ୍କା ଲୁଟି ନେଇଥିଲେ । ଆଚାରୀ ପରିବାର ବେହୋସ୍ ଅବସ୍ଥାରେ ଥିବାବେଳେ RPF ଏବଂ GRP କର୍ମଚାରୀ ସେମାନଙ୍କୁ ବ୍ରହ୍ମପୁରରୁ ଉଦ୍ଧାର କରି ଚିକିତ୍ସା ପାଇଁ ପଠାଇଥିଲେ। ଏନେଇ ପୁରୀ GRP ଏକ ମାମଲା ରୁଜୁ କରି ତଦନ୍ତ କରି ଲୁଟେରାଙ୍କୁ ଗିରଫ କରିଥିଲା RPF ଓ GRP । ତେବେ ଯାତ୍ରୀମାନେ ଅଜଣା ଲୋକଙ୍କଠାରୁ କୌଣସି ଖାଦ୍ୟ ପେୟ ଗ୍ରହଣ ନକରିବାକୁ RPF ଓ GRP ପୋଲିସ୍ କେବଳ ପ୍ରଚାର କରି ଚୁପ୍ ବସିବା ଯାତ୍ରୀ ଓ ପର୍ଯ୍ୟଟକ ମହଲାରେ ଅସନ୍ତୋଷ ସୃଷ୍ଟି କରିଛି ।
ଇଟିଭି ଭାରତ,ପୁରୀ
