ପୁରୀ: ଜଗାକୁ ଦର୍ଶନ ପାଇଁ ଆଉ ଲାଗିବନି ଡେରି । ବିନା ଗହଳିରେ ଜଗା ଦର୍ଶନ କରିବେ ଭକ୍ତ । ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ତିଆର ଚାଲିଛି ସ୍ବତନ୍ତ୍ର ରାସ୍ତା । ଶ୍ରୀମନ୍ଦିରକୁ ଭକ୍ତଙ୍କ ଯାତାୟତକୁ ଅଧିକ ସୁଗମ କରିବା ପାଇଁ ଜଗନ୍ନାଥ ବଲ୍ଲଭ ପାର୍କିଂରୁ ଚୁଡଙ୍ଗ ସାହି ଦେଇ ଶ୍ରୀମନ୍ଦିର ଦୋଳବେଦୀ କୋଣ ଯାଏଁ ଏକ ନୂଆ ରାସ୍ତା ନିର୍ମାଣ ଆରମ୍ଭ ହୋଇଛି । 5ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କ ସମୀକ୍ଷା ପରେ ଏନେଇ ପ୍ରକ୍ରିୟା କାମ ତୀବ୍ର କରିଛି ପ୍ରଶାସନ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସହିତ ଏହି ଗ୍ରୀନ କରିଡର ରାସ୍ତାର ମଧ୍ୟ ଲୋକାର୍ପଣ ହୋଇପାରେ । ଆସନ୍ତା ଜାନୁୟାରୀ ୧୭ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହ ସ୍ବତନ୍ତ୍ର ଗ୍ରୀନ କରିଡର ବି ଭକ୍ତଙ୍କ ପାଇଁ ଲୋକାର୍ପିତ ହୋଇପାରେ ।
ଶ୍ରୀଜିଉଙ୍କ ଦର୍ଶନ ପାଇଁ ଆଉ ବଡଦାଣ୍ଡରେ ଲାଗିବନି ଭକ୍ତଙ୍କ ଭିଡ । ଆଗକୁ ସୁବିଧାରେ ଶ୍ରୀମନ୍ଦିରକୁ ପ୍ରବେଶ କରି ମହାବାହୁଙ୍କ ଆଶିଷ ନେଇପାରିବେ ଶ୍ରଦ୍ଧାଳୁ । କାରଣ ଭକ୍ତଙ୍କ ଯାତାୟତକୁ ଅଧିକ ସୁଗମ କରିବା ପାଇଁ ଜଗନ୍ନାଥ ବଲ୍ଲଭ ପାର୍କିଂରୁ ଚୁଡଙ୍ଗ ସାହି ଦେଇ ଶ୍ରୀମନ୍ଦିର ଦୋଳବେଦୀ କୋଣ ଯାଏଁ ଏକ ନୂଆ ରାସ୍ତା ନିର୍ମାଣ ଆରମ୍ଭ ହୋଇଛି । ଯାହା ଗ୍ରୀନ କରିଡର ଭାବେ ଭକ୍ତଙ୍କ ପାଇଁ କାମ କରିବ । ଏହି ରାସ୍ତା ନିର୍ମାଣ ହେଲେ ପୁରୀ ସହର ଭିତରେ ଭିଡ ହ୍ରାସ ପାଇବ । କାରଣ ଶ୍ରୀସେତୁ ଦେଇ ଭକ୍ତମାନେ ଜଗନ୍ନାଥ ବଲ୍ଲଭ ପାର୍କିଂରେ ପହଞ୍ଚିବା ପରେ, ସେଠାରୁ ଗ୍ରୀନ କରିଡର ଯୋଗେ ସିଧା ଦୋଳବେଦୀ ଦେଇ ସିଂହଦ୍ବାରରେ ପହଞ୍ଚିବେ । ଏହା ହେଲେ ବଡଦାଣ୍ଡରେ ଭିଡ ହ୍ରାସ ପାଇବା ସହ ପୁରୀ ସହରର ଟ୍ରାଫିକ ପରିଚାଳନା ଶୃଙ୍ଖଳିତ ହେବ ବୋଲି ଜିଲ୍ଲା ପ୍ରଶାସନ ଆଶା ରଖିଛି । ପ୍ରଶାସନର ଏହି ନିଷ୍ପତିକୁ ସ୍ବାଗତ କରିଛନ୍ତି ମଠ ମହନ୍ତ ଓ ବିଜେଡି ନେତା ।
ଅଧିକ ପଢନ୍ତୁ- Srimandir Parikrama Project: ଜାନୁଆରୀ 17ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ
ବଡ଼ଦାଣ୍ଡରେ ଦିନକୁ ଦିନ ଟ୍ରାଫିକ ସମସ୍ୟା ଜଟିଳ ରୂପ ନେବାରେ ଲାଗିଛି । ଫଳରେ ଭକ୍ତଙ୍କ ଠାରୁ ଆରମ୍ଭ କରି ପୁରୀ ବାସିନ୍ଦା ବଡ଼ଦାଣ୍ଡରେ ଅସମ୍ଭବ ଭିଡ଼ ଯୋଗୁ ଯାତାୟତ ନେଇ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି । ଏଣୁ ବଡ଼ଦାଣ୍ଡରେ ସୃଷ୍ଟି ହେଉଥିବା ଟ୍ରାଫିକ ସମସ୍ୟାର ସମାଧାନ ପାଇଁ ଜଗନ୍ନାଥ ବଲ୍ଲଭ ପାର୍କିଂ ଠାରୁ ଦୋଳବେଦୀ କୋଣ ଯାଏଁ ଏକ ନୂଆ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ଶ୍ରୀସେତୁ ଦେଇ ଭକ୍ତମାନେ ଜଗନ୍ନାଥ ବଲ୍ଲଭ ପାର୍କିଂରେ ପହଞ୍ଚିବା ପରେ ଏହି ସ୍ବତନ୍ତ୍ର ରାସ୍ତା ଦେଇ ଶ୍ରୀମନ୍ଦିର ନିକଟ ଦୋଳବେଦୀ ଠାରେ ପହଞ୍ଚିବେ । ସେଠାରେ ଭକ୍ତଙ୍କ ପାଇଁ ବିଶ୍ରାମ ଗୃହ, ଜିନିଷ ପତ୍ର ରଖିବା ପାଇଁ କ୍ଲକ ରୁମ୍, ଶୌଚାଳୟ ଆଦି ବ୍ୟବସ୍ଥା କରାଯାଇଛି। ସେହିପରି ଜଗନ୍ନାଥ ବଲ୍ଲଭ ପାର୍କିଂ ଠାରୁ ଦୋଳବେଦୀ କୋଣ ଯାଏଁ ଏହି ରାସ୍ତାରେ ଭକ୍ତଙ୍କ ଯାତାୟତ ପାଇଁ ବ୍ୟାଟେରୀ ଚାଳିତ ଯାନର ମଧ୍ୟ ବ୍ୟବସ୍ଥା ହେବ । ଏହି ରାସ୍ତାକୁ ଶ୍ରୀଦାଣ୍ଡ ନାମରେ ନାମିତ କରିବା ପାଇଁ ପ୍ରଶାସନିକ ସ୍ତରରେ ଆଲୋଚନା ଚାଲିଛି ।
ଅଧିକ ପଢନ୍ତୁ- VK Pandian Visits Puri: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟର ଅନୁଧ୍ୟାନ କଲେ 5ଟି ଅଧ୍ୟକ୍ଷ
ଶ୍ରୀଜଗନ୍ନାଥ ବଲ୍ଲଭ ତୀର୍ଥଯାତ୍ରୀ କେନ୍ଦ୍ର ଠାରୁ ଦୋଳବେଦୀ କୋଣ ପର୍ଯ୍ୟନ୍ତ ପ୍ରାୟ ୯ଶହ ମିଟର ରାସ୍ତା ଫିଟିବ। ରାସ୍ତାର ଚଉଡ଼ା ପ୍ରାୟ ୪୦ ଫୁଟ ରହିବ। ରାସ୍ତାର ଉଭୟ ପାର୍ଶ୍ଵରେ ୫ଫୁଟର ଫୁଟପାଥ ସହ ଟ୍ରାଫିକ କଣ୍ଟ୍ରୋଲ ପାଇଁ ସେଡ ରହିବ। ଏହି ପ୍ରକଳ୍ପ କାର୍ଯ୍ୟ କିଭଳି ଶୀଘ୍ର ଶେଷ ହେବ ସେନେଇ ପ୍ରଶାସନ ପକ୍ଷରୁ ଜୋରସୋରରେ କାର୍ଯ୍ୟ ଆରମ୍ଭ ହୋଇଥିବା ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି।
ଇଟିଭି ଭାରତ, ପୁରୀ