ଶ୍ରୀମନ୍ଦିର ସେବାୟତ ସମ୍ପ୍ରଦାୟର ବିଶେଷ ପର୍ବ ନେତ ପିଲା

author img

By

Published : Oct 2, 2022, 5:14 PM IST

ନେତପିଲା ପୂଜା, ଶିବଙ୍କ ଭଳି ବରପ୍ରାପ୍ତି ଉଦ୍ଦେଶ୍ୟରେ କରିଥାନ୍ତି ପୂଜା

ପୁରୀ ସେବାୟତ ସମ୍ପ୍ରଦାୟର ନେତପିଲା ହେଉଛି ଏକ ବିଶେଷ ପର୍ବ । ଶାରଦୀୟ ପୂଜା ଅବସରରେ ସେବାୟତ କୂଳର କୁମାରୀ କନ୍ୟାମାନେ ପାରମ୍ପରିକ ବେଶ ଓ ବିଭିନ୍ନ ଅଳଙ୍କାର ପରିଧାନ କରି ପୂଜାର୍ଚ୍ଚନା କରିଥାନ୍ତି । ବାପା ମାଆଙ୍କ ଆୟୁଷ ବୃଦ୍ଧି ସହ ଉତ୍ତମ ବର ପ୍ରାପ୍ତି ପାଇଁ ହରପାର୍ବତୀଙ୍କ ବ୍ରତ ପାଳନ ସହିତ ନିଜ ସମ୍ପର୍କିୟ ଓ ବନ୍ଧୁବାନ୍ଧବଙ୍କ ଘରକୁ ବୁଲିଯିବାର ବିଧି ରହିଛି । ଅଧିକ ପଢନ୍ତୁ

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ନେଇ ଶ୍ରୀକ୍ଷେତ୍ରର ସଂସ୍କୃତି ଓ ପରମ୍ପରା । ପୁରୀ ସେବାୟତ ସମ୍ପ୍ରଦାୟର ନେତପିଲା ହେଉଛି ଏକ ବିଶେଷ ପର୍ବ। ଶହ ଶହ ବର୍ଷର ପୁରୁଣା ଏହି ପର୍ବ। 'ନେତପିଲା' ପରମ୍ପରା ଅନୁଯାୟୀ ଶ୍ରୀମନ୍ଦିରର ପ୍ରତିଟି ସେବାୟତ ପରିବାରରେ ଏହା ପାଳନ ହୋଇ ଆସୁଛି । ଶାରଦୀୟ ଦୁର୍ଗା ପୂଜା ଅବସରରେ ସେବାୟତ କୂଳର କୁମାରୀ କନ୍ୟାମାନେ ପାରମ୍ପରିକ ବେଶ ଓ ଅଳଙ୍କାରରେ ଭୂଷିତ ହୋଇ ପୂଜାର୍ଚ୍ଚନା କରିଥାନ୍ତି । ପୁରୀର ସେବାୟତ କୂଳର 3 ବର୍ଷରୁ 9 ବର୍ଷ ନାବାଳିକା କରିଥାନ୍ତି ଏହି ପୂଜା । କିମ୍ବଦନ୍ତୀ ଅନୁଯାୟୀ, ମା' ପାର୍ବତୀ ଶିବଙ୍କୁ ପତି ରୂପେ ପାଇବା ଉଦ୍ଦେଶ୍ୟରେ ଏହି ପୂଜା କରିଥିଲେ । ସେଥିପାଇଁ ଶିବଙ୍କ ଭଳି ବର ପ୍ରାପ୍ତି ଉଦ୍ଦେଶ୍ୟରେ ସେବାୟତ କୂଳର କନ୍ୟାମାନେ ହରପାର୍ବତୀଙ୍କୁ ଏହି ପୂଜା କରିଥାନ୍ତି ।

ନେତପିଲା ପୂଜା, ଶିବଙ୍କ ଭଳି ବରପ୍ରାପ୍ତି ଉଦ୍ଦେଶ୍ୟରେ କରିଥାନ୍ତି ପୂଜା

ଆଶ୍ବିନ ମାସର ପଞ୍ଚମୀ, ଷଷ୍ଠୀ ଓ ସପ୍ତମୀ ତିଥିରେ ଏହି ପର୍ବକୁ ପାଳନ କରାଯାଏ । ହରପାର୍ବତୀଙ୍କୁ ସନ୍ତୁଷ୍ଟ କରିବା ପାଇଁ ନେତପିଲାମାନେ ୨୧ଦିନ ଧରି ବଳି ପୂଜା କରିଥାନ୍ତି । ଏହି ପୂଜାର ଶେଷ ୪ଦିନ ପାରମ୍ପରିକ ବେଶ ସହ ବିଭିନ୍ନ ଅଳଙ୍କାରରେ ନିଜକୁ ସଜାଇଥାନ୍ତି ଏହି ନେତପିଲାମାନେ । ଏହାପରେ ମାର୍କଣ୍ତ ପୁଷ୍କରଣୀ ଠାରେ ଏହି ପୂଜାର୍ଚ୍ଚନା କରାଯାଇଥାଏ । ପୁଷ୍କରିଣୀ କୁଳରେ ବସି ବଡ଼ ନିଷ୍ଠାର ସହିତ ପୂଜାର୍ଚ୍ଚନା କରିଥାନ୍ତି ଏହି ନେତପିଲା । ବଳିଦାନ ଗୀତ ଗାନ କରିବା ସହ ଭିନ୍ନ ପ୍ରକାର ଫଳ, ପାଣିକଖାରୁ, ଜହ୍ନି, ପରିବା ଓ ଗୁଆ ଆଦି ଅର୍ପଣ କରି ପୂଜା କରଥାନ୍ତି । କନ୍ୟାମାନେ ସେହିଭଳି ପାରମ୍ପରିକ ବେଶଭୂଷା ସହ ସେମାନଙ୍କ ସମ୍ପର୍କୀୟ ଓ ବନ୍ଧୁ ବାନ୍ଧବଙ୍କ ଘରକୁ ବୁଲି ଯିବାର ମଧ୍ୟ ବିଧି ରହିଛି ।

ଏହି ପର୍ବ ଅବସରରେ ସେବାୟତ ମାନଙ୍କ ଘର ଗୁଡ଼ିକ ଉତ୍ସବ ମୁଖର ହୋଇ ଉଠିଥାଏ । ଉତ୍ତମ ବରପ୍ରାପ୍ତି ପାଇଁ ଏହି ସେବାୟତକୂଳର କିଶୋରୀ କନ୍ୟାମାନଙ୍କୁ ବିଭିନ୍ନ ପ୍ରକାର ସ୍ବର୍ଣ୍ଣ ଅଳଙ୍କାରରେ ପରିବାର ଲୋକେ ବେଶ୍ ସୁନ୍ଦର ଭାବେ ଆଭୂଷଣ କରିଥାନ୍ତି । ଗୋଡରେ ପାହାଜେମା, ଗୋଡଖଡୁ, ପାହୁଡ, କଣ୍ଟା ପାହୁଡ, ବାଙ୍କି ସହ ହାତରେ କଣ୍ଠି ପୋହଳା, ବଟଫଳ, ମଟରଖଡୁ, ଚାଇଁ ଝୁଡୁକି ଏବଂ ମୁଣ୍ଡରେ ଅଳକା, କେତକିରଖା, ରାଗିଣୀଚନ୍ଦ୍ର, ବେଣିସଜ, କୃଷ୍ଣଚୂଳ, ବାଜିବିନ୍ଧ, ସୁନା ରସୁଣ, ଅଣ୍ଟାମାଳ ଓ ରତ୍ନ ମାଳି ଭଳି ବିଭିନ୍ନ ପ୍ରକାର ସ୍ବର୍ଣ୍ଣ ଅଳଙ୍କାରରେ ଆଭୂଷଣ ହୋଇଥାନ୍ତି ଏହି ନେତପିଲା ।

ବାର ମାସରେ ତେର ପର୍ବ ପାଳିଥାନ୍ତି ଓଡିଆ । ସେହି ପର୍ବ ମଧ୍ୟରୁ ଶ୍ରୀମନ୍ଦିରର ସେବାୟତ ପରିବାରରେ ନେତପିଲା ପର୍ବ ଅନ୍ୟତମ । ମା' ପାର୍ବତୀ ଶିବଙ୍କୁ ପାଇବା ଉଦ୍ଦେଶ୍ୟରେ ଏହି ପୂଜା କରିବାର କିମ୍ୱଦନ୍ତି ରହିଥିବାରୁ, ଏହାକୁ ଅନୁସରଣ କରି ଶିବଙ୍କ ଭଳି ସ୍ବାମୀ ପାଇବା ଉଦ୍ଦେଶ୍ୟରେ ଓ ନିଜ ପରିବାରର ଶୁଭ ମନାସି ନେତପିଲା ଏହି ପର୍ବ ପାଳନ କରିଥାନ୍ତି ବୋଲି ବିଶ୍ବାସ ରହିଛି । କାହିଁ କେଉଁ କାଳରୁ ଶ୍ରୀକ୍ଷେତ୍ରରେ ସେବାୟତ କୂଳର ଏଭଳି ନିଆରା ପରମ୍ପରା ପାଳିତ ହୋଇ ଆସୁଛି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.