ଶେଷ ପର୍ଯ୍ୟାୟରେ ଶ୍ରୀଗୁଣ୍ଡିଚା ମନ୍ଦିର ମରମତି କାର୍ଯ୍ୟ, ସିସି କ୍ୟାମେରାରେ ନଜରରେ ସୁରକ୍ଷା ବ୍ୟବସ୍ଥା
Published: May 24, 2023, 9:23 PM

ଶେଷ ପର୍ଯ୍ୟାୟରେ ଶ୍ରୀଗୁଣ୍ଡିଚା ମନ୍ଦିର ମରମତି କାର୍ଯ୍ୟ, ସିସି କ୍ୟାମେରାରେ ନଜରରେ ସୁରକ୍ଷା ବ୍ୟବସ୍ଥା
Published: May 24, 2023, 9:23 PM
ବିଶ୍ଵପ୍ରସିଦ୍ଧ ରଥଯାତ୍ରାକୁ ନେଇ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ଶେଷ ପର୍ଯ୍ୟାୟରେ ଶ୍ରୀଗୁଣ୍ଡିଚା ମନ୍ଦିରର ବିଭିନ୍ନ ମରାମତି କାର୍ଯ୍ୟ । ଆସନ୍ତା ଜୁନ୍ 15 ତାରିଖ ସୁଦ୍ଧା ଶେଷ କରିବା ପାଇଁ ସମୟ ଧାର୍ଯ୍ୟ । ଅଧିକ ପଢ଼ନ୍ତୁ
ପୁରୀ: ପାଖେଇ ଆସୁଛି ବିଶ୍ଵପ୍ରସିଦ୍ଧ ରଥଯାତ୍ରା । ଆସନ୍ତା ଜୁନ୍ 15 ତାରିଖ ସୁଦ୍ଧା ଶ୍ରୀଗୁଣ୍ଡିଚା ମନ୍ଦିରର ବିଭିନ୍ନ ମରାମତି କାର୍ଯ୍ୟ ଶେଷ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଧାର୍ଯ୍ୟ କରାଯାଇଛି । ବିଶେଷ କରି ମହାପ୍ରଭୁଙ୍କ ପହଣ୍ଡି ବାଟକୁ ମରାମତି କରାଯାଉଛି । ପହଣ୍ଡି ବାଟରେ ଲାଗିଥିବା ପୁରୁଣା ଖାଣ୍ଡେଲାଇଟ୍ ପଥର ସବୁକୁ ବଦଳାଯାଇ ଏବେ ନୂଆ ଖାଣ୍ଡେଲାଇଟ୍ ବସା ଯାଇଛି । ନାକଚଣା ଦ୍ଵାର ପହଣ୍ଡି ବାଟରେ ଖାଣ୍ଡେଲାଇଟ୍ ପଥର ବଦଳା କାର୍ଯ୍ୟ ଜୋରସୋରରେ ଚାଲିଥିବା ପ୍ରଶାସନ ପକ୍ଷରୁ ସୂଚନା ରହିଛି । ଶ୍ରୀମନ୍ଦିର ରକ୍ଷଣାବେକ୍ଷଣ ଦାୟିତ୍ଵ ଏଏସଆଇ ଅଧୀନରେ ରହିଥିବାବେଳେ ଶ୍ରୀଗୁଣ୍ଡିଚା ମନ୍ଦିର ଶ୍ରୀମନ୍ଦିର ପ୍ରଶାସନ ଦାୟିତ୍ଵରେ ରହିଛି ।
ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାଶ କହିଛନ୍ତି, "ଶ୍ରୀଗୁଣ୍ଡିଚା ନାଟମଣ୍ଡପ ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି । ଯାହାକୁ ନେଇ ପ୍ରଫେସର ଏସ.କେ ଭଟ୍ଟାଚାର୍ଯ୍ୟଙ୍କ ନେତୃତ୍ବରେ ଗଠିତ ଏକ ସ୍ଵତନ୍ତ୍ର ବୈଷୟିକ କମିଟିର ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ମରାମତି କାମ ଜାରି ରହିଛି । ଶ୍ରୀଗୁଣ୍ଡିଚା ମନ୍ଦିର ନାଟମଣ୍ଡପ ସହ ଅନ୍ୟାନ୍ୟ ସ୍ଥାନର ମରାମତି କାମ ଚାଲିଛି । ଏହାସହ ଶ୍ରୀଗୁଣ୍ଡିଚା ମନ୍ଦିର ନାଟମଣ୍ଡପରେ ୪ଟି ପଥର ସ୍ତମ୍ଭ ରହିଥିଲା । ଯାହା ଉପରେ ରଟ୍ ଆଇରନ୍ ବିମ୍ ଦ୍ଵାରା ସଂଯୋଜିତ ହୋଇ ନାଟମଣ୍ଡପ ଛାତର ଭାରକୁ ବହନ କରୁଥିଲା । ଫାଟ ସୃଷ୍ଟି ହେବା ଦ୍ବାରା ନାଟମଣ୍ଡପ ଛାତ ପ୍ରତି ବିପଦ ରହିଥିଲା । ତେବେ ନାଟମଣ୍ଡପ ଚାରିପାର୍ଶ୍ଵରେ ଥିବା କାନ୍ଥର ପଲସ୍ତରା ଦୁର୍ବଳ ହୋଇ ଥିବାରୁ ପଥର ମଧ୍ୟ ନଷ୍ଟ ହୋଇଯାଇଥିଲା । ନାଟମଣ୍ଡପ ଓ ଜଗମୋହନ ପଥର ଚଟାଣବିଭିନ୍ନ ଜାଗାରେ ଖାଲ ସୃଷ୍ଟି ହୋଇଥିଲା। ଏଣୁ ସମସ୍ତ ପୁରୁଣା ଲୁହା ବିମକୁ ବଦଳାଇ ସେହିସ୍ଥାନରେ କଳଙ୍କବିହୀନ ତଥା ଷ୍ଟେନ୍ ଲେସ ବିମ୍ ସ୍ଥାପନ କରାଯାଇଛି ।"
ସେ ଆହୁରି ମଧ୍ୟ କହିଛନ୍ତି, "ପଥର ସ୍ତମ୍ଭ କ୍ୟାପିଟାଲରେ ବ୍ୟବହୃତ ସ୍ୟାଣ୍ଡ୍ ଷ୍ଟୋନ୍କୁ ସମ୍ପୂର୍ଣ୍ଣ ବଦଳାଇ ଏହି ସ୍ଥାନରେ ମୁଗୁନି ପଥର ବ୍ୟବହାର କରାଯାଇଛି । ନାଟମଣ୍ଡପ ମଝି ଛାତ ଓ ଛାତ ତଳେ ଥିବା କର୍ପଲ, ଚଟାଣ ଓ ଚାରିପାର୍ଶ୍ଵରେ ଥିବା ଦୁର୍ବଳ ପଥରକୁ ବଦଳାଇ ଖାଣ୍ଡେଲାଇଟ ପଥର ଦ୍ବାରା ମରାମତି କରାଯାଉଛି । ଗୁଣ୍ଡିଚା ମନ୍ଦିରର ନାଟମଣ୍ଡପରେ ଚାଲିଥିବା ବିମ୍ର ପରିବର୍ତ୍ତନ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ମୋଟ ଆଠଟି ବିମ୍ ରୁ ସାତୋଟି ବିମ୍ ବଦଳାଯାଇଥିବା ବେଳେ ବାକି ଥିବା ଆଉ ଗୋଟିଏ ବିମ୍ ଖୁବଶୀଘ୍ର ବଦଳିଯିବ । ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ଓ ଗୁଣ୍ଡିଚା ମନ୍ଦିରରେ ୭୬ଟି ସିସିଟିଭି କ୍ୟାମେରା ସହ ଲାଇଟିଂ ବ୍ୟବସ୍ଥା ଆସନ୍ତା ଜୁନ ୧୫ ସୁଦ୍ଧା ସାରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ଲକ୍ଷ୍ୟ ରଖିଛି ।"
ଇଟିଭି ଭାରତ,ପୁରୀ
