ପିପିଲି ବୁଲିଲେ ନେଦରଲ୍ୟାଣ୍ଡ ହକି ଖେଳାଳିଙ୍କ ପରିବାର: ପଇଡ ପିଇଲେ, ଗାଉଁଲି ପରିବେଶ ଉପଭୋଗ କଲେ

ପିପିଲି ବୁଲିଲେ ନେଦରଲ୍ୟାଣ୍ଡ ହକି ଖେଳାଳିଙ୍କ ପରିବାର: ପଇଡ ପିଇଲେ, ଗାଉଁଲି ପରିବେଶ ଉପଭୋଗ କଲେ
ପିପିଲି ବୁଲିଲେ ନେଦରଲ୍ୟାଣ୍ଡ ହକି ଖେଳାଳିଙ୍କ ପରିବାର । ଗାଉଁଲି ପରିବେଶ ସାଙ୍ଗକୁ ଓଡିଆ ପରମ୍ପରା ଓ ଆତିଥେୟତାରେ ଖୁସି ହେଲେ । ଅଧିକ ପଢନ୍ତୁ
ପୁରୀ: ଓଡି଼ଶାରେ ଚାଲିଛି ହକି ବିଶ୍ବକପ୍ । ଏଥିପାଇଁ ରାଜ୍ୟରେ ବିଦେଶୀ ଅତିଥିଙ୍କ ଭିଡ ଜମିଛି । ବିଭିନ୍ନ ଦେଶର ହକି ଟିମ୍ର ପରିବାର ଲୋକେ ଓଡି଼ଶା ଆସିଛନ୍ତି । ସେହିପରି ମ୍ୟାଚ ଦେଖିବାକୁ ଆସିଥିବା ନେଦରଲ୍ୟାଣ୍ଡର ହକି ଖେଳାଳିଙ୍କ ପରିବାର ଲୋକେ ଭୁବନେଶ୍ବର ସମେତ ରାଜ୍ୟର ବିଭିନ୍ନ ସ୍ଥାନ ଭ୍ରମଣ କରିଛନ୍ତି । ଆଜି ଏହି ହକି ଖେଳାଳି ପରିବାରର ୧୮ ଜଣ ସଦସ୍ୟ ପୁରୀ ଜିଲ୍ଲା ପିପିଲି ବ୍ଲକ ବୀରପୁରୋଷତ୍ତମପୁର ବ୍ରାହ୍ମଣ ସାହି ବୁଲିବାକୁ ଯାଇଥିଲେ । ସେମାନେ ଏଠାରେ ୩ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଅତିବାହିତ କରିଥିଲେ । ଏହି ସମୟରେ ବିଦେଶୀ ଅତିଥିମାନେ ଗାଉଁଲି ପରିବେଶ ଉପଭୋଗ କରିବା ସହ ଗ୍ରାମବାସୀଙ୍କ ଆତିଥ୍ୟରେ ବେଶ୍ ଉତ୍ସାହିତ ହୋଇଥିଲେ । ଓଡ଼ିଆ ପରମ୍ପରା ଓ ଗ୍ରାମର କଳାକାରଙ୍କ ଦ୍ବାରା ପରିବେଷିତ ଓଡିଶୀ ନୃତ୍ୟ ସମସ୍ତଙ୍କୁ ବିଭୋର କରିଥିଲା ।
ନେଦରଲ୍ୟାଣ୍ଡ ହକି ଟିମର ପ୍ରମୁଖ ଖେଳାଳୀ ତଥା କ୍ୟାପଟେନ ଓ ଭାଇସ କ୍ୟାପଟେନଙ୍କ ପରିବାର ଲୋକେ ବୀର ପୁରୁଷୋତ୍ତମପୁର ଗ୍ରାମର ଏକ ବସ୍ତି ଅଞ୍ଚଳ ପରିଦର୍ଶନ କରିଥିଲେ । ନେଦରଲ୍ୟାଣ୍ଡର NGO କ୍ବାଲିଟ ଫର ଲାଇଫ ଫାଉଣ୍ଡେସନରେ କାମ କରୁଥିବା ଓଡ଼ିଶାର ମୁଖ୍ୟ ବସନ୍ତ ବାରିକ ଗ୍ରାମାଞ୍ଚଳ ଲୋକଙ୍କ ଚାଲିଚଳଣୀ ଦେଖାଇବାକୁ ସେମାନଙ୍କୁ ଏହି ଗ୍ରାମକୁ ବୁଲାଇ ଆଣିଥିଲେ । ଅତିଥିମାନେ ଗ୍ରାମର ଜଗନ୍ନାଥ ମନ୍ଦିର ନିକଟରେ ପହଞ୍ଚିବା ପରେ ଗ୍ରାମବାସୀ ସେମାନଙ୍କୁ ଦୁବ ଅରୁଆ ଚାଉଳ ସହ ବନ୍ଦାପନା କରି ପାଛୋଟି ନେଇଥିଲେ । ସମସ୍ତଙ୍କୁ ଗ୍ରାମ ମଝିରେ ଥିବା ନଡ଼ିଆ ଗଛରୁ ପଇଡ଼ ପିଇବାକୁ ଦିଆଯାଇଥିଲା ।
ଏହାମଧ୍ୟ ପଢନ୍ତୁ: ମହାପ୍ରଭୁଙ୍କ ପଦ୍ମବେଶ: କାଳିଆ ସାଆନ୍ତେଙ୍କୁ ୫ହଜାର ପଦ୍ମଫୁଲ ଅର୍ପଣ କଲେ ଭକ୍ତ
ଏହାପରେ ଗ୍ରାମର କଳାକାରଙ୍କ ଦ୍ବାରା ଓଡିଶୀ ନୃତ୍ୟ ପରିବେଷଣ କରାଯାଇଥିଲା । ଗ୍ରାମବାସୀଙ୍କ ସହିତ ସମସ୍ତେ ଏକାଠି ବସି ଅତିଥିମାନେ ନୃତ୍ୟ ଉପଭୋଗ କରିଥିଲେ । ଶେଷରେ ସେମାନଙ୍କ ପାଇଁ ପ୍ରସ୍ତୁତ କରାଯାଇଥିବା ଖାଦ୍ୟକୁ ଅତିଥିମାନେ ନିଜ ହାତରେ ସମସ୍ତଙ୍କୁ ପରଷି ଥିଲେ । ଗ୍ରାମାଞ୍ଚଳର ଗାଉଁଲୀ ପରିବେଶ, ଚାଲିଚଳଣୀ ଓ ଆତିଥେୟତା ଅତିଥିମାନଙ୍କୁ ବେଶ୍ ଆକୃଷ୍ଟ କରିଥିଲା । ସେମାନେ ଖୁସି ହୋଇ ଏହି ଗ୍ରାମ ପାଇଁ କିଛି କରିବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ । ସେପଟେ ବିଦେଶୀ ଅତିଥିମାନଙ୍କୁ ପାଖରେ ପାଇ ଗ୍ରାମବାସୀ ମଧ୍ୟ ବେଶ୍ ଉତ୍ସାହିତ ଥିବା ଦେଖିବାକୁ ମିଳିଥିଲା ।
ଇଟିଭି ଭାରତ, ପୁରୀ
