ମହାପ୍ରଭୁଙ୍କ ପଦ୍ମବେଶ: କାଳିଆ ସାଆନ୍ତେଙ୍କୁ ୫ହଜାର ପଦ୍ମଫୁଲ ଅର୍ପଣ କଲେ ଭକ୍ତ

author img

By

Published : Jan 25, 2023, 8:27 PM IST

ଆଜି ମହାପ୍ରଭୁଙ୍କ ପଦ୍ମବେଶ

ଆଜି ମହାପ୍ରଭୁଙ୍କ ପଦ୍ମବେଶ । ଏହି ଦୁର୍ଲଭ ପାଇଁ ୫ ହଜାରରୁ ଅଧିକ ପଦ୍ମ ଫୁଲ ଅର୍ପଣ କଲେ ଭକ୍ତ ଚିନ୍ତାମଣି ଦାଶ । ଅଧିକ ପଢନ୍ତୁ

ମହାପ୍ରଭୁଙ୍କ ପଦ୍ମବେଶ

ପୁରୀ: ଆଜି କାଳିଆ ସାଆନ୍ତେଙ୍କ ପଦ୍ମବେଶ । ଶ୍ରୀମନ୍ଦିରରେ ଆଜି ବଡ଼ସିଂହାର ବେଶ ସମୟରେ ମହାପ୍ରଭୁଙ୍କ ଚିତାକର୍ଷକ ପଦ୍ମବେଶ ଅନୁଷ୍ଠିତ ହେବ । ଏହି ଦୁର୍ଲଭ ବେଶ ପାଇଁ ଭୁନେଶ୍ୱରର ଚିନ୍ତାମଣି ଦାସ ମହାପ୍ରଭୁଙ୍କୁ ପ୍ରାୟ ୫ ହଜାରରୁ ଅଧିକ ପଦ୍ମ ଫୁଲ ଅର୍ପଣ କରିଛନ୍ତି । ଆଜକୁ ୧୩ ବର୍ଷ ହେବ ଅର୍ଥାତ୍ ୨୦୧୦ ମସିହାରୁ ମହାପ୍ରଭୁଙ୍କ ପଦ୍ମବେଶ ପାଇଁ ସେ ଏହି ଫୁଲ ଅର୍ପଣ କରିଆସୁଛନ୍ତି । ଚିନ୍ତାମଣି ପେସାରେ ଜଣେ ଶିକ୍ଷକ ହୋଇଥିବାବେଳେ ଅବସର ପରେ ମହାପ୍ରଭୁଙ୍କ ସେବାରେ ସେ ନିଜକୁ ସମର୍ପିତ କରିଛନ୍ତି । ମହାପ୍ରଭୁଙ୍କ ପାଇଁ ପଦ୍ମ ଫୁଲ ଯୋଗାଇବା ନିମନ୍ତେ ସେ ବ୍ୟକ୍ତିଗତ ଭାବେ ୩ଟି ପୁଷ୍କରିଣୀ ଲିଜରେ ନେଇଛନ୍ତି ଓ ଏହାର ରକ୍ଷଣାବେକ୍ଷଣ ପାଇଁ ଅନ୍ୟ ଲୋକଙ୍କୁ ଦାୟିତ୍ଵ ଦେଇଛନ୍ତି ।

ସେ ସେହି ପୁଷ୍କରିଣୀରୁ ପଦ୍ମ ଫୁଲ ସଂଗ୍ରହ କରି ଆଜି ଅପରାହ୍ନରେ ଶ୍ରୀମନ୍ଦିରରେ ପହଞ୍ଚି ସେବାୟତଙ୍କୁ ଦେଇଛନ୍ତି । ଏହି ଫୁଲ ମହାପ୍ରଭୁଙ୍କୁ ମାଳ ଭାବେ ଲାଗି ହେବ । ମହାପ୍ରଭୁଙ୍କ ଏହି ସେବା କରି ସେ ନିଜକୁ ଧନ୍ୟ ମନେ କରିଛନ୍ତି ବୋଲି କହିଛନ୍ତି ଚିନ୍ତାମଣି । ଆଜି ରାତିରେ ବଡସିଂହାର ବେଶ ବେଳେ ପଦ୍ମବେଶରେ ଦର୍ଶନ ଦେବେ କାଳିଆ ସାଆନ୍ତେ । ପଦ୍ମଫୁଲରେ ଶ୍ରୀଜୀୟୁମାନଙ୍କୁ ସୁସଜ୍ଜିତ କରାଯିବ । ମହାପ୍ରଭୁ ଏହି ଚିତ୍ତାକର୍ଷକ ବେଶ ବଡସିଂହାର ବେଶରେ ହେବେ । ଆଜି ବଡସିଂହାରରେ ଏହି ବେଶ ହୋଇ ମହାପ୍ରଭୁ ପହୁଡ ହେବେ ଆସନ୍ତାକାଲି ଅବକାଶ ନୀତି ପୂର୍ବରୁ ବେଶ ଓଲାଗି ହେବ । ଆସନ୍ତାକାଲି ଶ୍ରୀମନ୍ଦିରରେ ଭକ୍ତମାନେ ଏହି ବେଶ ଦର୍ଶନ କରିବାର ସୁଯୋଗ ପାଇବେ । ପଦ୍ମବେଶ ପାଇଁ ଆବଶ୍ୟକ ସାମଗ୍ରୀ ପ୍ରସ୍ତୁତି ସରିଯାଇଛି ।

ପରମ୍ପରା ଅନୁଯାୟୀ ମହାପ୍ରଭୁଙ୍କ ପଦ୍ମବେଶ ଲାଗି ବଡ଼ ଛତା ମଠ ସମସ୍ତ ସାମଗ୍ରୀ ଯୋଗାଇଥାଏ । ପରେ କାରିଗର, ଚିତ୍ରକରମାନେ ବେଶ୍ ନିଷ୍ଠାର ସହ ପ୍ରସ୍ତୁତ କରିଥାନ୍ତି । ପଣ୍ଡୁ ପୂର୍ଣ୍ଣିମା ଠାରୁ ପଦ୍ମବେଶ ନେଇ ପ୍ରସ୍ତୁତି ଆରମ୍ଭ ହୋଇଥାଏ । ତେବେ ପଦ୍ମବେଶ ଭକ୍ତର ଭକ୍ତି ଏବଂ ଭାବମୂଳକ ବେଶ ବୋଲି ବିବେଚନା କରାଯାଏ । ଶ୍ରୀମନ୍ଦିର ସ୍ବତ୍ବଲିପି ଅନୁଯାୟୀ ମାଘ ମାସ ଅମାବାସ୍ୟା ଠାରୁ ବସନ୍ତ ପଞ୍ଚମୀ ମଧ୍ୟରେ ପଡୁଥିବା ବୁଧବାର କିମ୍ବା ଶନିବାର ଦିନ ଶ୍ରୀବିଗ୍ରହମାନଙ୍କୁ ଏହି ବେଶ କରାଯାଇଥାଏ । ଶ୍ରୀବିଗ୍ରହମାନେ ପ୍ରତ୍ୟେକ ଦିନ ରାତିରେ ବଡସିଂହାର ବେଶରେ ପହୁଡ ହୋଇଥାନ୍ତି ମାତ୍ର ବର୍ଷକରେ କେବଳ ଏହି ଗୋଟିଏ ଦିନ ମହାପ୍ରଭୁ ପଦ୍ମବେଶରେ ହିଁ ପହୁଡ଼ ଯାଇଥାନ୍ତି ।

ଶ୍ରୀବିଗ୍ରହମାନଙ୍କ ନିମନ୍ତେ ଆବଶ୍ୟକ ଚୂଳ, ଶ୍ରୀମୁଖ ପଦ୍ମ, କର ପଲ୍ଲବ, ପଦ୍ମ କଢି, ଗଛ, ଡାଳିଲତା, ଚୂଳଗୁଡିକ ସୋଲ ତିଆରି କରାଯାଇ ପଦ୍ମ ଫୁଲ ପ୍ରସ୍ତୁତ କରାଯାଇଛି । ବେଶ ପ୍ରସ୍ତୁତିରେ ମୁଖ୍ୟତଃ ସୋଲ , କଇଁଥ ଅଠା, ଜରୀ, ବାଉଁସ କାଠି, ରଙ୍ଗ ଏବଂ ପଟ ବ୍ୟବହାର କରାଯାଇଥାଏ । ମୁଖ୍ୟତଃ ୮୦ଟି ଛୋଟ ପଦ୍ମ, ୪ଟି ପଦ୍ମକଢି ବା କର ପଲ୍ବବ, ୪ଟି ହଂସ, ୭ଟି ଗଛ ସହ ବିଭିନ୍ନ ପ୍ରକାର ଅଳଙ୍କାର ପ୍ରସ୍ତୁତ କରାଯାଇଥାଏ । ତେବେ ପଦ୍ମବେଶ ପଛରେ ରହିଛି ନିଆରା କିମ୍ବଦନ୍ତୀ ।

ଏକଦା ମନୋହର ଦାସ ନାମକ ଜଣେ ଭକ୍ତ ତଥା ସାଧୁ ପୁରୀକୁ ଆସୁଥିବା ବେଳେ ଏକ ପୋଖରୀରୁ କିଛି ପଦ୍ମ ଫୁଲ ମହାପ୍ରଭୁଙ୍କୁ ଲାଗି ଆଣିଥିଲେ । ମାତ୍ର ଶ୍ରୀକ୍ଷେତ୍ର ପହଞ୍ଚିବା ପରେ ପଦ୍ମ ଫୁଲଟି ସୁଖି ଯାଇଥିଲା । ଯାହାଫଳରେ ସୁଖିଲା ଫୁଲକୁ ସେବକମାନେ ଗ୍ରହଣ କରିନଥିଲେ । ତେବେ ସେହିଦିନ ରାତିରେ ମହାପ୍ରଭୁ ଗଜପତି ମହାରାଜଙ୍କୁ ସ୍ବପ୍ନାଦେଶ କରି ଉକ୍ତ ଫୁଲକୁ ଲାଗି କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ପରେ ଗଜପତିଙ୍କ ନିର୍ଦ୍ଦେଶ କ୍ରମେ ସାଧୁ ଆଣିଥିବା ପଦ୍ମ ଫୁଲରେ ମହାପ୍ରଭୁଙ୍କ ବେଶ ହୋଇଥିଲା । ବଡ଼ଛତା ମଠର ସନ୍ଥ ରଘୁବର ଦାସ ପ୍ରଥମେ ପଦ୍ମବେଶ ଆରମ୍ଭ କରିଥିଲେ । ସେହିଦିନ ଠାରୁ ପଦ୍ମବେଶ ଅନୁଷ୍ଠିତ ହେଉଛି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.