ଭାର୍ଗବୀ ନଦୀବନ୍ଧରେ ଫାଟ; ଆତଙ୍କିତ ନଦୀକୂଳିଆ ଲୋକେ
Published: Aug 8, 2023, 7:30 AM

ଭାର୍ଗବୀ ନଦୀବନ୍ଧରେ ଫାଟ; ଆତଙ୍କିତ ନଦୀକୂଳିଆ ଲୋକେ
Published: Aug 8, 2023, 7:30 AM

ପୁରୀ ଜିଲ୍ଲା ବଳଙ୍ଗା ବଜାର ନିକଟ ଭାର୍ଗବୀ ନଦୀ ବନ୍ଧରେ ଫାଟ । ଆତଙ୍କିତ ନଈକୂଳିଆ ଗ୍ରାମବାସୀ । ଅଧିକ ପଢନ୍ତୁ
ପୁରୀ: ପୁଣି ଦବିଲା ଭାର୍ଗବୀ ନଦୀବନ୍ଧ । ପୁରୀ ଜିଲ୍ଲା ବଳଙ୍ଗା ବଜାର ନିକଟ ଭାର୍ଗବୀ ନଦୀବନ୍ଧରେ ଫାଟ ଦେଖାଯାଇଛି । ଏକ କିଲୋମିଟର ପର୍ଯ୍ୟନ୍ତ ମାଟି ଦବି ବନ୍ଧ ଫାଟି ଆଁ କରିଛି । କାମ ଶେଷ ହେବାର ଦୁଇ ମାସ ପୁରିନି ଏହି ନଦୀବନ୍ଧର ଅନେକ ସ୍ଥାନରେ ଫାଟ ସୃଷ୍ଟି ହୋଇଥିବା ବେଳେ ନଦୀ କୁଳିଆ ଗ୍ରାମବାସୀ ଭୟଭୀତ ଅଛନ୍ତି । ତେବେ ନିମ୍ନମାନର କାମ ଯୋଗୁଁ ଏଭଳି ସ୍ଥିତି ଉପୁଜିଥିବା ଅଭିଯୋଗ ହୋଇଛି । ବନ୍ଧ ନିର୍ମାଣ ପାଇଁ ଉପଯୁକ୍ତ ମାଟିରେ କାମ ନହେବା ଓ ବନ୍ଧକୁ ସଠିକ ଭାବେ ରୋଲାରିଂ ନକରାଯିବା ସହ ବିଭାଗୀୟ ଅଧିକାରୀଙ୍କ ଠିକା ସଂସ୍ଥା ପ୍ରତି କୋହଳ ମନୋଭାବ ଯୋଗୁଁ ଏଭଳି ସମସ୍ୟା ସୃଷ୍ଟି ହୋଇଥିବା ସ୍ପଷ୍ଟ ପରିଲକ୍ଷିତ ହୋଇଛି ।
ଯଦି ଏହି ସ୍ଥାନରେ ବନ୍ଧରେ ଘାଇ ହୁଏ ତେବେ ନିମାପଡା ଓ ଗୋପ ବ୍ଲକର ପ୍ରାୟ ୩୦ ଗୋଟି ପଞ୍ଚାୟତର ଧନ ଜୀବନ ଓ ଜୀବିକା ଉଜୁଡ଼ିଯିବାର ଆଶଙ୍କା ରହିଛି । ପୁରୀ ଜିଲ୍ଲା ଏକ ବନ୍ୟା ପ୍ରବଣ ଅଞ୍ଚଳ । ପ୍ରତିବର୍ଷ ନଦୀ ବନ୍ଧ ସୁଦୃଢ଼ୀକରଣ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି । ତେବେ କିଛି ଅସାଧୁ ଅଧିକାରୀ ଓ ଠିକାଦାର ନିମ୍ନମାନର କାର୍ଯ୍ୟ କରି କୋଟିକୋଟି ଟଙ୍କାରର ଅର୍ଥ ରାଶିକୁ ହଡ଼ପ କରୁଥିବା ଅଭିଯୋଗ ହୋଇଆସୁଛି । ପୂର୍ବ ବର୍ଷ ପ୍ରଳୟଙ୍କାରୀ ବନ୍ୟାରେ ପୁରୀ ଜିଲ୍ଲା ବ୍ୟାପକ ପ୍ରଭାବିତ ହୋଇଥିଲା । ଗୋପ, ନିମାପଡ଼ା, ଅସ୍ତରଙ୍ଗ, ପିପିଲି, କଣାସ, ସତ୍ୟବାଦୀ ପ୍ରଭୃତି ଅଞ୍ଚଳରେ ଅନେକ ସ୍ଥାନରେ ଘାଇ ହୋଇଥିଲା ।
ଅନେକ ନଦୀବନ୍ଧ ଦବି ଯାଇଥିଲା । ଏହାର ପୁନଃ ମରାମତି ଗତ ତିନି ମାସ ହେବ ହୋଇଥିଲା । ହେଲେ ନିମ୍ନମାନର କାର୍ଯ୍ୟ ଓ ଦୁର୍ନୀତି ପାଇଁ ଅନେକ ନଦୀବନ୍ଧରେ ସଠିକ୍ ଭାବରେ କାର୍ଯ୍ୟ ହୋଇନଥିବା ହେତୁ ପୁଣି ନଦୀବନ୍ଧରେ ଫାଟ ଦେଖାଦେଲାଣି । ତୁରନ୍ତ ଏହାର ମରାମତି ନେଇ ଦାବି ହୋଇଛି । ନହେଲେ ଆଗାମୀ ଦିନରେ ଲଘୁଚାପ ବର୍ଷା ହୋଇ ଯଦି ବନ୍ୟା ସ୍ଥିତି ଉପୁଜେ ତେବେ ନଦୀ ବନ୍ଧରେ ଘାଇ ସୃଷ୍ଟି ହୋଇ ବ୍ୟାପକ କ୍ଷୟକ୍ଷତି ହେବାର ଆଶଙ୍କା ରହିଛି ।
ଇଟିଭି ଭାରତ, ପୁରୀ
