ଭୁଶୁଡିଲା ଭାର୍ଗବୀ ନଦୀବନ୍ଧ, ଆତଙ୍କିତ ପିପିଲିର 4ଟି ପଞ୍ଚାୟତ
ଭୁଶୁଡିଲା ଭାର୍ଗବୀ ନଦୀବନ୍ଧ, ଆତଙ୍କିତ ପିପିଲିର 4ଟି ପଞ୍ଚାୟତ
ଭୁଶୁଡ଼ି ପଡ଼ିଲା ଭାର୍ଗବୀ ନଦୀବନ୍ଧ । ଭୟଭୀତ ଅବସ୍ଥାରେ ପିପିଲି ବ୍ଲକ ବାସିନ୍ଦା । ଅଧିକ ପଢନ୍ତୁ
ପୁରୀ: ପୁଣି ଭୁଶୁଡିଲା ଭାର୍ଗବୀ ନଦୀବନ୍ଧ । ଆତଙ୍କିତ ଅବସ୍ଥାରେ ପିପିଲି ବ୍ଲକର 4ଟି ପଞ୍ଚାୟତ ବାସିନ୍ଦା । ରଥପୁରୁଷୋତ୍ତମପୁର ପଞ୍ଚାୟତର ବାଲିଗାଁରେ ଭାର୍ଗବୀ ନଦୀବନ୍ଧରେ ପ୍ରାୟ 7 ଶହ ମିଟର ଲମ୍ବରେ ଫାଟ ସୃଷ୍ଟି ହୋଇଛି । ଗତ ବର୍ଷ ଡିସେମ୍ବର ମାସରେ ସାକ୍ଷୀଗୋପାଳ ଜଳସମ୍ପଦ ବିଭାଗ ପକ୍ଷରୁ ଲକ୍ଷାଧିକ ଟଙ୍କା ବ୍ୟୟରେ ପଥର ପ୍ୟାକିଂ କରାଯାଇଥିଲା । ସମ୍ପୃକ୍ତ ଠିକାଦାର ନଦୀ ପଠାରୁ ଜେସିବିରେ ମାଟି ତାଡ଼ି ତାଳିପକା କାମ କରିଥିବା ସ୍ଥାନୀୟ ଲୋକେ ସେ ସମୟରେ ଅଭିଯୋଗ କରିଥିଲେ।
ତତ୍କାଳୀନ ସହକାରୀ ଯନ୍ତ୍ରୀଙ୍କ ବେପରୁଆ ମନୋଭାବ ଓ ବିଭାଗୀୟ ଉଚ୍ଚ ଅଧିକାରୀ ଏଥିପ୍ରତି କର୍ଣ୍ଣପାତ ନ କରିବାରୁ ଆଜି ଏଭଳି ସ୍ଥିତି ଉପୁଜିଛି ଓ ସରକାରଙ୍କର 50 ଲକ୍ଷ ଟଙ୍କା ପାଣିରେ ପଡ଼ିଲା ବୋଲି ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ । ଏହି ନଦୀ ବନ୍ଧ ଭାଙ୍ଗିଲେ ପିପିଲି ବ୍ଲକ୍ର 4ଟି ପଞ୍ଚାୟତ ଓ ସତ୍ୟବାଦୀ ବ୍ଲକ ଅଞ୍ଚଳ ଜଳମଗ୍ନ ହେବ ବୋଲି କୁହାଯାଉଛି । ଏହି ଅନିୟମିତତାରେ ସଂପୃକ୍ତ ଠିକାଦାର ଓ ଯନ୍ତ୍ରୀଙ୍କ ବିରୋଧରେ ବିଭାଗ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହ ବିଭାଗୀୟ ଉଚ୍ଚ ଅଧିକାରୀ ଏଥିପ୍ରତି ତୁରନ୍ତ ଦୃଷ୍ଟି ଦେବାକୁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି ।
ଏହା ପୂର୍ବରୁ ଅଗଷ୍ଟ 8 ତାରିଖରେ ବଳଙ୍ଗା ବଜାର ନିକଟ ଭାର୍ଗବୀ ନଦୀବନ୍ଧରେ ଫାଟ ଦେଖାଯାଇଥିଲା । ଏକ କିଲୋମିଟର ପର୍ଯ୍ୟନ୍ତ ମାଟି ଦବି ବନ୍ଧ ଫାଟି ଆଁ କରିଥିଲା । କାମ ଶେଷ ହେବାର ଦୁଇ ମାସ ପୂରି ନଥିବା ବେଳେ ନଦୀବନ୍ଧର ଅନେକ ସ୍ଥାନରେ ଫାଟ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଥିଲା । ତେବେ ନିମ୍ନମାନର କାମ ଯୋଗୁଁ ଏଭଳି ସ୍ଥିତି ଉପୁଜିଥିବା ସେ ସମୟରେ ଗ୍ରାମବାସୀ ଅଭିଯୋଗ କରିଥିଲେ ।
2022 ଅଗଷ୍ଟ ମାସରେ ଭାର୍ଗବୀ ନଦୀର ଜମାରସୁଆଁ ଗ୍ରାମ ନିକଟରେ ୨ ଶହ ମିଟର ଲମ୍ବ ନଦୀବନ୍ଧ ଭୁଶୁଡ଼ି ଯାଇଥିଲା । ନଦୀର ଶାଖା ନଦୀ ନୂଆ ନଈରୁ ବନ୍ୟା ପାଣି କମିବା ପରେ ପ୍ରାୟ ୨ଶହ ମିଟର ଲମ୍ବର ନଦୀବନ୍ଧ ନଦୀ ମଧ୍ୟକୁ ଭୁଶୁଡ଼ି ପଡ଼ିଥିଲା । ରାସ୍ତା ଦେଇ ଯିବା ଆସିବା କରିବାକୁ ଭୟ କରୁଥିଲେ ଲୋକେ । ନଦୀବନ୍ଧ ମରାମତିରେ ନିମ୍ନମାନର କାର୍ଯ୍ୟକୁ ନେଇ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ ସ୍ଥାନୀୟ ବାସିନ୍ଦା ।
ଇଟିଭି ଭାରତ, ପୁରୀ
