କୋଶଳ ପ୍ରଦେଶ ଗଠନ ଦାବିରେ ପଶ୍ଚିମ ଓଡ଼ିଶାରେ ମହାବନ୍ଦ ଡାକରା

author img

By

Published : Sep 7, 2022, 10:24 PM IST

koshal sena called for strike in western odisha

ସ୍ବତନ୍ତ୍ର କୋଶଳ ପ୍ରଦେଶ ଗଠନ ଦାବିରେ କୋଶଳ ସେନା ଓ କୋଶଳ ରାଜ୍ୟ ମୁକ୍ତି ମୋର୍ଚ୍ଚା ପକ୍ଷରୁ ସମଗ୍ର ପଶ୍ଚିମ ଓଡ଼ିଶାରେ ମହାବନ୍ଦ ଡାକରା ଦିଆଯାଇଛି। ନୂଆପଡ଼ା, ଝାରସୁଗୁ଼ଡ଼ା, ବରଗଡ଼ ଓ ବଲାଙ୍ଗୀରରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ଅଧିକ ପଢ଼ନ୍ତୁ

ନୂଆପଡ଼ା/ ଝାରସୁଗୁ଼ଡ଼ା/ ବରଗଡ଼/ ବଲାଙ୍ଗୀର: ସ୍ବତନ୍ତ୍ର କୋଶଳ ରାଜ୍ୟ ଗଠନ ଦାବିରେ କୋଶଳ ସେନାର ଆହ୍ୱାନ କ୍ରମେ ପଶ୍ଚିମ ଓଡ଼ିଶାର ସମସ୍ତ ଜିଲ୍ଲାରେ 12 ଘଣ୍ଟିଆ ବନ୍ଦ ପାଳନ କରାଯାଉଛି। ଏହାକୁ ସମର୍ଥନ ଜଣାଇ ନୂଆପଡ଼ା, ଝାରସୁଗୁଡ଼ା, ବରଗଡ଼ ବଲାଙ୍ଗୀର ଜିଲ୍ଲାରେ ଶାନ୍ତି ଶୃଙ୍ଖଳାରେ ବନ୍ଦଲ ପାଳନ କରାଯାଇଛି। ନୂଆପଡ଼ା ଜିଲ୍ଲାରେ କୋଶଳ ମୁକ୍ତି ମୋର୍ଚ୍ଚା ଆହ୍ବାନରେ ରାଜ୍ୟ ଦଳିତ ଅଧିକାର ମଞ୍ଚ ସମର୍ଥନ ଜଣାଇ ଖଡ଼ିଆଳ ନିର୍ବାଚନ ମଣ୍ଡଳୀର ଖଡ଼ିଆଳ, ବୋଡେ଼ନ, ସିନାପାଲି ଅଞ୍ଚଳରେ ବନ୍ଦ ପ୍ରଭାବ ଦେଖାଦେଇଛି ।

କୋଶଳ ପ୍ରଦେଶ ଗଠନ ଦାବିରେ ପଶ୍ଚିମ ଓଡ଼ିଶାରେ ମହାବନ୍ଦ ଡାକରା

ଦଳିତ ଅଧିକାର ରାଜ୍ୟ ସଭାପତି କମଳ ଚରଣ ତାଣ୍ଡିଙ୍କ ନେତୃତ୍ୱରେ ଖଡ଼ିଆଳଠାରେ 353 ଜାତୀୟ ରାଜପଥ ଅବରୋଧ କରାଯାଇଛି । ଏନେଇ ରାଜ୍ୟ ଦଳିତ ଅଧିକାର ମଞ୍ଚ ସଭାପତି କହିଛନ୍ତି, " ରାଜ୍ୟ ସରକାର ପଶ୍ଚିମ ଓଡ଼ିଶା ପ୍ରତି ବୈମାତୃକ ମନୋଭାବ ପୋଷଣ କରି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟରେ ଅବହେଳା କରିଛନ୍ତି । ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା, ପଶ୍ଚିମ ଓଡ଼ିଶା ବିକାଶ ପରିଷଦ କାର୍ଯ୍ୟାଳୟ ପ୍ରତିଷ୍ଠା, ଶିଳ୍ପ ଉନ୍ନତିକରଣ, କଲକାରଖାନା ପ୍ରତିଷ୍ଠା ଆଦି ବିଭିନ୍ନ କ୍ଷେତ୍ରରେ ସରକାର ଅବହେଳା କରିଛନ୍ତି।" ତାର ପ୍ରତିବାଦରେ କୋଶଳ ରାଜ୍ୟ ଆମର ଦାବି ବୋଲି ଆନ୍ଦୋଳନକାରୀମାନେ ସରକାରଙ୍କୁ ଚେତାବନୀ ଦେଇଛନ୍ତି ।

ସେହିପରି ଝାରସୁଗୁଡାରେ 12 ଘଣ୍ଟିଆ ବନ୍ଦ ଡାକରା ଦେଇଛି କୋଶଳ ସେନା। ସ୍ୱତନ୍ତ୍ର ରାଜ୍ୟ ଦାବି,ଅଞ୍ଚଳ ବିକାଶ ନେଇ ବନ୍ଦ ଡାକରା ଦିଆଯାଇଛି। କୋଟି କୋଟି ଟଙ୍କା ରାଜସ୍ବ ଯୋଗାଇ ଦେଉଥିବା ସତ୍ତ୍ୱେ ପଶ୍ଚିମାଞ୍ଚଳବାସୀଙ୍କୁ ଉଚିତ ସୁବିଧା ଯୋଗାଇ ଦେଉନଥିବା ଅଭିଯୋଗ ହୋଇଛି। ଝାରସୁଗୁଡା ସହରର ସମସ୍ତ ଦୋକାନ ବଜାର, ସ୍କୁଲ କଲେଜ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ମଧ୍ୟ ବନ୍ଦ ରଖିବା ପାଇଁ କୋଶଳସେନା ଆହ୍ୱାନ ଦେଇଥିଲା । ବିଭିନ୍ନ ସ୍ଥାନରେ କୋଶଳ ସେନା ପକ୍ଷରୁ ପିକେଟିଂ କରାଯାଇଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ପୋଲିସ ସମୁଦାୟ ୭୩ଜଣ ଆନ୍ଦୋଳନକାରୀଙ୍କୁ ଗିରଫ କରିଛି । ଝାରସୁଗୁଡ଼ାରେ ସ୍ଥିତି ସ୍ବାଭାବିକ ରହିଥିବା ନଜର ଆସିଛି ।

ଏହା ମଧ୍ୟ ପଢ଼ନ୍ତୁ: କଳାହାଣ୍ଡିରେ କୋଶଳ ମହାବନ୍ଦ ଡାକରା, ଚକ ଅଖ ବନ୍ଦ

ଅପରପକ୍ଷେ ବରଗଡ଼ ଜିଲ୍ଲାରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି। ସକାଳ 6 ଟାରୁ ସନ୍ଧ୍ୟା 6 ଟା ପର୍ଯ୍ୟନ୍ତ ବରଗଡ଼ ଜିଲ୍ଲାରେ ସମସ୍ତ ଯାନବାହାନ ଓ ଅଖଚକ ବନ୍ଦ ରହିଥିବା ବେଳେ କେବଳ ଜରୁରୀକାଳୀନ ସେବା ବ୍ୟତୀତ ସ୍କୁଲ, କଲେଜ, ବ୍ୟାଙ୍କ, କୋର୍ଟ, କଚେରୀ, ଦୋକାନ, ବଜାର, ସମସ୍ତ ସରକାରୀ ଓ ବେସରକାରୀ ଅଫିସ ବନ୍ଦ ରହିଛି। ବରଗଡ଼ରୁ ସମ୍ବଲପୁର, ବଲାଙ୍ଗୀର ଓ ରାୟପୁରକୁ ଯୋଗାଯୋଗ କରୁଥିବା ସମସ୍ତ ରାସ୍ତାକୁ ବନ୍ଦ ରଖିଛନ୍ତି କୋଶଳ ସେନା। ସ୍ୱତନ୍ତ୍ର କୋଶଳ ରାଜ୍ୟ ଗଠନ ଦାବିରେ କୋଶଳ ସେନା ପକ୍ଷରୁ କୋଶଳ ମହାବନ୍ଦ ଡ଼ାକରା ଦିଆଯାଇଥିବା ବେଳେ ଏହି ବନ୍ଦ ପାଳନକୁ ସମର୍ଥନ ଜଣାଇ ଲୋକେ ସ୍ୱତଃପ୍ରବୃତ୍ତ ଭାବେ ଦୋକାନ ବଜାର ବନ୍ଦ କରିଛନ୍ତି। ଜିଲ୍ଲା କଂଗ୍ରେସ, ମୋଟର ଚାଳକ ସଂଘ ଓ ବରଗଡ଼ର ବହୁ ଅନୁଷ୍ଠାନ ଏହି ଆନ୍ଦୋଳନକୁ ସମର୍ଥନ ଜଣାଇ ସାମିଲ ହୋଇଛନ୍ତି।

ବଲାଙ୍ଗୀର ଜିଲ୍ଲାରେ ମଧ୍ୟ କୋଶଳ ସେନା ଓ କୋଶଳ ରାଜ୍ୟ ମୁକ୍ତି ମୋର୍ଚ୍ଚା ପକ୍ଷରୁ ବନ୍ଦ ପାଳନ କରାଯାଇଛି । ଏହା ପ୍ରଭାବରେ ଦୋକାନ ବଜାର ସରକାରୀ ବେସରକାରୀ ଅନୁଷ୍ଠାନ ସହ ଗାଡ଼ି ଚଳଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି। ଆନ୍ଦୋଳନକାରୀମାନେ ସହରରେ ବୁଲି ସବୁ ଦୋକାନ ବଜାର ବନ୍ଦ କରିଛନ୍ତି। ସହରର ବିଭିନ୍ନ ମୁଖ୍ୟ ରାସ୍ତା ମାନଙ୍କରେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି। ବଲାଙ୍ଗୀର ସମେତ ଜିଲ୍ଲାର ସବୁ ପ୍ରମୁଖ ସହର କଣ୍ଟାବାଞ୍ଜି, ପାଟଣାଗଡ଼ ଓ ଟିଟିଲାଗଡ ସବୁଠି ସବୁ ବନ୍ଦ ରହିଛି। କୋଶଳ ଆନ୍ଦୋଳନକାରୀମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି। ବଲାଙ୍ଗୀର ଦେଇ ଯାଇଥିବା 26ନଂ ଜାତୀୟ ରାଜପଥକୁ ସଲେଭଟା, ଦେଓଗାଁ, ସଇଁତଳା ଇତ୍ୟାଦି ଠାରେ ଅବରୋଧ କରାଯାଇଛି। ସେହିପରି 57ନଂ ଜାତୀୟ ରାଜପଥକୁ ମଧ୍ୟ ବିଭିନ୍ନ ସ୍ଥାନରେ ଅବରୋଧ ହୋଇଛି। ବନ୍ଦ ପାଳନକୁ ଜିଲ୍ଲାର ସମସ୍ତ ସଂଗଠନ ସମର୍ଥନ ଦେଇଥିବା ବେଳେ ଜିଲ୍ଲା ଓକିଲ ସଂଘ ସିଧାସଳଖ ଆନ୍ଦୋଳନରେ ସାମିଲ ହୋଇଛି। ଶୃଙ୍ଖଳାକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। 12 ଜଣ ଅଫିସର ସମେତ ବ୍ୟାପକ ପୋଲିସ ମୁତୟନ କରାଯାଇଥିବାର ବଲାଙ୍ଗୀର ଏସଡିପିଓ ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ନୂଆପଡ଼ା, ଝାରସୁଗୁ଼ଡ଼ା, ବରଗଡ଼, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.