ହେକ୍ଟର ହେକ୍ଟର ଜମି ଜଳମଗ୍ନ: ପଚିଲା ପାଚିଲା ଧାନ, କାନ୍ଦୁଛି ଚାଷୀ

author img

By

Published : Nov 18, 2021, 5:03 PM IST

ଭାତ-କ୍ଷେତ ଉଜାଡି ଦେଲା ଲଘୁଚାପ: କୃଷି ମନ୍ତ୍ରୀଙ୍କ ଜିଲ୍ଲାରେ କାନ୍ଦୁଛି ଚାଷୀ

ଆଉ ଦିନ କେଇଟା ଯାଇଥିଲେ ଖଳାକୁ ଆସିଥାନ୍ତା ଅମଳ ଧାନ । ହେଲେ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି ଲଘୁଚାପ ବର୍ଷା । ହେକ୍ଟର ହେକ୍ଟର ଜମିରେ ମାଡି ଯାଇଛି ବର୍ଷା ଜଳ । ଖୋଦ କୃଷି ମନ୍ତ୍ରୀଙ୍କ ଜିଲ୍ଲାରେ ଏପରି ସମସ୍ୟା । ଅଧିକ ପଢନ୍ତୁ...

ନୟାଗଡ଼: ମୁଣ୍ଡ ଝାଳ ତୁଣ୍ଡରେ ମାରି ଚାଷ କରିଥିଲା ଚାଷୀ । ଆଉ ଦିନ କେଇଟା ଯାଇଥିଲେ ଖଳାକୁ ଆସିଥାନ୍ତା ଅମଳ ଧାନ । ହେଲେ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି ଲଘୁଚାପ ବର୍ଷା । ଫଳରେ ହେକ୍ଟର ହେକ୍ଟର ଚାଷ ଜମି ଏବେ ଜଳମଗ୍ନ । ଖୋଦ୍ କୃଷିମନ୍ତ୍ରୀ ଅରୁଣ ସାହୁଙ୍କ ଜିଲ୍ଲାରେ ଏପରି ସମସ୍ୟାରେ ଚାଷୀ । ନା ପ୍ରଶାସନ ଶୁଣୁଛନ୍ତି ନା ମନ୍ତ୍ରୀ । କେହି କର୍ଣ୍ଣପାତ କରୁନାହାନ୍ତି ଚାଷୀଙ୍କ ଅଭିଯୋଗକୁ ।

ପ୍ରଥମେ ମରୁଡି, ଏବେ ପୁଣି ଲଘୁଚାପଜନିତ ବର୍ଷା କନ୍ଦାଉଛି ଚାଷୀଙ୍କୁ । ହଜାର ହଜାର ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି ବର୍ଷା । ଆଉ କିଛି ଦିନ ପରେ ଚାଷୀ ଧାନକାଟି ଖଳାକୁ ଆଣିଥାନ୍ତି । ଏଥିପାଇଁ ଖଳା ଲିପାପୋଛା କାମ ମଧ୍ୟ ସାରିଦେଇଥିଲା । ହେଲେ ହାଡଭଙ୍ଗା ପରିଶ୍ରମ କରି କ୍ଷେତରେ ସୁନା ଫଳାଇଥିବା ଚାଷୀ ଏବେ ହତୋତ୍ସାହ । ଚାଷ ଜମି, ଖଳା ଯେଉଁଠି ଦେଖିବ ପାଣି ହିଁ ପାଣି । ବିଲରେ କଟା ହୋଇଥିବା ଧାନ ମଧ୍ୟ ଗଜା ହୋଇଯାଇଛି । ଏପରିକି ରବି ଫସଲ ପାଇଁ ବୁଣାଯାଇଥିବା ବିହନ ମଧ୍ୟ ପଚି ଯାଇଛି । ଏପରି ସମୟରେ ମୁଣ୍ଡରେ ହାତଦେଇ ବସିଛି ଚାଷୀ ।

ଭାତ-କ୍ଷେତ ଉଜାଡି ଦେଲା ଲଘୁଚାପ: କୃଷି ମନ୍ତ୍ରୀଙ୍କ ଜିଲ୍ଲାରେ କାନ୍ଦୁଛି ଚାଷୀ

ବର୍ଷକ ଉପାର୍ଜିତ ଫସଲକୁ ନଷ୍ଟ ହେବାର ଦେଖି ଧୈର୍ଯ୍ୟ ଧରିପାରୁନି ଚାଷୀ । କିଏ ଭାଗଚାଷ କରି ଥିବାବେଳେ ଆଉ କିଏ ବ୍ୟାଙ୍କ ଋଣ ଏବଂ ସାହୁକାର ଠାରୁ ଋଣ ଆଣି ଚାଷକାର୍ଯ୍ୟ କରିଥିଲା । ହେଲେ ତିନି ଦିନ ଲଗାଣ ବର୍ଷାରେ ବିଲରେ ପାଣି ଜମି ରହିବା ଫଳରେ ଧାନକାଟି ପକାଇଥିବା ଚାଷୀ ମୁଣ୍ଡରେ ହାତ ଦେଇ ବସିଛି । ଧାନ ଅମଳ ହୋଇଥିଲେ ବର୍ଷସାରା ଖାଇବା ସହ ନିଜ ପିଲାମାନଙ୍କର ପାଠପଢା ଖର୍ଚ୍ଚ ଓ ଘରଖର୍ଚ୍ଚ କରିଥାନ୍ତେ । ନୟାଗଡ଼ ଜିଲ୍ଲାର ରଣପୁର ବ୍ଳକ, ଭାପୁର, ଗଣିଆ, ଦଶପଲ୍ଲା, ନୟାଗଡ, ନୂଆଗାଁ ଏବଂ ଓଡଗାଁ ବ୍ଳକରେ ଏଭଳି ସମସ୍ୟା । କିଛି ଚାଷୀ ଗଜା ଧାନକୁ ନେଇ ନୟାଗଡ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଯାଇ ଅଭିଯୋଗ କରିଛନ୍ତି । ଜିଲ୍ଲାପାଳ କୃଷି କାର୍ଯ୍ୟାଳୟକୁ ପଠାଉ ଥିବାବେଳେ କୃଷି କାର୍ଯ୍ୟାଳୟ ଜିଲ୍ଲାପାଳଙ୍କ ନିକଟକୁ ଯାଅ କହୁଥିବା ଅଭିଯୋଗ କରିଛନ୍ତି ଚାଷୀ । ସେପଟେ ଏନେଇ ଜିଲ୍ଲାପାଳ ପୋମା ଟୁଡୁଙ୍କୁ ପଚାରିବାରୁ ବିଭାଗକୁ କ୍ଷୟକ୍ଷତିର ରିପୋର୍ଟ ଦିଆଯିବ ବୋଲି କହିଛନ୍ତି ନୟାଗଡ ଜିଲ୍ଲାପାଳ ।

କେବଳ ନୟାଗଡର ୮ ଟି ବ୍ଲକ କାହିଁକି, ସାରା ରାଜ୍ୟରେ ଏହିପରି ସମସ୍ୟା ଭୋଗୁଛନ୍ତି ଚାଷୀ । ଯଦି ଖୋଦ କୃଷି ମନ୍ତ୍ରୀଙ୍କ ଜିଲ୍ଲାରେ ଏପରି ସମସ୍ୟା, ଅନ୍ୟମାନଙ୍କ କଥା ନ କହିବା ଭଲ । ତେବେ କେବେ ଚାଷୀଙ୍କୁ କ୍ଷତିପୂରଣ ମିଳୁଛି ତାହା ଦେଖିବାକୁ ବାକି ରହିଲା ।


ନୟାଗଡରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.