ଲୋକଙ୍କୁ ନୟାନ୍ତ କରୁଛି ନୟାଗଡ଼ ଟ୍ରାଫିକ ସମସ୍ୟା

author img

By

Published : Sep 17, 2022, 9:58 AM IST

ଲୋକଙ୍କୁ ନୟାନ୍ତ କରୁଛି ନୟାଗଡ଼ ଟ୍ରାଫିକ ସମସ୍ୟା

ଦିନକୁ ଦିନ ନୟାଗଡ଼ରେ ବୃଦ୍ଧି ପାଉଛି ଟ୍ରାଫିକ ସମସ୍ୟା । ସହରରେ ପାର୍କିଂ ଅବ୍ୟବସ୍ଥା ଓ ସହର ମଝିରେ ରହିଥିବା ଅସ୍ଥାୟୀ ବସଷ୍ଟାଣ୍ଡ ଯୋଗୁଁ ଏଭଳି ସମସ୍ୟା ଲୋକଙ୍କୁ ନୟାନ୍ତ କଲାଣି । ଅଧିକ ପଢ଼ନ୍ତୁ

ନୟାଗଡ: ଲୋକଙ୍କୁ ନୟାନ୍ତ କରୁଛି ନୟାଗଡ଼ ଟ୍ରାଫିକ ସମସ୍ୟା । ସହରରେ ଜନସଂଖ୍ୟା ସହିତ ଟ୍ରାଫିକ ସମସ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ଅନେକ ସମୟରେ ଦୁର୍ଘଟଣା ଘଟି ଧନ ଜୀବନ ହାନି ଘଟୁଛି । ତେବେ ଏହାର ସ୍ଥାୟୀ ସମାଧାନ ପାଇଁ ସାଧାରଣରେ ଦାବି ହୋଇଛି ।

ଲୋକଙ୍କୁ ନୟାନ୍ତ କରୁଛି ନୟାଗଡ଼ ଟ୍ରାଫିକ ସମସ୍ୟା

ନୟାଗଡ଼ ସହର ମଧ୍ୟରେ ରହିଛି ଟ୍ରାଫିକ । ଏହାକୁ ଲାଗି ପୁରୁଣା ବସଷ୍ଟାଣ୍ଡ ରହିଥିବାରୁ ଏହିସ୍ଥାନ ଗହଳି ରହି ରାସ୍ତା ଜାମର କାରଣ ସାଜୁଛି । ଫଳରେ ଯାତାୟାତ କରୁଥିବା ଲୋକଙ୍କୁ ନାନାଦି ହଇରାଣ ହେବାକୁ ପଡୁଛି । ରାସ୍ତାର ଉଭୟ ପାର୍ଶ୍ବରେ ଗାଡ଼ିମୋଟର ପାର୍କିଂ କରୁଥିବାରୁ ଏହା ସମସ୍ୟାକୁ ଦ୍ବିଗୁଣିତ କରୁଛି । ଏଠାରେ ସ୍ବତନ୍ତ୍ର ପାର୍କିଂ ସ୍ଥାନ ନଥିବାରୁ ବଜାରକୁ ଆସୁଥିବା ଲୋକେ ରାସ୍ତା ପାର୍ଶ୍ବରେ ଗାଡ଼ି ରଖିବାକୁ ବାଧ୍ୟ ହେଉଛନ୍ତି । ତେବେ ଏହାର ସମାଧାନ ପାଇଁ ନୟାଗଡ଼ ମୁନିସିପାଲିଟି ଆପଣାଉଥିବା ପନ୍ଥା କୌଣସି କାମରେ ଆସୁନାହିଁ । ନୟାଗଡ଼ ଟ୍ରାଫିକକୁ ଲାଗି ପୁରୁଣା ବସଷ୍ଟାଣ୍ଡକୁ ଅଚଳ କରି ନୂଆ ବସଷ୍ଟାଣ୍ଡକୁ କାର୍ଯ୍ୟକ୍ଷମ କରାଯାଇଥିଲେ ମଧ୍ୟ ତାହା ଅଚଳ ହେଲା ପରି ପଡ଼ିରହିଛି ।

ନୟାଗଡ଼ ଠାରୁ 2 କିଲୋମିଟର ଦୂରରେ ଏକ ନୂତନ ବସଷ୍ଟାଣ୍ଡ ନିର୍ମାଣ କରାଯାଇଛି । ହେଲେ ଲୋକମାନେ ସେଠାକୁ ଯାଉନାହାନ୍ତି । ନୟାଗଡ଼ ବଜାର ମଧ୍ୟରେ ହାତ ପାହାନ୍ତାରେ ପୁରୁଣା ବସ ଷ୍ଟାଣ୍ଡ ଥିବାରୁ ଏହା ଉପରେ ନିର୍ଭର କରୁଛନ୍ତି ଲୋକେ । ସହରର ଟ୍ରାଫିକ ସମସ୍ୟାକୁ ଦୂର କରିବା ସହ ହାତ ପାହାନ୍ତାରେ ଅତ୍ୟାଧୁନିକ ବସ ସେବା ଯୋଗାଇ ଦେବାକୁ ଏକ ନୂତନ ବସଷ୍ଟାଣ୍ଡ ନିର୍ମାଣ କରାଯାଇଥିଲା । ଖୋର୍ଦ୍ଧା-ବଲାଙ୍ଗୀର 57 ନମ୍ବର ଜାତୀୟ ରାଜପଥ ପାର୍ଶ୍ବରେ ରହିଛି ଏହି ବସଷ୍ଟାଣ୍ଡ । ଯେଉଁଥିରେ ଯାତ୍ରୀଙ୍କୁ ବିଭିନ୍ନ ସୁବିଧା, ଯେପରିକି ଯାତ୍ରୀଙ୍କ ପାଇଁ ରାତ୍ରୀଯାପନ, ରହିବା ଏବଂ ଖାଇବା ସୁବିଧା ମଧ୍ୟ ରହିଛି । ହେଲେ ନୟାଗଡ଼ ସହର ଠାରୁ ଦୂରରେ ଥିବାରୁ ଲୋକେ ସେଠାକୁ ଯିବାକୁ ଅମଙ୍ଗ ।

1953 ମସିହାରେ ଗଠିତ ନୟାଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ 2019 ମସିହାରେ ମୁନିସିପାଲିଟିର ମାନ୍ୟତା ପାଇଥିଲା । ତେବେ ସହର ମଧ୍ୟରେ ସର୍ବସାଧାରଣଙ୍କ ପାଇଁ ସ୍ଥାୟୀ ବସଷ୍ଟାଣ୍ଡ ନଥିବା ଫଳରେ ନାନାଦି ସମସ୍ୟାର ସମ୍ମୁଖୀନ ହେଉଥିଲେ ଲୋକେ । ସହରର ମୁଖ୍ୟ ଟ୍ରାଫିକ ଛକରେ ଅସ୍ଥାୟୀ ଭାବେ କାର୍ଯ୍ୟ କରୁଥିବା ପୁରୁଣା ବସଷ୍ଟାଣ୍ଡ ସହରରେ ଗୁରୁତର ଟ୍ରାଫିକ ସମସ୍ୟା ସୃଷ୍ଟି କରୁଥିବାରୁ ଯାତ୍ରୀବାହୀ ବସ ପାର୍କିଂକୁ ନେଇ ବିଭିନ୍ନ ସମୟରେ ସମସ୍ୟା ଉପୁଜୁଥିବା ଦେଖିବାକୁ ମିଳୁଛି । ଏଥିପାଇଁ ୨୦୦୨ ମସିହାରୁ ପର୍ଯ୍ୟାୟ କ୍ରମେ ଜିଲ୍ଲାର ନୂତନ ବସଷ୍ଟାଣ୍ଡ ପ୍ରକଳ୍ପ ପାଇଁ ଅଦ୍ୟାବଧି ୪ କୋଟି ୩୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି ।

ସେପଟେ ନୟାଗଡ଼ ସହର ଠାରୁ ଏହି ନୂତନ ବସଷ୍ଟାଣ୍ଡ ପ୍ରାୟ 2 କିଲୋମିଟର ଦୂରରେ ଥିବାରୁ ଟ୍ରାଫିକ ସମସ୍ୟା ଦୂର କରିବାରେ ଏହା ସହାୟକ ହେବ ବୋଲି କୁହାଯାଉଥିଲା । ହେଲେ ତାହା ଏକ ପ୍ରକାର ଅଚଳ ହୋଇ ପଡ଼ିରହିଛି । ଏପଟେ ନୟାଗଡ଼ରେ ଦିନକୁ ଦିନ ବୃଦ୍ଧି ପାଉଛି ଟ୍ରାଫିକ ସମସ୍ୟା । ଯାହାର ସ୍ଥାୟୀ ସମାଧାନ କରିବାକୁ ସାଧାରଣରେ ଦାବି ହୋଇଛି ।

ଇଟିଭି ଭାରତ, ନୟାଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.