ରଣପୁର ରାଜବାଟିରେ ମା' ଖିଲାମୁଣ୍ଡା: ଆସିଲେ ବୁଢ଼ା ରୂପରେ, ଫେରିବେ ପାରା ହୋଇ

author img

By

Published : Sep 20, 2022, 7:09 PM IST

ରଣପୁର ରାଜବାଟିରେ ମା' ଖିଲାମୁଣ୍ଡା: ଆସିଲେ ବୁଢ଼ା ରୂପରେ, ଫେରିବେ ପାରା ହୋଇ

ରଣପୁର ରାଜନଅରରେ ଏବେ ପୂଜା ପାଉଛନ୍ତି ମା' ଖିଲାମୁଣ୍ଡା । ପ୍ରତି ବର୍ଷ ମା' ବିଭିନ୍ନ ରୂପରେ ଆସିଥାନ୍ତି ବୋଲି ବିଶ୍ବାସ ରହିଛି l ଚଳିତ ବର୍ଷ ମା' ବୁଢ଼ା ରୂପରେ ଆସିଛନ୍ତି ବୋଲି କୁହାଯାଉଛି l ଏବଂ ଫେରିବା ବେଳେ ପାରା ହୋଇ ଫେରିବେ ବୋଲି ବିଶ୍ବାସ ରହିଛି । ଅଧିକ ପଢନ୍ତୁ

ନୟାଗଡ: ରଣପୁର ରାଜବାଟିରେ ଏବେ ପୂଜା ପାଉଛନ୍ତି ମା' ଖିଲାମୁଣ୍ଡା(Maa Khilamunda) । ଶୋଳ ଦିନାତ୍ମକ ଯାତ୍ରା ପାଇଁ ରଣପୁର ରାଜନଅରରେ ମା' ଅଛନ୍ତି । ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛି ରାଜନଅର l ଶୋଳପୂଜା ସମୟରେ ମା' ଖିଲାମୁଣ୍ଡା ଏକ କାଠି ସାହାଯ୍ୟରେ ରଣପୁର ଆସିଥାନ୍ତି l ଏହାକୁ କାଠିଯାତ୍ରା ବୋଲି କୁହାଯାଏ l ରଣପୁର ଅଞ୍ଚଳର ଲୋକେ ମା'ଙ୍କୁ ପାଛୋଟି ଆଣିଛନ୍ତି l ମା' ଖିଲାମୁଣ୍ଡା ଚଳିତ ବର୍ଷ ବୁଢ଼ା ରୂପରେ ଆସିଛନ୍ତି ଏବଂ ଫେରିବା ବେଳେ ପାରା ହୋଇ ଫେରିବେ ବୋଲି ଲୋକ ବିଶ୍ବାସ ରହିଛି । ମା'ଙ୍କ ଏହି ରୂପକୁ ଦର୍ଶନ ପାଇଁ ଲୋକଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଥାଏ l ଦଶହରା ଦିନ ମା' ଖିଲାମୁଣ୍ଡା ପାରା ରୂପରେ ନିଜ ଆସ୍ଥାନକୁ ଫେରିଥାନ୍ତି l ଏହି ପାରା ମା'ଙ୍କ ମୂଳ ଆସ୍ଥାନରେ ପ୍ରାଣ ହରାଇ ପଡିଥାଏ ବୋଲି ବିଶ୍ବାସ ରହିଛି l

ରଣପୁର ରାଜବାଟିରେ ମା' ଖିଲାମୁଣ୍ଡା: ଆସିଲେ ବୁଢ଼ା ରୂପରେ, ଫେରିବେ ପାରା ହୋଇ

ରଣପୁର ବ୍ଲକ ଅନ୍ତର୍ଗତ ବନ୍ଧମୁଣ୍ଡା ପଞ୍ଚାୟତରେ ମା' ଖିଲାମୁଣ୍ଡାଙ୍କ ମୂଳ ଆସ୍ଥାନ ରହିଛି l ମା'ଙ୍କ ଦର୍ଶନ ପାଇଁ ଘଞ୍ଚ ଅରଣ୍ୟ ଦେଇ ଯାଇଥାନ୍ତି ଲୋକେ l ବନ୍ଧମୁଣ୍ଡା ପଞ୍ଚାୟତର ରାଆଁଳା ନିକଟରେ କାହିଁ କେଉଁ ପୁରାତନ କାଳରୁ ପୂଜା ପାଉଛନ୍ତି ମା' ଖିଲାମୁଣ୍ଡା l ରଣପୁର ସହର ଠାରୁ ପ୍ରାୟ ୨୫ କିମି ଦୂର ବଣ ଜଙ୍ଗଲ ପରିବେଷ୍ଟିତ, ଶାନ୍ତ ନିକାଞ୍ଚନ ଜଙ୍ଗଲରେ ମା' ରୁହନ୍ତି l ରଣପୁର ଇତିହାସ ସହ ଜଡ଼ିତ ରହିଛନ୍ତି ମା' ଖିଲାମୁଣ୍ଡାଙ୍କ ଶକ୍ତିପୀଠ l ସେଠାରେ ବର୍ଷ ତମାମ ଲୋକଙ୍କ ଭିଡ଼ ଲାଗି ରହିଥାଏ l ପ୍ରତ୍ୟେକ ବର୍ଷ ମା' ସ୍ବତନ୍ତ୍ର ଭାବେ ଦଶହରା ସମୟରେ 16 ଦିନ ପାଇଁ ରଣପୁର ରାଜବାଟିକୁ ଆସିଥାନ୍ତି l

କିମ୍ବଦନ୍ତୀ ଅନୁଯାୟୀ, ଏକଦା ରଣପୁର ତତ୍କାଳୀନ ରାଜା ନାରାୟଣ ନରେନ୍ଦ୍ର, ପୁରୀ ରାଜା ଗଜପତି ମୁକୁନ୍ଦ ଦେବଙ୍କ ଠାରୁ ଯୁଦ୍ଧରେ ପରାସ୍ତ ହୋଇଥିଲେ l ଭୟରେ ରାଜା ଯାଇ ମାଳ ଜଙ୍ଗଲରେ ଆତ୍ମଗୋପନ କରିଥିଲେ । ସେଠାରେ ମା' ଖିଲାମୁଣ୍ଡା ତାଙ୍କୁ ସ୍ବାପ୍ନାଦେଶ କରିଥିଲେ । ସ୍ବପ୍ନରେ ମା' ଆସିବା ପରେ ପୂଜାର୍ଚ୍ଚନା କରିଥିଲେ ରାଜା । ମା' ଙ୍କ ଆଶୀର୍ବାଦ ନେଇ ନିଜ ସୈନ୍ୟ ସାମନ୍ତଙ୍କ ସହ ଯୁଦ୍ଧ ଯାତ୍ରାରେ ବାହାରିଲେ ରାଜା । ଘମାଘୋଟ ଯୁଦ୍ଧ ପରେ ରାଜା ବିଜୟୀ ହୋଇଥିଲେ | ସେହି ଘଟଣା ପରଠାରୁ ରାଜା ମା' ଖିଲାମୁଣ୍ଡାଙ୍କର ପରମ ଭକ୍ତ ପାଲଟି ଯାଇଥିଲେ । ମା'ଙ୍କ ପାଇଁ ରଣପୁର ରାଜ୍ୟ ଫେରି ପାଇଥିବାରୁ ରାଜା ତଥା ରଣପୁର ରାଜ୍ୟର ଆରାଧ୍ୟ ଦେବୀ ଭାବେ ମା' ପରିଚିତ ହେଲେ l ସେଥିପାଇଁ ପ୍ରତି ବର୍ଷ ଆଶ୍ଵିନ ମାସ ଦ୍ଵିତୀୟା ଓଷାରେ ମା'ଙ୍କ କାଠି ଯାତ୍ରା ଆରମ୍ଭ ହୋଇ ଥାଏ l

ଏହାମଧ୍ୟ ପଢନ୍ତୁ: ମା' ଖିଲାମୁଣ୍ଡା: ଆସ୍ଥା ଓ ବିଶ୍ୱାସର ପ୍ରତୀକ, ରଣପୁର ଇତିହାସ ସହ ଜଡ଼ିତ ଏହି ଶକ୍ତିପୀଠ

ଏକ ବଡ ଦଣ୍ଡ ସାହାଯ୍ୟରେ ବିରାଟ ପଟୁଆରରେ ମା'ଙ୍କୁ ରଣପୁର ପର୍ଯ୍ୟନ୍ତ ପାଛୋଟି ଅଣାଯାଇଥାଏ l ପ୍ରତିବର୍ଷ ମା' ବିଭିନ୍ନ ରୂପରେ ଆସିଥାନ୍ତି ବୋଲି ବିଶ୍ବାସ ରହିଛି l ଚଳିତ ବର୍ଷ ମା' ବୁଢ଼ା ରୂପରେ ଆସିଛନ୍ତି ବୋଲି କୁହାଯାଉଛି l ଦଶହରା ଦିନ ମା ନିଜ ବିଜେସ୍ଥଳୀକୁ ପାରା ରୂପରେ ପ୍ରତ୍ୟାବର୍ତ୍ତନ କରିଥାନ୍ତି । ତେବେ ମା' ଯେଉଁ କାଠିରେ ରାଜବାଟି ଆସିଥାନ୍ତି ସେହି କାଠି ରାଜବାଟିରେ ରହିଥାଏ l ଦଶହରା ସମୟରେ ମା'ଙ୍କ ଦର୍ଶନ ପାଇଁ ରାଜବାଟୀ ଲୋକାରଣ୍ୟ ହୋଇପଡିଥାଏ l

ଇଟିଭି ଭାରତ, ନୟାଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.