ପୂର୍ବ ଶତୃତାରୁ ଯୁବକଙ୍କୁ ଗୁଳି କରି ହତ୍ୟା, ଅଭିଯୁକ୍ତ ଗିରଫ

author img

By

Published : Sep 27, 2022, 3:57 PM IST

ପୂର୍ବ ଶତୃତାରୁ ଯୁବକଙ୍କୁ ଗୁଳି କରି ହତ୍ୟା, ଅଭିଯୁକ୍ତ ଗିରଫ

ନୟାଗଡରେ ପୂର୍ବ ଶତୃତାରୁ ଯୁବକଙ୍କୁ ଗୁଳି କରି ହତ୍ୟା ଘଟଣାରେ ଜଣେ ଅଭିଯୁକ୍ତକୁ ଗିରଫ କଲା ପୋଲିସ । ଏବେ ଅନ୍ୟ ଜଣେ ଫେରାର ରହିଥିବା ସୂଚନା । ଅଧିକ ପଢନ୍ତୁ

ନୟାଗଡ: ପୂର୍ବ ଶତୃତାକୁ କେନ୍ଦ୍ର କରି ଯୁବକଙ୍କୁ ଗୁଳି କରି ହତ୍ୟା ଘଟଣା । ଏହି ଘଟଣାରେ ଜଣେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ଗଣିଆ ପୋଲିସ । ଅଭିଯୁକ୍ତ ଜଣକ ହେଉଛି ସାଗର ବେହେରା । ମୁଖ୍ୟ ଅଭିଯୁକ୍ତ ତାରେଣୀ ସେଣ ନାୟକ ଏବେ ବି ଫେରାର ରହିଥିବା ଜଣାପଡିଛି ।

ମିଳିଥିବା ସୂଚନା ଅନୁଯାୟୀ ରାସଙ୍ଗ ଗ୍ରାମର ରଜତ ରାଉତଙ୍କୁ ପୂର୍ବ ଶତୃତାରୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା । ଗତ ୨୨ତାରିଖ ଦିନ ରଜତ ରାଉତଙ୍କୁ କେହି ଦୁର୍ବୃତ୍ତ ଗୁଳି କରି ହତ୍ୟା କରିଥିଲେ । ଗତ ୨୨ତାରିଖ ଗୁରୁବାର ଦିନ ରଜତ ରାଉତ ଟ୍ରାକ୍ଟର ନେଇ ପାଟିକଟା ମୁଣ୍ଡିଆକୁ ପଥର ଆଣିବା ପାଇଁ ଯାଉଥିଲେ । ରାସ୍ତାରେ ପୂର୍ବ ଶତୃତାକୁ କେନ୍ଦ୍ର କରି ରଜତଙ୍କ ସହ ତାରେଣୀ ଓ ସାଗରଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଯାହା ପରେ ଉଗ୍ର ରୂପ ନେବାରୁ ସ୍ଥାନୀୟ ଲୋକେ ବୁଝାଶୁଝା କରିଥିଲେ । କିନ୍ତୁ କିଛି ବାଟ ଗଲା ପରେ ପୁଣି ତିନି ଜଣଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଏହାପରେ ଉଭୟ ତାରେଣୀ ଏବଂ ସାଗର ମିଶି ରଜତକୁ ଗୁଳି କରି ହତ୍ୟା କରିବା ପରେ କେଉଁଆଡେ ଫେରାର ହୋଇ ଯାଇଥିଲେ ବୋଲି ଅଭିଯୋଗ ହୋଇଥିଲା ।

ସେପଟେ ରଜତ ରାଉତ ପାଟିକଟା ମୁଣ୍ଡିଆକୁ ପଥର ଆଣିବା ପାଇଁ ଯାଇଥିଲେ ହେଁ ଦିନ ୨ଟା ସୁଦ୍ଧା ଘରକୁ ନଫେରିବାରୁ ପରିବାର ଲୋକେ ରଜତର ମୋବାଇଲକୁ ଫୋନ କରିଥିଲେ । ରଜତର ମୋବାଇଲ ସୁଇଚ ଅଫ୍ ଥିବାରୁ ପରିବାର ଲୋକେବହୁ ଖୋଜା ଖୋଜି କରିଥିଲେ । ପରେ ଜଙ୍ଗଲରେ ରଜତର ମୃତଦେହ ପଡିଥିବା ଦେଖିଥିଲେ । ତେବେ ମୃତଦେହ ନିକଟରେ ଏକ ଦେଶୀ ବନ୍ଧୁକ ପଡିଥିବା ଦେଖି ଗ୍ରାମବାସୀ ଏବଂ ପରିବାର ଲୋକେ ଗଣିଆ ପୋଲିସକୁ ଖବର ଦେଇଥିଲେ । ପୋଲିସ ଉଭୟ ଅଭିଯୁକ୍ତ ତାରେଣୀ ଏବଂ ସାଗର ନାମରେ ହତ୍ୟା ମାମଲା ରୁଜୁ କରି ଦଫା 302 ଏବଂ 34 ଆଇପିସିରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଦେଶୀ ବନ୍ଧୁକ ଜବତ କରିଥିଲା ।

ଏହା ମଧ୍ୟ ପଢନ୍ତୁ-ପୂର୍ବ ଶତ୍ରୁତାରୁ ଗଡିଲା ମୁଣ୍ଡ, ଯୁବକଙ୍କୁ ଗୁଳି କରି ହତ୍ୟା

ରଜତଙ୍କୁ ହତ୍ୟା କରିବା ପରେ ଦୁଇ ହତ୍ୟାକାରୀ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ଗଣିଆ ପୋଲିସ ରଜତର ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଥିଲା । ରଜତ ହତ୍ୟାକାଣ୍ଡ ଘଟଣାର ତଦନ୍ତ କରିବା ନିମନ୍ତେ ନୟାଗଡ଼ ଆରକ୍ଷୀ ଅଧିକ୍ଷକ ବିଭିନ୍ନ ଥାନାର ଅଧିକାରୀଙ୍କୁ ନେଇ ଏକ ସ୍ବତନ୍ତ୍ର ଟିମ ଗଠନ କରିଥିଲେ । ପୋଲିସ ଅଧିକାରୀ ସାଇଣ୍ଟିଫିକ ଟିମ ସହାୟତାରେ ଘଟଣାର ତଦନ୍ତ ଜାରି ରଖିବା ସହ ସନ୍ଦିଗ୍ଧ ଅଭିଯୁକ୍ତଙ୍କ ଉପରେ କଡ଼ା ନଜର ରଖିଥିଲେ । ପୋଲିସ ଉଭୟ ଅଭିଯୁକ୍ତ ତାରେଣୀ ଏବଂ ସାଗର ନାମରେ 302,34 ଆଦି ଦଫାରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା ।

ପୋଲିସ ସାଗରକୁ ଖୋଜିବା ନିମନ୍ତେ ଯାଇଥିବା ବେଳେ ପୋଲିସକୁ ଦେଖି ପଡୋଶୀ ଘର ପଛପଟେ ଲୁଚିଥିବା ସାଗର ଦୌଡି ପଳାଇବାକୁ ଚେଷ୍ଟା କରିଥିଲା । ପୋଲିସ ସାଗରକୁ ଗୋଡେଇ ଗୋଡେଇ ଧରି ଥାନାକୁ ଆଣିଥିଲା । ଥାନାରେ ସାଗରକୁ ପଚରା ଉଚରା କରାଯିବା ପରେ ତାରିଣୀ ହିଁ ରଜତଙ୍କୁ ଗୁଳି ମାଡ କରିଥିବା ଜାଣା ପଡିଥିଲା । ସାଗରକୁ ଦଶପଲ୍ଲା କୋର୍ଟକୁ ପଠାଇ ଦିଆଯାଇଥିବା ବେଳେ ସେଠାରେ ଜାମିନ ନାମଞ୍ଜୁର ହେବାରୁ ତାକୁ ବିଚାର ବିଭାଗୀୟ ଆଦାଲତକୁ ପଠାଇ ଦିଆଯାଇଥିବା ସୂଚନା ମିଳିଛି l ସେପଟେ ମୁଖ୍ୟ ଅଭିଯୁକ୍ତ ରାସଙ୍ଗ ପଞ୍ଚାୟତ ଗୋଛାବାରି ଗ୍ରାମର ତାରେଣୀ ସେଣ ନାୟକ ଫେରାର ଥିବା ଜଣାପଡ଼ିଛି । ପୋଲିସ ଫେରାର ଅଭିଯୁକ୍ତ ତାରେଣୀକୁ ଖୋଜିବା ତଦନ୍ତ ଜାରି ରଖିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.