ମା' ଖିଲାମୁଣ୍ଡା: ଆସ୍ଥା ଓ ବିଶ୍ୱାସର ପ୍ରତୀକ, ରଣପୁର ଇତିହାସ ସହ ଜଡ଼ିତ ଏହି ଶକ୍ତିପୀଠ

author img

By

Published : Sep 11, 2022, 8:21 PM IST

ଆସ୍ଥା ଓ ବିଶ୍ୱାସର ପ୍ରତୀକ ମାଁ ଖିଲାମୁଣ୍ଡା, ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପାଇଁ ଦାବି

ନୟାଗଡର ଅଧିଷ୍ଠାତ୍ରୀ ଦେବୀ ମା' ଖିଲାମୁଣ୍ଡା । ମା'ଙ୍କ ଏହି ପୀଠ ଅନେକ ଖ୍ୟାତି ଅର୍ଜନ କରିଥିଲେ ମଧ୍ୟ ଭକ୍ତଙ୍କ ପାଇଁ ନାହିଁ କୌଣସି ସୁବିଧା । ମନ୍ଦିରକୁ କାଠପୋଲ ମାଧ୍ୟମରେ ଯାତାୟତ କରୁଛନ୍ତି ଭକ୍ତ । ମା’ଙ୍କ ପୀଠକୁ ରାଜ୍ୟ ପର୍ଯ୍ୟଟନସ୍ଥଳୀ ମାନ୍ୟତା ଦାବି । ଦେଖନ୍ତୁ ରିପୋର୍ଟ

ନୟାଗଡ଼: ଓଡ଼ିଶାର ଏକ ପୁରାତନ ଗଡ଼ଜାତ ଭାବେ ବେଶ ପରିଚିତ ରଣପୁର । ଓଡ଼ିଶା ଇତିହାସକୁ ଏହା ଯେତିକି ରୁଧିମନ୍ତ କରିଛି ଏହାର ସଂସ୍କୃତି ଏବଂ ଐତିହ୍ୟ ମଧ୍ୟ ବେଶ ରୋମାଞ୍ଚକର । ଏହି ସ୍ଥାନର ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି ମାଁ ଖିଲାମୁଣ୍ଡା(Maa Khilamunda) । ପ୍ରତ୍ୟେକ୍ଷ ଦେବୀ ଭାବେ ଖ୍ୟାତି ପାଇଥିବା ଏହି ପୀଠର ରହିଛି ଅନେକ ମାହାତ୍ମ୍ୟ । ବିଶ୍ବାସ ରହିଛି ଯେ, ମା'ଙ୍କୁ ଭକ୍ତିରେ ଯିଏ ଯାହା ମାଗେ ତାହା ନିଶ୍ଟୟ ପୂରଣ ହୁଏ । ସେଥିପାଇଁ ସର୍ବଦା ଲୋକଙ୍କ ଗହଳି ଲାଗିରୁହେ । ଖାଲି ଭକ୍ତ ନୁହନ୍ତି ରାଜା ମଧ୍ୟ ମା'ଙ୍କୁ ସ୍ମରଣ କରି ରଣପୁର ରାଜ୍ୟ ଜୟ କରିପାରିଥିଲେ ।

ଆସ୍ଥା ଓ ବିଶ୍ୱାସର ପ୍ରତୀକ ନୟାଗଡ଼ର ମା' ଖିଲାମୁଣ୍ଡା ପୀଠ, ପର୍ଯ୍ୟଟନସ୍ଥଳୀ ମାନ୍ୟତା ଦାବି

ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ବନ୍ଧମୁଣ୍ଡା ପଞ୍ଚାୟତରେ ରହିଛି ଏପରି ସ୍ଥାନ । ବନ୍ଧମୁଣ୍ଡା ପଞ୍ଚାୟତର ରାଆଁଳା ନିକଟରେ କାହିଁ କେଉଁଠି ପୁରାତନ କାଳରୁ ପୂଜା ପାଉଛନ୍ତି ମା' ଖିଲାମୁଣ୍ଡା । ରଣପୁର ସହର ଠାରୁ ପ୍ରାୟ ୨୫ କିମି ଦୂରରେ ଏହି ମନ୍ଦିର ରହିଥିବାବେଳେ, ବଣ ଜଙ୍ଗଲ ପରିବେଷ୍ଟିତ ଶାନ୍ତ ନିକାଞ୍ଚନ ଅଝାଡ଼ଝାଡ଼ ଜଙ୍ଗଲରେ ରହିଛି ଏହି ପୀଠ ।

ଜାଣନ୍ତୁ ରଣପୁର ଇତିହାସ ସହିତ କଣ ରହିଛି ମା' ଖିଲାମୁଣ୍ଡାଙ୍କ ଶକ୍ତିପୀଠର ଇତିହାସ:

ଏକଦା ରଣପୁର ତତ୍କାଳୀନ ରାଜା ପୁରୀ ରାଜାଙ୍କ ଠାରୁ ଯୁଦ୍ଧରେ ପରାସ୍ତ ହୋଇଥିଲେ । ଭୟରେ ରାଜା ଯାଇ ମାଳ ଜଙ୍ଗଲରେ ଆତ୍ମଗୋପନ କରିଥିଲେ । ସେଠାରେ ମା' ଖିଲାମୁଣ୍ଡା ରାଜାଙ୍କୁ ସ୍ୱପ୍ନାଦେଶ ହେବା ପରେ ପୂଜାର୍ଚ୍ଚନା କରିଥିଲେ ରାଜା । କିଛି ଦିନ ପରେ ଗୋଟେ ମାଙ୍କଡ ଗୋଟିଏ ଗଛ ଡାଳରୁ ଅନ୍ୟ ଏକ ଡାଳକୁ ଲମ୍ଫ ପ୍ରଦାନ କଲା କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବରେ ମୂଳ ଗଛର ଡାଳକୁ ଫେରି ଆସିଥିବା ଦେଖିବାକୁ ପାଇଥିଲେ ରାଜା । ଏହି ଘଟଣା ଦେଖିବା ପରେ ରାଜା ମା'ଙ୍କ ଆର୍ଶୀବାଦ ନେଇ ନିଜ ସୈନ୍ୟ ସାମନ୍ତଙ୍କ ସହ ଯୁଦ୍ଧ ଯାତ୍ରାରେ ବାହାରିଲେ । ଘମାଘୋଟ ଯୁଦ୍ଧ ପରେ ରାଜା ବିଜୟୀ ହୋଇଥିଲେ ।

ଏହି ଯୁଦ୍ଧରେ ରାଜାଙ୍କୁ ମହୁମାଛିମାନେ ମଧ୍ୟ ସହଯୋଗ କରିଥିଲେ । ସେହି ଘଟଣା ପରଠାରୁ ରାଜା ମା'ଙ୍କର ଭକ୍ତ ପାଲଟି ଯାଇଥିଲେ । ମା'ଙ୍କୁ ପାଇଁ ରଣପୁର ରାଜ୍ୟ ଫେରିପାଇଥିବାରୁ ରାଜା ତଥା ରଣପୁର ରାଜ୍ୟର ଆରାଧ୍ୟ ଦେବୀ ଭାବେ ମା' ପରିଚିତ ହେଲେ । ସେଥିପାଇଁ ପ୍ରତି ବର୍ଷ ଆଶ୍ଵିନ ମାସ ଦ୍ଵିତୀୟା ଓଷାରେ ମାଙ୍କ କାଠି ଯାତ୍ରା ଆରମ୍ଭ ହୋଇଥାଏ । ଏକ ବଡ ଦଣ୍ଡ ସାହାଯ୍ୟରେ ବିରାଟ ପଟୁଆରରେ ମାଙ୍କୁ ରଣପୁର ପର୍ଯ୍ୟନ୍ତ ପାଛୋଟି ଅଣାଯାଇଥାଏ । ଦଶହରା ଦିନ ମା' ନିଜ ବିଜେସ୍ଥଳୀକୁ ପ୍ରତ୍ୟାବର୍ତ୍ତନ କରିଥାନ୍ତି । ଦଶହରା ସମୟରେ ମା'ଙ୍କୁ ଦର୍ଶନ ପାଇଁ ରାଜବାଟୀ ଲୋକାରଣ୍ୟ ହୋଇଥାଏ ।

ଏହା ମଧ୍ୟ ପଢନ୍ତୁ:ରାଜବାଟୀକୁ ଆସିଲେ ମା’ ଖିଲାମୁଣ୍ଡା, ଦର୍ଶନ କଲେ ମନସ୍କାମନା ହୁଏ ପୂର୍ଣ୍ଣ
କିନ୍ତୁ ପରିତାପର ବିଷୟ ୟେ, ପୌରାଣିକ ଗାଥା ବହନ କରୁଥିବା ଏହି ପୁରାତନ ପୀଠ ଅତ୍ୟନ୍ତ ଅବହେଳିତ ଅବସ୍ଥାରେ ପଡି ରହିଛି । ମାତ୍ର ଏଥିପ୍ରତି ରାଜନେତା କିମ୍ବା ପ୍ରଶାସନର ନିଘା ନଥିବା ଅଭିଯୋଗ କରିଛନ୍ତି ଭକ୍ତ । ଗ୍ରାମବାସୀଙ୍କ ଦ୍ୱାରା ନିର୍ମିତ କାଠପୋଲରେ ବିପଦ ସଂକୁଳ ଅବସ୍ଥାରେ ପର୍ଯ୍ୟଟକମାନେ ଯାତାୟତ କରୁଥିବାବେଳେ, ଅନେକ ସମୟରେ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି । ଏହାସହ ପୀଠରେ ଯାତ୍ରୀ ରହଣୀ ସ୍ଥଳ, ପାନୀୟ ଜଳ, ଶୌଚାଳୟ ସୁବିଧା ନଥିବାରୁ ପର୍ଯ୍ୟଟକମାନେ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ପୀଠକୁ ରାଜ୍ୟ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦାବି କରୁଛନ୍ତି ସ୍ଥାନୀୟ ବାସିନ୍ଦା ।

ଏନେଇ ମନ୍ଦିର ପୂଜକ କହିଛନ୍ତି ଯେ, "ମା'ଙ୍କ ପାଖରେ ଯାହା ମାନସିକ କରିବ ତାହା ଅବଶ୍ୟ ଫଳପ୍ରଦ ହୋଇଥାଏ । ଅନେକ ଦୂରଦୂରାନ୍ତରୁ ଭକ୍ତ ମାଆଙ୍କ ପାଖକୁ ଦୌଡି ଆସିଥାନ୍ତି । କିନ୍ତୁ ସରକାରଙ୍କ ପକ୍ଷରୁ କୌଣସି ସାହାଯ୍ୟ କରାଯାଉନାହିଁ । ଯଦି ସରକାରଙ୍କ ଶୁଭଦୃଷ୍ଟି ଏହି ପୀଠ ଉପରେ ପଡେ ତେବେ ପୀଠର ବିକାଶ ହୋଇପାରନ୍ତା ।"

ଇଟିଭି ଭାରତ, ନୟାଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.