ଅଭିଶପ୍ତ ମହାନଦୀ କୂଳିଆ ବାସିନ୍ଦା: ପ୍ରତିବର୍ଷ ଧନ ଜୀବନ ହାନି ଘଟୁଛି, ନାହିଁ ସ୍ଥାୟୀ ପ୍ରତିକାର

author img

By

Published : Sep 12, 2022, 10:33 PM IST

ମହାନଦୀ ବନ୍ୟାରେ ପ୍ରତିବର୍ଷ ଧନ ଜୀବନ ହାନି ଘଟୁଛି, ନାହିଁ ସ୍ଥାୟୀ ପ୍ରତିକାର

ମହାନଦୀରେ ବନ୍ୟା ଆସିଲେ ନୟାଗଡ଼ ଜିଲ୍ଲାର ଶତାଧିକ ଗାଁ ଜଳମଗ୍ନ ହୋଇଥାଏ । ଘର ଓ ଚାଷଜମି ପାଣିରେ ବୁଡ଼ିଯାବାରୁ ଜୀବନ ବଞ୍ଚାଇବାକୁ ଲୋକେ ମୁଣ୍ଡିଆ ପାହାଡ଼କୁ ଧାଉଁଛନ୍ତି । ପ୍ରତିବର୍ଷ ଏଭଳି ଦୁର୍ଦ୍ଦଶାରେ ଲୋକେ ରହୁଥିବା ବେଳେ ଏହାର ସ୍ଥାୟୀ ସମାଧାନ ପାଇଁ ଦାବି ଉଠିଛି । ଅଧିକ ପଢ଼ନ୍ତୁ

ନୟାଗଡ଼: ମହାନଦୀ କେତେବେଳେ ଓଡ଼ିଶା ପାଇଁ ଆଶୀର୍ବାଦ ତ ପୁଣି କେତେବେଳେ ଅଭିଶାପ l ମହାନଦୀ ଏ ମାଟିକୁ ସୁଜଳା, ସୁଫଳା ଏବଂ ଶସ୍ୟଶ୍ୟାମଳା କରିଛି, ସେତିକି ମଧ୍ୟ କରିଛି ଶସ୍ୟହୀନା ଏବଂ ଶ୍ରୀହୀନ l ପ୍ରତି ବର୍ଷ ମହାନଦୀ ବନ୍ୟାରେ ନୟାଗଡ଼ ଜିଲ୍ଲା ବହୁ ଗାଁ ହେଉଛି ଜଳାର୍ଣ୍ଣବ l ଗାଁ ବୁଡ଼ୁଛି, ହନ୍ତସନ୍ତ ହେଉଛନ୍ତି ଲୋକେ l ଧନ ଜୀବନ ହାନି ଘଟୁଛି lଆଜି କି କାଲିର ଏ ଘଟଣା ନୁହେଁ l ବର୍ଷ ବର୍ଷ ଧରି ଅଭିଶପ୍ତ ଜୀବନ ବିତାଉଛନ୍ତି ମହାନଦୀ ଏବଂ ଏହାର ଶାଖା ନଦୀ କୂଳିଆ ଲୋକେ l ନୟାଗଡ଼ ଜିଲ୍ଲାର ଖଣ୍ଡପଡା, ଗଣିଆ,ଭାପୁର ବ୍ଲକର ଶତାଧିକ ଗାଁ ବନ୍ୟା ଆସିଲେ ସତେ ଯେମିତି ଅଭିଶପ୍ତ ଜୀବନ ବିତାଉଛନ୍ତି l ହେଲେ ଲୋକେ କେତେ ଦିନ ଆଉ ଏପରି ଅଭିଶପ୍ତ ଜୀବନ ବିତାଇବେ l କେବେ ହେବ ଏହାର ସ୍ଥାୟୀ ପ୍ରତିକାର ?

ମହାନଦୀ ବନ୍ୟାରେ ପ୍ରତିବର୍ଷ ଧନ ଜୀବନ ହାନି ଘଟୁଛି, ନାହିଁ ସ୍ଥାୟୀ ପ୍ରତିକାର


ବନ୍ୟା ଆସିଲେ ଲୋକଙ୍କ ମନରେ ଛନକା ଭରି ଦିଅ l ଲୋକେ ଖୋଜନ୍ତି ଆଶ୍ରୟ ସ୍ଥଳୀ l ଖାଲି ମଣିଷ ନୁହେଁ, ଗୃହ ପାଳିତ ପଶୁ ମଧ୍ୟ ଏଥିରୁ ବାଦ ପଡ଼ନ୍ତିନି l ଗୋଟିଏ ବର୍ଷ ମଧ୍ୟରେ ବନ୍ୟା ଜଳକୁ ସାମ୍ନା କରି ଅଣ୍ଟା ସଳଖି ଛିଡ଼ା ହେବା ବେଳେ ଆଉ ଏକ ବନ୍ୟାର ସାମ୍ନା କରେ l ପିଢ଼ି ପିଢ଼ି ଏପରି ଅଭିଶପ୍ତ ଜୀବନ ବିତାଉଛନ୍ତି l ହେଲେ ଏହାର ନାହିଁ ସ୍ଥାୟୀ ସମାଧାନ l ଫଳରେ ପ୍ରତିବର୍ଷ ଧନ ଜୀବନ ହାନି ଘଟୁଛି l ଭାପୁର ବ୍ଲକର ମଣିପୁର ଗାଁ ପ୍ରତିବର୍ଷ ମହାନଦୀରେ ଜଳରେ ଜଳାର୍ଣ୍ଣବ ହୁଏ l ଏହି ସମୟରେ ଗାଁ ଲୋକଙ୍କୁ ନାକେଦମ ହେବାକୁ ପଡ଼େ l ଖାଇବାଠୁ ଆରମ୍ଭ କରି ଯାତାୟାତ ପର୍ଯ୍ୟନ୍ତ ଲୋକ ହଇରାଣ ହୁଅନ୍ତି l ଫସଲ ବି ପାଣିରେ ନଷ୍ଟ ହୋଇଥାଏ lଲୋକଙ୍କ ଯାତାୟାତ ପାଇଁ ଡ଼ଙ୍ଗା ହିଁ ସାଜେ ଭରସା l କେବଳ ମଣିପୁର ନୁହେଁ କରବର ପଞ୍ଚାୟତ ଏବଂ ହନୁମନ୍ତପ୍ରସାଦ ଆଦି ଗାଁ ଏହି ସମସ୍ୟା ଭୋଗିଥାଏ l ଏହାର ସ୍ଥାୟୀ ସମସ୍ୟା ପାଇଁ ନୟାଗଡ଼ ଜିଲ୍ଲା ବିଜେପି ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛି l ଭାପୁର ବ୍ଲକର କରବର ଅଞ୍ଚଳରେ ରିଙ୍ଗ ରୋଡ଼, ଅଚଳ ହୋଇରହିଥିବା ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ ଆଦି କରିବାକୁ ନେଇ ଚିଠିରେ ଉଲ୍ଲେଖ ରହିଛି l

ଏହା ମଧ୍ୟ ପଢ଼ନ୍ତୁ...ବନ୍ୟା ପରେ ବଢୁଛି ଦୁର୍ଦ୍ଦଶା, ଭାଙ୍ଗିଛି 5 ଶହ ଘର, ରହିବାକୁ ଆଶ୍ରୟ ଖୋଜୁଛନ୍ତି ଲୋକେ

ମହାନଦୀରେ ଅଧିକ ଗେଟ ଖୋଲିଲେ ପାଣି ମାଡ଼ି ଆସେ l ଆଉ ଏହି ବନ୍ୟା ଜଳ ନୟାଗଡ଼ ଜିଲ୍ଲାକୁ କ୍ଷତି ପହଞ୍ଚାଏ l କେତେ ବର୍ଷ ଆଉ ଲୋକେ ଏମିତି ଅଭିଶପ୍ତ ଜୀବନ ବିତାଇବେ ? ସେ ନେଇ ଏବେ ପ୍ରଶ୍ନ ଉଠିଛି l ସ୍ଥାୟୀ ପ୍ରତିକାର ପାଇଁ କାହାର ନିଘା ନାହିଁ l ରାଜନେତାଙ୍କ ଠାରୁ ପ୍ରଶାସନିକ ଅଧିକାରୀ ପର୍ଯ୍ୟନ୍ତ ବନ୍ୟା ସମୟରେ ଲୋକଙ୍କ ସାହାର୍ଯ୍ୟ ପାଇଁ ଆଗେଇ ଆସନ୍ତି l ହେଲେ ବନ୍ୟା ପୀଡ଼ିତଙ୍କ ସ୍ଥାୟୀ ସମାଧାନ ଆଜି ପର୍ଯ୍ୟନ୍ତ ହେଲା ନାହିଁ l ବନ୍ୟାରେ ବୁଡ଼ିଯାଉଥିବା ଗାଁକୁ ଉଚ୍ଚା ସ୍ଥାନକୁ ସ୍ଥାନାନ୍ତର କରାଯାଉ ନାହିଁ l ଫଳରେ ଭିଟା ମାଟିରେ ପଡ଼ି ରହି ବନ୍ୟାକୁ ସାମ୍ନା କରୁଛନ୍ତି ଲୋକେ lବନ୍ୟାରେ କାହାର ଘର ଭାଙ୍ଗୁଛି ତ ପୁଣି କାହାର ସୁନାର ଫସଲ ପାଣିରେ ନଷ୍ଟ ହେଇଯାଉଛି l ଭାଗ୍ୟକୁ ଆଦରି ନଦୀ କୂଳିଆ ଲୋକେ ପଡ଼ି ରହିଛନ୍ତି l ମହାନଦୀ ବନ୍ୟା ଯୋଗୁଁ ଗାଁ ଗଣ୍ଡା ଜଳାର୍ଣ୍ଣବ ହୁଏ ପ୍ରତି ବର୍ଷ l ଫଳରେ ଗାଁ ଲୋକେ ନାହିଁ ନଥିବା ହଇରାଣ ହୁଅନ୍ତି l ଘର ଦ୍ୱାର ଭାଙ୍ଗି ବେସାହାରା ହୁଅନ୍ତି ଲୋକେ lଏହାର ସ୍ଥାୟୀ ପଦକ୍ଷେପ କେବେ ହେବ ସେ ନେଇ ଲୋକେ ଅପେକ୍ଷାରେ ରହିଛନ୍ତି ଲୋକେ l


ସ୍ଥାୟୀ ସମାଧାନ ନଥିବାରୁ ପ୍ରତିବର୍ଷ ଲୋକେ ଜଳ ଯନ୍ତ୍ରଣା ପାଉଛନ୍ତି l କେଉଁ ବର୍ଷ ଲୋକଙ୍କୁ କ୍ଷତିପୂରଣ ମିଳୁଛି ତ ପୁଣି କେଉଁ ବର୍ଷ କ୍ଷତିପୂରଣ ମିଳେ ନାହିଁ l ଯେତେବେଳେ ସରକାର କ୍ଷତିପୂରଣ ବାବଦକୁ ସହାୟତା ରାଶି ଦିଅନ୍ତି ତାହା ସମୁଦ୍ରକୁ ଶଙ୍ଖେ ଭଳି ହୋଇଥାଏ ବୋଲି ଲୋକେ କୁହନ୍ତି l ଏହାର ସ୍ଥାୟୀ ସମାଧାନ ପୂର୍ବକ ଗାଁକୁ ଉଚ୍ଚା ସ୍ଥାନକୁ ସ୍ଥାନାନ୍ତର କିମ୍ବା ଗାଁ ନିକଟରେ ଆନିକଟ, ବଡ଼ ବନ୍ଧ ସୃଷ୍ଟି କାରାଗଲେ ମହାନଦୀ ବନ୍ୟା ଜଳ ରୋକା ଯାଇପାରନ୍ତା l କିଛି ଲୋକ, ଗାଁକୁ ଉପଯୁକ୍ତ ସ୍ଥାନକୁ ସ୍ଥାନାନ୍ତର ପ୍ରକ୍ରିୟାକୁ ଗ୍ରହଣ କରିଛନ୍ତି l ସରକାର ଅନ୍ୟ କେଉଁ ସ୍ଥାନରେ ଉପଯୁକ୍ତ ଥଇଥାନ କଲେ ଏହାର ସମାଧାନ ହୋଇପାରନ୍ତା l

ଇଟିଭି ଭାରତ, ନୟାଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.