ନକଲି ସୁନା ଶଙ୍ଖ ଦେଇ ଠକୁଥିଲେ, 2 ଠକଙ୍କୁ ବାନ୍ଧିଲା ପୋଲିସ

author img

By

Published : Jan 22, 2023, 9:03 AM IST

trade and Kidnapping

ନକଲି ସୁନା ଶଙ୍ଖ ଦେଇ ଅନ୍ୟକୁ ଫସାଇବା ପଡିଲା ମହଙ୍ଗା । ଅନ୍ୟକୁ ଫସାଇବାକୁ ଉଦ୍ୟମ କରିବାକୁ ଯାଇ ନିଜେ ଫସିଗଲେ ଯୁବକ। ଅଧିକ ପଢ଼ନ୍ତୁ

ଠକେଇ କାରବାର

ନବରଙ୍ଗପୁର: ନକଲି ସୁନା ଶଙ୍ଖ କାରବାର ଓ ଅପହରଣ ଅଭିଯୋଗରେ ୨ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ଏହାସହ ଏ ସମ୍ପର୍କରେ ଏକ ମାମଲା ରୁଜୁ କରି ଉଭୟ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରିଛି । ଗିରଫ ଅଭିଯୁକ୍ତଦ୍ବୟ ହେଲେ ମଧ୍ୟପ୍ରଦେଶ ରାଜ୍ୟର ବେତୁଲ୍ ଅଞ୍ଚଳର ଜଣେ ଭଣ୍ଡ ବାବା ଓ ନବରଙ୍ଗପୁର ଜିଲ୍ଲା ଚନ୍ଦ୍ରପୁର ଅଞ୍ଚଳର ରବିନ୍ଦ୍ର ମିର୍ଗାନ । ଏନେଇ ଗତକାଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛି ମୈଦଲପୁର ପୋଲିସ ।

ସୂଚନାନୁସାରେ ନବରଙ୍ଗପୁର ଜିଲ୍ଲା ମୈଦଲପୁର ଥାନା ଅନ୍ତର୍ଗତ ଚନ୍ଦ୍ରପୁର ଗ୍ରାମର ରବିନ୍ଦ୍ର ମିର୍ଗାନ ୨ ଲକ୍ଷ ଟଙ୍କା ବଦଳରେ ସୁନା ଶଙ୍ଖ ଦେବି ବୋଲି କହି ମଧ୍ୟପ୍ରଦେଶ ଅଞ୍ଚଳର କିଛି ବ୍ୟକ୍ତିଙ୍କ ଠାରୁ ଅଗ୍ରୀମ ପ୍ରାୟ ୪୦ ହଜାର ଟଙ୍କା ନେଇଯାଇଥିଲେ । ସେହି ବ୍ୟକ୍ତିମାନେ କମ୍ ଦରରେ ସୁନା ଶଙ୍ଖ ପାଇବା ଆଶାରେ ବାରମ୍ବାର ମୈଦଲପୁର ଅଞ୍ଚଳକୁ ଗସ୍ତ କରୁଥିଲେ। ଶେଷରେ ରବିନ୍ଦ୍ର କୁଆଡେ ଏକ ନକଲି ସୁନା ଶଙ୍ଖ ତାଙ୍କୁ ଦେଖାଇଥିଲେ । ଏହାକୁ ନେଇ ବ୍ୟକ୍ତିମା‌ନେ ତାଙ୍କ ଗାଁକୁ ଯାଇ ମୁଲଚାଲ୍ କରି ଟଙ୍କା ନେବ ବୋଲି କହିଥିଲେ ।

ପରେ ଉକ୍ତ ବ୍ୟକ୍ତିମାନେ ସେହି ଶଙ୍ଖକୁ ନେଇ ଯାଞ୍ଚ କରିବା ସମୟରେ ତାହା ନକଲି ବୋଲି ଜଣାପଡ଼ିଥିଲା । ଏହାପରେ ପୂର୍ବରୁ ଅଗ୍ରୀମ ନେଇଥିବା ୪୦ ହଜାର ଟଙ୍କା ଫେରସ୍ତ ପାଇଁ ଦାବି କରିଥିଲେ । ହେଲେ ରବିନ୍ଦ୍ର ଦେଇପାରିନଥିଲେ। ପରେ ରବିନ୍ଦ୍ର ସେମାନଙ୍କୁ ଭୂଆଁ ବୁଲାଇ ଏହି କାମରେ ତାଙ୍କୁ ସହଯୋଗ କରୁଥିବା ମଧ୍ୟପ୍ରଦେଶର ଭଣ୍ଡବାବା ପାଖକୁ ପଳାଇଥିଲେ । ଏନେଇ ମଧ୍ୟପ୍ରଦେଶ ଅଞ୍ଚଳର ସେହି ବ୍ୟକ୍ତିମାନେ ତାଙ୍କୁ ପିଛା କରି ସେଠାରେ ପହଞ୍ଚିଥିଲେ। ପରେ ସେଠାରେ ରବିନ୍ଦ୍ରକୁ ନେଇ ଏକ ବନ୍ଦ କୋଠରୀ ଘରେ ଅଟକ ରଖି ତା ପରିବାର ଲୋକଙ୍କୁ ୬ଲକ୍ଷ ଟଙ୍କା ଡିମାଣ୍ଡ କରିଥିଲେ । ୬ ଲକ୍ଷ ଟଙ୍କା ଦେଲେ ରବିନ୍ଦ୍ରକୁ ଛଡାଯିବ ବୋଲି ଫୋନ କରି ଜଣାଇଥିଲେ ।

ଏନେଇ ରବିନ୍ଦ୍ରଙ୍କ ସ୍ତ୍ରୀ ବନ୍ଦିତା ମିର୍ଗାନ ମଇଦଲପୁର ଥାନାରେ ଅଭିଯୋଗ କରିଥିଲେ । ସ୍ତ୍ରୀ ବନ୍ଦିତାଙ୍କ ଏତଲାକୁ ଆଧାର କରି ମୈଦଲପୁର ଥାନାରେ ପୋଲିସ ଏକ ନିଖୋଜ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ନବରଙ୍ଗପୁର ଏସପି ଏସ.ସୁଶ୍ରୀଙ୍କ ନିର୍ଦ୍ଦେଶ କ୍ରମେ ପାପଡାହାଣ୍ଡି ଏସଡିପିଓ ଆଦିତ୍ୟ ସେନ ଓ ମୈଦଲପୁର ଥାନା ଅଧିକାରୀ ନଟବର ନନ୍ଦ ଏହି ଘଟଣାକୁ ଗୁରୁତର ସହିତ ନେଇ ମୈଦଲପୁର ଥାନା ପକ୍ଷରୁ ଏ ନେଇ ଏକ ସ୍ବତନ୍ତ୍ର ଟିମ୍ ରବିନ୍ଦ୍ରକୁ ଉଦ୍ଧାର କରିବା ପାଇଁ ତୁରନ୍ତ ମଧ୍ୟପ୍ରଦେଶ ପଠାଇଥିଲେ ।

ମୈଦଲପୁର ପୋଲିସ ଶେଷରେ ମଧ୍ୟପ୍ରଦେଶ ପୋଲିସର ସହାୟତାରେ ବେତୁଲ ଜିଲ୍ଲାର ଛି‌ଛୋଲି ଗ୍ରାମରେ ପହଞ୍ଚି ଏକ ବନ୍ଦ କୋଠରୀରୁ ରବିନ୍ଦ୍ରକୁ ଉଦ୍ଧାର କରିବାସହ ବିଦ୍ୟା ସାଗର ଦୁବେ ନାମକ ଭଣ୍ଡ ବାବାକୁ ଉଠାଇ ଆଣିଥିଲେ । ପରେ ଉଭୟଙ୍କୁ ମଧ୍ୟପ୍ରଦେଶରୁ ଗିରଫ କରି ନବରଙ୍ଗପୁର ଥାନାକୁ ଆଣିଥିଲେ ପୋଲିସ । ସେଠାରେ ଉଭୟ କାରବାର ଏବଂ ବିକ୍ରେତାଙ୍କ ନାଁରେ ମାମଲା ରୁଜୁ କରି କୋର୍ଟଚାଲାଣ କରିଥିଲେ ।

ଅନ୍ୟପକ୍ଷରେ ସେ କୌଣସି ନକଲି ଶଙ୍ଖ କାରବାର ଘଟଣାରେ ଜଡିତ ନଥିବା ଏବଂ ସାଙ୍ଗମାନଙ୍କ ଚକ୍ରାନ୍ତରେ ଫସି ଯାଇଥିବା ପ୍ରକାଶ କରିଛନ୍ତି ରବୀନ୍ଦ୍ର ମିର୍ଗାମ । ଭଣ୍ଡ ବାବା ବିଦ୍ୟା ସାଗର ତାକୁ ଫସେଇ ଦେଇଛନ୍ତି । ଯେଉଁ ଲୋକମାନେ ମୋତେ ଅପହରଣ କରିଥିଲେ ସେମାନେ ବି ଏହି ଭଣ୍ଡ ବାବାର ଲୋକ । ଏମାନେ ପରିବାର ଲୋକଙ୍କୁ ହତ୍ୟା ଉଦ୍ୟମ କରିବାସହ ଶାରୀରିକ ଓ ମାନସିକ ନିର୍ଯାତନା ମୋତେ ଦେଉଥିଲେ ।

ଏହାସହ ଟଙ୍କା ବଦଳରେ କିଡନୀ ବାହାର କରିଦେବାକୁ ଚାପ ପ୍ରୟୋଗ କରିଥିବା ଓ ହତ୍ୟା ଉଦ୍ୟମ କରିଥିବା ରବୀନ୍ଦ୍ର ପୋଲିସ ଆଗରେ କହିଛି । ଅପରପକ୍ଷରେ ସେ ନକଲି ସୁନା ଶଙ୍ଖ କାରବାରରେ ସମ୍ପୃକ୍ତ ଥିବା ସ୍ୱୀକାର କରିବା ସହ ହତ୍ୟା ଉଦ୍ୟମ ଓ କିଡନୀ ବାହାର କରିବା ଘଟଣାକୁ ମିଛ ବୋଲି ଭଣ୍ଡ ବାବା ବିଦ୍ୟାସାଗର କହିଛି ।

ଇଟିଭି ଭାରତ, ନବରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.