କ୍ଷେତରେ ହସୁଛି ସତେଜ ଟମାଟୋ, ଲୋକଙ୍କୁ କରୁଛି ରୋଜଗାରକ୍ଷମ

author img

By

Published : Nov 12, 2022, 3:42 PM IST

successful farmer cultivates tomato in nabarangpur

କ୍ଷେତରେ ହସୁଛି ସତେଜ ଟମାଟୋ । ନବରଙ୍ଗପୁର ଜିଲ୍ଲାର ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ ବିଜ୍ରାଗୁଡା ଗ୍ରାମରେ ଅତ୍ୟାଧୁନିକ ଜ୍ଞାନ କୌଶଳରେ ଟମାଟୋ ଚାଷ ହେଉଛି । 32 ଏକର ଜମିରେ ହେଉଥିବା ଟମାଟୋ ଚାଷ ଯୋଗୁଁ ନିକଟସ୍ଥ ଅଞ୍ଚଳରେ ଅନେକ ଲୋକ ରୋଜଗାରକ୍ଷମ ହୋଇପାରିଛନ୍ତି । ଅଧିକ ପଢ଼ନ୍ତୁ

ନବରଙ୍ଗପୁର: କ୍ଷେତରେ ହସୁଛି ସତେଜ ଟମାଟୋ । ଗଛରେ ଫଳିଛି ପେନ୍ଥା ପେନ୍ଥା ସତେଜ ଟମାଟୋ । ସବୁଜ କ୍ଷେତ ଲାଲ ଟମାଟୋରେ ପୂରି ଉଠିଛି । ଆଧୁନିକ ପ୍ରଣାଳୀରେ ଏକର ଏକର ଜମିରେ ହୋଇଥିବା ଟମାଟୋ ଚାଷ ସ୍ଥାନିୟ ଲୋକଙ୍କୁ ରୋଜଗାରର ବାଟ ଦେଖାଇଛି । ନବରଙ୍ଗପୁର ଜିଲ୍ଲାର କୃଷି ଉଦ୍ୟୋଗୀ ହସମୁଖଲାଲ ଚାୱଡାଙ୍କ ପ୍ରଚେଷ୍ଟାରେ ଗଢ଼ିଉଠିଥିବା ଏହି ବୃହତ ଫାର୍ମରେ ଟମାଟୋ ଚାଷ କରି ଲକ୍ଷାଧିକ ଟଙ୍କା ଉପାର୍ଜନ କରିବା ସହ ଅନ୍ୟକୁ ରୋଜଗାର ଦେଇପାରିଛନ୍ତି । ଏହି ଫାର୍ମ ନବରଙ୍ଗପୁର ଜିଲ୍ଲା ସମେତ ପଡୋଶୀ ଜିଲ୍ଲା ଓ ରାଜ୍ୟର ଟମାଟୋ ଚାହିଦାକୁ ମେଣ୍ଟାଇ ପାରୁଛି ।

କ୍ଷେତରେ ହସୁଛି ସତେଜ ଟମାଟୋ, ଲୋକଙ୍କୁ କରୁଛି ରୋଜଗାରକ୍ଷମ

ନବରଙ୍ଗପୁର ଜିଲ୍ଲାର ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ ବିଜ୍ରାଗୁଡା ଗ୍ରାମକୁ ପ୍ରବେଶ କରିବା ମାତ୍ରେ ଦୃଷ୍ଟିଗୋଚର ହୁଏ ଏକ କୃଷି ଫାର୍ମ । ୪୫ ଏକର ବିଶିଷ୍ଟ ଏହି ଫାର୍ମରେ ୩୨ ଏକରରେ ଚାଷ କରାଯାଇଛି । ଫାର୍ମରେ ଲଗାଯାଇଛି ଉନ୍ନତ କିସମ ହାଇବ୍ରିଡ ଟମାଟୋ ଗଛ। ମୋଟ ୯୬ ହଜାର ଟମାଟୋ ଚାରା ଗତ ଅଗଷ୍ଟ ମାସରେ ରୋପଣ କରାଯାଇଛି । ସମ୍ପୂର୍ଣ୍ଣ ବୈଜ୍ଞାନିକ ପଦ୍ଧତିରେ ଗ୍ରାଫଟେଡ ହୋଇଥିବା ଚାରା ଗୁଡିକରେ ୬୦ ଦିନ ପରେ ଟମାଟୋ ଫଳିବା ଆରମ୍ଭ ହୋଇଥିଲା । ଅତ୍ୟାଧୁନିକ ଜ୍ଞାନ କୌଶଳ ପ୍ରିସାଇଜ ଫାର୍ମିଙ୍ଗରେ ବୁନ୍ଦା ଜଳସେଚନ ଦ୍ବାରା ଟମାଟୋ ଚାଷ କରାଯାଇଛି ।

ଜଳସେଚନ ପାଇଁ ପୁରା ୩୨ ଏକର ଜମିରେ ହୁଡା କରାଯାଇ ମଲଚିଙ୍ଗ କରାଯାଇ ଜଳସେଚନ କରାଯାଉଛି । ଜଳସେଚନ ପଦ୍ଧତିଟି ସମ୍ପୂର୍ଣ୍ଣ ରୂପେ ଅଟୋ ମେସନ ଅଟେ । କମ୍ପ୍ୟୁଟରାଇଜ୍‌ ଅଟୋମେସନରେ ହିଁ ଜଳସେଚନ ଓ ସାର କୀଟନାଶକ ସବୁକିଛି ଗଛ ମୂଳରେ ଦିଆଯାଏ । ଏଥିପାଇଁ ସ୍ବତନ୍ତ୍ର ଟ୍ୟାଙ୍କ ଥିବା ବେଳେ ପାଇପ ଜରିଆରେ ହିଁ ସବୁକିଛି ଗଛ ମୂଳରେ ପହଞ୍ଚିଯାଏ । ପ୍ରତି ଏକର ପିଛା ଚାରି ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ହୋଇଥାଏ । ଏନେଇ ଫାର୍ମ ପରିଚାଳକ କହିଛନ୍ତି, "ଅତ୍ୟାଧୁନିକ ଶୈଳୀରେ ଟମାଟୋ ଚାଷ କରାଯାଉଛି । ହସମୁଖଲାଲ ଚାୱଡା ଏହି ଫାର୍ମର ଦାୟିତ୍ବ ନେଇଛନ୍ତି । ଜିଲ୍ଲାପାଳ ତଥା ପ୍ରଶାସନିକ ଅଧିକାରୀମାନେ ମଧ୍ୟ ଫାର୍ମ ପରିଦର୍ଶନରେ ଆସିଥାନ୍ତି ।"

ଏହା ମଧ୍ୟ ପଢ଼ନ୍ତୁ: ସଫଳ ଚାଷୀ ରାମ ପ୍ରସାଦ, କଲରା ଚାଷ କରି ଅନ୍ୟକୁ ଦେଉଛନ୍ତି ରୋଜଗାର

ଏବେ ଟମାଟୋ ଫଳି ପାଚିବା ଆରମ୍ଭ ହୋଇଥିବାବେଳେ ତୋଳା କାର୍ଯ୍ୟ ଚାଲୁ ରହିଛି । ଏହି ଫାର୍ମରେ ପ୍ରାୟ ଏକ ଶହ ଜଣ ପୁରୁଷ ଓ ମହିଳା କାମ କରନ୍ତି । ସମସ୍ତ କୃଷି ଶ୍ରମିକ ଆଖପାଖ ଅଞ୍ଚଳ ତଥା ନନ୍ଦାହାଣ୍ଡି ଓ ତେନ୍ତୁଳିଖୁଣ୍ଟି ବ୍ଲକରୁ ଆସି କାମ କରନ୍ତି । ହାତ ପାହାନ୍ତାରେ ଅତି ସହଜରେ ସେମାନଙ୍କୁ କାମ ମିଳିପାରୁଛି । ସଠିକ ସମୟରେ ଉଚିତ ପ୍ରାପ୍ୟ ମିଳୁଥିବାରୁ ଖୁସି ପ୍ରକାଶ କରିଛନ୍ତି । ଏହାର ରକ୍ଷଣା ବେକ୍ଷଣ ଦାୟିତ୍ବରେ ମଧ୍ୟ କର୍ମଚାରୀ ଅଛନ୍ତି । ଫାର୍ମରେ ଦୈନିକ ୧୦ ଟନ ଟମୋଟୋ ତୋଳା ଯାଉଛି ।

ସବୁ ଟମାଟୋକୁ ବଛା ଯିବା ପରେ ଝୁଡି ଗୁଡିକରେ ଭର୍ତ୍ତି କରା ଯାଇଥାଏ । ଟମାଟୋର ଦାମ ପ୍ରାୟ କ୍ୟୁଣ୍ଟାଲ ପ୍ରତି 1800ରୁ 2000 ଟଙ୍କା ମଧ୍ୟରେ ରହିଥାଏ । କ୍ଷୁଦ୍ର ପରିବା ବେପାରୀ ଏଠାରୁ ଟମାଟୋ ନେଇଥାନ୍ତି । ନବରଙ୍ଗପୁର ଜିଲ୍ଲା ସମେତ ପଡୋଶୀ କଳାହାଣ୍ଡି, କୋରାପୁଟ ଜିଲ୍ଲା ଏବଂ ଛତିଶଗଡ ରାଜ୍ୟକୁ ଟମାଟୋ ପଠାଯାଇଥାଏ । ଟମାଟୋ ଭଳି ପୂର୍ବରୁ ଏଠାରେ କଲରା ଚାଷ କରାଯାଇଥିଲା । କ୍ରପ ରୋଟେସନ ସିଷ୍ଟମରେ ଟମାଟୋ ପରେ ଅନ୍ୟ ପନିପରିବା ଚାଷ କରାଯିବ । ଅତ୍ୟାଧୁନିକ ଜ୍ଞାନ କୌଶଳ ଉପଯୋଗ କରି କୃଷି କ୍ଷେତ୍ରରେ ନବରଙ୍ଗପୁର ଜିଲ୍ଲାରେ ଏକ ନୂତନ କ୍ରାନ୍ତି ଆରମ୍ଭ ହେବ ଏଥିରେ ଦ୍ଵିମତ ନାହିଁ । ଏହି ପ୍ରକାର ଚାଷ ଦେଖି ଆଗାମୀ ଯୁବପିଢ଼ି କୃଷି କ୍ଷେତ୍ରରେ ମନ ନିବେଶ କରିବେ ବୋଲି ଆଶା କରାଯାଉଛି ।

ଇଟିଭି ଭାରତ, ନବରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.